ଡା. ସିନି ଏସ୍ ଭେନୁଗୋପାଲ୍
ଜେନିକ୍ସ ଫର୍ଟିଲିଟି କେୟାର୍ ଆଣ୍ଡ୍
ୱିମେନ୍ସ ହେଲ୍ଥ କ୍ଲିନିକ୍
ଏସ୍ସିଆର୍-୬୨, ଖାରବେଳ ନଗର
ୟୁନିଟ୍-୩, ଭୁବନେଶ୍ୱର

ପ୍ରଜନନକ୍ଷମ ବୟସରେ ଏକ ବର୍ଷରୁ ଅଧିକ ସମୟ ଧରି ଅସୁରକ୍ଷିତ ଯୌନସଂସର୍ଗ ପରେ ମଧ୍ୟ ଯଦି ଗର୍ଭସଂଚାର ହୁଏ ନାହିଁ, ତାକୁ ‘ବନ୍ଧ୍ୟାତ୍ୱ’ ବା ‘ବନ୍ଧ୍ୟାଦୋଷ’ କୁହାଯାଏ । ସାଧାରଣତଃ ୧୦-୧୫%ଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ । କିନ୍ତୁ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଦେଖାଯାଇଥିବା ସମସ୍ତ ବନ୍ଧ୍ୟାଦୋଷ ମଧ୍ୟରୁ ୩୦% ହେଉଛି ମହିଳାଙ୍କ ସମସ୍ୟା ଜନିତ, ୩୦% ହେଉଛି ପୁରୁଷଙ୍କ ସମସ୍ୟା ଜନିତ, ୨୦% ଉଭୟ ପୁରୁଷ ଓ ମହିଳାଙ୍କ ସମସ୍ୟା ଜନିତ ଏବଂ ବଳକା ୨୦% ବନ୍ଧ୍ୟାଦୋଷ କିଛି ଅଜଣା କାରଣରୁ ହୁଏ । ମହିଳା ଓ ପୁରୁଷ ଉଭୟଙ୍କ ବନ୍ଧ୍ୟାଦୋଷର ଅନେକ ଗୁଡ଼ିଏ କାରଣ ରହିଛି । ସେଥିପାଇଁ ସମ୍ପୂର୍ଣ୍ଣ ରୋଗୀ ପରୀକ୍ଷଣ ଓ ଉପଯୁକ୍ତ ଚିକିତ୍ସା ଉପରେ ହିଁ ଚିକିତ୍ସାର ସଫଳତା ନିର୍ଭର କରେ । ଆଧୁନିକ ଚିକିତ୍ସା ବିଜ୍ଞାନର ଅହେତୁକ ଉନ୍ନତି ଫଳରେ ଏଭଳି ଦମ୍ପତି ଆସିଷ୍ଟେଡ୍ ରିପ୍ରଡକ୍ଟିଭ୍ ଟେକ୍ନୋଲୋଜି ଦ୍ୱାରା ନିଶ୍ଚିତ ଭାବରେ ଅନେକ ସୁଫଳ ପାଇପାରୁଛନ୍ତି ଏବଂ ବନ୍ଧ୍ୟାଦୋଷର ସଫଳ ଉପଚାର ପାଇଁ ଅନେକ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଉପଲବ୍ଧ ହେଲାଣି । ଯଥା – ଆଇ.ୟୁ.ଆଇ. (ଇଂଟ୍ରାୟୁଟେରାଇନ୍ ଇନ୍ସେମିନେସନ୍), ଆଇ.ଭି.ଏଫ୍.(ଇନ୍ଭାଇଟ୍ରୋ ଫର୍ଟିଲାଇଜେସନ୍), ଆଇ.ସି.ଏସ୍.ଆଇ. (ଇଂଟ୍ରାସାଇଟୋପ୍ଲାଜମିକ୍ ସ୍ପର୍ମ ଇଞ୍ଜେକ୍ସନ), ଆଇ.ଏମ୍.ଏସ୍.ଆଇ. (ଇଂଟ୍ରାସାଇଟୋପ୍ଲାଜମିକ୍ ମର୍ଫୋଲୋଜିକାଲି ସିଲେକ୍ଟେଡ଼୍ ସ୍ପର୍ମ ଇଞ୍ଜେକ୍ସନ)ଇତ୍ୟାଦି; ଯଦ୍ୱାରା ନିଃସନ୍ତାନ ଦମ୍ପତିଙ୍କ ପାଇଁ ସନ୍ତାନ ଲାଭ କରିବାର ଆଶା ଉଜ୍ଜୀବିତ ହୋଇପାରୁଛି ।

ସାମ୍ପ୍ରତିକ ସମୟରେ ଅନେକ କାରଣରୁ ବନ୍ଧ୍ୟାଦୋଷ ଦେଖାଯିବାର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି । ସେଗୁଡ଼ିକ ମଧ୍ୟରୁ କିଛି ପ୍ରମୁଖ କାରଣ ହେଲା – ବିଳମ୍ବରେ ବିବାହ, ସମ୍ପର୍କରେ ଦୂରତ୍ୱ, କାର୍ଯ୍ୟବ୍ୟସ୍ତତା, ମାନସିକ ଚାପ, ଏନ୍ଭାର୍ଣ୍ଣମେଂଟାଲ୍ ଟକ୍ସିନ୍ସ, ଅସ୍ୱାସ୍ଥ୍ୟକର ଜୀବନଶୈଳୀ (ବିଳାସପୂର୍ଣ୍ଣ ଜୀବନଯାପନ, ଶାରୀରିକ ବ୍ୟାୟାମ ନ କରିବା, ମେଦବହୁଳତା, ଧୂମପାନ, ମଦ୍ୟପାନ, ଫାଷ୍ଟଫୁଡ୍, କମ୍ ଶୋଇବା, ଇଲୋକ୍ଟ୍ରୋନିକ୍ସ ଗ୍ୟାଜେଟ୍ର ବହୁଳ ବ୍ୟବହାର ଏବଂ ଏକାଧିକ ସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଇତ୍ୟାଦି) ।

ପ୍ରଜନନ କ୍ଷମତାର ଅଭାବରେ ଦମ୍ପତି ବ୍ୟକ୍ତିଗତ ଭାବେ ଖୁବ୍ ଦୁଶ୍ଚିନ୍ତାରେ ରହିଥାନ୍ତି ଏବଂ ବିଭିନ୍ନ ସାମାଜିକ ଘାତ ପ୍ରତିଘାତର ସାମ୍ନା ମଧ୍ୟ କରିଥାନ୍ତି । କାରଣ ସନ୍ତାନଟିଏ ପାଇବାର ଆଶା ପୂରଣ ନ ହେଉଥିଲେ ସେମାନେ ମାନସିକ ଭାବେ ଭାରାକ୍ରାନ୍ତ ହୋଇଯାନ୍ତି । ଏହା ଫଳରେ ଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଥାଏ । ଘରେ ଅଶାନ୍ତି ଲାଗିରହେ, ଅବସାଦ ବୃଦ୍ଧିପାଏ ଏବଂ ସମ୍ପର୍କରେ ଫାଟ ମଧ୍ୟ ଦେଖାଯାଏ । ଏହି ସବୁ ଅସୁବିଧା ସମୟରେ ବନ୍ଧ୍ୟାଦୋଷର ସଠିକ୍ କାରଣ ନିରୂପଣ ହୋଇ ନ ପାରିବା, ଅନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ଓ ତା’ର ଅବଧି, ଆର୍ଥିକ ବୋଝ ଏବଂ ସାମାଜିକ ଟାହିଟାପରା ଆଦିକୁ ମଧ୍ୟ ଅନିଚ୍ଛା ସତ୍ୱେ ସାମ୍ନା କରିବାକୁ ପଡ଼ୁଥାଏ । ଅନେକ କ୍ଷେତ୍ରରେ ତ’ ଏହାକୁ ନେଇ ସାମାଜିକ ଲାଞ୍ଛନାର ଶିକାର ବି ହେବାକୁ ପଡ଼େ । ଫଳରେ ନିଃସନ୍ତାନ ଦମ୍ପତିଙ୍କ ସାଧାରଣ ଜୀବନଯାପନ ଅସହ୍ୟ ହୋଇଉଠେ ।

ବନ୍ଧ୍ୟାତ୍ୱକୁ ନେଇ ଆମ ସମାଜରେ ଅନେକ ଭ୍ରାନ୍ତ ଧାରଣା ରହିଛି । ଆସନ୍ତୁ ସେଇ ସମ୍ବନ୍ଧରେ କିଛି ଆଲୋଚନା କରିବା ।
୧. ଧାରଣା : ବନ୍ଧ୍ୟାତ୍ୱ ଏକ ବିରଳ ସମସ୍ୟା ।
ସତ୍ୟତା : ପ୍ରତି ୮ଟି ଦମ୍ପତିଙ୍କ ମଧ୍ୟରୁ ଗୋଟିଏ ଦମ୍ପତି ଏହି ସମସ୍ୟାକୁ ସାମ୍ନା କରିଥାନ୍ତି । ତେଣୁ ବର୍ତମାନ ବନ୍ଧ୍ୟାତ୍ୱ ହେଉଛି ସମଗ୍ର ବିଶ୍ୱର ଏକ ପ୍ରମୁଖ ସ୍ୱାସ୍ଥ୍ୟ ସମସ୍ୟା ।

୨. ଧାରଣା : ବନ୍ଧ୍ୟାଦୋଷରେ କେବଳ ମହିଳାମାନେ ହିଁ ଆକ୍ରାନ୍ତ ହୁଅନ୍ତି ।
ସତ୍ୟତା : ମହିଳାଙ୍କଠାରୁ ପୁରୁଷମାନେ ସାଧାରଣତଃ ବନ୍ଧ୍ୟାଦୋଷର ଅଧିକ ଶିକାର ହୋଇଥାନ୍ତି ।

୩. ଧାରଣା : ବାହାଘରର କିଛି ବର୍ଷ ସ୍ୱାଭାବିକ ଭାବେ ଅପେକ୍ଷା କରି ତା’ପରେ ଯାଇ ଡାକ୍ତରଙ୍କ ପରାମର୍ଶ କରାଯାଏ ।
ସତ୍ୟତା : ବାହାଘର ପରେ ବେଶି ସମୟ ଅପେକ୍ଷା କରିବା ଉଚିତ ନୁହେଁ । ବାହାଘରର ବର୍ଷେ ଯାଏଁ ଯଦି ଗର୍ଭଧାରଣ ନ ହେଲା କିମ୍ବା ତା’ ପୂର୍ବରୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ କରିପାରିବେ । ଯଦି ଋତୁସ୍ରାବରେ ଅନିୟମିତତା ଦେଖାଯାଏ, ଋତୁସ୍ରାବବେଳେ ସାଂଘାତିକ ବ୍ୟଥା ହୁଏ, ଯୌନସଂସର୍ଗ ସମୟରେ ଅସହ୍ୟ ପୀଡ଼ା ହୁଏ, ପୁରୁଷ ବା ମହିଳାଙ୍କ କିଛି ଶଲ୍ୟ ଉପଚାର ହୋଇଥିବ, ବୀର୍ଯ୍ୟକ୍ଷରଣରେ ସମସ୍ୟା ଦେଖଯାଏ ବା ଅନ୍ୟ କିଛି ଯୌନ ସମସ୍ୟା ଦେଖାଯାଉଥିବ, ତେବେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

୪. ଧାରଣା : ବୟସାଧିକ୍ୟ କାରଣରୁ କେବଳ ମହିଳାମାନଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୁଏ ।
ସତ୍ୟତା : ବୟସ ଅଧିକ ହୋଇଗଲେ ପୁରୁଷ ଓ ମହିଳା ଉଭୟଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ । ଦମ୍ପତିଙ୍କ ବୟସ ୪୦ ବର୍ଷରୁ ଅଧିକ ହୋଇଗଲେ ଗର୍ଭସଂଚାର ହାର ହ୍ରାସ ପାଏ ।

୫. ଧାରଣା : ଆଇଭିଏଫ୍ ଚିକିତ୍ସା ପଦ୍ଧତି ଦ୍ୱାରା ଯମଜ ସନ୍ତାନ ବା ତିନୋଟି ସନ୍ତାନ ଏକ ସଙ୍ଗେ ଜନ୍ମ ହୋଇଥାନ୍ତି ।
ସତ୍ୟତା : ଯେହେତୁ ଆଇଭିଏଫ୍ ଗର୍ଭାଧାନରେ ଅଧିକ ସଂଖ୍ୟାରେ ଭ୍ରୂଣ ପ୍ରତିରୋପଣ / ସ୍ଥାନାନ୍ତରଣ କରାଯାଇଥାଏ, ତେଣୁ ଯମଜ ସନ୍ତାନ ବା ତିନୋଟି ସନ୍ତାନ ହେବାର ଆଶଙ୍କା ରହିଥାଏ । କିନ୍ତୁ ଆଜିକାଲି ଗୋଟିଏ କିମ୍ବା ଅତିବେଶିରେ ଦୁଇଟି ଭ୍ରୂଣ ସ୍ଥାନାନ୍ତର କରାଯାଉଛି, ସେଥିପାଇଁ ଯମଜ ସନ୍ତାନ ବା ଅଧିକ ସନ୍ତାନ ଜନ୍ମ ହେବାର ଆଶଙ୍କାକୁ ହ୍ରାସ କରାଯାଇପାରିଲାଣି ।

୬. ଧାରଣା : ଯଦି ପ୍ରଥମ ସନ୍ତାନବେଳେ ଗର୍ଭାଧାନ ସ୍ୱାଭାବିକ ହୋଇଛି, ତେବେ ଦ୍ୱିତୀୟ ଗର୍ଭ ସଂଚାରବେଳେ କିଛି ଅସୁବିଧା ହେବ ନାହିଁ ।
ସତ୍ୟତା : ଯଦିଓ ପ୍ରଥମ ଗର୍ଭ ସ୍ୱାଭାବିକ ଭାବେ ହୋଇଥିବ, ତେବେ ବି ଦ୍ୱିତୀୟ ସନ୍ତାନ ପାଇଁ ଗର୍ଭସଂଚାରବେଳେ ଦମ୍ପତି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

୭. ଧାରଣା : ଗର୍ଭନିରୋଧକ ବଟିକା ପରବର୍ତୀ ସମୟରେ ଆପଣଙ୍କ ଗର୍ଭସଂଚାରରେ ସମସ୍ୟା ସୃଷ୍ଟି କରିଥାଏ ।
ସତ୍ୟତା : ଗର୍ଭନିରୋଧକ ବଟିକା ସେବନ ବନ୍ଦ କଲା ପରେ ଏହାର ଦୀର୍ଘମିଆଦି କୁପ୍ରଭାବ ଗର୍ଭସଂଚାରରେ ପଡ଼େ ନାହିଁ ।

୮. ଧାରଣା : କେବଳ ବୟସ୍କ ଲୋକଙ୍କ ବନ୍ଧ୍ୟାଦୋଷ ଥାଏ ।
ସତ୍ୟତା : ପୁରୁଷଙ୍କ ଶୁକ୍ରାଣୁର ଅଭାବ, ଶୁକ୍ରାଣୁର ଅଳ୍ପତା, ବୀର୍ଯ୍ୟକ୍ଷରଣ ସମସ୍ୟା, ଇରେକ୍ଟାଇଲ୍ ଡିସ୍ଫଙ୍କସନ୍ (ଯୌନାଙ୍ଗ ଶିଥିଳତା) ଭଳି ଅସୁବିଧା ଯେ କୌଣସି ବୟସରେ ହୋଇପାରେ ।
୯. ଧାରଣା : ସ୍ୱାଭାବିକ ଯୌନକ୍ଷମତା ସମ୍ପନ୍ନ ପୁରୁଷ ତଥା ଯୌନ ସଂସର୍ଗରେ ଖୁବ୍ ସକ୍ରିୟ ଥିବା ପୁରୁଷଙ୍କ ସାଧାରଣ ଶୁକ୍ରାଣୁ ସଂଖ୍ୟା ଥାଏ ।
ସତ୍ୟତା : ଯୌନକ୍ଷମତା ଓ ଶୁକ୍ରାଣୁର ସଂଖ୍ୟା ମଧ୍ୟରେ କିଛି ସମ୍ପର୍କ ନଥାଏ ।

୧୦. ଧାରଣା : ଆଇଭିଏଫ୍ ହେଉଛି ସବୁ ବନ୍ଧ୍ୟାଦୋଷର ଏକମାତ୍ର ସମାଧାନ ।
ସତ୍ୟତା : ବନ୍ଧ୍ୟାଦୋଷ ପାଇଁ ଉପଲବ୍ଧ ହେଉଥିବା ଅନେକଗୁଡ଼ିଏ ଚିକିତ୍ସା ପଦ୍ଧତି ମଧ୍ୟରୁ ଆଇଭିଏଫ୍ ଅନ୍ୟତମ । ରୋଗୀର ଉପଯୁକ୍ତ ସାମଗ୍ରିକ ପରୀକ୍ଷଣ ଏବଂ ସଠିକ୍ ସମସ୍ୟା ନିରୂପଣ ଦ୍ୱାରା ଆବଶ୍ୟକୀୟ ଚିକିତ୍ସା ପଦ୍ଧତିର ନିଷ୍ପତି ନିଆଯାଏ । କିଛି ରୋଗୀଙ୍କ ସାମାନ୍ୟ ଜୀବନଶୈଳୀ ପରିବର୍ତନ ଯଥା – ଓଜନ ହ୍ରାସ ଦ୍ୱାରା ଗର୍ଭଧାରଣ ହୋଇଯାଇଥାଏ । ଆଉ କିଛି ରୋଗୀଙ୍କ କ୍ଷେତ୍ରରେ କେବଳ ଗର୍ଭସଂଚାରର ସଠିକ୍ ସମୟ ବୁଝାଇଦେଲେ ଗର୍ଭସଂଚାର ହୁଏ । ଆଉ କେତେକ କ୍ଷେତ୍ରରେ ଖାଇବା ପାଇଁ ଔଷଧ ଦିଆଯାଏ ଓ ବେଳେବେଳେ ଇଞ୍ଜେକ୍ସନ ମଧ୍ୟ ପ୍ରୟୋଗ କରାଯାଇଥାଏ । ମାତ୍ର ଅଳ୍ପ କିଛି କ୍ଷେତ୍ରରେ ଉପଯୁକ୍ତ ପରୀକ୍ଷଣ କଲା ପରେ କେତେକ ଅତ୍ୟାଧୁନିକ ପ୍ରକିୟା ଯଥା – ଆଇ.ୟୁ.ଆଇ., ଆଇ.ଭି.ଏଫ୍., ଆଇ.ସି.ଏସ୍.ଆଇ., ଟି.ଏସ୍.ଏ. / ପି.ଇ.ଏସ୍.ଏ. ଇତ୍ୟାଦି ଦ୍ୱାରା ବନ୍ଧ୍ୟାଦୋଷର ଚିକିତ୍ସା କରାଯାଇଥାଏ ।
ଯେଉଁ ଦମ୍ପତିମାନେ ଗର୍ଭାଧାନ ସମ୍ବନ୍ଧୀୟ ସମସ୍ୟା ଭୋଗୁଛନ୍ତି, ବିନା କିଛି ଚିନ୍ତାରେ ବା ବିନା ଦ୍ୱନ୍ଦ୍ୱରେ ଜଣେ ଅଭିଜ୍ଞ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ / ଗର୍ଭାଧାନ ବିଶେଷଜ୍ଞ (ଫର୍ଟିଲିଟି କନ୍ସଲ୍ଟାଂଟ୍)ଙ୍କ ପରାମର୍ଶ ନିଅନ୍ତୁ, ଯିଏକି ତାଙ୍କର ସମସ୍ୟାର ଠିକ୍ ଭାବେ ଅନୁଶୀଳନ କରି ତାଙ୍କ ପାଇଁ ସର୍ବୋତମ ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରିପାରିବେ । ଜୀବନଶୈଳୀରେ କିଛି ନିର୍ଦ୍ଦିଷ୍ଟ ପରିବର୍ତନ ଯଥା – ସନ୍ତୁଳିତ ଆହାର ସେବନ, ନିୟମିତ ଶାରୀରିକ ବ୍ୟାୟାମ କରିବା, ଧୂମପାନ, ମଦ୍ୟପାନରୁ ନିବୃତ ରହିବା, ଆବଶ୍ୟକୀୟ ମାତ୍ରାରେ ଶୋଇବା, ମାନସିକ ଚାପରୁ ଯେତେ ସମ୍ଭବ ଦୂରେଇ ରହିବା ଆଦି ଦ୍ୱାରା ଜଣେ ନିଜର ସାଧାରଣ ସ୍ୱାସ୍ଥ୍ୟରକ୍ଷା କରିବା ସହ ନିଶ୍ଚିତ ଭାବେ ନିଜର ପ୍ରଜନନ ସ୍ୱାସ୍ଥ୍ୟର ମଧ୍ୟ ଉପଯୁକ୍ତ ଯତ୍ନ ନେଇପାରିଥାଏ ।