ଡା. ସୁନୀଲ କୁମାର କୋଟା
(ଏଣ୍ଡୋକ୍ରାଇନୋଲୋଜିଷ୍ଟ)
ଡାଏବେଟିସ୍ ଆଣ୍ଡ୍ ଏଣ୍ଡୋକେୟାର୍ କ୍ଲିନିକ୍‌
ବ୍ରହ୍ମପୁର

ବର୍ତମାନ ସମଗ୍ର ପୃଥିବୀ ତଥା ଭାରତବର୍ଷରେ ମଧୁମେହ ସମସ୍ୟା ବ୍ୟାପକ ରୂପେ ବଢ଼ି ଚାଲିଛି । ପାଶ୍ଚାତ୍ୟ ଦେଶ ତୁଳନାରେ ଏସିଆ ମହାଦେଶ ତଥା ଭାରତବର୍ଷର ଲୋକେ ଏହି ଜୀବନଶୈଳୀ ଅବ୍ୟବସ୍ଥା ଜନିତ ସମସ୍ୟାରେ ଅଧିକ ପରିମାଣରେ ତଥା ଏକ ଦଶନ୍ଧି ପୂର୍ବରୁ ଆକ୍ରାନ୍ତ ହୋଇଥାନ୍ତି । ତାହାଛଡ଼ା ମଧୁମେହ ଜନିତ କିଛିଟି ଜଟିଳ ଅବସ୍ଥା ଯଥା ହୃଦୟ ଏବଂ କିଡ୍‌ନି ସମସ୍ୟା ଅଧିକ ପରିମାଣରେ ଦେଖାଯାଏ । ମଧୁମେହ ହେଉଛି କିଡ୍‌ନି ସମ୍ୟାର ଏକ ମୁଖ୍ୟ କାରଣ । ୨୦ରୁ ୩୦ ଶତକଡ଼ା ମଧୁମେହ ରୋଗୀ କିଛି ନା କିଛି ପ୍ରକାର କିଡନି ସମସ୍ୟାରେ ପୀଡ଼ିତ ହୋଇଥାନ୍ତି । ଏଥିରେ କିଡନିର କ୍ଷୁଦ୍ର ରକ୍ତଶିରା ପ୍ରଶିରା ପ୍ରଭାବିତ ହୋଇଥାଏ । ତେଣୁ ରକ୍ତରେ ଅବସ୍ଥିତ ଅଦରକାରୀ ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇପାରିନଥାଏ । ଶରୀରରେ ଲବଣ ତଥା ପଣି ଅତ୍ୟଧିକ ପରିମାଣରେ ଜମିଯାଇଥିବା ଯୋଗୁଁ ଓଜନ ବୃଦ୍ଧି ସହ ପାଦଫୁଲା ଦେଖାଦେଇଥାଏ । ଏହାଛଡ଼ା କିଛି କ୍ଷୁଦ୍ର ପରିସ୍ରାନଳୀ କ୍ଷତିଗ୍ରସ୍ତ ହେବା ଦ୍ୱାରା ପରିସ୍ରା ଜରିଆରେ ଅଧିକ ପରିମାଣରେ ପ୍ରୋଟିନ୍ ଅଥବା ପୁଷ୍ଟିସାର ନିଷ୍କାସିତ ହୋଇଥାଏ । ଏହା ଶରୀରକୁ ଅଧିକ ଫୁଲାଇ ଦେଇଥାଏ । ରକ୍ତରେ ଅପଚୟକାରୀ ପଦାର୍ଥ ବହୁତ ମାତ୍ରାରେ ଜମିଯାଇଥାଏ । ଡାଏବେଟିସ୍ ରୋଗୀଙ୍କ କ୍ଷେତ୍ରରେ ସାଧାରଣତଃ ଦେଖାଯାଉଥିବା କିଛି ପାଶ୍ୱର୍ ଅବ୍ୟବସ୍ଥା ଯଥା ଉଚ୍ଚ ରକ୍ତଚାପ ମେଦବହୁଳତା ଏବଂ କୋଲେଷ୍ଟୋରେଲ୍ ସମସ୍ୟା କିଡନି ପ୍ରତି ଆହୁରି କ୍ଷତିକାରକ ହୋଇଥାଏ ।

ଡାଏବେଟିସ୍ ରୋଗୀଙ୍କର କିଡନି ଆକ୍ରାନ୍ତ ହେଲେ ସର୍ବପ୍ରଥମେ ପରିସ୍ରାରେ ଅଧିକ ମାତ୍ରାରେ ଆଲ୍‌ବୁମିନ୍ ନାମକ ଏକ ପ୍ରୋଟିନ୍ ନିଷ୍କାସିତ ହୋଇଥାଏ । ତେଣୁ ପ୍ରତ୍ୟେକ ଡାଏବେଟିସ୍ ରୋଗୀ ବର୍ଷକୁ ଥରେ ପରିସ୍ରାରେ ଆଲ୍‌ବୁମିନ୍ ପରୀକ୍ଷା କରିବା ଉଚିତ । ରାତ୍ରିରେ ବାରମ୍ବାର ପରିସ୍ରା ଯିବା ସହ ରକ୍ତଚାପରେ ବୃଦ୍ଧି ଘଟିଥାଏ । କିଡନିର କାର୍ଯ୍ୟକଳାପ ଆହୁରି ବାଧାପ୍ରାପ୍ତ ହେଲେ ରକ୍ତରେ ବ୍ଳଡ୍ ୟୁରିଆ ନାଇଟ୍ରୋଜେନ୍ ଏବଂ କ୍ରିଆଟିନିନ୍ ସ୍ତର ବୃଦ୍ଧି ଘଟିଥାଏ । କିଡନି ଆକ୍ରାନ୍ତ ହେଲେ କିଛି ଲକ୍ଷଣ ଯଥା ବାନ୍ତି, ଡକାର ଭାବ, ମୁଣ୍ଡବ୍ୟଥା, ଭୋକ କ୍ଷୟ, ଆଳସ୍ୟତା, କ୍ଳାନ୍ତିପଣ, ମାଂସପେଶୀରେ ଯନ୍ତ୍ରଣା, ନିଦ୍ରା ତଥା ମାନସିକ ଏକାଗ୍ରତାରେ ହ୍ରାସ, ରକ୍ତହୀନତା ଆଦି ଦେଖା ଦେଇଥାଏ । କିଡ୍‌ନି ସମସ୍ୟାର ଶେଷ ଅବସ୍ଥାରେ ଅତ୍ୟଧିକ କୁଣ୍ଡିଆ, ଶୁଷ୍କ ତ୍ୱଚା ବା ଚର୍ମ ଏବଂ ନିଦ୍ରାଳୁ ହେବା ଦେଖାଯାଏ । ଏହି ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।


ଚିକିତ୍ସାଠାରୁ ନିବାରଣ ହିଁ ଅଧିକତର ଭାବେ ଭଲ । ତେଣୁ ପ୍ରତ୍ୟେକ ଡାଏବେଟିସ୍ ରୋଗୀ ବର୍ଷକୁ ଥରେ ରକ୍ତ, ପରିସ୍ରା ଆଦି ପରୀକ୍ଷା କରିବା ଦରକାର । ପ୍ରାରମ୍ଭିକ ଅବସ୍ଥାରେ କିଡନିର ସମସ୍ୟା ଜାଣିବାକୁ ହେଲେ ଗ୍ଲୋମେରୁଲାର୍ ଫ୍ରିଲଟ୍ରେସନ୍ ରେଟ୍ (ଜିଏଫଆର୍‌) ଏବଂ ୟୁରିନ୍ ମାଇକ୍ରାଲ କରିବା ଉଚିତ । କିଡନି ସମସ୍ୟା ନିରୁପିତ ହେବା ପରେ ଏହାର ମଧୁମେହ ଛଡ଼ା କିଛି ଅନ୍ୟ କାରଣ ଅଛି କି, ଜାଣିବା ପାଇଁ ଅନ୍ୟ କେତୋଟି ପରୀକ୍ଷା କରାଯାଇଥାଏ । କିଡ୍‌ନି ବାୟୋପସି ହେଉଛି ଏଭଳି ଏକ ପରୀକ୍ଷା, ଯେଉଁଥିରେ ଏକ ଛୁଂଚି ଦ୍ୱାରା କିଡନିର କିଛି ଅଳ୍ପ ମାତ୍ରାରେ କୋଷକୁ କାଢ଼ି ଅଣୁବୀକ୍ଷଣ ଯନ୍ତ୍ର (ମାଇକ୍ରୋସ୍କୋପ୍‌) ଜରିଆରେ ଅଧ୍ୟୟନ କରାଯାଇଥାଏ । ପେଟର ଅଲ୍‌ଟ୍ରାସାଉଣ୍ଡ ସହ ଡି.ଟି.ପି.ଏ. ଏବଂ ଡି.ଏମ୍‌.ଏସ୍‌.ଏ ସ୍କାନ ଦ୍ୱାରା କିଡ୍‌ନିର ଗଠନ ତଥା କାର୍ଯ୍ୟକ୍ଷମତା ସମ୍ବନ୍ଧୀୟ ଅôଧକ ବିବରଣୀ ହାସଲ କରାଯାଇଥାଏ ।

ଡାଏବେଟିସ୍ ରୋଗୀଙ୍କ କିଡନି ଦୀର୍ଘକାଳୀନ ଭିତିରେ ସୁଚାରୁ ରୂପେ କାମ କରିବାକୁ ହେଲେ କିଛିଟା ପଦକ୍ଷେପ ନେବାକୁ ପଡ଼ିଥାଏ ।
୧. ଖାଦ୍ୟପେୟରେ ନିୟନ୍ତ୍ରଣ ତଥା ନିୟମିତ ବ୍ୟାୟାମ ଦ୍ୱାରା ଓଜନକ୍ଷୟ ତଥା ସଠିକ୍ ଓଜନ ବଜାୟ ରଖିବା ।
୨. ରକ୍ତ ଶର୍କରା ନିୟନ୍ତ୍ରଣରେ (ଫାଷ୍ଟିଙ୍ଗ୍ ବ୍ଲଡ୍ ସୁଗାର୍ ୧୨୦ ଏମଜି/ଡିଏଲରୁ କମ୍‌, ପିପିବିଏସ୍ ୧୬୦ ଏମଜି/ଡିଏଲରୁ କମ୍ ଏବଂ ଏଚବିଏ୧ସି ୭%ରୁ କମ୍‌) ରହିବା ଦରକାର । ହାଇପୋଗ୍ଲାଇସେମିଆ ଅଥବା ରକ୍ତଶର୍କରା ଅତ୍ୟଧିକ ହ୍ରାସ କରୁଥିବା କିଛି ଡାଏବେଟିସ୍ ବଟିକା ପରିହାର କରିବା ଉଚିତ । ଅଧୁନା ପ୍ରଚଳିତ ନୂଆ ଔଷଧ ଗ୍ଲିପ୍ଟିନ୍ ଏବଂ ଗ୍ଲିଫୋଜିନ୍ ରକ୍ତ ଶର୍କରା ନିୟନ୍ତ୍ରଣ ସହ କିଡ୍‌ନି ପ୍ରତି କିଛି ଉପକାରିତା ସାବ୍ୟସ୍ତ କରିଛନ୍ତି । ଅଗ୍ରୀମ ଅବସ୍ଥାରେ ଇନ୍‌ସୁଲିନ୍ ହିଁ ଏକମାତ୍ର ଔଷଧ ରୂପେ କାମ କରିଥାଏ ।


୩. ରକ୍ତଚାପ ନିୟନ୍ତ୍ରଣ (୧୩୦/୮୦ ଏମଏମ୍‌/ଏଚଜି)- ଏସିଇଆଇ ଏବଂ ଏଆର୍‌ବି ଆଦି ଔଷଧ ଏହି ଦିଗରେ ଅଧିକ ପସନ୍ଦ ଯୋଗ୍ୟ ।
୪.ରକ୍ତ କୋଲେଷ୍ଟୋରୋଲ୍ ନିୟନ୍ତ୍ରଣ- ଏଥିରେ ଦୈନିକ ଷ୍ଟାଟିନ୍ ନାମକ ଏକ ଔଷଧ ଉପାଦେୟ ।
୫. ମୂତ୍ର ମାର୍ଗରେ କିଛି ସଂକ୍ରମଣ ଅଥବା ଇନଫେକସନର ସମୟ ପୂର୍ବକ ଚିକିତ୍ସା ।
୬. ମୂତ୍ର ମାର୍ଗର ଗଠନ ସମ୍ବନ୍ଧୀୟ ଅସ୍ୱାଭାବିକତା ତଥା ପଥର ଆଦିର ସଂଶୋଧନ ।
୭. କିଡନି ପ୍ରତି କ୍ଷତିକାରକ ଔଷଧ ଯଥା ପୀଡ଼ାନାଶକ (ପେନ୍ କିଲର୍‌), ଆଂଟିବାୟୋଟିକ୍ ଆଦିର ପରିହାର । ଡାକ୍ତରଙ୍କ ପରାମର୍ଶ ବିନା ଏହାର ବ୍ୟବହାର ଅତ୍ୟନ୍ତ କ୍ଷତିକାରକ ।
୮. ପୁଷ୍ଟିସାର ଜାତୀୟ ଖାଦ୍ୟ, ବିଶେଷକରି ଆମିଷ ଖାଦ୍ୟର କିଛିଟି କଟକଣା ।
୯. ସଠିକ୍ ପରିମାଣରେ ପାଣି ପିଇବା ସହ ଧୂମପାନ ବା ମଦ୍ୟପାନ ବର୍ଜନ ।


କିଡନି ସମସ୍ୟାର ଶେଷ ଅବସ୍ଥାରେ ଡାଏଲେସିସ୍ (ରକ୍ତ ସଫା କରିବା ପ୍ରକ୍ରିୟା) ଏବଂ ଏକ ସୁସ୍ଥ ବ୍ୟକ୍ତିଠାରୁ କିଡନି ଟ୍ରାନ୍ସପ୍ଲାଂଟ୍ କରାଯାଇଥାଏ । ସମସ୍ତେ ଜାଣିବା ଦରକାର ଯେ, କିଡନି ସମସ୍ୟାର କିଛି ପୂର୍ଣ୍ଣତଃ ଆରୋଗ୍ୟ ବିଧି କିଛି ନାହିଁ । ସଠିକ୍ ଚିକିତ୍ସା ସହ ରକ୍ତଶର୍କରା, ରକ୍ତଚାପ ଏବଂ କୋଲେଷ୍ଟୋରେଲର ସ୍ତର ସାମାନ୍ୟ ଭାବେ ରଖିଲେ ଆହୁରି କଠୋର କିଡ୍‌ନି ସମସ୍ୟାରୁ ମୁକ୍ତି ମିଳିଥାଏ ।