ଅବ୍‌ଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍‌

ଡା. ସତ୍ୟପ୍ରକାଶ ରାୟ ଚୌଧୁରୀ
ଆସୋସିଏଟ୍ ପ୍ରଫେସର୍ ଏବଂ ବିଭାଗୀୟ ମୁଖ୍ୟ,
ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଂଟେରୋଲୋଜି ଏବଂ ଲିଭର୍ ଟ୍ରାନ୍ସପ୍ଲାଂଟେସନ୍ ବିଭାଗ
ସମ୍ ହସ୍‌ପିଟାଲ୍‌, ଭୁବନେଶ୍ୱର

ଜଣ୍ଡିସ୍ କହିଲେ ଆମେ ସାଧାରଣତଃ ଆଖି ଓ ପରିସ୍ରା ହଳଦିଆ ହୋଇଯିବାକୁ ହିଁ ବୁଝିଥାଉ । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହା ହେପାଟାଇଟିସ୍‌-ଏ ଓ ଇ ଭୂତାଣୁ ଦ୍ୱାରା ଦେଖାଯାଇଥାଏ; ଯାହାକି କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ବିନା ମଧ୍ୟ ଆପେଆପେ ଭଲ ହୋଇଥାଏ । ଆଉ ଗୋଟିଏ ପ୍ରକାର ଜଣ୍ଡିସ୍‌, ଯାହାକି ଆମେ ଏଠି ଆଲୋଚନା କରିବାକୁ ଯାଉଛେ, ତାହା ଖୁବ୍ ମାରାତ୍ମକ ତଥା ତାହା ଆପେଆପେ ଭଲ ହୁଏ ନାହିଁ । ଏହି ଜଣ୍ଡିସ୍‌ର ତତ୍‌କ୍ଷଣାତ୍ ଚିକିତ୍ସା ଆବଶ୍ୟକ ହୋଇଥାଏ ଏବଂ ଯଦି ଏହାର ଉପଯୁକ୍ତ ଚିକିତ୍ସା କରାନଯାଏ, ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ । ପିତରସ (ବା ବାଇଲ୍‌)ର ପଥରେ ଅବରୋଧ (ବା ଅବଷ୍ଟ୍ରକ୍‌ସନ୍‌) ହେବା କାରଣରୁ ଏହା ହୋଇଥାଏ ଏବଂ ଏହାକୁ ‘ଅବ୍‌ଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍‌’ କିମ୍ବା ‘ସର୍ଜିକାଲ୍ ଜଣ୍ଡିସ୍‌’ କୁହାଯାଇଥାଏ ।

ଅବ୍‌ଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍‌ର କାରଣ-
ବାଇଲ୍‌ଡ଼କ୍ଟ (ପିତନଳୀ)ର ଅବରୋଧ ପାଇଁ ମାଲିଗ୍‌ନାଂଟ୍ (କ୍ୟାନ୍ସର୍ ଯୁକ୍ତ) କାରଣ ଓ ବିନାଇନ୍ (କ୍ୟାନ୍ସର ବିଯୁକ୍ତ) କାରଣ ଦାୟୀ ହୋଇଥାନ୍ତି ଏବଂ ଅବଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍ ସୃଷ୍ଟି କରିଥାନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ (ପ୍ରାୟ ୬୦%) ଏହା କ୍ୟାନ୍‌ସର ଜନିତ ହୋଇଥାଏ ।
ପାନ୍‌କ୍ରିଆଜ୍ (ଅଗ୍ନାଶୟ), ବାଇଲ୍‌ଡକ୍ଟ (ପିତନଳୀ), ପେରିଆମ୍ପୁଲାରି ରିଜିଅନ୍ ଓ ଗଲ୍‌ବ୍ଲାଡର୍ (ପିତକୋଷ) ଆଦିର କ୍ୟାନସର ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତର କାରଣରୁ ହୋଇଥାଏ; ତେଣୁ ଏହାର ଶୀଘ୍ର ଚିକିତ୍ସା ଆରମ୍ଭ କରିବା ଜରୁରୀ ହୋଇଥାଏ ।
ଅଳ୍ପ କିଛି କ୍ଷେତ୍ରରେ ଲିଭର୍ କ୍ୟାନ୍ସର୍ ଓ ଅନ୍ୟାନ୍ୟ କ୍ୟାନ୍ସର୍ ମାଡ଼ି ଯାଇଥିଲେ ମଧ୍ୟ ଏହା ଦେଖାଯିବାର ଆଶଙ୍କା ରହିଥାଏ ।
ବିନାଇନ୍ (କ୍ୟାନସର୍ ବିଯୁକ୍ତ) କାରଣ ଯଥା- ଷ୍ଟୋନ୍‌, ବିଲିଆରୀ ଷ୍ଟ୍ରିକ୍‌ଚର୍ ଆଦିରୁ ୩୫-୪୦% କ୍ଷେତ୍ରରେ ଅବଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍ ଦେଖାଯାଇପାରେ ।

ମାଲିଗ୍‌ନାଂଟ୍ ଅବ୍‌ଷ୍ଟ୍ରକ୍‌ଟିଭ୍ (କ୍ୟାନସର ଜନିତ) ଜଣ୍ଡିସ୍ କାହିଁକି ବିପଜ୍ଜନକ ହୋଇଥାଏ?
ଏଥିରେ ସବୁଠୁ ବଡ଼ କଥା ହେଉଛି ‘ପୀଡ଼ା ନ ହେବା’ । ତେଣୁ ଏହା ରୋଗୀ ତଥା ପରିବାର ଲୋକଙ୍କ ଦ୍ୱାରା ଅଣଦେଖା ହୋଇ ରହିଯାଏ ।
ଯେତେବେଳେ ପୀଡ଼ା ଦେଖାଯାଏ, ସେତେବେଳକୁ ଏହା ଶରୀରର ଅନ୍ୟ ସ୍ଥାନକୁ ମଧ୍ୟ ମାଡ଼ି ସାରିଥାଏ ଏବଂ ରୋଗୀ ଗୁରୁତର ହୋଇସାରିଥାଏ ।
ଯେହେତୁ ଅଧିକାଂଶ କ୍ଷେତ୍ରରେ କ୍ୟାନ୍ସର୍ ହିଁ ମୁଖ୍ୟ କାରଣ ହୋଇଥାଏ, ତେଣୁ ଶଲ୍ୟ ଉପଚାର ହିଁ କରାଯାଇଥାଏ ।
ଶଲ୍ୟ ଉପଚାର ପୂର୍ବବର୍ତୀ ବାୟୋପ୍‌ସି ରୋଗ ନିରୂପଣରେ ସାହାଯ୍ୟ କରିପାରେ, କିନ୍ତୁ ନେଗେଟିଭ୍ ଥିଲେ ମଧ୍ୟ କ୍ୟାନସରର ଆଶଙ୍କାକୁ ଅଣଦେଖା କରିହୁଏ ନାହିଁ ।

ମାଲିଗ୍‌ନାଂଟ୍ ଅବ୍‌ଷ୍ଟ୍ରକ୍‌ଟିଭ୍ (କ୍ୟାନସର ଜନିତ) ଜଣ୍ଡିସ୍‌ର ସାଧାରଣ ଲକ୍ଷଣ ସବୁ କ’ଣ ?
ଆଖି ଓ ତ୍ୱଚା ହଳଦିଆ ହୋଇଯିବା ।
ପରିସ୍ରା ରଙ୍ଗ ଗାଢ ହୋଇଯିବା ।
ଝାଡ଼ାର ରଙ୍ଗ ଧଳା ହେବା ।
ଶରୀର କୁଣ୍ଡାଇ ହେବା ।
କମ୍ପ ହୋଇ ଜ୍ୱର ହେବା ।
ପେଟ କାଟିବା ।
ଭୋକ ନ ଲାଗିବା ।
ଓଜନ ହ୍ରାସ ହେବା ।

କେଉଁ ଲକ୍ଷଣ ଥିଲେ ରୋଗୀ ଅତି ଗୁରୁତର ବୋଲି ବୁଝାଯାଏ ତଥା ରୋଗୀକୁ ତତ୍‌କ୍ଷଣାତ୍ ହସ୍‌ପିଟାଲ୍‌ରେ ଭର୍ତି କରିବାକୁ ହୋଇଥାଏ?
ଅତ୍ୟଧିକ ପେଟ ବ୍ୟଥା ହେଉଥିଲେ ।
କମ୍ପ ହୋଇ ଜ୍ୱର ହେଉଥିଲେ ।
ବାନ୍ତି ଲାଗିରହିଲେ ।

ଏହାକୁ କେମିତି ନିରୂପଣ କରାଯାଏ?
କାରଣ ଅନୁଯାୟୀ ଏହାର ଚିକିତ୍ସା ନିର୍ଭର କରୁଥିବାରୁ ଅବ୍‌ଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍‌ର ସଠିକ୍ କାରଣକୁ ପରୀକ୍ଷା ନୀରିକ୍ଷା କରି ଜାଣିବା ଆବଶ୍ୟକ । ପେଟର ଅଲ୍‌ଟ୍ରାସାଉଣ୍ଡ କରି ପ୍‌ଥମେ ଏହାର କାରଣ ନିରୂପଣ କରିବାକୁ ପ୍ରଚେଷ୍ଟା କରାଯାଏ । ହେଲେ ଗୋଟିଏ ଭଲ ଗୁଣବତାର ସିଟି ସ୍କାନ୍ ପରୀକ୍ଷା ଦ୍ୱାରା ଅବ୍‌ଷ୍ଟ୍ରକ୍‌ସନ୍‌ର ପ୍ରକୃତ କାରଣ, ଅବ୍‌ଷ୍ଟ୍ରକ୍‌ସନ୍ କେଉଁ ସ୍ତରରେ ପହଂଚିଛି ଏବଂ ଏହା କେତେ କ୍ଷତି କରିଛି ଇତ୍ୟାଦି ସବୁ ଜଣାପଡ଼ିଥାଏ । ଅନେକ ସମୟରେ ରୋଗର ସଠିକ୍ ନିଦାନ ପାଇଁ ଏମ୍‌ଆର୍‌ଆଇ / ଏମ୍‌ଆର୍‌ସିପି ଇତ୍ୟାଦି ମଧ୍ୟ ଆବଶ୍ୟକ ହୋଇଥାଏ ।

ପୀଡ଼ା ବିହୀନ, ଜଣ୍ଡିସ୍‌, କୁଣ୍ଡାଇ ହେବା,
ଧଳା ଝାଡ଼ା, ଜ୍ୱର ଥାଇପାରେ / ନଥାଇପାରେ
ଲିଭର୍ ଫଙ୍କସନ୍ ଟେଷ୍ଟ
ଅଲ୍‌ଟ୍ରାସାଉଣ୍ଡ
ସିଟିସ୍କାନ୍‌
ଷ୍ଟୋନ୍ ସମସ୍ୟା, ବିଲିଆରୀ ଷ୍ଟ୍ରିକ୍‌ଚର୍‌, କ୍ୟାନସର୍‌

ଏହାର ଚିକିତ୍ସା କେମିତି କରାଯାଏ?
ଅଧିକାଂଶ ଅବ୍‌ଷ୍ଟ୍ରକ୍‌ଟିଭ୍ ଜଣ୍ଡିସ୍‌ରେ, କିଛି ଶଲ୍ୟ ଉପଚାର ଆବଶ୍ୟକ ହୋଇଥାଏ ।
ଷ୍ଟୋନ୍ ସମସ୍ୟା ଥିଲେ ଅଧିକାଂଶ କ୍ଷେତ୍ରରେ ଲାପାରୋସ୍କୋପିକ୍ ଶଲ୍ୟ ପଦ୍ଧତି ଦ୍ୱାରା ଉପଚାର କରାଯାଏ, ଯାହାକି ଏକ ଲୋକପ୍ରିୟ ଚିକିତ୍ସା ବିଧି ଭାବେ ବହୁଳ ଉପଯୋଗ ହେଉଛି । ଲାପାରୋସ୍କୋପିକ୍ ସର୍ଜରୀ ଦ୍ୱାରା ଚିକିତ୍ସା ଉପରାନ୍ତ ସୁଫଳ ବେଶି ମିଳେ, ପୀଡ଼ା କମିଯାଏ ଏବଂ ବେଶି କଟାକଟି ହେଉନଥିବାରୁ ଚର୍ମର ସୌନ୍ଦର୍ଯ୍ୟ ମଧ୍ୟ ପ୍ରଭାବିତ ହୁଏ ନାହିଁ ।
କ୍ୟାନସର୍ ଥିଲେ ବଡ଼ ଶଲ୍ୟ ଉପଚାର (ବା ମେଜର୍ ସର୍ଜରୀ) କରାଯାଇଥାଏ, ଫଳରେ ଶଲ୍ୟ ପଦ୍ଧତି ସମାପ୍ତ କରିବାକୁ ଅଧିକ ସମୟ ଲାଗେ ଓ ଶଲ୍ୟ ଉପଚାର ପରେ ମଧ୍ୟ ଆରୋଗ୍ୟଲାଭ କରିବାକୁ ଦୀର୍ଘ ଦିନ ଲାଗିଥାଏ ।
ହେଲେ ଏ କ୍ଷେତ୍ରରେ ସର୍ଜରୀ ବା ଶଲ୍ୟ ଚିକିତ୍ସା ହିଁ ଦୀର୍ଘଦିନ ଜୀବିତ ରହିବାର ଏକମାତ୍ର ଉପାୟ ହୋଇଥାଏ ।
ଏସବୁ କ୍ୟାନସର୍ ସର୍ଜରୀ କରାଇବାର ସମୟ ମଧ୍ୟ ଖୁବ୍ ମହତ୍ୱପୂର୍ଣ୍ଣ ହୋଇଥାଏ । କ଼ିଛି କ୍ଷେତ୍ରରେ ସେପ୍‌ସିସ୍ ହେଲା ପରେ ଯାଇ ରୋଗୀଠାରେ ଏହାର ଲକ୍ଷଣ ପ୍ରକାଶ ପାଏ, ଯ’ଦ୍ୱାରା ସର୍ଜରୀ କରିବା ପୂର୍ବରୁ ଟେମ୍ପୋରାରୀ ଷ୍ଟେଟିଙ୍ଗର ଆବଶ୍ୟକତା ରହିଥାଏ । କ୍ୟାନ୍‌ସର ଜନିତ ୧୦୦ ଟି ଅବଷ୍ଟକ୍‌ଟିଭ୍ ଜଣ୍ଡିସ୍ ମଧ୍ୟରୁ ପ୍ରାୟ ୫୦ ରୁ ୬୦ ରୋଗୀ ସର୍ଜରୀ କରିବାକୁ ଯିବା ସମୟରେ ସର୍ଜରୀ ପାଇଁ ଅନୁପଯୁକ୍ତ ହୋଇସାରିଥାନ୍ତି କିମ୍ବା କ୍ୟାନସର୍ ଅନ୍ୟସ୍ଥାନକୁ ମାଡ଼ି ସାରିଥାଏ (ମେଟାଷ୍ଟାଟିକ୍‌) । କାରଣ,
– ରୋଗର ତୀବ୍ରତା ଖୁବ୍ ଅଧିକ ଥାଏ ।
– ରୋଗର ଲକ୍ଷଣ ବିଳମ୍ବରେ ପରିଲକ୍ଷିତ ହୋଇଥାଏ ।

ଅଧିକାଂଶ ରୋଗୀ ମୁଖ୍ୟତଃ ଗ୍ରାମାଂଚଳରେ, କିଛି ତୁଟୁକା ଉପଚାର ବା କିଛି ଜଡ଼ିବୁଟି ଚିକିତ୍ସାର ଭରସାରେ ରହି ଏହାର ଚିକିତ୍ସାରେ ଅବହେଳା କରିଦେଇଥାନ୍ତି । ଏହି ଅବଧିରେ ଟ୍ୟୁମର୍ ବଢିଯାଏ ଏବଂ ଅନ୍ୟସ୍ଥାନକୁ ମଧ୍ୟ ମାଡ଼ିଯାଇ ଅପରିବର୍ତନୀୟ ଅବସ୍ଥାରେ ରୂପାନ୍ତରିତ ହୋଇସାରିଥାଏ । ଏହା ମନେରଖିବା ଉଚିତ ଯେ, ଏହାର କୌଣସି ପ୍ରକାରର ଔଷଧିୟ ଚିକିତ୍ସା କିମ୍ବା ଷ୍ଟେଟିଂଙ୍ଗ୍ ଚିକିତ୍ସା ଦ୍ୱାରା ଆରୋଗ୍ୟ ମିଳିନଥାଏ; ତେଣୁ ସର୍ଜରୀ ଦ୍ୱାରା ହିଁ ଆରୋଗ୍ୟ ଆଶା କରାଯାଇପାରେ ।

ଶେଷକଥା-
ପାଠକବନ୍ଧୁ, ପୀଡ଼ାବିହୀନ ଜଣ୍ଡିସ୍‌, ଧଳା ଝାଡ଼ା, ଅତ୍ୟଧିକ ହଳଦିଆ ପରିସ୍ରା, ଶରୀର କୁଣ୍ଡାଇ ହେବା ତଥା ଓଜନ ହ୍ରାସ ଆଦି ଦେଖାଦେଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏଭଳି ଲକ୍ଷଣ ଦେଖାଯାଉଥିଲେ ତୁରନ୍ତ ଜଣେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଂଟେରୋଲୋଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ ।
ଏ କ୍ଷେତ୍ରରେ ସମୟ ଅତ୍ୟନ୍ତ ମୂଲ୍ୟବାନ୍ ଅଟେ । ତେଣୁ ଡାକ୍ତରଙ୍କୁ ନ ଦେଖାଇ ଅଯଥା ଘରୋଇ ଉପଚାର କରି ସମୟ ନଷ୍ଟ କରନ୍ତୁ ନାହିଁ । ସେଥିପାଇଁ ନିଜେ ସଚେତନ ହୁଅନ୍ତୁ ତଥା ସଠିକ୍ ଚିକିତ୍ସା ଦ୍ୱାରା ନିଜର ଆତ୍ମୀୟ ସ୍ୱଜନଙ୍କ ଜୀବନ କାଳ ବୃଦ୍ଧିରେ ସହାୟକ ହୁଅନ୍ତୁ ।