ଡା. ସ୍ନେହାଂଶୁ ଦେ
ମାନସିକ ରୋଗ ବିଶେଷଜ୍ଞ (ଆସିଷ୍ଟାଣ୍ଟ୍ ପ୍ରଫେସର୍‌)
ସମ୍ ହସପିଟାଲ୍‌, ଭୁବନେଶ୍ୱର

ମାନିଆ:

ମାନିଆ ହେଉଛି ଏକ ମାନସିକ ରୋଗ । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ଉତ୍ତେଜିତ ରହିବା, ଭୟଭୀତ ରହିବା, ଚିଡଚିଡ୍ ରହିବା, ଉନ୍ମୁକ୍ତ ହେବା, ନିଜକୁ ବଡ଼ ଭାବିବା ଓ ଅସ୍ୱାଭାବିକ ଭାବେ ନିଜକୁ ଉଚ୍ଚ ଭାବିବା ଭଳି ସମସ୍ୟା ଅତି କମରେ ସପ୍ତାହେ ପର୍ଯ୍ୟନ୍ତ ଲାଗି ରହେ । ଏହି ସମୟରେ ନିମ୍ନଲିଖିତ ଲକ୍ଷଣ ଗୁଡ଼ିକ ମଧ୍ୟରୁ ଅନ୍ୟୁନ ତିନୋଟି ଲକ୍ଷଣ ପ୍ରକାଶ ପାଇଥାଏ ।
-ନିଜକୁ ଅନ୍ୟମାନଙ୍କଠୁ ଖୁବ୍ ସ୍ୱତନ୍ତ୍ର ତଥା ନିଜର ସ୍ଥାନ ଅନ୍ୟମାନଙ୍କଠୁ ଉଚ୍ଚରେ ବୋଲି ଭାବିବା ।
-କମ୍ ଶୋଇବା (ଦିନକୁ ୬ ଘଂଟାରୁ କମ୍ ସମୟ ଶୋଇବା) ।
-କହିବା ସମୟରେ ଚାପଗ୍ରସ୍ତ ରହିବା, ଉଚ୍ଚ ସ୍ୱରରେ କଥା ହେବା ଓ ଶୀଘ୍ର ଶୀଘ୍ର କହିବା ବା ତରତର ହୋଇ କହିବା ।
-ଅଳ୍ପରେ ବା ଛୋଟ ଛୋଟ କଥାରେ ବିଚଳିତ ହୋଇଯିବା ।
-ଏକା ସାଙ୍ଗରେ ଅନେକ କାମ କରିବାକୁ ବୃଥା ପ୍ରୟାସ କରିବା ।
-ବିପଜ୍ଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଯଥା ଜୁଆ ଖେଳିବା ଏବଂ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରିବା ଇତ୍ୟାଦି ।
-ଯେ କୌଣସି ବିଷୟକୁ କ୍ଷିପ୍ର ଗତିରେ ଭାବିବା ।
ଉପରୋକ୍ତ ଲକ୍ଷଣ ସବୁ ଅତିମାତ୍ରାରେ ଦେଖାଦେଲେ ଯାଇ ଏହା ପରିବାରର ଅନ୍ୟ ସଦସ୍ୟଙ୍କ ନଜରକୁ ଆସିଥାଏ । ଏସବୁ ଲକ୍ଷଣ ଦେଖାଦେଲେ ଏହା ବ୍ୟକ୍ତିର ବ୍ୟକ୍ତିଗତ ଜୀବନକୁ କ୍ଷତିଗ୍ରସ୍ତ କରିବା ସଙ୍ଗେ ସଙ୍ଗେ ତାହାର ବୃତ୍ତିଗତ ତଥା ସାମାଜିକ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ ।

 

ମାନିଆ ରୋଗକୁ ଚହ୍ନିବେ କିପରି?
ପରିସ୍ଥିତିର ଉର୍ଦ୍ଧ୍ୱରେ ହିଁ ବ୍ୟକ୍ତିର ଚିନ୍ତା ଚେତନା ଥାଏ । ପରିସ୍ଥିତି ଯାହା ହେଉନା କାହିଁକି ବ୍ୟକ୍ତି ପୁରା ବେଫିକର- ବିନ୍ଦାସ୍ ଥାଏ ଓ ଏହା ଦ୍ୱାରା ଅନେକ ସମୟରେ ବ୍ୟକ୍ତିଠାରେ ଅନିୟନ୍ତ୍ରିତ ଉତ୍ତେଜନା ଦେଖିବାକୁ ମିଳେ । ବ୍ୟକ୍ତି ଉଲ୍ଲସିତ ରହେ ବା ଅତି ଉତ୍ସାହିତ ରହେ ଏବଂ ଏହି ଉଲ୍ଲାସ ଅତ୍ୟଧିକ ହୋଇଯିବା ଫଳରେ ତା’ର ଶକ୍ତି ବୃଦ୍ଧି ହୋଇଯିବାର ପ୍ରତେ ହୁଏ । ବହୁ ସମୟରେ କଥା କହିବାରେ ଅସୁବିଧା ହୁଏ ଏବଂ ତା’ପାଇଁ ଶୋଇବାର ଆବଶ୍ୟକତା କମ୍ ହୋଇଯାଏ । କୌଣସି କାମରେ ଅଧିକ ସମୟ ଧରି ଧ୍ୟାନ ରହିପାରେ ନାହିଁ ଏବଂ ବାରମ୍ବାର ଧ୍ୟାନ ଭଙ୍ଗ ହୁଏ ବା କୌଣସି କାର୍ଯ୍ୟରେ ଏକାଗ୍ରତା ରହେ ନାହିଁ । ଅତ୍ୟଧିକ ଆତ୍ମବିଶ୍ୱାସ କାରଣରୁ ଏବଂ ଅତି ସମ୍ଭ୍ରାନ୍ତୀୟ ଚିନ୍ତାଧାରା ଯୋଗୁଁ ବ୍ୟକ୍ତିର ଆତ୍ମବଡ଼ିମା କାହିଁ କେତେ ବଢିଯାଇଥାଏ । ବ୍ୟକ୍ତି ଆଗ ଭଳି ସେତେଟା ସାମାଜିକ ହୋଇପାରେ ନାହିଁ ଓ ମିଳାମିଶା କମିଯାଏ । ଏହାଦ୍ୱାରା ତା’ର ବ୍ୟବହାରିକ ପରିବର୍ତ୍ତନ ପରିଲକ୍ଷିତ ହୁଏ, ଧୃଷ୍ଟତା ବୃଦ୍ଧି ପାଏ, ଦୁଃସାହସ ବଢିଯାଏ ଏବଂ ଚତୁଃପାଶ୍ୱର୍ର ପରିସ୍ଥତିକୁ ପରବାୟ କରେ ନାହିଁ ବା ସ୍ଥାନ-କାଳ-ପାତ୍ର ସହ ତା’ର ବ୍ୟବହାର ସମୁଚିତ ହୁଏ ନାହିଁ । ଏହା ସହ ବେଳେବେଳେ ନିଜ ସ୍ୱାଭାବିକ ଚରିତ୍ରରୁ ବାହାରି ଅନ୍ୟ କେଉଁ ଚରିତ୍ର (ଯାହା ସେ ଆଦୌ ନୁହେଁ) ଭଳି ବ୍ୟବହାର ଦେଖାଇଥାଏ । ନିଜକୁ ସମ୍ଭ୍ରାନ୍ତ ବା ଉଚ୍ଚବର୍ଗର ଭାବି ଖୁବ୍ ଭ୍ରମରେ ରହେ । ଉତ୍ତେଜିତ ରହିଥାଏ, ବିଭିନ୍ନ ସ୍ନାୟବିକ କ୍ରିୟା ବୃଦ୍ଧି ପାଏ ଏବଂ ସେ ଏତେ ବଡ଼ ବଡ଼ ବିଷୟ ଚିନ୍ତା କରେ ଯେ, ସାଧାରଣ ସ୍ଥିତି ସହ ସଚେତନ ହୋଇପାରେ ନାହିଁ ଏବଂ ଅନେକ ସମୟରେ ସେ ଦୁର୍ବୋଧ ମନେ ହୋଇଥାଏ ।

ବାଇପୋଲାର୍ ଡିଜଅର୍ଡର୍‌ :
ବାଇପୋଲାର୍ ଡିଜଅର୍ଡର୍ ହେଉଛି ମସ୍ତିଷ୍କର ଏକ ରୋଗ, ଯାହାକି ରୋଗୀର ମାନସିକ ଅବସ୍ଥାରେ, ଶାରୀରିକ ଶକ୍ତିରେ, ଶାରୀରିକ କ୍ରିୟାରେ ଏବଂ ଦୈନନ୍ଦିନ କାର୍ଯ୍ୟ କରିବାର କ୍ଷମତାରେ ଅନେକ ଅସ୍ୱାଭାବିକ ପରିବର୍ତ୍ତନ ଘଟାଏ । ଏହାକୁ ‘ମାନିକ୍‌-ଡିପ୍ରେସିଭ୍ ଇଲନେସ୍‌’ ବୋଲି ମଧ୍ୟ କୁହାଯାଏ । ଅତ୍ୟଧିକ ଶକ୍ତିଶାଳୀ ଭଳି ଆଚରଣ କରିବା, ନିଜକୁ ବଡ଼ଲୋକ ବୋଲି ଭାବିବା ଠାରୁ ଆରମ୍ଭ ହୋଇ ଖୁବ୍ ଦୁଃଖୀ ହୋଇଯିବା, ଉଦାସ ରହିବା, ନିରାଶ ରହିବା (ଡିପ୍ରେସିଭ୍ ଏପିସୋଡ୍‌) ଯାଏଁ ସମସ୍ତ ପ୍ରକାର ମାନସିକ ସ୍ଥିତି ଏଥିରେ ଦେଖିବାକୁ ମିଳିଥାଏ । ଅଳ୍ପ ଗୁରୁତର ମାନିଆ ଅବସ୍ଥାକୁ ‘ହାଇପୋମାନିକ୍ ଏପିସୋଡ୍‌’ କୁହାଯାଏ । ବାଇପୋଲାର୍ ଡିଜଅର୍ଡରରେ ଆକ୍ରାନ୍ତ ଥିବା ବ୍ୟକ୍ତି ଅସ୍ୱାଭାବିକ ଭାବେ ତଥା ଅତ୍ୟଧିକ ମାତ୍ରାରେ ଭାବପ୍ରବଣ ହୋଇଯାଏ, ତା’ର ଶୋଇବା ଅଭ୍ୟାସରେ ଓ କାର୍ଯ୍ୟ କରିବାର ସାମର୍ଥ୍ୟରେ ବି ପରିବର୍ତ୍ତନ ଦେଖାଯାଏ ଏବଂ ଏତଦବ୍ୟତୀତ ବ୍ୟବହାରରେ ମଧ୍ୟ ଅସ୍ୱାଭାବିକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏସବୁର ସ୍ପଷ୍ଟ ଅବଧିକୁ ‘ମୁଡ୍ ଏପିସୋଡ୍‌’ କୁହାଯାଏ । ‘ମୁଡ୍ ଏପିସୋଡ୍‌’ ସମୟର ଆଚାର ବ୍ୟବହାର ସେହି ବ୍ୟକ୍ତିଙ୍କ ସାଧାରଣ ଆଚାର ବ୍ୟବହାର ଠାରୁ ସମ୍ପୁର୍ଣ୍ଣ ପୃଥକ୍ ହୋଇଥାଏ । ମୁଡ୍ ଏପିସୋଡ୍ ସମୟରେ ତାଙ୍କର ଶାରୀରିକ ଶକ୍ତି, କାର୍ଯ୍ୟକଳାପ ତଥା ଶୋଇବା ଆଦିରେ ସାଂଘାତିକ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । କିଛି କ୍ଷେତ୍ରରେ ମୁଡ୍ ଏପିସୋଡରେ ଉଭୟ ମାନିକ୍ ଓ ଡିପ୍ରେସିଭ୍ ଲକ୍ଷଣ ସବୁ ଦେଖିବାକୁ ମିଳିଥାଏ; ଏହାକୁ ‘ଏପିସୋଡ୍ ୱିଥ୍ ମିକ୍ସଡ୍ ଫିଚର୍ସ’ ବୋଲି କୁହାଯାଇଥାଏ । ଏହି ଅବସ୍ଥାରେ ବ୍ୟକ୍ତି ଜଣକ ପୁରା ଉଦାସ ହୋଇ ରହିଥାନ୍ତି, ଶୂନ୍ୟ ଦୃଷ୍ଟିରେ ଦେଖନ୍ତି, ନିରାଶା ଭାବଯୁକ୍ତ ହୋଇଥାଆନ୍ତି; କିନ୍ତୁ ଏହି ସମୟରେ ଏହାର ଠିକ୍ ବୀପରିତ ପ୍ରକୃତି ବି ପରିଲକ୍ଷିତ ହୋଇଥାଏ, ଯେପରିକି ସେ ଅତ୍ୟନ୍ତ ସେ ଫୁର୍ତ୍ତିରେ ବା ଅତି ଉତ୍ସାହିତ ଥାଆନ୍ତି ।

କାରଣ-
ବାଇପୋଲାର୍ ଡିଜଅର୍ଡରର କାରଣ ସମସ୍ତଙ୍କ କ୍ଷେତ୍ରରେ ସମାନ ନଥାଏ ଏବଂ ଏହା ଭିନ୍ନ ଭିନ୍ନ କାରଣରୁ ହୋଇଥାଏ । କିନ୍ତୁ ସତ କହିବାକୁ ଗଲେ, ଏହାର ପ୍ରକୃତ କାରଣ ଏଯାଏଁ ସମ୍ପୁର୍ଣ୍ଣ ଭାବେ ଜଣାପଡ଼ିନାହିଁ । ୬୦-୮୦ ପ୍ରତିଶତ ବାଇପୋଲାର ଡିଜଅର୍ଡର କ୍ଷେତ୍ରରେ ଏହା ଆନୁବଂଶୀକି (ଜେନେଟିକ୍‌) କାରଣରୁ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଅନେକ ସାଇକୋସୋସିଆଲ୍ ଫ୍ୟାକ୍ଟରସ୍ ବା ମାନସିକ-ସାମାଜିକ କାରକ ମଧ୍ୟ ବାଇପୋଲାର୍ ଡିଜଅର୍ଡର ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି । ନିକଟ ଅତୀତରେ ଘଟିଥିବା କିଛି ଘଟଣା-ଦୁର୍ଘଟଣା ତଥା ବ୍ୟକ୍ତିଗତ ସମ୍ପର୍କ ଦ୍ୱାରା ବାଇପୋଲାର୍ ମୁଡ୍ ଏପିସୋଡର ସୃଷ୍ଟି ହୁଏ କିମ୍ବା ପୁନରାବୃତ୍ତି ଘଟିଥାଏ । ଯଦି ମସ୍ତିଷ୍କରୁ ଡୋପାମିନ୍ ନାମକ ଏକ ନ୍ୟୁରୋଟ୍ରାନ୍‌ସମିଟର୍ ତଥା ହରମୋନର ବେଶି କ୍ଷରଣ ହୁଏ, ତେବେ ଏହା ବ୍ୟକ୍ତିର ମାନସିକ ସ୍ଥିତିକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ବାଇପୋଲାର୍ ଡିଜଅର୍ଡର ସୃଷ୍ଟି ହେବାରେ ସହାୟକ ସାଜିଥାଏ । ଏତଦ୍‌ବ୍ୟତିତ ଆହୁରି ଅନେକ କାରଣରୁ ମଧ୍ୟ ବାଇପୋଲାର୍ ଡିଜଅର୍ଡର ଦେଖାଯାଇଥାଏ ବୋଲି ବିଶ୍ୱାସ କରାଯାଏ ।

ଚିକିତ୍ସା-
ପାଠକମାନଙ୍କ ଅବଗତି ନିମନ୍ତେ ଏଠାରେ ଗୋଟିଏ କଥା କହିବାକୁ ଚାହିଁବି ଯେ ବାଇପୋଲାର୍ ଡିଜଅର୍ଡର, ମାନିଆ ଆଦିର ଚିକିତ୍ସା ସବୁବେଳେ ଜଣେ ଅଭିଜ୍ଞ ମାନସିକ ରୋଗ ଚିକିତ୍ସକଙ୍କ ପାଖରେ ହିଁ କରାନ୍ତୁ । ରୋଗର କାରଣ ତଥା ରୋଗୀର ସବିଶେଷ ପରୀକ୍ଷା ନିରୀକ୍ଷା ପରେ ଚିକିତ୍ସା ଆରମ୍ଭ କରାଯାଏ । ଏବେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଔଷଧ ଉପଲବ୍ଧ ହେଲାଣି । ଆଣ୍ଟିକନଭଲସାଣ୍ଟ୍ ତଥା ମୁଡଷ୍ଟାବିଲାଇଜର୍ ଔଷଧର ପ୍ରୟୋଗ କରାଯାଏ । କିଛି ନିର୍ଦ୍ଧିଷ୍ଟ ଆଣ୍ଟିସାଇକୋଟିକ୍ ମଧ୍ୟ ଦିଆଯାଏ । ରୋଗ ତୀବ୍ରାବସ୍ଥାରେ ଥିଲେ ଇଲେକ୍ଟ୍ରୋକନଭଲସିଭ୍ ଥେରାପି (ଇସିଟି) ହେଉଛି ଏକ ଉପାଦେୟ ଚିକିତ୍ସା ପଦ୍ଧତି । ଯେଉଁ ଗର୍ଭବତୀ ମହିଳାମାନେ ବାଇପୋଲାର୍ ଡିଜଅର୍ଡରରେ ଆକ୍ରାନ୍ତ ଥିବେ, ତାଙ୍କଠାରେ ମଧ୍ୟ ଇସିଟି ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଏ । ସମ୍ପର୍କରେ ଦେଖାଯାଇଥିବା ନକାରାତ୍ମକ ଭାବପ୍ରବଣତାକୁ ହ୍ରାସ କରିବା ପାଇଁ, ରୋଗର ମୁଖ୍ୟ ଲକ୍ଷଣକୁ ଦୂର କରିବା ପାଇଁ ଓ ରୋଗ ପୂର୍ଣ୍ଣ ବିକଶିତ ହୋଇ ସମସ୍ତ ଲକ୍ଷଣ ଉତ୍ପନ୍ନ କରି ପୁନର୍ବାର ଆକ୍ରାନ୍ତ କରିବା ପୂର୍ବରୁ ତାହାକୁ ନିୟନ୍ତ୍ରଣ କରିବା ପାଇଁ ସାଇକୋଥେରାପି ପ୍ରୟୋଗ କରାଯାଏ । ଏହାର ପ୍ରତିକାରରେ କଗ୍ନିଟିଭ୍ ବିହେବିୟରାଲ୍ ଥେରାପି, ପରିବାରକୈନ୍ଦ୍ରିକ ପରାମର୍ଶ ତଥା ମାନସିକ ସ୍ୱାସ୍ଥ୍ୟ ଶିକ୍ଷା ଆଦିର ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି ।