ଡା. ପରେଶ ଚନ୍ଦ୍ର ମାଝି
ମୂତ୍ରଶଲ୍ୟ ବିଶେଷଜ୍ଞ
ଆସିଷ୍ଟାଣ୍ଟ୍ ପ୍ରଫେସର୍‌
ହାଇଟେକ୍ ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍‌ପିଟାଲ୍
ଭୁବନେଶ୍ୱର

ପରିସ୍ରାରେ ରକ୍ତ ପଡ଼ିବାକୁ ‘ହେମାଚୁରିଆ’ କୁହାଯାଏ । ପରିସ୍ରାରେ ରକ୍ତ ଆସିବାଟା ଯେ, ସବୁବେଳେ ଖାଲି ଆଖିରେ ଦେଖାଯିବ, ସେମିତି କିଛି ମାନେ ନାହିଁ । ଖାଲି ଆଖିରେ ଦେଖାଗଲେ ଏହାକୁ ‘ଭିଜିବଲ୍ ହେମାଚୁରିଆ’ ବା ‘ଗ୍ରସ୍ ହେମାଚୁରିଆ’ କୁହାଯାଏ । ଅଣୁବୀକ୍ଷଣ ଯନ୍ତ୍ର ବା ମାଇକ୍ରୋସ୍କୋପ୍‌ରେ ଦେଖାଗଲେ ଏହାକୁ ‘ମାଇକ୍ରୋସ୍କୋପିକ୍ ହେମାଚୁରିଆ’ କୁହାଯାଏ । ମାଇକ୍ରୋସ୍କୋପ୍‌ରେ ହାଇପାୱାର୍ ମାଇକ୍ରୋସ୍କୋପିକ୍ ଫିଲ୍‌ଡ ୩ରୁ ଅଧିକ ଆର୍‌ବିସି (ଲୋହିତ ରକ୍ତ କଣିକା) ରହିଲେ ଏହା ଗୁରୁତ୍ୱପୂର୍ଣ୍ଣ ଅଟେ । ପରିସ୍ରାରେ ରକ୍ତ ଦେଖିଲା ପରେ ସାଧାରଣତଃ ରୋଗୀମାନେ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଆନ୍ତି । କିନ୍ତୁ ହେମାଚୁରିଆ ହୋଇଥିଲେ ବି ଯଦି ଖାଲି ଆଖିରେ ପରିସ୍ରାରେ ରକ୍ତ ଦେଖି ହେଲା ନାହିଁ, ସେ କ୍ଷେତ୍ରରେ ଚିକିତ୍ସା ଆରମ୍ଭରେ ବିଳମ୍ବ ହେବାର ଆଶଙ୍କା ଥାଏ । ବୟସ୍କ ବ୍ୟକ୍ତି (ସାଧାରଣତଃ ୪୫-୫୦ ବର୍ଷରୁ ଉର୍ଦ୍ଧ୍ୱ)ଙ୍କ କ୍ଷେତ୍ରରେ ପରିସ୍ରାରେ ରକ୍ତ ପଡ଼ିବାଟା କୌଣସି କ୍ୟାନସର୍‌ର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ସେମିତିରେ ତ’ ଦେଖିବାକୁ ଗଲେ ଅନେକ କାରଣ ଯୋଗୁଁ ବୟସ୍କ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ପଡ଼ିଥାଏ; କିନ୍ତୁ ନିମ୍ନଲିଖିତ କ୍ୟାନସର୍ ଗୁଡ଼ିକୁ ପରୀକ୍ଷା ନୀରିକ୍ଷା କରି ଚିହ୍ନଟ କରିବା ନିହାତି ଆବଶ୍ୟକ । ଯଥା,
କିଡ୍‌ନି କ୍ୟାନସର
ବ୍ଲାଡର୍ କ୍ୟାନସର୍
ପ୍ରୋଷ୍ଟେଟ୍ କ୍ୟାନସର୍‌
ୟୁରେଥ୍ରାଲ୍ (ପରିସ୍ରା ନଳୀ) କ୍ୟାନସର୍‌

ବୃଦ୍ଧ ବା ବୟସ୍କ ବ୍ୟକ୍ତିଙ୍କ ଠାରେ ହେମାଚୁରିଆ ଦେଖାଦେଲେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତି କରି ତାଙ୍କର ସମ୍ପୂର୍ଣ୍ଣ ପରୀକ୍ଷା ନିରୀକ୍ଷା କରିବା ଉଚିତ ।

ହେମାଚୁରିଆର ଅନ୍ୟାନ୍ୟ କାରଣ:
ବହୁତଗୁଡିଏ କାରଣରୁ ପରିସ୍ରାରେ ରକ୍ତ ଆସିଥାଏ । ଦୁଇଟି ଯାକ କିଡ୍‌ନି ଓ ମୂତ୍ରନଳୀରେ କିଛି ସମସ୍ୟା କାରଣରୁ ପରିସ୍ରାରେ ରକ୍ତକଣିକା ମିଶିଯାଇଥାଏ । କିଛି କାରଣ ସାଧାରଣ ହୋଇଥିବା ବେଳେ କିଛି କାରଣ ଗୁରୁତର ମଧ୍ୟ ହୋଇଥାନ୍ତି ।
– ମୂତ୍ରନଳୀ ସଂକ୍ରମଣ
– ବୃକ୍କ ସଂକ୍ରମଣ
– ବୃକ୍କ ପଥୁରୀ
– ଅତ୍ୟଧିକ ଶାରୀରିକ ବ୍ୟାୟାମ
– ଋକ୍ତ ପତଳା ପାଇଁ ଓ କ୍ୟାନସର୍ ଚିକିତ୍ସା ପାଇଁ ସେବନ କରାଯାଉଥିବା ଔଷଧର ପାଶ୍ୱର୍ ପ୍ରତିକ୍ରିୟା
– ଜନନେନ୍ଦ୍ରିୟ, ମୂତ୍ରନଳୀ, ମୂତ୍ରାଶୟ ଓ ବୃକ୍କ ଆଦିରେ ଆଘାତ
– ପ୍ରୋଷ୍ଟାଟାଇଟିସ୍ (ପୁରୁଷଗ୍ରନ୍ଥିର ସଂକ୍ରମଣ)
– ବିଏଚ୍‌ପି (ବିନାଇନ୍ ହାଇପର୍‌ପ୍ଲାସିଆ ଅଫ୍ ପ୍ରୋଷ୍ଟେଟ୍‌)
– ମୂତ୍ରାଶୟ ପଥୁରୀ ଇତ୍ୟାଦି ।

କେଉଁ ସବୁ ଆନୁଷଙ୍ଗିକ ଲକ୍ଷଣ ଥିଲେ କ୍ୟାନସର୍ ଅଛି ବୋଲି ସନ୍ଦେହ କରିବା?
ପରିସ୍ରାରେ ରକ୍ତପଡ଼ିବା ଭଳି ମୂଖ୍ୟ ଲକ୍ଷଣ ବ୍ୟତୀତ ଆହୁରି ଅନେକ ଆନୁଷଙ୍ଗିକ ଲକ୍ଷଣ ପରିଲକ୍ଷିତ ହୋଇଥାଏ ।
କିଡ୍‌ନି କ୍ୟାନସର୍ :-
୧. ଉପର ପେଟରେ ଯନ୍ତ୍ରଣା ହେବା
୨. ପେଟ ଫୁଲିବା
୩. ପରିସ୍ରାରେ ଜମାଟ ରକ୍ତ ପଡ଼ିବା
୪. ଭୋକ ନ ଲାଗିବା
୫. ଓଜନ ହ୍ରାସ ହେବା
ପେଟରେ ପାଣି ଜମିବା ଓ ଅଂଟା ବ୍ୟଥା ହେବା ଆଦି ଥିଲେ କ୍ୟାନସର୍ ଶରୀରର ଅନ୍ୟ ସ୍ଥାନକୁ ମାଡି ଯାଇଛି ବୋଲି ଜଣାଯାଏ ।
ୟୁରିନାରୀ ବ୍ଲାଡର୍ ଟ୍ୟୁମର୍‌:-
ହେମାଚୁରିଆ ବ୍ୟତୀତ
୧. ବାରମ୍ବାର ପରିସ୍ରା ଲାଗିବା
୨. ପରିସ୍ରା ଜଳାପୋଡା ଲାଗିବା
୩. ପରିସ୍ରା ଧିରେ ଧିରେ ହେବା ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା (ରକ୍ତଜମାଟ କାରଣରୁ)
୪. ତଳପେଟ ଫୁଲିବା
୫. ପରିସ୍ରାରେ ଜମାଟ ରକ୍ତ ପଡିବା
୬. ଭୋକ ନ ଲାଗିବା
୭. ଓଜନ ହ୍ରାସ ହେବା
ଯଦି ରେକ୍ଟମ୍ ବା ମଳାଶୟ ସଂକ୍ରମିତ ହୋଇସାରିଥାଏ, ତେବେ ଝାଡା ଠିକ୍ ଭାବେ ନ ହେବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ । ଏହା କ୍ୟାନସରର ଆଡଭାନସଡ୍ ଷ୍ଟେଜର ସଙ୍କେତ ଦେଇଥାଏ ।
ପ୍ରୋଷ୍ଟେଟ୍ କ୍ୟାନସର୍‌:-
୧. ପରିସ୍ରା ଧିରେ ଧିରେ ହେବା କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା
୨. ଅଣ୍ଟାବ୍ୟଥା
୩. ଅସ୍ଥିଭଙ୍ଗୁରତା (ଅଳ୍ପ ଆଘାତରେ ଅସ୍ଥି ଭଗ୍ନ ହେବା)
ୟୁରେଥ୍ରାଲ୍ କ୍ୟାନସର୍‌:-
୧. ପରିସ୍ରା ଜଳାପୋଡ଼ା ହେବା
୨. ଧିରେ ଧିରେ ହେବା ବା ପରିସ୍ରା ପୁରା ବନ୍ଦ ହୋଇଯିବା
୩. ବାରମ୍ବାର ପରିସ୍ରା ଲାଗିବା


ରୋଗନିରୂପଣ ପଦ୍ଧତି-
ବୟସ୍କ ବ୍ୟକ୍ତିଙ୍କ ହେମାଚୁରିଆ ଦେଖାଦେଲେ ନିକଟସ୍ଥ ହସ୍‌ପିଟାଲରେ ଭର୍ତି କରାଇ ତାଙ୍କର ସମ୍ପୁର୍ଣ୍ଣ ପରୀକ୍ଷା-ନିରୀକ୍ଷା କରାଇବା ଆବଶ୍ୟକ । ପ୍ରଥମେ ରୋଗୀ ଓ ରୋଗ ଉଭୟଙ୍କର ଇତିହାସ ଜାଣିବା ଆବଶ୍ୟକ । ରୋଗୀର ଅନେକ କଥା ପଚାରି ବୁଝାଯାଇଥାଏ । ଉଚ୍ଚ ରକ୍ତଚାପ, ମେଦ ବହୁଳତା, ତମ୍ବାଖୁ ସେବନ ବ୍ଲାଡର୍ ଟ୍ୟୁମର୍ ଓ କିଡନି କ୍ୟାନସର୍ ହେବାର ଆଶଙ୍କା ବୃଦ୍ଧି କରିଥାନ୍ତି । ବ୍ଲାଡର୍ ଟ୍ୟୁମର୍ ସୃଷ୍ଟି ହେବାରେ ତମ୍ବାଖୁ ସେବନ ଓ ଧୂମପାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରକ । ବେଳେବେଳେ କିଡନି କ୍ୟାନସର୍ ଥିଲେ ରୋଗୀ ପରୀକ୍ଷା କଲା ସମୟରେ ଉପର ପେଟରେ ଫୁଲା ଜଣାପଡେ ଓ ବ୍ଲାଡର୍ ଟ୍ୟୁମର୍ ଥିଲେ ତଳପେଟରେ ଫୁଲା ଜଣାପଡେ ।
ସଠିକ୍ ରୋଗ ନିରୂପଣ ପାଇଁ ଏବେ ଅନେକ ଗୁଡ଼ିଏ ଅତ୍ୟାଧୁନିକ ପରୀକ୍ଷା ପଦ୍ଧତି ଉପଲବ୍ଧ ହେଲାଣି । ମୁଖ୍ୟତଃ ଚାରୋଟି ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ । ଯଥା- ୟୁରିନ୍ ପରୀକ୍ଷା (ସାଇଟୋଲୋଜି ଫର୍ କ୍ୟାନସର୍ ସେଲ୍‌), ଅଲଟ୍ରାସାଉଣ୍ଡ କିମ୍ବା ସିଟିସ୍କାନ (ଆବ୍‌ଡୋମେନ୍ ଆଣ୍ଡ୍ ପେଲଭିସ୍‌), ସିଷ୍ଟୋସ୍କୋପି (ପରିସ୍ରାନଳୀର ଏଣ୍ଡୋସ୍କୋପି) ଏବଂ ସିରମ୍ ପିଏସ୍‌ଏ (ପୁରୁଷମାନଙ୍କର) ।
ଏତଦ୍ ବ୍ୟତିତ ଆଉ କିଛି ପରୀକ୍ଷା ମଧ୍ୟ କରାଯାଇଥାଏ । ଯଥା- ଡିଜିଟାଲ୍ ରେକ୍ଟାଲ୍ ଏକଜାମିନେସନ୍ (ଡିଆରଇ), ଟ୍ରାନ୍ସରେକ୍ଟାଲ୍ ଅଲ୍‌ଟ୍ରାସାଉଣ୍ଡ୍ ଆଣ୍ଡ୍ ବାୟୋପ୍‌ସି ଅଫ୍ ପ୍ରୋଷ୍ଟେଟ୍‌, କିଡ୍‌ନି ବାୟୋପ୍‌ସି (ଅଲ୍‌ଟ୍ରାସାଉଣ୍ଡ୍ କିମ୍ବା ସିଟି ଗାଇଡେଟ୍‌), ଏମ୍‌ଆର୍‌ଆଇ (ଆବ୍‌ଡୋମେନ୍ ଆଣ୍ଡ୍ ପେଲଭିସ୍‌) ଇତ୍ୟାଦି । ଏସବୁ ନୈଦାନିକ ପରୀକ୍ଷା ଦ୍ୱାରା ପରିସ୍ରାନଳୀ ତଥା ମୂତ୍ରବହସଂସ୍ଥାନର ସମସ୍ତ ଅସୁବିଧା ସମ୍ପୁର୍ଣ୍ଣ ନିରୂପିତ ହୋଇପାରିଥାଏ ।

ହେମାଚୁରିଆ ଚିକିତ୍ସା-
ପାଠକ ବନ୍ଧୁ, ଯେହେତୁ ହେମାଚୁରିଆ ଅନେକ କାରଣ ଜନିତ ହୋଇଥାଏ । ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ରୋଗୀର ସମସ୍ତ ପରୀକ୍ଷା ନିରୀକ୍ଷା କରି ପ୍ରକୃତ କାରଣକୁ ନିରୂପଣ କରାଯାଏ ଏବଂ ତଦନୁଯାୟୀ ଉପଚାର କରାଯାଇଥାଏ ।
ଯଦି କୌଣସି କ୍ୟାନସର୍ ରହିଥାଏ, ତେବେ ଏହା ଶୀଘ୍ର ନିରୂପିତ ହେବା ଅତ୍ୟନ୍ତ ଜରୁରୀ । କ୍ୟାନସର୍ ନିରୂପଣ ହୋଇଗଲେ ଏବଂ ତାହାର ଷ୍ଟେଜ୍ ଜଣାପଡ଼ିଗଲେ, ସେହି ଅନୁସାରେ ଚିକିତ୍ସା ଆରମ୍ଭ କରାଯାଏ । ଉପରେ ବର୍ଣ୍ଣିତ ଚାରୋଟି କ୍ୟାନ୍‌ସରରେ ଶଲ୍ୟ ଉପଚାର ହେଉଛି ସଠିକ୍ ଚିକିତ୍ସା ବିଧି; ତେବେ ଏହାର ଫଳାଫଳ କ୍ୟାନସରର ଷ୍ଟେଜ୍ ଉପରେ ନିର୍ଭର କରିଥାଏ । ଯେତେ ଶୀଘ୍ର ରୋଗ ନିରୂପିତ ହୁଏ, ରୋଗୀ ଆରୋଗ୍ୟ ହେବାର ସମ୍ଭାବନା ସେତେ ଅଧିକ ଥାଏ ।
ବୟସ୍କ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ପଡ଼ିଲେ, ଆମେ ନିଶ୍ଚିତ ହେବା ଯେ, ଏହା କ୍ୟାନସରର ଲକ୍ଷଣ ହୋଇପାରେ ଯେ ପର୍ଯ୍ୟନ୍ତ ପରୀକ୍ଷା ନିରୀକ୍ଷା ଦ୍ୱାରା ଏହା ପ୍ରମାଣିତ ନ ହୋଇଛି!
ପାଠକବନ୍ଧୁ ମନେରଖନ୍ତୁ ଯଦିଓ ହେମାଚୁରିଆ ଏକ ଗମ୍ଭୀର ସମସ୍ୟା, ତେବେ ଏହାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । ଉପଯୁକ୍ତ ସମୟରେ ଚିକିତ୍ସା ଆରମ୍ଭ କଲେ ଏହା ଆରୋଗ୍ୟ ସାଧ୍ୟ ଅଟେ । ଜଣେ ଅଭିଜ୍ଞ ମୂତ୍ରଶଲ୍ୟ ବିଶେଷ ବା ୟୁରୋଲୋଜିଷ୍ଟଙ୍କ ପାଖରେ ଚିକିତ୍ସା କରାଇବା ଉଚିତ । ହେମାଚୁରିଆର କାରଣ ଶୀଘ୍ର ନିରୂପିତ ହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟେ, ଯଦ୍ୱାରା ସମ୍ପୂର୍ଣ୍ଣ ଚିକିତ୍ସା ସମ୍ଭବ ।