Dr Jyoti Ranjan Parida

ପ୍ରଫେସର ଡା. ଜ୍ୟୋତିରଞ୍ଜନ ପରିଡ଼ା
ଡି.ଏମ୍ (କ୍ଲିନିକାଲ୍ ଇମ୍ୟୁନୋଲୋଜି)
ବିଭାଗୀୟ ମୁଖ୍ୟ
ଇମ୍ୟୁନୋଲୋଜି ଏବଂ ରିମାଟୋଲୋଜି ବିଭାଗ
ସମ୍ ହସ୍‌ପିଟାଲ, ଭୁବନେଶ୍ୱର

ସକାଳୁୁ ଉଠିଳେ ଆପଣଙ୍କ ପାଦତଳ ଗୋଇଠି ଦରଜ ହେଉଛି କି? ବେଡ୍‌ରୁ ଉଠି ଗୋଡ ତଳେ ରଖିଲେ ଗୋଇଠି ଦରଜ ଲାଗୁଛି କି? ସକାଳୁ ଉଠିବା ପରେ ଆପଣଙ୍କୁ ଛୋଟେଇବାକୁ ପଡୁଛି କି? ଘରେ ଖାଲି ପାଦରେ ଟାଇଲ୍ ଉପରେ ଚାଲିଲେ ଗୋଡ ତଳିପା ଦରଜ ଲାଗୁଛି କି? ଯଦି ହଁ, ତେବେ ଆପଣଙ୍କୁ ପ୍ଲାଣ୍ଟାର୍ ଫାସାଇଟିସ୍ ହେବାର ଆଶଙ୍କା ରହିଛି ।

ପ୍ଲାଣ୍ଟାର୍ ଫାସାଇଟିସ୍ କ’ଣ?
ପାଦ ତଳେ ଥିବା ତନ୍ତୁକୁ ପ୍ଲାଣ୍ଟାର୍ ଫାସା କୁହାଯାଏ, ଯାହା ପାଦତଳର ବକ୍ରତା ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଯଦି ଏହା ଟାଣି ହୋଇ ସେଥିରେ ପ୍ରଦାହ ଘଟେ ଏବଂ ଦରଜ ହୁଏ, ଏହାକୁ ପ୍ଲାଣ୍ଟାର୍ ଫାସାଇଟିସ୍ କୁହାଯାଏ ।

ଏହାର ଲକ୍ଷଣ କ’ଣ?
ସାଧାରଣତଃ ପାଦ ତଳିପାରେ ସକାଳୁୁ ଉଠିଲେ ଦରଜ ଅନୁଭୁବ ହୁଏ । ଏହି ଦରଜ ମୂଖ୍ୟତଃ ଗୋଇଠି ପାଖରେ ହେଉଥିଲେ ହେଁ ବେଳେବେଳେ ପାଦର ଆଗଭାଗକୁ ମଧ୍ୟ ଗତି କରିପାରେ । ସାମାନ୍ୟ ଦରଜଠୁ ନେଇ ଭୟଙ୍କର ଦରଜ ମଧ୍ୟ ହୋଇପାରେ ।

ଏହା ସକାଳେ କାହିଁକି ବେଶୀ ଦେଖାଯାଏ?
ରାତିରେ ଶୋଇଲା ବେଳେ ଗୋଡ ରିଲାକ୍ସ ପୋଜିସନ୍‌ରେ ଥିବାରୁ ପ୍ଲାଣ୍ଟାର୍ ଫାସା ଛୋଟ ହୋଇ ଟାଣିହୁଏ ଓ ଦରଜ ଅନୁଭବ ହୁଏ । ଟିକେ ଚଲାବୁଲା କଲେ ଏହି ଫାସା ଟିକେ ପ୍ରସାରଣ ଘଟେ ଓ ଦରଜ କମିଯାଏ ।

ଏହାର କାରଣ କ’ଣ?
ଗୋଇଠି ପାଖରେ ପ୍ଲାଂଟାର୍ ଫାସା ଲାଗିଥାଏ ଓ ଏହି ପାଖରେ ବିଭିନ୍ନ କାରଣ ଯେପରିକି ମେଦ ବହୁଳତା, ଅତି ବକ୍ର ପାଦ ବା ଫ୍ଲାଟ୍ ଫୁଟ୍‌, ଗୋଡ ମାଂସପେଶୀ ଶକ୍ତ ବା ଭୁଲ୍ ଜୋତା ବ୍ୟବହାର ଆଦି ଯୋଗୁଁ ପ୍ରେସର୍ ପଡିଲେ ଏଥିରେ ଦରଜ ହୁଏ ।


ଏହାର କିପରି ଚିକିତ୍ସା କରିବା?
ସଠିକ୍ ଏବଂ ନରମ ଜୋତା ବ୍ୟବହାର କଲେ ଏଥିରେ ଚାପ କମ୍ ପଡିଥାଏ; ଯାହାକି ଦରଜ କମାଇଥାଏ । ଥଣ୍ଡା ପାଣି ଓ ଗରମ ପାଣିରେ (କଂଟ୍ରାଷ୍ଟ ବାଥ୍‌) ସକାଳୁ ପାଦ ବୁଡାଇ ରଖିଲେ ଦରଜ କମିଥାଏ । ଏହାଛଡା ପ୍ଲାଣ୍ଟାର୍ ଫାସାକୁ ପ୍ରସାରଣ (ଷ୍ଟ୍ରେଚିଙ୍ଗ୍‌) କରିବା ପାଇଁ କିଛି ବ୍ୟାୟାମ କଲେ ଏହାର ସୁପ୍ରଭାବ ପଡିଥାଏ । ବେଳେବେଳେ ଦରଜ କମାଇବା ପାଇଁ ଦରଜ ବଟିକା ଖାଇବା ପାଇଁ ପଡିଥାଏ ଯାହାକୁ କମ୍ ବ୍ୟବହାର କରିବା ଉଚିତ ।