ମସ୍ତିଷ୍କ ଆଘାତ (ହେଡ୍ ଇଞ୍ଜ୍ୟୁରି)
ପ୍ରଫେସର୍ ଡା. ଭବାନୀ ଶଙ୍କର ଦାସ
ମସ୍ତିଷ୍କ ଓ ସ୍ନାୟୁ ଚିକିତ୍ସା ବିଶେଷଜ୍ଞ
କଟକ

ନିଜର କାହାର ମସ୍ତିଷ୍କ ଆଘାତ ଖବର ପାଇଲେ ମନରେ ଅନେକ ଆଶଙ୍କା ଆସେ । ଏ ଲେଖାଟି ପଢ଼ିସାରିଲେ ପାଠକମାନେ ବୁଝି ପାରିବେ ଆଶଙ୍କା ହେବାଟା କେତେ ଯଥାର୍ଥ ।
ମଣିଷ ଦେହରେ ବିଭିନ୍ନ ଅର୍ଗାନ୍ ବା ଅଙ୍ଗମାନଙ୍କ ଭିତରୁ ମସ୍ତିଷ୍କ ଶ୍ରେଷ୍ଠ ବୋଲି ଗଣାଯାଏ । ମସ୍ତିଷ୍କର ନିର୍ଦ୍ଦେଶରେ ଆମେ ହାତ, ଗୋଡ଼ ଚଲାଉ ଓ କଥାବାର୍ତ୍ତା କହିପାରୁ । ଆଖି ଯାହା ଦେଖେ ବା କାନରେ ଯାହା ଶୁଣୁ ସେ ସବୁ ମସ୍ତିଷ୍କରେ ବିଶ୍ଳେଷଣ ହେଲେ ଯାଇ ଆମେ ଦେଖୁ ବା ଶୁଣୁ । ସବୁଠୁ ବଡ଼ ହେଉଛି ଯେ ଆମେ ସତେଜ ରହୁ, ହୋସ୍ରେ ଥାଉ ବା କିଛି ସମୟ ପାଇଁ ଶୋଇପାରୁ କେବଳ ମସ୍ତିଷ୍କର ସୁସ୍ଥ ଅବସ୍ଥା ଯୋଗୁଁ ।

ପ୍ରକୃତି ମସ୍ତିଷ୍କକୁ କୌଣସି ଆଘାତରୁ ବଞ୍ଚେଇ ରଖିବା ପାଇଁ ଗୋଟିଏ ଶକ୍ତ ହାଡ଼ର ଖୋଳ ଭିତରେ ଯତ୍ନରେ ରଖିଥାଏ । ଏଇଟି ହେଉଛି ମୁଣ୍ଡର ଖପୁରି ବା ସ୍କଲ୍ । ବ୍ରେନ୍ ବା ମସ୍ତିଷ୍କ ଗୋଟିଏ ଅତି କୋମଳ ଅଙ୍ଗ । ଏହା କୋଟି କୋଟି ସ୍ନାୟୁକୋଷ ବା ନିଉରନ ଦ୍ୱାରା ଗଢ଼ା । ନିଉରନ୍ଗୁଡ଼ିକ ପୁଞ୍ଜିଭୂତ ହୋଇ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଥାନ୍ତି ଓ ସେମାନେ କୌଣସି ଏକ ପ୍ରକାର କାମ କରନ୍ତି । ନିଉରନ ଗୁଚ୍ଛ ସବୁ ଓ ପ୍ରତ୍ୟେକ ନିଉରନ୍ ପରସ୍ପର ଭିତରେ ଖବର ଆଦାନ ପ୍ରଦାନ ପାଇଁ ଅନେକ ତନ୍ତୁ ସମୂହ ଅଛି । ସେଗୁଡ଼ିକୁ ଆକ୍ସନ ଓ ଡେଂଡ୍ରାଇଟ୍ କୁହାଯାଏ । ବ୍ରେନ୍ଟି ନିଉରନ୍, ଆକ୍ସନ ଓ ଛୋଟ ଛୋଟ ରକ୍ତନଳୀ ଦ୍ୱାରା ଗଠିତ ।

ବ୍ରେନ୍ସେଲ ଓ ସଂଯୋଗୀ ତନ୍ତୁଗୁଡ଼ିକ ସୁସ୍ଥ ଓ କାର୍ଯ୍ୟକ୍ଷମ ରହିବା ପାଇଁ ଭରପୁର ଅମ୍ଳଜାନ ଦରକାର । ଏହାର ପରିମାଣ କମ୍ ହେଲେ ବା ଆଘାତ ପାଇଲେ, ସେଇ ଅଂଶଟି ମଉଳି ଯାଏ । ଫଳରେ ପ୍ରଭାବିତ ଅଞ୍ଚଳଟି ଯେଉଁ ଅଙ୍ଗକୁ ନିୟନ୍ତ୍ରଣ କରେ ସେଇଟି ଅକାମି ହୋଇଯାଏ ବା ପାରାଲିସିସ୍ ଘଟିଥାଏ ।
ମୁଣ୍ଡର ଖପୁରୀ ଓ ତା’ ତଳର ଶକ୍ତ ପର୍ଦ୍ଦା ଅନେକାଂଶରେ ମସ୍ତିଷ୍କକୁ ବାହ୍ୟ ଆଘାତରୁ ସୁରକ୍ଷା ଦେଇଥାନ୍ତି । କିନ୍ତୁ ଅବସ୍ଥା କ୍ଷେତ୍ରରେ ଏସବୁ ଯଥେଷ୍ଟ ନୁହେଁ । ମୁଣ୍ଡରେ ଅଧିକ ଆଘାତ ହେଲେ ମସ୍ତିଷ୍କ ଅଳ୍ପ ବହୁତେ ଆକ୍ରାନ୍ତ ହୋଇପଡ଼େ । ଫଳରେ ଚିରି ହୋଇଥିବା ସ୍ଥାନରେ ରକ୍ତସ୍ରାବ ହୋଇ ଜମାଟ ବାନ୍ଧିଯାଏ । ଏହି ହିମାଟୋମାଟି କ୍ରମେ ବଢ଼ି ଓଜନ ବିପନ୍ନ କରିପାରେ । ଉପଯୁକ୍ତ ଚିକିତ୍ସା ମିଳିଲେ ଓ ଦରକାର ସ୍ଥଳେ ଅପରେସନ୍ ହେଲେ ଅନେକ ରୋଗୀ ଉପକୃତ ହୁଅନ୍ତି ।
ମସ୍ତିଷ୍କ ଆଘାତର ସବୁଠୁ ସଠିକ ଲକ୍ଷଣ ହେଉଛି ମାଡ଼ ହେବା ପରେ କିଛି ସମୟ ପାଇଁ ବା ଅନେକ ସମୟ ଧରି ବେହୋସ ହେବା, ଚିକିତ୍ସା ସମୟରେ ଯଦି ସତେଜ ଥିବା ରୋଗୀ ଆସ୍ତେ ଆସ୍ତେ ବେହୋସ ହେବାକୁ ଲାଗେ, ତେବେ କିଛି ଅସୁବିଧା ସନ୍ଦେହ କରାଯାଏ । ତୁରନ୍ତ ବ୍ୟବସ୍ଥା ଦରକାର ହୋଇପାରେ । ଡାକ୍ତରଙ୍କୁ ଜଣାନ୍ତୁ । ସେ ଆଉ ଥରେ ସ୍କାନ୍ କରି ଅପରେସନ୍ର ବ୍ୟବସ୍ଥା କରିପାରନ୍ତି । ଠିକ୍ ସେହିପରି ଯଦି ଜଣେ ରୋଗୀ ଆଗରୁ ହାତ ଗୋଡ଼ ନିଜେ ହଲାଉଥିବ ଏବଂ କିଛି ସମୟ ପରେ ଗୋଟିଏ ବା ବେଶି ଅଙ୍ଗ ଅବଶ ହୋଇଯିବ ଏହା ଖରାପ ଆଡ଼କୁ ଯିବା ଲକ୍ଷଣ । ଅତି ଶୀଘ୍ର ଡାକ୍ତରଙ୍କୁ ଖବର ଦିଅନ୍ତୁ । ଉପର ଲିଖିତ ଅବସ୍ଥାଗୁଡ଼ାକ ଉପୁଜିଲେ, ତା’ର ଚିକିତ୍ସାର ସୁବିଧା ସେହି ଡାକ୍ତରଖାନାରେ ଥିବା ଦରକାର ।

ମସ୍ତିଷ୍କରେ ଆଘାତପ୍ରାପ୍ତ ରୋଗୀଙ୍କ ମଧ୍ୟରୁ କେବଳ ୧୫ରୁ ୨୦%ଙ୍କର ଅପରେସନ୍ ଦରକାର ହୁଏ । ଅନ୍ୟମାନଙ୍କ ଭିତରେ ତିନି ପ୍ରକାର ରୋଗୀ ଥାଆନ୍ତି । କେତେକ ରୋଗୀ ଏତେ ସୁସ୍ଥ ଥାଆନ୍ତି ଯେ, ତାଙ୍କର ଅପରେସନ୍ ଦରକାର ପଡ଼େନି । ଦ୍ୱିତୀୟ ଶ୍ରେଣୀର ରୋଗୀଙ୍କର ବ୍ରେନ୍ ଅତ୍ୟନ୍ତ ଖରାପ ଅବସ୍ଥାରେ ଥାଏ ଓ ସେମାନେ କୋମାରେ ଥାନ୍ତି । ତାଙ୍କର କୌଣସି ଅପରେସନ୍ ଦ୍ୱାରା ଲାଭ ନ ହେବା ନିଶ୍ଚିତ । ସେମାନଙ୍କର ଅପରେସନ୍ ବୃଥା । ତୃତୀୟ ପ୍ରକାରର ମସ୍ତିଷ୍କ ଆଘାତ ରୋଗୀ ଏକବାରେ ଅଲଗା । ଏମାନେ ସାମାନ୍ୟ ଅଚେତ ଅବସ୍ଥାରୁ ଗଭୀର କୋମା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଥାଆନ୍ତି । ସିଟି ସ୍କାନ୍ରେ କିଛି ଅପରେସନ୍ ଯୋଗ୍ୟ କ୍ଷତି ନଥାଏ । ତଥାପି ଅଚେତ ଅବସ୍ଥାରେ ପଡ଼ିଥାଆନ୍ତି । ଏମାନଙ୍କର ବ୍ରେନ୍ରେ ଡିଫ୍ୟୁଜ୍ ଆକ୍ସନାଲ୍ ଇଞ୍ଜୁରି ହୋଇଥାଏ । ଏଥିରେ ବିସ୍ତୃତ ଭାବେ ଆକ୍ସନଗୁଡ଼ିକ ବା ବ୍ରେନ୍ର ତନ୍ତୁ ସବୁ ଛିଣ୍ଡି ଯାଇଥାଏ । ଫଳରେ ନ୍ୟୁରନ୍ଗୁଡ଼ିକ ଭଲ ଥିଲେ ବି କାର୍ଯ୍ୟକାରୀ ହୁଏନି ଓ କାଳକ୍ରମେ ସେଗୁଡ଼ିକ ଶୁଖି ଯାଆନ୍ତି । ଅପରେସନ୍ ଦରକାର ନ ହେଉଥିବା ରୋଗୀମାନଙ୍କ ଭିତରେ ଏମାନଙ୍କ ସଂଖ୍ୟା ସବୁଠାରୁ ଅଧିକ । କେବଳ ସେବା ଶୁଶ୍ରୁଷା ଓ ଆନୁସଙ୍ଗିକ ଚିକିତ୍ସାରେ କେତେକ ଭଲ ଆଡ଼କୁ ଆସନ୍ତି ।

ମୁଣ୍ଡରେ ଆଘାତ ପାଇଥିବା ବ୍ୟକ୍ତି, ପିଲା ବା ବଡ଼ ଡାକ୍ତରଖାନାରୁ ଫେରିଲା ପରେ ସବୁ ଠିକ୍ ହୋଇଗଲା ବୋଲି ଭାବନ୍ତୁ ନାହିଁ । ସାମାନ୍ୟ ଅଘାତ ପାଇଥିବା ବୟସ୍କଙ୍କ କ୍ଷେତ୍ରରେ ମସ୍ତିଷ୍କର ଉପର ଭାଗରେ ତରଳ ରକ୍ତ ଜମି ପାରେ । ଏହାକୁ ‘ସବ୍ ଡ୍ୟୁରାଲ୍ ହିମାଟୋମା’ ବୋଲି କୁହାଯାଏ । ଏ କ୍ଷେତ୍ରରେ ସାମାନ୍ୟ ଅପରେସନ୍ ଦ୍ୱାରା ରୋଗୀ ସୁସ୍ଥ ହୋଇଯାଆନ୍ତି । ବ୍ରେନ୍ ଆଘାତର କିଛି ଦିନ ବା ମାସ ପରେ ଅପସ୍ମାର ବାତ (ଫିଟ୍ସ) ବାହାରି ପାରେ ତା’ର ଚିକିତ୍ସା ଔଷଧ ନିରବଚ୍ଛିନ୍ନ ଭାବେ କରାଯାଏ । ମୁଣ୍ଡରେ ମାଡ଼ ବାଜିଥିବା ପିଲା ବା ବଡ଼ଙ୍କର କିଛି ସମୟ ପରେ ଆରଚଣ ବିଧିରେ ପରିବର୍ତ୍ତନ ଦେଖାଯାଏ । ପିଲାଟି ଆଉ ସ୍କୁଲକୁ ଯିବାକୁ ରାଜି ହୁଏ ନାହିଁ । ଆଗରୁ ଭଲ ପଢ଼ୁଥିଲା, ଏବେ ଭଲ ମାର୍କ ରଖୁନି । ଲୋକଟି ଚାକିରିକୁ ନ ଯାଇ, ଛୁଟିରେ ଘରେ ବସିଛି । କ୍ଷେତ୍ର ବିଶେଷରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କର ପରିବର୍ତ୍ତନ ହେବା ଇତ୍ୟାଦି ପରିଲକ୍ଷିତ ହୁଏ ।
ଏ ସବୁର ଚିକିତ୍ସା ମାନସିକ ରୋଗ ବିଶାରଦଙ୍କ ଦ୍ୱାରା କରାଯାଏ ।
ବାସ୍ତବରେ ମଧ୍ୟମ ଓ ଗୁରୁତର ବ୍ରେନ୍ ଆଘାତ ପରେ ସମ୍ପୂର୍ଣ୍ଣ ଭଲ ହୋଇଯିବାର ଆଶଙ୍କା କମ୍ । ଏହା ସତ ଯେ ଅପରେସନ୍ ଦ୍ୱାରା ଅନେକ ରୋଗୀ ଉପକୃତ ହୁଅନ୍ତି । ପରିବାର ଲୋକେ ଅପରେସନରୁ ଯାହା ଆଶା କରିଥାଆନ୍ତି ତାହା ସବୁ ସମୟରେ ମିଳି ନପାରେ । ଉକ୍ତି ଅଛି ‘ମୁଣ୍ଡରେ ସାମାନ୍ୟ ଆଘାତ ଯେମିତି ସମ୍ପୂର୍ଣ୍ଣ ନିର୍ଭରଯୋଗ୍ୟ ନୁହେଁ, ବଡ଼ ଧରଣର ଆଘାତ ସବୁ ନୈରାଶ୍ୟଜନକ ହୋଇ ନଥାଏ’ । ଏଥିପାଇଁ ବିବ୍ରତ ନ ହୋଇ ଉପଯୁକ୍ତ ଚିକିତ୍ସାର ଆଶ୍ରୟ ନେବାଟା ଶ୍ରେୟ ।