ପ୍ରଫେସର ଡା. ଘନଶ୍ୟାମ ବିଶ୍ୱାସ । ପ୍ରସିଦ୍ଧ ମେଡିକାଲ୍ ଅଙ୍କଲୋଜିଷ୍ଟ । ବର୍ତମାନ ସେ ଭୁବନେଶ୍ୱରସ୍ଥିତ ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ଏବଂ ଏହା ସହ ସମ୍ ହସ୍ପିଟାଲରେ ମେଡିକାଲ ଅଙ୍କୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ । ବ୍ୟକ୍ତିଗତ ଜୀବନରେ ଖୁବ୍ ସାଦାସିଧା ଏବଂ କମ୍ କଥା କହୁଥିବା ଜଣେ ସରଳ ନିଷ୍କପଟ ମଣିଷ । ରୋଗୀସେବା ତାଙ୍କ ଜୀବନର ବ୍ରତ । କର୍କଟ ରୋଗର ଚିକିତ୍ସାରେ ସେ ଅନେକ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ରୋଗ ଉପରେ ସେ ଗବେଷଣା ମଧ୍ୟ ଜାରି ରଖିଛନ୍ତି । ତାଙ୍କର ଅନେକ ନିବନ୍ଧ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି ।
ତାଙ୍କ ଜୀବନର ସଂଘର୍ଷ ଓ ସଫଳତାର କାହାଣୀ ଏଥର ଫ୍ଲାସ୍‌ବ୍ୟାକ୍‌ରେ । (ଉପସ୍ଥାପନା: ଡା. ଗୌରୀଶଙ୍କର ପଣ୍ଡା)

ମାନବିକତା ପ୍ରଥମ, ତା’ପରେ ଯାହା…
– ଡା. ଘନଶ୍ୟାମ ବିଶ୍ୱାସ

ଇସ୍ପାତ ନଗରୀ ରାଉରକେଲାରେ ଏପ୍ରିଲ ୫ ତାରିଖ ୧୯୭୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଘନଶ୍ୟାମ । ବାପାଙ୍କ ନାମ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ବିଶ୍ୱାସ ଓ ମାଆଙ୍କ ନାମ ଶ୍ରୀମତି ସତୀ ବିଶ୍ୱାସ । ୧୯୮୮ରେ ରାଉରକେଲା କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ୍ ଏବଂ ୧୯୯୦ରେ ରାଉରକେଲା ସେଂଟ୍ ପଲ୍ ସ୍କୁଲରୁ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ ଉତୀର୍ଣ୍ଣ ହୁଅନ୍ତି ସେ । ପିଲାଟି ଦିନରୁ ଘନଶ୍ୟାମ ମେଧାବୀ ଥିବାରୁ ଡାକ୍ତର ହୋଇ ରୋଗୀ ସେବା କରିବାକୁ ମନ ବଳାଇଥିଲେ । ତାଙ୍କ ବଡ଼ବାପାଙ୍କ ଝିଅ ସାଗରିକା ନାନୀ ଡାକ୍ତର ହୋଇ ରୋଗୀ ସେବା କରୁଥିବା ଦେଖନ୍ତି ଓ ସେଠାରୁ ସେ ଅନେକ ପ୍ରେରଣା ପାଆନ୍ତି । ସାଗରିକାନାନୀଙ୍କୁ ଦେଖି ତାଙ୍କ ଭିତରେ ଡାକ୍ତର ହେବାର ଇଚ୍ଛା ଜାଗ୍ରତ ହୋଇଥିଲା ।


ଯୁକ୍ତ ଦୁଇ ସମାପ୍ତ ପରେ ମେଡିକାଲ ଏଂଟ୍ରାନ୍ସ ପାଇଁ ପ୍ରସ୍ତୁତି କରନ୍ତି ସେ ଓ ଏଥିରେ ସଫଳ ହୁଅନ୍ତି । କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍‌ରୁ ୧୯୯୫ ମସିହାରେ ଏମ୍‌ବିବିଏସ୍‌ରେ ଉତୀର୍ଣ୍ଣ ହୁଅନ୍ତି । ତା’ପରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ୍ କଲେଜରୁ ଏମଡି (ମେଡିସିନ୍‌)ରେ ସଫଳତାର ସହ ଶେଷ କରନ୍ତି । ଆହୁରି ପଢ଼ିବାର ଇଚ୍ଛା ତାଙ୍କୁ ଟାଣିନିଏ ମୁମ୍ବାଇ । ଡିଏମ୍ ଏଂଟ୍ରାନ୍ସ ପରୀକ୍ଷା ଦିଅନ୍ତି । ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜି ବା ପେଟ ରୋଗ ବିଷୟରେ ପଢ଼ିବା ପାଇଁ ତାଙ୍କର ଇଚ୍ଛା ହୁଏ । କିନ୍ତୁ ସୌଭାଗ୍ୟ କୁହନ୍ତୁ ବା ଦୁର୍ଭାଗ୍ୟ, ମେରିଟ୍ ଲିଷ୍ଟରେ ଘନଶ୍ୟାମଙ୍କ ନମ୍ବର ଆସୁ ଆସୁ ଗ୍ୟାଷ୍ଟ୍ରୋଏଂଟ୍ରୋଲୋଜିର ଡିଏମ୍ କୋର୍ସ ପାଇଁ ଆଉ ଭ୍ୟାକେନ୍ସି ନଥିଲା, ସବୁ ସିଟ୍ ସରିଯାଇଥିଲା । ତେଣୁ ବାଧ୍ୟ ହୋଇ ମେଡ଼ିକାଲ୍ ଅଙ୍କୋଲୋଜିରେ ଡିଏମ୍ କରିବା ପାଇଁ ନିଷ୍ପତି ନିଅନ୍ତି ସେ । ବିଖ୍ୟାତ ଟାଟା ମେମୋରିଆଲ୍ ହସ୍‌ିଟାଲରେ ମେଡିକାଲ୍ ଅଙ୍କୋଲୋଜିରେ ନିଜ କ୍ୟାରିୟର ଆରମ୍ଭ କରନ୍ତି । ସବୁ ଈଶ୍ୱରଙ୍କ ଇଚ୍ଛା ଏବଂ ସେଇ ଈଶ୍ୱରଙ୍କ ଇଚ୍ଛାକୁ ଖୁସିରେ ଗ୍ରହଣ କରନ୍ତି ଡା. ଘନଶ୍ୟାମ । ପରବର୍ତୀ ସମୟରେ ନିଜର ଅଧ୍ୟବସାୟ ତଥା ଈଶ୍ୱରଙ୍କ ଆଶୀର୍ବାଦରୁ ଦେଶର ଜଣେ ଆଗଧାଡ଼ିର କର୍କଟ ରୋଗ ବିଶେଷଜ୍ଞ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ।


ଟାଟା ମେମୋରିଆଲ ହସ୍ପିଟାଲରୁ ଡିଏମ୍ ପାଠ୍ୟକ୍ରମ ଶେଷ ପରେ ନିଜ ଜନ୍ମମାଟିରେ ରହିବାର ଇଚ୍ଛା ନେଇ ଓଡ଼ିଶା ଆସନ୍ତି । ପ୍ରଥମେ ତ ସରକାରୀ ଚାକିରି କରିବା ଆଶାରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଗବେଷଣା କେନ୍ଦ୍ରରେ ଚେଷ୍ଟା କରନ୍ତି । ସେଠି ସଫଳ ନ ହେବାରୁ ଭୁବନେଶ୍ୱରର ଏକ ବିଖ୍ୟାତ ବେସରକାରୀ ହସ୍ପିଟାଲକୁ ଚାକିରି ପାଇଁ ବାୟୋଡାଟା ଦେଇ ଅନୁଷ୍ଠାନର ମୁଖ୍ୟଙ୍କୁ ସାକ୍ଷାତ କରନ୍ତି । କିନ୍ତୁ ତା’ପରେ ସେଇଠି ଡା. ଘନଶ୍ୟାଙ୍କୁ ଚାକିରି ଦେବା ଦାୟିତ୍ୱରେ ଥିବା ଅଧିକାରୀ କହନ୍ତି – ନାଇଁ ଆଜ୍ଞା… ଆମର କ୍ୟାନ୍‌ସର ଡାକ୍ତର ଦରକାର ପଡ଼ୁନି । ଯେବେ ଦରକାର ହେବ ଆମେ ଆପଣଙ୍କୁ କହିବୁ ।’
କି ଆଶ୍ଚର୍ଯ୍ୟ! କ୍ୟାନସର ଡାକ୍ତର ବାହାରେ ସହଜରେ ଉପଲବ୍‌ଧ ହେଉନଥିବାବେଳେ ଆମ ଓଡ଼ିଶାରେ ନିଜ ଆଡୁ ସେବା ଦେବାକୁ ଚାହୁଁଥିବା କ୍ୟାନ୍‌ସର ଡାକ୍ତରଙ୍କୁ ଚାକିରି ମିଳିଲା ନାହିଁ । ଏହା ସଚେତନତାର ଅଭାବ ଥିଲା ନା ପରିଚାଳନାଗତ ଜ୍ଞାନର ଅଭାବ ଥିଲା କେଜାଣି! ଡା. ଘନଶ୍ୟାମ ଆଉ କରିବେ ବା କ’ଣ! ଗୋଟେ ଦି’ଟା ହସ୍ପିଟାଲରେ ନିଜର ବାୟୋଡାଟା ଦେଇ ପୁଣି ଫେରିଯାନ୍ତି ମୁମ୍ବାଇ । ସେଇଠୁ ବିଦେଶ ଯାଆନ୍ତି ଚାକିରି କରିବାକୁ । ଯୁକ୍ତରାଷ୍ଟ୍ର ଆମେରିକାର ଟେକ୍ସାସରେ କିଛି ମାସ ରହନ୍ତି । ପୁଣି ଫେରନ୍ତି ମୁମ୍ବାଇ ଟାଟା ମେମୋରିଆଲକୁ । ସେଇଠି ଏପ୍ରିଲ ୨୦୦୫ରୁ ଅକ୍ଟୋବର ୨୦୦୫ ପର୍ଯ୍ୟନ୍ତ କ୍ୟାନସର୍ ରୋଗ ବିଷୟରେ ଗବେଷଣା କରନ୍ତି ।


ଏ ସମୟ ମଧ୍ୟରେ ଡା. ଘନଶ୍ୟାମ ବିବାହ କରନ୍ତି ଡା. ସୁତପା ବିଶ୍ୱାସଙ୍କୁ ଏବଂ ଈଶ୍ୱରଙ୍କ ଆଶୀର୍ବାଦରୁ ପୁଅଟିଏ ମଧ୍ୟ ଡା. ସୁତପାଙ୍କ କୋଳମଣ୍ଡନ କରିଥାଏ । ସେତେବେଳେ ଡା. ସୁତପା ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ମେଡିକାଲ୍ ଅଫିସର ଭାବେ କାର୍ଯ୍ୟରତ ଥିଲେ । ଡା. ଘନଶ୍ୟାମ ମୁମ୍ବାଇରେ ରହୁଥିଲେ ବି ଓଡ଼ିଶା ଫେରିଆସିବାକୁ ଇଚ୍ଛା ଥାଏ । ହେଲେ ପତ୍ନୀ ସୁତପାଙ୍କୁ ବୁଝାଇ ଶୁଝାଇ ଓଡ଼ିଶା ଆସିବା କମ୍ କଷ୍ଟକର ବ୍ୟାପାର ନ ଥିଲା! କାରଣ ସୁତପା ମୁମ୍ବାଇର ଝିଅ, ମୁମ୍ବାଇରେ କାର୍ଯ୍ୟରତ । ତେଣୁ ମୁମ୍ବାଇର ଜୀବନଶୈଳୀକୁ ଛାଡ଼ି ଓଡ଼ିଶା ଆସି ରହିବା ତାଙ୍କ ପକ୍ଷେ ବାସ୍ତବିକ୍ ସେତେଟା ସହଜ ନଥିଲା ।
ଏଭଳି ସମୟରେ ଡା. ଘନଶ୍ୟାମଙ୍କ ଡିଏମ୍ ଗାଇଡ୍ ଡା. ପୂର୍ଣ୍ଣ କୁର୍‌କୁରେ ତାଙ୍କୁ ସଠିକ୍ ପରାମର୍ଶ ଦିଅନ୍ତି । ସେ କହନ୍ତି – ‘ଦେଖ ଘନଶ୍ୟାମ, ଆମ ଟାଟା ମେମୋରିଆଲକୁ ପୂର୍ବ ଭାରତରୁ ମଧ୍ୟ ଅନେକ ରୋଗୀ ଆସୁଛନ୍ତି । ଏପରିକି ସେମାନଙ୍କ ମଧ୍ୟରେ ଓଡ଼ିଶାର ଅନେକ ରୋଗୀ ଅଛନ୍ତି । ତେଣୁ ତୁମେ ଓଡ଼ିଶା ଯାଅ ଓ ସେଠି ରୋଗୀସେବା କର ।’ ଡା. କୁର୍‌କୁରେଙ୍କ ବ୍ୟତୀତ ଟାଟା ମେମୋରିଆଲ ହସ୍ପିଟାଲର ମେଡ଼ିକାଲ ଅଙ୍କୋଲୋଜିର ବିଭାଗୀୟ ମୁଖ୍ୟ ଡା. ଶ୍ରୀପଦ୍ ବନ୍‌ୱାରୀ ମଧ୍ୟ ସେହି ସମାନ ପରାମର୍ଶ ଦେଇ କହନ୍ତି – ‘ଓଡ଼ିଶାରେ ଜଣେ ଯୁବ ମେଡିକାଲ ଅଙ୍କୋଲୋଜିଷ୍ଟଙ୍କ ଆବଶ୍ୟକତା ରହିଛି । ତୁମେ ଯେହେତୁ ଏଇଠୁ ପ୍ରଶିକ୍ଷିତ, ତୁମେ ନିଶ୍ଚିତ ଭାବରେ ଅତ୍ୟାଧୁନିକ ସେବା ଯୋଗାଇଦେବ । ଯଦ୍ୱାରା ତୁମ ଓଡ଼ିଶାର ରୋଗୀ ଏଠାକୁ ଆଉ ଆସି ହଇରାଣ ହେବାକୁ ପଡ଼ିବ ନାହିଁ ଏବଂ ନିଜ ରାଜ୍ୟରେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ତେଣୁ ତୁମେ ଓଡ଼ିଶା ଫେରିଯିବା ଉଚିତ ।’


ସମସ୍ତଙ୍କ ପରାମର୍ଶ କ୍ରମେ ଡା. ଘନଶ୍ୟାମ ବିଶ୍ୱାସ ପୁଣି ଓଡ଼ିଶା ଫେରନ୍ତି ଓ ସେତେବେଳେ ଭୁବନେଶ୍ୱରରେ ନୂଆକରି ଆରମ୍ଭ ହୋଇଥିବା ହେମଲତା ହସ୍ପିଟାଲରେ ଯୋଗ ଦିଅନ୍ତି । ପତ୍ନୀ ସୁତପାଙ୍କୁ ବୁଝାଇବା ପାଇଁ ଡା. ଘନଶ୍ୟାମଙ୍କୁ ଦୀର୍ଘ ୬ ମାସ ଲାଗିଯାଇଥିଲା । ୬ ମାସ ପରେ ଡା. ସୁତପା ଓଡ଼ିଶା ଆସନ୍ତି । ଡା. ସୁତପା ଜଣେ ପାଥୋଲୋଜିଷ୍ଟ ଏବଂ ଛୁଆମାନଙ୍କ କ୍ୟାନ୍‌ସର ନିରୂପଣରେ ସିଦ୍ଧହସ୍ତ । ତେଣୁ ଡା. ସୁତପା ଓଡ଼ିଶା ଆସିବା ପରେ ଡା, ଘନଶ୍ୟାମଙ୍କୁ ଅନେକ ସହାୟତା ମିଳେ ତଥା ରୋଗୀମାନଙ୍କ ରୋଗ ନିରୂପଣ ଶୀଘ୍ର ଓ ସଠିକ୍ ହେବାରେ ଲାଗେ । ବର୍ତମାନ ଉଭୟେ ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ।
କ୍ୟାନସରର କାରଣ ସମ୍ପର୍କରେ ବୁଝାଇବାକୁ ଯାଇ ଡା. ଘନଶ୍ୟାମ କହନ୍ତି ଯେ, ସମୁଦାୟ କ୍ୟାନ୍‌ସର ମଧ୍ୟରୁ ୧୦% ହେଉଛି ଆନୁବଂଶୀକି କାରଣ ଜନିତ, ୧୦% ହେଉଛି ବୃତିଜନିତ (ଖଣି ଖାଦାନରେ କାମ କରିବା ଦ୍ୱାରା, ରାସାୟନିକ ଦ୍ରବ୍ୟ ଉତ୍ପନ୍ନ ହେଉଥିବା କାରଖାନାରେ କାମ କରିବା ଦ୍ୱାରା ଓ ହସ୍ପିଟାଲରେ ରେଡିଓ ଥେରାପି ବିଭାଗରେ କାମ କରିବା ଆଦି କାରଣରୁ) ଏବଂ ଅବଶିଷ୍ଟ ୭୦ -୮୦ % କ୍ୟାନ୍‌ସର ହେଉଛି ଜୀବନଶୈଳୀ ଜନିତ । କିଛି ବଦଭ୍ୟାସ ତଥା ଜୀବନଯାପନ ଶୈଳୀ ପାଇଁ ଅନେକ କ୍ୟାନ୍‌ସର ହୋଇଥାଏ । ଯଦି ତମାଖୁ ନଥାନ୍ତା ତେବେ ୩୦-୪୦% କ୍ୟାନ୍‌ସର ହିଁ ନଥାନ୍ତା! ତେଣୁ ଜୀବନଚର୍ଯ୍ୟାରେ କିଛି ପରିବର୍ତନ ଦ୍ୱାରା, ବଦଭ୍ୟାସ ପରିତ୍ୟାଗ କରିବା ଦ୍ୱାରା, ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ତଥା ସଠିକ୍ ମାତ୍ରାରେ ଶୋଇବା ଦ୍ୱାରା କ୍ୟାନ୍‌ସର ହେବାର ଆଶଙ୍କାକୁ କିଛିଟା ହ୍ରାସ କରାଯାଇପାରିବ ବା କ୍ୟାନ୍‌ସରର ନିୟନ୍ତ୍ରଣ କିଛିମାତ୍ରାରେ ସମ୍ଭବ ହୋଇପାରିବ ।


ଓଡ଼ିଶାରେ ବଦଳୁଥିବା ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ନିଜର ମତ ରଖନ୍ତି ଡା. ଘନଶ୍ୟାମ – ‘ବିଗତ ୧୫ ବର୍ଷ ଭିତରେ ମୁଁ ଲକ୍ଷ୍ୟ କରିଛି ଓଡ଼ିଶାର ଚିକିତ୍ସା ସେବା ବ୍ୟବସ୍ଥାରେ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି । ସବୁ ଦିଗରୁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପରିପୁଷ୍ଟ ହୋଇଛି । ଆମେ ମେଡିକାଲ ପଢ଼ିଲାବେଳେ କେବଳ ୩ଟି ସରକାରୀ ମେଡିକାଲ କଲେଜ ହିଁ ଥିଲା । କିନ୍ତୁ ଏବେ ତ ୭ଟି ସରକାରୀ ମେଡିକାଲ କଲେଜ ଓ ୪ଟି ବେସରକାରୀ ମେଡିକାଲ କଲେଜ ହେଲାଣି । ତେଣୁ ଡାକ୍ତରଙ୍କ ସଂଖ୍ୟା ତଥା ଭିତିଭୂମିରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଲାଲାଣି । କିଛି ବର୍ଷ ତଳେ ଅଧିକ ସଂଖ୍ୟାରେ ଅଙ୍କୋଲୋଜିଷ୍ଟ ନଥିଲେ, ଏବେ ତ ମେଡିକାଲ ଅଙ୍କୋଲୋଜିଷ୍ଟ, ସର୍ଜିକାଲ ଅଙ୍କୋଲୋଜିଷ୍ଟ ଓ ରେଡିଏସନ୍ ଅଙ୍କୋଲୋଜିଷ୍ଟ ଆଦି ସ୍ୱତନ୍ତ୍ର ବର୍ଗରେ ମଧ୍ୟ କର୍କଟ ରୋଗ ବିଶେଷଜ୍ଞ ଉପଲବ୍ଧ ହେଲେଣି । ପୂର୍ବେ ପେଟ୍‌ସ୍କାନ ନଥିଲା ଏବେ ଓଡ଼ିଶାରେ ତିନୋଟି ସ୍ଥାନରେ ଉପଲବ୍ଧ ହେଲାଣି । ଆଗରୁ ଏମ୍‌ଆର୍‌ଇ, ମାମୋଗ୍ରାଫି ଭଳି ପରୀକ୍ଷା ଖୁବ୍ କମ୍ ସ୍ଥାନରେ ଉପଲବ୍ଧ ଥିଲା ଏବେ ତ ବହୁତ ସ୍ଥାନରେ ଏହି ସୁବିଧା ମିଳିଲାଣି । କର୍କଟ ରୋଗ ଯେତେ ଶୀଘ୍ର ଚିହ୍ନଟ ହେବ, ତାହାର ଆରୋଗ୍ୟର ସମ୍ଭାବନା ସେତେ ଅଧିକ । ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କଲେ ରୋଗ ଭଲ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ଥାଏ । ଆମ ଓଡ଼ିଶାରେ କ୍ୟାନ୍‌ସରର ପ୍ରାୟ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଉପଲବ୍ଧ ହେଲାଣି । ରୋଗ ନିରୂପଣଠୁ ଆରମ୍ଭ କରି ଶଲ୍ୟ ଚିକିତ୍ସା, କେମୋଥେରାପି, ରେଡିଓ ଥେରାପି ଏବଂ ପାଲିଆଟିଭ୍ କେୟାର ଯାଏଁ ।’


ଡା. ଘନଶ୍ୟାମ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ଯେ ତାଙ୍କ ପରିବାରକୁ ଚଳାଇବାରେ ପତ୍ନୀଙ୍କ ଭୂମିକା ବହୁତ । ପୁଅ ପରିତୋଷ ଓ ଝିଅ ଶିବାଙ୍ଗୀଙ୍କ ପଢ଼ାଶୁଣା, ଘରର ରୋଷେଇବାସ, ବନ୍ଧୁବାନ୍ଧବଙ୍କ କଥା, ବାପା, ମା’ଙ୍କ ସେବା ସବୁ ବିଷୟ ଡା. ସୁତପା ହିଁ ବୁଝନ୍ତି ।
ଜୀବନଟା ସୁଖ ଦୁଃଖର ସମ୍ମିଶ୍ରଣ । ଏଠି ହସ ଅଛି, ଲୁହ ବି । କିଛି ଦୁର୍ଘଟଣା ଭୁଲିବାକୁ ଚାହିଁଲେ ବି ଭୁଲି ହୁଏନି । ସେମିତି ସଙ୍କଟ ସମୟ ମଧ୍ୟ ଆସିଛି ଡା. ଘନଶ୍ୟାମଙ୍କ ଜୀବନରେ । ୨୦୧୭ ମସିହା ଅଗଷ୍ଟ ମାସରେ ସ୍ଲାଇନ୍‌ଫୁରେ ଆକ୍ରାନ୍ତ ହୁଅନ୍ତି ଡା. ଘନଶ୍ୟାମ । ଜ୍ୱର ୧୦୫ ଡିଗ୍ରୀ ଫାରେନ୍‌ହାଇଟ୍ ତଳକୁ ଖସୁ ନଥାଏ । କଫରେ ରକ୍ତ ପଡ଼ୁଥାଏ । ସୁଗାର୍ ୫୦୦ ଉପରେ । ଗୁରୁତର ଅବସ୍ଥା । ଏପରିକି ବଂଚିବାର ଆଶା ମଧ୍ୟ କମି ଆସୁଥିଲା । ଜୀବନ-ମରଣର ଦୋଛକିରେ ଡା. ଘନଶ୍ୟାମ । ସ୍ପର୍ଶ ହସ୍ପିଟାଲ; ଯେଉଁଠି ସେ ନିଜେ ଶହ ଶହ ରୋଗୀ ଦେଖନ୍ତି, ସେଇ ହସ୍ପିଟାଲରେ ସଙ୍କଟାପନ୍ନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଡା. ଘନଶ୍ୟାମ । ପରିଜନ, ବନ୍ଧୁବାନ୍ଧବ, ରୋଗୀ, କର୍ମଚାରୀ ସମସ୍ତେ ଈଶ୍ୱରଙ୍କୁ ଆକୁଳ ପ୍ରାର୍ଥନା କରୁଥାନ୍ତି ତାଙ୍କର ଆଶୁ ଆରୋଗ୍ୟ ପାଇଁ । ଶେଷରେ ଡାକ୍ତରବନ୍ଧୁମାନଙ୍କ ଅକ୍ଳାନ୍ତ ପରିଶ୍ରମ ତଥା ପରିଜନଙ୍କ ପ୍ରାର୍ଥନାର ଫଳ ସ୍ୱରୂପ ସୁସ୍ଥ ହେବାରେ ଲାଗିଲେ ସେ । ସମୟ ଲାଗିଲା, ମାତ୍ର ଧୀରେଧୀରେ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କଲେ ଡା. ଘନଶ୍ୟାମ ।


ସେଇ ଦୁଃସମୟକୁ ଭୁଲିବାକୁ ଚେଷ୍ଟା କରୁ କରୁ ବର୍ଷକ ପରେ ହଠାତ୍ ପୁଅର ଦେହ ଖରାପ ହୋଇଯାଏ । ଠିକ୍ ବର୍ଷେ ପରେ ଅର୍ଥାତ୍ ଅଗଷ୍ଟ ୨୦୧୮ରେ ଡେଙ୍ଗୁରେ ଆକ୍ରାନ୍ତ ହୁଏ ପୁଅ । ଅବସ୍ଥା ପୂରା ଗୁରୁତର । ଛାତିରେ ପାଣି ଜମିଯାଏ । ଅତ୍ୟଧିକ ଜ୍ୱରରେ ଖଇ ଫୁଟୁଥାଏ । କୋଡ଼ିଏ ବୋତଲ ରକ୍ତ ଦେବାକୁ ପଡ଼େ । ପ୍ଲେଟଲେଟ୍ କାଉଣ୍ଟ୍ ହ୍ରାସ ପାଏ । ସ୍ପର୍ଶ ହସ୍ପିଟାଲରେ ଭର୍ତି ହୋଇ ଜୀବନ ମରଣ ସହ ଯୁଝୁଥାଏ ପୁଅ । ଆଇସିୟୁ ବାହାରେ କାନ୍ଦ ବୋବାଳି । ଡା. ଘନଶ୍ୟାମ ଓ ଡା. ସୁତପା ତଥା ସମସ୍ତ ଡାକ୍ତରବନ୍ଧୁଙ୍କ ଉଦ୍ୟମ ତଥା ଈଶ୍ୱରଙ୍କ ଆଶୀର୍ବାଦରୁ ପୁଅ ଭଲ ହୋଇଯାଏ । ଭଲ ହୋଇଯାଏ କହିବା ଅପେକ୍ଷା ପୁନର୍ଜୀବନ ଲାଭ କରେ ବୋଲି କହିଲେ ହୁଏତ ଭୁଲ୍ ହେବ ନାହିଁ ।
ସତରେ ଈଶ୍ୱରଙ୍କ ପରୀକ୍ଷା ବେଳେବେଳେ ଖୁବ୍ କଷ୍ଟକର । ପରୀକ୍ଷା ନିଅନ୍ତି ସତ, କିନ୍ତୁ ଶେଷରେ ସହାୟ ହୁଅନ୍ତି । ମଣିଷ ଯେତେବେଳେ ସବୁଆଡ଼ୁ ନିରାଶ ହୁଏ, ସେତେବେଳେ ସେ ଈଶ୍ୱରଙ୍କ ଶରଣାପନ୍ନ ହୁଏ । ଦୁଇ ବର୍ଷ ଧରି ଅଗଷ୍ଟ ମାସରେ ହିଁ ଅସୁବିଧା ହେଉଥିବାରୁ ଗତ ବର୍ଷଠାରୁ ଡା. ଘନଶ୍ୟାମଙ୍କ ଘରେ ଅଗଷ୍ଟ ମାସରେ ପୂଜାର୍ଚ୍ଚନା ହୁଏ ।
ଡା. ଘନଶ୍ୟାମ କେବେ ମଧ୍ୟ ପଇସା ପଛରେ ଗୋଡ଼େଇ ନାହାନ୍ତି । ସବୁବେଳେ ନୀତି ନିୟମ, ଧର୍ମ ଭାବନା ଭିତରେ ଧରାବନ୍ଧା ତାଙ୍କ ବ୍ୟକ୍ତିଗତ ଓ ବୃତିଗତ ଜୀବନ । ଅନେକ ରୋଗୀଙ୍କୁ ନିଜ ଖର୍ଚ୍ଚରେ ମଧ୍ୟ ଚିକିତ୍ସା କରିଛନ୍ତି । ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ । କ୍ୟାନ୍‌ସର ଭଳି ଖର୍ଚ୍ଚବହୁଳ ରୋଗର ଚିକିତ୍ସା ପାଇଁ ଯେଉଁଠି ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼େ, ସେଇଠି ଡା. ଘନଶ୍ୟାମ କିଛି ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିଛନ୍ତି । ଅନେକ ରୋଗୀଙ୍କୁ ପ୍ରତ୍ୟକ୍ଷ ନ ହେଲେ ବି ପରୋକ୍ଷରେ ବହୁ ସହାୟତା ଯୋଗାଇ ଦେଇଛନ୍ତି । ତାଙ୍କ ପାଇଁ ମାନବିକତା ହିଁ ପ୍ରଥମ, ତା’ପରେ ଆଉ ଯାହା । ଥରେ ବିଭୂତି ନାମକ ଜଣେ ଡ୍ରାଇଭରର ବ୍ଲଡ କ୍ୟାନ୍‌ସର ନିରୂପିତ ହୁଏ । ଗରିବ ଲୋକ । କୁଆଡ଼ୁ ପାଇବ ଟଙ୍କା! ତଥାପି ଯୁଆଡ଼ୁ ଯେମିତି ହେଉ କିଛି ଟଙ୍କା ଯୋଗାଡ଼ କରି ଚକିତ୍ସା କରାଏ । ଯେତିକି ଯୋଗାଡ଼ କରିପାରେ, ତାହା ତା’ର ଚିକିତ୍ସା ଖର୍ଚ୍ଚ ତୁଳନାରେ ଅତି ଅଳ୍ପ । ଡା. ଘନଶ୍ୟାମ ଓ ଡା. ସୁତପା ପରୀକ୍ଷା କରି ଦେଖନ୍ତି ଯେ, ସଠିକ୍ ଚିକିତ୍ସା କରିପାରିଲେ ବିଭୂତି ବଂଚିଯିବ । ସେତେବେଳେ ରକ୍ତବାନ୍ତି କରୁଥିବା ବିଭୂତିକୁ ସବୁ ହସ୍ପିଟାଲ ଫେରାଇ ଦେଇସାରିଥିଲେ । ଡା. ଘନଶ୍ୟାମ ଓ ସ୍ୱର୍ଶ ହସ୍‌ପିଟାଲ୍‌ର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରିୟବ୍ରତ ଧିର ନିଷ୍ପତି ନିଅନ୍ତି, ବିଭୂତିକୁ ବଂଚାଇବେ, ଯାହାହେଉ ପଛକେ । ସତକୁ ସତ ଡା. ଘନଶ୍ୟାମ ବିଭୂତିର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରି ତଥା ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେଇ ତାକୁ ଭଲ କରିଦିଅନ୍ତି । ବିଭୂତି ଭଲ ହେଉ ହେଉ ପୁଣି ହେପାଟାଇଟିସ୍‌-ବିରେ ଆକ୍ରାନ୍ତ ହୋଇଯାଏ । ପୁଣି ଚିକିତ୍ସା କରାନ୍ତି ଡା. ଘନଶ୍ୟାମ । ଶେଷରେ ବିଭୂତି ପୂରା ରୋଗମୁକ୍ତ ହୋଇ ସାଧାରଣ ଜୀବନଯାପନ କରିବାରେ ସକ୍ଷମ ହୁଏ । ବର୍ତମାନ ତା’ର କ୍ୟାନ୍‌ସର ବା ହେପାଟାଇଟିସ୍ କିଛି ବି ନାହିଁ । ଏବେ ବିଭୂତି ଅନ୍ୟ ଆଡ଼େ କାମ କରନ୍ତି ନାହିଁ । ସେ ଏବେ ସ୍ପର୍ଶ ହସପିଟାଲ୍‌ରେ କାର୍ଯ୍ୟରତ ।
ଡା. ଘନଶ୍ୟାମ ହେମଲତା ହସ୍ପିଟାଲରେ ଚାକିରି କରିବା ସମୟରେ ୧୮/୧୯ ବର୍ଷର ଯୁବକ ପପୁ ଟୋକାଟିଏ ସିକ୍ୟୁରିଟି ଗାର୍ଡ ଥାଏ । ଦିନେ କାନ୍ଦି କାନ୍ଦି ଆସି ଡା. ଘନଶ୍ୟାମଙ୍କ ପାଦ ତଳେ ପଡ଼ି ପପୁ କହିଲା – ‘ସାର୍ ମୋର ଆଉ ଚାକିରି ନାହିଁ । ଆପଣ ମତେ କୋଉଠି ଗୋଟେ ରଖାଇ ଦିଅନ୍ତୁ । ମୁଁ ଗରିବ ପିଲା । ଘରେ ଭାରି ଅସୁବିଧା । ଗାଁକୁ ଫେରିଲେ କ’ଣ କରିବି? ଏଇଠି ଯାହା ହେଲେ ରହିବି । ଆପଣ ଟିକେ ସାହାଯ୍ୟ କରନ୍ତୁ ।’ ଡା. ଘନଶ୍ୟାମ କହନ୍ତି – ‘ଆରେ ବାବୁ ମୁଁ ତ ଭୁବନେଶ୍ୱରରେ ନୂଆ । ତତେ କୋଉଠି ରଖାଇବି? ତୁ ଯଦି ଚାହିଁବୁ, ମୋ ସହ ରହିପାରିବୁ । ମୁଁ ତ ଏକୁଟିଆ ରହୁଛି ।’ ପପୁକୁ ଆଶ୍ରୟ ମିଳିଯାଏ । ଖୁସିରେ କହେ – ‘ହଁ ସାର୍ ମୁଁ ଆପଣଙ୍କ ସହ ରହିବି । ଆପଣଙ୍କ ଘରର କାମଦାମ କରିବି ।’
ତା’ ପରେ ପପୁ ଡା. ଘନଶ୍ୟାମଙ୍କ ସହ ରହିବାରେ ଲାଗେ । ଘରର କାମଦାମ କରେ । ଯେତେବେଳେ ଡା. ସୁତପା ଭବନେଶ୍ୱର ଆସନ୍ତି, ସେ କହିଲେ – ‘ଆରେ ପପୁ, କେତେଦିନ ଆଉ ଏମିତି ଘରକାମ କରି ବସି ରହିବୁ । ବରଂ ତୁ ଆଉ ଟିକେ ପଢ଼ାପଢ଼ି କର ।’ ଡା. ସୁତପାଙ୍କ ପରାମର୍ଶରେ ଡା. ଘନଶ୍ୟାମ ପପୁକୁ ଡିଏମ୍‌ଏଲ୍‌ଟି ପଢ଼ିବାକୁ କହନ୍ତି ତଥା ତା’ର ସମସ୍ତ ପଢ଼ାଖର୍ଚ୍ଚ ବହନ କରନ୍ତି । ପପୁ ମନଦେଇ ଡିମ୍‌ଏଲ୍‌ଟି ପ୍ରଶିକ୍ଷଣ ନିଏ । ତା’ପରେ ତାକୁ ସ୍ପର୍ଶ ହସ୍ପିଟାଲରେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ ଚାକିରି କରାଇ ଦିଅନ୍ତି । ଡା. ସୁତପାଙ୍କ ଅଧୀନରେ ଚାକିରି କରେ ପପୁ । ତା’ପରେ ପପୁ ବାହାସାହା ହୋଇ ପରିବାର ବସାଏ । ଏବେ ପପୁ ଭବନେଶ୍ୱରସ୍ଥିତ କେୟାର୍ ହସ୍ପିଟାଲରେ ଲ୍ୟାବ୍ ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଓ ସମ୍ମାନଜନକ ଜୀବନ ଜୀଉଁଛନ୍ତି । ଡା. ଘନଶ୍ୟାମ ଓ ସୁତପାଙ୍କୁ ସେ ନିଜର ଈଶ୍ୱର ବୋଲି ମାନନ୍ତି ।


ଏମିତି ଲେଖି ବସିଲେ ଡା. ଘନଶ୍ୟାମଙ୍କ କେତେ ଯେ ସାହାଯ୍ୟ-ସହଯୋଗର କାହଣୀ ବା ମାନବିକତାର କଥାନି ବାହାରିବ, ତା’ର ହିସାବ ନାହିଁ! ଡା. ଘନଶ୍ୟାମ ଈଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତି ଯେ, କାହାକୁ ଗୋଟେ ସାହାଯ୍ୟ କରିବା ପାଇଁ ଈଶ୍ୱର ତାଙ୍କୁ ସକ୍ଷମ କରିଛନ୍ତି । ପ୍ରକୃତରେ ଅନ୍ୟକୁ ସାହାଯ୍ୟ କରିବାରେ ଗଭୀର ଆତ୍ମସନ୍ତୋଷ ଲାଭ କରନ୍ତି ଡା. ଘନଶ୍ୟାମ ।
ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ସେ ନିଜର ନିଷ୍ଠା, ରୋଗୀ ସେବା ପାଇଁ ଅନେକ ଥର ସମ୍ମାନିତ ହୋଇଛନ୍ତି ସେ । ସେଥିମଧ୍ୟରୁ ୨୦୦୯ରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପୁରୀ ଲୋକମେଳା ସମ୍ମାନ, ୨୦୧୦ରେ ଯାଜପୁର ଗୀତବାଣୀ ପ୍ରଚାର ସମିତି ସମ୍ମାନ, ୨୦୧୩ରେ କଟକରେ ଚଳଚ୍ଚିତ୍ର ଜଗତ ସ୍ୱତନ୍ତ୍ର ସମ୍ମାନ, ୨୦୧୪ରେ ମିନତୀ ବେହେରା ଫାଉଣ୍ଡେସନ୍ ସମ୍ମାନ, ୨୦୧୪ରେ ଯାଜପୁର ସେବାରତ୍ନ ସମ୍ମାନ, ୨୦୧୬ରେ ସ୍ନେହା ଫାଉଣ୍ଡେସନ ହୋସ୍‌ଲା ସମ୍ମାନ, ସେହି ବର୍ଷ ରୋଟାରୀ କ୍ଳବ ଦ୍ୱାରା ପ୍ରଦତ ସମ୍ମାନ ଓ ନୂଆଦିଲ୍ଲୀରେ ଟାଇମ୍‌ସ ସାଇବର୍ ମିଡିଆ ପକ୍ଷରୁ ଇଂଟର୍‌ନ୍ୟାସନାଲ୍ ହେଲ୍‌ଥ କେୟାର ଆୱାର୍ଡ, ଶୈଶବ ଫାଉଣ୍ଡେସନ ପକ୍ଷରୁ ଅବଦୁଲ୍ କଲାମ୍ ସମ୍ମାନ, ଶହୀଦ ନଗର ସୋସିଆଲ୍ ଆଣ୍ଡ୍ କଲ୍‌ଚରାଲ୍ ସୋସାଇଟି ପକ୍ଷରୁ ସମ୍ମାନ, କଟକର ସମ୍ପର୍କ ପରିବାର ସମ୍ମାନ, ୨୦୧୭ରେ ଭୁବନେଶ୍ୱର ଟାଇମ୍‌ସ ହେଲ୍‌ଥ ଆଇକନ୍ ପକ୍ଷରୁ ‘ଶ୍ରେଷ୍ଠ ଅଙ୍କଲୋଜିଷ୍ଟ ଅଫ୍ ଦ ଇୟର୍ ସମ୍ମାନ’ ଏବଂ ଏହା ପରବର୍ଷ ମଧ୍ୟ ‘ଶ୍ରେଷ୍ଠ ଅଙ୍କୋଲୋଜିଷ୍ଟ ଅଫ୍ ଦ ଇୟର’ ସମ୍ମାନ ଅନ୍ୟତମ ।
ଲେଖାପଢ଼ା, ଗବେଷଣା ଆଦିରେ ଡା. ଘନଶ୍ୟାମଙ୍କ ରୁଚି ରହିଛି । କର୍କଟ ରୋଗ ସଚେତନଧର୍ମୀ ଅନେକ ନିବନ୍ଧ ବିଭିନ୍ନ ପତ୍ରପତ୍ରିକା ତଥା ଜାତୀୟ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇ ବହୁ ପାଠକୀୟ ପ୍ରଶଂସା ସାଉଁଟିଛି ।
ଡା. ଘନଶ୍ୟାମ ଏବେ ସ୍ପର୍ଶ ହସ୍ପିଟାଲରେ ରୋଗୀ ସେବା ଯୋଗାଇବା ସହ ସମ୍ ହସ୍‌ପିଟାଲ୍‌ରେ ଅଙ୍କୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟରତ । ସମ୍ ହସ୍ପିଟାଲରେ ପ୍ରତିବର୍ଷ ୨ ଜଣ ଡିଏମ୍ ଛାତ୍ରଙ୍କୁ ମେଡିକାଲ ଅଙ୍କଲୋଜି ପାଠ୍ୟକ୍ରମ ଶିକ୍ଷାଦାନ କରୁଛନ୍ତି । ମେଡିକାଲ ଅଙ୍କୋଲୋଜିରେ ଡିଏମ୍ କୋର୍ସ ଆରମ୍ଭ କରିବାରେ ସମ୍ ହସ୍ପିଟାଲ ହେଉଛି ତୃତୀୟ ବେସରକାରୀ ମେଡିକାଲ କଲେଜ ।
ଡା. ଘନଶ୍ୟାମ ଏବେ ନିଜର ସାନଭାଇ ସୁବ୍ରତ ବିଶ୍ୱାସଙ୍କ ସହ ମିଶି ଏକ ନୂତନ ପ୍ରକଳ୍ପ ‘ସ୍ୱାସ୍ଥ୍ୟଭୂମି’ ଆରମ୍ଭ କରିଛନ୍ତି । ଏହା ସ୍କୁଲ ହେଲ୍‌ଥ ଏବଂ କ୍ୟାନସର୍ ସ୍କ୍ରିନିଂ ତଥା ଆହୁରି ଅନେକ ବିଷୟରେ କାର୍ଯ୍ୟ କରିବ ।
ଡା. ଘନଶ୍ୟାମ ବିଶ୍ୱାସଙ୍କ କାହାଣୀ ଲେଖିଲେ ଲମ୍ବିଲମ୍ବି ଯାଉଥିବ । ହେଲେ ଆମକୁ ଏଇଠି ଅଟକିଯିବାକୁ ହେବ । ଡା. ଘନଶ୍ୟାମଙ୍କ ଚଲାପଥ କୁସୁମିତ ହେଉ, ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ।


# Humble Request to all the esteemed Readers, plz visit our SWASTHYA SWARA YOUTUBE CHANNEL  & SUBSCRIBE our channel.