ଡା. ଲକ୍ଷ୍ମୀକାନ୍ତ ମିଶ୍ର
ସିନିୟର୍ କନସଲ୍‌ଟାଂଟ୍ (କସ୍ମେଟିକ୍ ଆଣ୍ଡ୍ ପ୍ଲାଷ୍ଟିକ୍ ସର୍ଜରୀ)
ଭୁବନେଶ୍ୱର

ଶରୀରରୁ ଅବାଂଛିତ ଲୋମ ସବୁକୁ ଲେଜର୍ ଲାଇଟର ସ୍ପନ୍ଦନକୁ ଉପଯୋଗ କରି ମୂଳୋତ୍ପାଟନ କରିବା ପଦ୍ଧତିକୁ ‘ଲେଜର ହେୟାର୍ ରିମୁଭାଲ୍‌’ ବୋଲି କୁହାଯାଏ, ଯେଉଁଥିରେ ଅବାଂଛିତ ଲୋମର ଲୋମକୂପ ସବୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଏ । ‘ଲେଜର୍ ହେୟାର୍ ରିମୁଭାଲ୍‌’ର ମୂଳତତ୍ତ୍ୱ ହେଉଛି ସିଲେକ୍ଟିଭ୍ ଫଟୋଥର୍ମୋଲାଇସିସ୍‌, ଯାହାର ଅର୍ଥ ଶରୀରର କୌଣସି ଏକ ଅଂଶରେ ନିର୍ଦ୍ଧାରିତ ଟିସୁ ଉପରେ ଏକ ନିର୍ଦ୍ଦିଷ୍ଟ ମାତ୍ରାର ଆଲୁଅ ତରଙ୍ଗ ଦୈର୍ଘ୍ୟ ଓ ସ୍ପନ୍ଦନର ଅବଧିକୁ ମିଶାଯାଏ, ଯେମିତିକି ଏହା ନିର୍ଦ୍ଧାରିତ ଅଂଚଳ ବ୍ୟତୀତ ଚାରିପଟର ଟିସୁକୁ ପ୍ରଭାବିତ କରିବ ନାହିଁ ।
ଅବାଂଛିତ ଲୋମର ମୂଳୋତ୍ପାଟନ ପାଇଁ ଉପଯୋଗ ହେଉଥିବା ଅନ୍ୟ ଏକ ପଦ୍ଧତି ଇଣ୍ଟେନସନ୍ ପଲସ୍ ଲାଇଟ୍ (ଆଇପିଏଲ୍‌) ଠାରୁ ଲେଜର୍ ପଦ୍ଧତି ଶ୍ରେୟସ୍କର । ୨୦୦୬ ମସିହାରେ ‘ଲେଜର୍ ଇନ୍ ମେଡିକାଲ୍ ସାଇନ୍ସ’ ନାମକ ଏକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ତଥ୍ୟାନୁସାରେ ଡାଇଓଡ୍ ଲେଜର୍ ତୁଳନାତ୍ମକ ଭାବେ ଅଧିକ ପ୍ରଭାବଶାଳୀ ।
କେଶ ଉଠିବା ଅନେକ ପର୍ଯ୍ୟାୟ ଦେଇ ହୋଇଥାଏ । ଯଥା – ଆନାଜେନ୍‌, ଟେଲୋଜେନ୍‌, କାଟାଜେନ୍ । ଲେଜର୍ ପଦ୍ଧତି କେବଳ ଲୋମକୂପର ସକ୍ରିୟ ବୃଦ୍ଧି ପର୍ଯ୍ୟାୟ (ଆନାଜେନ୍‌)ରେ କାମ ଦେଇଥାଏ । ସେଥିପାଇଁ ବୃଦ୍ଧିର ପ୍ରତ୍ୟେକ ପର୍ଯ୍ୟାୟରେ ଲୋମର ସମୂଳେ ନାଶ ପାଇଁ ଅନେକ ଥର ଲେଜର୍ ଉପଚାର କରିବା ଆବଶ୍ୟକ ହୋଇଥାଏ । ପତଳା ଓ ଫିକା ରଂଗର କେଶ ତୁଳନାରେ ଶ୍ୟାମଳ ବର୍ଣ୍ଣର ଚର୍ମରେ ଡାଇଓଡ୍ ଲେଜର୍ ବେଶି ଭଲ କାମ ଦେଇଥାଏ । ଡାଇଓଡ୍ ଲେଜରରେ ଅପେକ୍ଷାକୃତ ଦୀର୍ଘତର ତରଙ୍ଗ ଦୈର୍ଘ୍ୟ ଉପଯୋଗ କରାଯାଇଥାଏ । ତେଣୁ ଶ୍ୟାମଳ ବର୍ଣ୍ଣର ଲୋକମାନଙ୍କଠାରେ ଏହାର ଫଳାଫଳ ଅଧିକ ଭଲ ହୋଇଥାଏ । ଏହି ଲେଜର୍ ଅପେକ୍ଷାକୃତ ଅଧିକ ସୁରକ୍ଷିତ ଏବଂ ଏହା ତ୍ୱଚାର ଭିତର ସ୍ତରରେ ବି ଭଲ ଭାବେ ପ୍ରବେଶ କରିପାରେ । ଶରୀରର ଚଉଡ଼ା ଅଂଚଳରେ ଲେଜର୍ ଉପଚାର କଲେ ଶୀଘ୍ର ଠିକ୍ ହୋଇଥାଏ । କେଶ ଓ ତ୍ୱଚାର ରଙ୍ଗ ଉପରେ ହିଁ ଦୀର୍ଘକାଳୀନ ଲୋମ ମୂଳୋତ୍ପାଟନ କରିବାର ଚିକିତ୍ସା ପଦ୍ଧତି ନିର୍ଭର କରେ । ଅଧିକାଂଶ ରୋଗୀ ୩ରୁ ୮ ସପ୍ତାହର ବ୍ୟବଧାନରେ ସର୍ବନିମ୍ନ ୭ଟି ଅଧିବେଶନ(ସେସନ୍‌)ର ଚିକିତ୍ସା ଆବଶ୍ୟକ କରନ୍ତି । ଚିକିତ୍ସା ଅଧିବେଶନର ନିର୍ଦ୍ଧାରଣ ଅନେକ ବିଷୟ ଉପରେ ନର୍ଭର କରେ; ଯଥା – ଶରୀରର କେତେ ଅଂଶରୁ ଲୋମ ମୂଳୋତ୍ପାଟନ କରିବାକୁ ହେବ, ତ୍ୱଚାର ରଙ୍ଗ, କେଶର ରକ୍ଷଣ, ହିର୍‌ସ୍ୟୁଟିଜମ୍ (ମହିଳାମାନଙ୍କ ମୁହଁ ଓ ଶରୀରରେ ଅସ୍ୱାଭାବିକ ଲୋମ ଦେଖାଯିବା)ର କାରଣ ଏବଂ ଲିଙ୍ଗ ଆଦି । ଗୋରାରଙ୍ଗର ତ୍ୱଚାରେ ରୁକ୍ଷ-ଘନ କେଶର ଚିକିତ୍ସା ସବୁଠୁ ସୁବିଧାଜନକ । କିଛି ସ୍ୱତନ୍ତ୍ର ଅଂଶ (ମୁଖ୍ୟତଃ ପୁରୁଷଙ୍କ ମୁହଁ)ରେ ଈପ୍‌ସିତ ଫଳାଫଳ ପାଇବା ପାଇଁ ଅପେକ୍ଷାକୃତ ଅଧିକ ଚିକିତ୍ସା ଆବଶ୍ୟକ ହୋଇପାରେ ।

ପାଶ୍ୱର୍ ପ୍ରତିକ୍ରିୟା
ଲେଜର୍ ଚିକିତ୍ସା ପରେ ପରେ କୁଣ୍ଡାଇ ହେବା, ନାଲି ପଡ଼ିଯିବା ଓ ଫୁଲା ଦେଖାଯିବା ପରି ତିନୋଟି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ; ଯାହାକି ଅତି ବେଶିରେ ଦୁଇ ଦିନ କିମ୍ବା ତିନି ଦିନ ପର୍ଯ୍ୟନ୍ତ ଦେଖାଯାଇଥାଏ । ଏହା ବ୍ୟତୀତ ବ୍ରଣ ଓ ତ୍ୱଚାର ରଙ୍ଗ ବଦଳିଯିବା (ତ୍ୱଚା ବିବର୍ଣ୍ଣ ହୋଇଯିବା) ଭଳି ଆଉ ଦୁଇଟି ସାଧାରଣ ପାଶ୍ୱର୍ପ୍ରତିକ୍ରିୟା ବି ପରିଲକ୍ଷିତ ହୋଇଥାଏ ।

ମହିଳାଙ୍କ ମୁହଁରେ ଦେଖାଯାଉଥିବା ଲୋମର ମୂଳୋତ୍ପାଟନ
ମହିଳାଙ୍କ ମୁହଁରେ ଅବାଂଛିତ ଲୋମ ଥିଲେ ସେମାନେ ଅନେକ ସମୟରେ ଭାରି ଅପ୍ରୀତିକର ପରିସ୍ଥିତିର ସାମ୍ନା କରନ୍ତି । ଏହା ଦ୍ୱାରା ସେମାନେ ମାନସିକ ଅବସାଦ ମଧ୍ୟ ଭୋଗିଥାନ୍ତି । ତେବେ ଲେଜର୍ ଚିକିତ୍ସା ପଦ୍ଧତି ଦ୍ୱାରା ଏହି ଅବାଂଛିତ ଲୋମର ମୂଳୋତ୍ପାଟନ ସମ୍ଭବ । ଏହି ଲେଜର୍ ପଦ୍ଧତି ସହଜ, ଦ୍ରୁତ ଏବଂ ଅନ୍ୟ ପଦ୍ଧତି ଯଥା ଇଲୋକ୍ଟ୍ରୋଲାଇସିସ୍ ଓ ୱାକସିଂ ତୁଳନାରେ ଅଧିକ ଆରାମଦାୟକ ହୋଇଥାଏ । ଏହି ପ୍ରକ୍ରିୟା ଦଶ ମିନିଟ୍‌ରୁ ଅଧିକ ସମୟ ଲାଗିନଥାଏ; ତେଣୁ ମହିଳାମାନଙ୍କୁ ଏଥିପାଇଁ ବେଶି ସମୟ ଅପଚୟ କରିବାର ଆବଶ୍ୟକତା ନାହିଁ । ଏପରିକି କର୍ମଜୀବୀ ମହିଳାମାନେ ଅଫିସ୍‌ରୁ ଫେରିଲାବେଳେ ଏହା କରି ସାରି ଆରାମରେ ଘରକୁ ଯାଇପାରିବେ । ଅବିବାହିତ ମହିଳାଙ୍କ ପଲିସିଷ୍ଟିିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌) ଓ ଅନ୍ୟାନ୍ୟ ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗର ଚିକିତ୍ସା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ।

ପୁରୁଷଙ୍କ ମୁହଁରେ ଥିବା ଲୋମର ମୂଳୋତ୍ପାଟନ
କିଛି ପୁରୁଷ ମୁହଁରେ ନିଶ ଦାଢ଼ି ପସନ୍ଦ କରନ୍ତି ନାହିଁ ଏବଂ ସେମାନେ ତାହାର ମୂଳୋତ୍ପାଟନ କରିବାକୁ ଚାହାନ୍ତି । ଏ କ୍ଷେତ୍ରରେ ସେମାନେ ଲେଜର୍ ଫେସିଆଲ୍ ହେୟାର୍ ରିମୁଭାଲ୍ ପଦ୍ଧତିର ଫାଇଦା ନେଇପାରିବେ । ଏହା ଦ୍ୱାରା ନିୟମିତ କ୍ଷୌର କର୍ମ (ସେଭିଙ୍ଗ୍‌)ରୁ ରକ୍ଷା ପାଇପାରିବେ । ଅନ୍ୟ ପଦ୍ଧତି ଅପେକ୍ଷା ‘ଲେଜର୍ ହେୟାର୍ ରିମୁଭାଲ୍‌’ ପଦ୍ଧତିି ଅଳ୍ପ ପୀଡ଼ାଯୁକ୍ତ, ସହଜ ଏବଂ ଶୀଘ୍ର ହୋଇଥାଏ । ଏହାକୁ ବହୁଥର କରିବାର ଆବଶ୍ୟକତା ପଡ଼ିପାରେ, କିନ୍ତୁ ଏହାର ଫଳ ଦୀର୍ଘସ୍ଥାୟୀ ହୋଇଥାଏ । ବୟସ ବୃଦ୍ଧି ହେବା ସହ କିଛି ବ୍ୟକ୍ତିଙ୍କ ମୁହଁରେ ନୂଆ ଭାବେ ଉଠିଥିବା ଲୋମର ମୂଳୋତ୍ପାଟନ ସକାଶେ ଲେଜର୍ ଚିକିତ୍ସା ଆଉ ଥରେ ଦରକାର ପଡ଼ିପାରେ ।

ପୁରୁଷଙ୍କ ଛାତିରେ ଥିବା ଲୋମର ମୂଳୋତ୍ପାଟନ
କିଛି ଲୋକ ଛାତିରେ ବା ପିଠିରେ ଲୋମ ଚାହାନ୍ତି ନାହିଁ । ଅତ୍ୟଧିକ ଛାତିଲୋମ ଯୋଗୁଁ ସେମାନଙ୍କୁ ଭାରି ଅଡ଼ୁଆ ଲାଗିଥାଏ । ସାର୍ଟ ଭିତରୁ ଛାତିର ବାଳ ଦେଖାଯିବାକୁ ମଧ୍ୟ ଅନେକ ପୁରୁଷ ନାପସନ୍ଦ କରିଥାନ୍ତି । ଏ କ୍ଷେତ୍ରରେ ୱାକସିଂ ବା ଟ୍ୱିଜିଙ୍ଗ୍ (ଗୋଟି ଗୋଟି କରି ଉପାଡ଼ିବା) ଦ୍ୱାରା ମୂଳୋତ୍ପାଟନ କରିବା ଅସମ୍ଭବ ହୋଇଥାଏ । ଯେହେତୁ ଛାତିର ଲୋମ ଖୁବ୍ ଶୀଘ୍ର ବଢ଼ିଯାଆନ୍ତି, ତେଣୁ ସେଭିଙ୍ଗ୍ (କ୍ଷୌର କର୍ମ) କେବଳ ଏକ କ୍ଷଣସ୍ଥାୟୀ ସମାଧାନ ହୋଇଥାଏ ଏବଂ ସେହି ଲୋମମୂଳ (ବା ଖୁଂଟି ଲୋମ)ଗୁଡ଼ିକ ଶୀଘ୍ର ବଢ଼ିଯାଆନ୍ତି ।

ପ୍ୟୁବିକ୍ ହେୟାର୍ ବା ଜନନେନ୍ଦ୍ରିୟରେ ଥିବା ଲୋମର ମୂଳୋତ୍ପାଟନ
ଶରୀରର ଅନ୍ୟ ଅଂଶ ପରି ଜନନେନ୍ଦ୍ରିୟରେ ଥିବା ଲୋମର ମୂଳୋତ୍ପାଟନ ପାଇଁ ଲେଜର୍ ହେୟାର୍ ରିମୁଭାଲ୍ ପଦ୍ଧତିକୁ ଉପଯୋଗ କରାଯାଇଥାଏ । ଏହା ମଧ୍ୟ ତ୍ୱଚାର ରଙ୍ଗ, ଲୋମର ରଙ୍ଗ, ଲୋମର ଘନତ୍ୱ ଏବଂ ଲୋମର ଗଠନ (ପତଳା ବା ମୋଟା) ଆଦି ଉପରେ ନିର୍ଭର କରେ । ଜନନେନ୍ଦ୍ରିୟ ଲୋମର ମୂଳୋତ୍ପାଟନ ପାଇଁ ଲେଜର୍ ପଦ୍ଧତି ଏକ ପ୍ରଭାବଶାଳୀ ପଦ୍ଧତି ଏବଂ ବର୍ତମାନ ଏହା ବହୁଳ ଭାବେ ଉପଯୋଗ ହେଉଛି । ଏହାକୁ କେବଳ ସୌନ୍ଦର୍ଯ୍ୟ ଅର୍ଥରେ ନିଆଯାଇ ନ ପାରେ, ବରଂ ଗୋଟେ ଚିକିତ୍ସା ପଦ୍ଧତି ଭାବେ ଉପଯୋଗ ହୋଇଥାଏ । କାରଣ ଏହି ସ୍ଥାନରେ ଲୋମକୂପରେ ବିଭିନ୍ନ ସଂକ୍ରମଣ, ଇନଫ୍ଲାମେସନ୍ ଓ ଫଲିକ୍ୟୁଲାଇଟିସ ଆଦି ହେବାର ଆଶଙ୍କା ବେଶି ରହିଥାଏ । ଏହା ଦ୍ୱାରା କୁଣ୍ଡାଇ ହୁଏ ଓ ପୀଡ଼ା ହୁଏ । ଇନଫ୍ଲାମେସନ୍ (ଫୁଲା) ଦ୍ୱାରା ତ୍ୱଚା କଳା ପଡ଼ିଯାଏ ଓ ଧୀରେ ଧୀରେ ତ୍ୱଚା ବିବର୍ଣ୍ଣ ହୋଇଯାଏ । ବାରମ୍ବାର ଦେଖାଯାଉଥିବା ଫଲିକ୍ୟୁଲାଇଡସକୁ ରୋକିବା ପାଇଁ ଲୋମର ବୃଦ୍ଧିକୁ ହ୍ରାସ କରିବା ଆବଶ୍ୟକ ହୋଇଥାଏ ଏବଂ ଏ କ୍ଷେତ୍ରରେ ଲେଜର୍ ପଦ୍ଧତି ଖୁବ୍ ଫଳପ୍ରଦ ହୋଇଥାଏ । ଜନନେନ୍ଦ୍ରିୟ ଲୋମର ମୂଳୋତ୍ପାଟନ କରିନେବା ଫଳରେ ଯୌନସଂସର୍ଗ ଯୋଗୁଁ ସଂକ୍ରମିତ ହେଉଥିବା ରୋଗ ଯଥା ଚର୍ମ ସଂକ୍ରମଣ ଆଦିକୁ ଅନେକାଂଶରେ ପ୍ରତିରୋଧ କରାଯାଇପାରିବ । ଜନନେନ୍ଦ୍ରିୟ ଚାରିପଟେ ସାଧାରଣ କ୍ଷୌର କର୍ମ ଦ୍ୱାରା ବ୍ୟକ୍ତି କିଛି ମାତ୍ରାରେ ବିବ୍ରତ ହୋଇଥାଏ । ତେଣୁ ଲୋମର ମୂଳୋତ୍ପାଟନ କରିବା ପାଇଁ ଲେଜର୍ ଗୋଟିଏ ଉତମ ବିକଳ୍ପ ହୋଇଥାଏ । ଲୋମ ହେଉଛି ବୀଜାଣୁ ବୃଦ୍ଧି ଓ ଦୁର୍ଗନ୍ଧ ସୃଷ୍ଟି ହେବାର ଏକ ପ୍ରମୁଖ ସ୍ଥାନ । ଯେତେବେଳେ ଶରୀରରୁ ତରଳ ପଦାର୍ଥ ସ୍ୱାଭାବିକ ଭାବେ ନିର୍ଗତ ହୁଏ, ସେତେବେଳେ ଏହା ଲୋମରେ ପଡ଼ି ବି ଯାଇପାରେ ।

ଲେଜର୍ ହେୟାର ରିମୁଭାଲ୍ ପଦ୍ଧତି କରିବା ପୂର୍ବର ସାବଧାନତା
ଯେଉଁ ଅଂଶର ଲୋମ ମୂଳୋତ୍ପାଟନ କରିବାର ଅଛି, ତାହାକୁ ପୂରା ସେଭିଙ୍ଗ୍ ନ କରି ଟ୍ରିମିଙ୍ଗ୍ କରି ଆସନ୍ତୁ । ଲେଜର୍ ଚିକିତ୍ସାର ମାସେ ପୂର୍ବରୁ ଆଉ ସେହି ସ୍ଥାନରୁ ଲୋମ ଟାଣନ୍ତୁ ନାହିଁ, ୱାକ୍‌ସିଂ କରାନ୍ତୁ ନାହିଁ କିମ୍ବା ଡିପିଲାଟୋରୀ (ଲୋମନାଶକ) ବ୍ୟବହାର କରନ୍ତୁ ନାହିଁ । ଡାଇଓଡ୍ ଲେଜର୍ ଚିକିତ୍ସାର ଗୋଟିଏ ସପ୍ତାହ ପୂର୍ବରୁ ଓ ପରବର୍ତ୍ତୀ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ରେଟିନଲ୍ ଲଗାନ୍ତୁ ନାହିଁ; ଯ’ଦ୍ୱାରା ତ୍ୱଚାର ସମ୍ଭାବ୍ୟ ସମ୍ବେଦନଶୀଳତାକୁ ପ୍ରତିକାର କରାଯାଇପାରିବ ।

କେଉଁ କ୍ଷେତ୍ରରେ ଲେଜର୍ ରିମୁଭାଲ୍ କରାଯାଇପାରିବ ନାହିଁ?
– ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମହିଳା
– ଚିକିତ୍ସା କରିବାକୁ ଥିବା ଅଂଶରେ ହାର୍ପିସ୍ ସିମ୍ପେ୍ଲକ୍ସ ଭାଇରସ୍ ସଂକ୍ରମଣର ଇତିହାସ ଥିଲେ
– ଚିକିତ୍ସା କରିବାକୁ ଥିବା ନିର୍ଦ୍ଧାରିତ ଅଂଶରେ ଟାଟୁ କରାଯାଇଥିଲେ
– ବିଗତ ଛ’ ମାସ ମଧ୍ୟରେ ଆକ୍ୟୁଟେନ୍ (ବ୍ରଣନାଶକ ଔଷଧ) ବ୍ୟବହାର କରିଥିଲେ

ଶେଷରେ ଏତିକି କୁହାଯାଇପାରେ ଯେ, ଶରୀରରେ ଥିବା ଅବାଂଛିତ ଲୋମକୁ ନେଇ ବିବ୍ରତ ହେବାର ଆଉ ଆବଶ୍ୟକତା ନାହିଁ । ଡାଇଓଡ୍ ଲେଜର୍ ହେୟାର ରିମୁଭାଲ୍ ପଦ୍ଧତି ଏକ ସଫଳ ତଥା ସୁରକ୍ଷିତ ଚିକିତ୍ସା ପଦ୍ଧତି । ସୁଲଭ ମୂଲ୍ୟରେ ମଧ୍ୟ ଏବେ ଅତ୍ୟାଧୁନିକ ଲେଜର୍ ଚିକିତ୍ସା ଉପଲବ୍ଧ ହେଲାଣି । ହେଲେ ମନେରଖନ୍ତୁ, ସବୁବେଳେ ଜଣେ ଅଭିଜ୍ଞ ପ୍ଲାଷ୍ଟିକ୍ ସର୍ଜରୀ କନ୍‌ସଲଟାଂଟ୍ ବା କସମେଟିକ୍ ସର୍ଜନଙ୍କ ପାଖରେ ହିଁ ନିଜର ଲେଜର୍ ଚିକିତ୍ସା କରାନ୍ତୁ । କାରଣ ଏହା କରିବା ପୂର୍ବରୁ ରୋଗୀର ଉପଯୁକ୍ତ ପରୀକ୍ଷଣ ଅତ୍ୟନ୍ତ ଜରୁରୀ ହୋଇଥାଏ ।