
ଡା. ରିତେଶ ଅଗ୍ରୱାଲ
ଏଣ୍ଡୋକ୍ରାଇନୋଲୋଜିଷ୍ଟ
ଆମ୍ରି ହସ୍ପିଟାଲ୍, ଭୁବନେଶ୍ୱର
ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍)କୁ ଗୋଟିଏ ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ ବୋଲି ଗ୍ରହଣ କରାଯାଇଥାଏ, ଯେଉଁଥିରେ ମହିଳାମାନଙ୍କ ଋତୁସ୍ରାବ ଅନିୟମିତତା (ଋତୁସ୍ରାବ ବିଳମ୍ବିତ ହେବା, ବନ୍ଧ୍ୟାତ୍ୱ), ହାଇପର୍ଏଣ୍ଡ୍ରୋଜେନିଜିମ୍ରେ (ମହିଳାଙ୍କଠାରେ ପୁରୁଷ ହର୍ମୋନ୍ ‘ଏଣ୍ଡ୍ରୋଜେନ୍’ର ପ୍ରାବଲ୍ୟ ରହିବା / ମହିଳାଙ୍କ ଶରୀରରେ ପୁରୁଷମାନଙ୍କ ଭଳି ନିଶ, ଦାଢ଼ି, ଛାତିରେ ଲୋମ ଇତ୍ୟାଦି ଦେଖାଯିବା / ବ୍ରଣ ଦେଖାଯିବା) ଦେଖାଯାଏ ଏବଂ ଅଲ୍ଟ୍ରାସାଉଣ୍ଡ୍ ପରୀକ୍ଷାରେ ପଲିସିଷ୍ଟିକ୍ ଓଭାରି ଜଣାପଡ଼ିଥାଏ । ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ବିଷୟରେ ବହୁତ ଗବେଷଣା ଜାରି ରହିଛି ଏବଂ ଏହାର ରୋଗ ବୃଦ୍ଧି ପ୍ରକ୍ରିୟା, ଚିକିତ୍ସା, ରୋଗ ନିରୁପଣର ଅତ୍ୟାଧୁନିକ ଉପାୟ ତଥା ଏହା ସହ ସଂଶ୍ଳିଷ୍ଟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ନିରୁପଣ ଭଳି ତଥ୍ୟ ସବୁ ଗବେଷଣା ଦ୍ୱାରା ଉପଲବ୍ଧ ହେଉଛି ।

ନିରୁପଣ
୨୦୦୩ରେ ହୋଇଥିବା ରୋଟେରଡାମ୍ ସେନ୍ସସ୍ ଅନୁସାରେ ଅନ୍ୟାନ୍ୟ କାରଣକୁ ଛାଡ଼ି ନିମ୍ନଲିଖିତ ତିନୋଟି ଲକ୍ଷଣକୁ ଅନୁଧ୍ୟାନ କରାଯାଇଥାଏ ।
୧. ଅନିୟମିତ ଋତୁସ୍ରାବ / ବନ୍ଧ୍ୟାତ୍ୱ
୨. ହାଇପର୍ ଏଣ୍ଡ୍ରୋଜେନିମ୍ର ଲକ୍ଷଣ
୩. ଅଲ୍ଟ୍ରାସାଉଣ୍ଡ୍ରେ ପଲିସିଷ୍ଟିକ୍ ଓଭାରି ନିରୁପିତ ହେବା
ଅଲ୍ଟ୍ରାସାଉଣ୍ଡ୍ ପରୀକ୍ଷାରେ ଯଦି ଗୋଟିଏ ଓଭାରି ବା ଦୁଇଟିଯାକ ଓଭାରିରେ ୧୨ରୁ ଅଧିକ ଫଲିକିଲ୍ ଦେଖାଯାଇଥାଏ, ଯାହାକି ୨ରୁ ୯ ମିଲିମିଟର ଲେଖାଏଁ ହୋଇଥାନ୍ତି ବା ଯଦି ଓଭାରିଆନ୍ ଭଲ୍ୟୁମ୍ ୧୦ ମିଲିଲିଟରରୁ ବେଶି ହୋଇଥିବ, ତେବେ ଏହା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମକୁ ସୂଚିତ କରିଥାଏ ।
ରୋଟେରଡାମ୍ ମାନଦଣ୍ଡ ଅନୁସାରେ ପ୍ରଜନନକ୍ଷମ ବୟସରେ ସମୁଦାୟ ମହିଳାଙ୍କ ମଧ୍ୟରୁ ୪%-୧୦% ମହିଳା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ରେ ଆକ୍ରାନ୍ତ ହୋଇଥାନ୍ତି । ବିଭିନ୍ନ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଋତୁସ୍ରାବ ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ ସମୟ ମଧ୍ୟରେ ଆପାତତଃ ସୁସ୍ଥ ଦେଖାଯାଉଥିବା ମହିଳାଙ୍କ ମଧ୍ୟରୁ ୨୦%ରୁ ୩୩% ମହିଳା ଏଥିରେ ଆକ୍ରାନ୍ତ ହୋଇଥାନ୍ତି । ଅନ୍ୟାନ୍ୟ ଦେଶଗୁଡ଼ିକ ଅପେକ୍ଷା ଦକ୍ଷିଣ ଏସିଆର ମହିଳାମାନେ ଇନ୍ସ୍ୟୁଲିନ୍ ପ୍ରତିରୋଧକ ସମସ୍ୟାର ସମ୍ମୁଖୀନ ବେଶି ମାତ୍ରାରେ ହୋଇଥାନ୍ତି ।
କାରଣ
ଆନୁବଂଶୀକ କାରଣରୁ, ଇନ୍ସ୍ୟୁଲିନ୍ ପ୍ରତିରୋଧକ କାରଣରୁ ତଥା ମେଦବହୁଳତା ଓ ପ୍ରଲିନ୍ ନାମକ ଏକ ହର୍ମୋନ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ କାରଣରୁ ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ଦେଖାଯିବାର ଆଶଙ୍କା ବୃଦ୍ଧି ହୋଇଥାଏ । ଯଦିଓ ପିସିଓଏସ୍ ଥିବା ମେଦବହୁଳା ମହିଳା ଓ ମେଦବହୁଳ ନଥିବା ମହିଳା (ପତଳା ଶରୀର ବିଶିଷ୍ଟ ମହିଳା) ଉଭୟଙ୍କଠାରେ ଇନ୍ସ୍ୟୁଲିନ୍ ପ୍ରତିରୋଧକ ସମସ୍ୟା ପରିଲକ୍ଷିତ ହୋଇଥାଏ, ହେଲେ ବି ଏହାର ପ୍ରକୃତ କାରଣ ଅଦ୍ୟାବଧି ଦୁର୍ବୋଧ୍ୟ ହୋଇ ରହିଛି । ପିସିଓଏସ୍ରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କ ମଧ୍ୟରୁ ୧୦%ରୁ ୬୫% ହେଉଛନ୍ତି ମେଦବହୁଳ ଏବଂ ଏହି ମେଦବହୁଳତା ପେଟରେ ଦେଖାଯାଏ (ଭିସେରାଲ୍ ଫ୍ୟାଟ୍) ।
ବିଳାସମୟ ଜୀବନଶୈଳୀ, ଶାରୀରିକ ପରିଶ୍ରମ ନ କରିବା, ଅତ୍ୟଧିକ ମାତ୍ରାରେ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା, ଶିଶୁମାନଙ୍କଠାରେ ମେଦବହୁଳତାର ହାର ଅଧିକ ହେବା କାରଣରୁ ସାମ୍ପ୍ରତିକ ସମୟରେ ପିସିଓଏସ୍ର ବ୍ୟାପକତା ବୃଦ୍ଧି ପାଇବାରେ ଲାଗିଛି ।
ପରବର୍ତ୍ତୀ ପର୍ଯ୍ୟାୟର ସମସ୍ୟା
ବର୍ତ୍ତମାନ ଅନେକଗୁଡ଼ିଏ ସର୍ବେକ୍ଷଣରୁ ଜଣାଯାଇଛି ଯେ, ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ରେ ଆକ୍ରାନ୍ତ ହୋଇଥିବା ରୋଗୀମାନଙ୍କଠାରେ ପରବର୍ତ୍ତୀ ସମୟରେ ଟାଇପ୍-୨ ଡାଇବେଟିସ୍ ମେଲିଟସ୍, ମେଟାବୋଲିକ୍ ସିଣ୍ଡ୍ରୋମ ଏକ୍ସ ଏବଂ ବିଭିନ୍ନ ପ୍ରକାରର ହୃଦରୋଗ ଆଦି ଦେଖାଯିବାର ଆଶଙ୍କା ରହିଥାଏ । ପିସିଓଏସ୍ ଦୀର୍ଘ ଦିନ ଧରି ଲାଗି ରହିଲେ ଏଣ୍ଡ୍ରୋମେଟ୍ରିଆଲ୍ କାର୍ସିନୋମା, ଓଭାରିଆନ୍ କ୍ୟାନ୍ସର ଓ ସ୍ତନ କର୍କଟ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଉପୁଜିଥାଏ ।

ଚିକିତ୍ସା
ପିସିଓଏସ୍ରେ ଆକ୍ରାନ୍ତ ମହିଳାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ନିହାତି ଆବଶ୍ୟକ । ଯେହେତୁ ଇନ୍ସ୍ୟୁଲିନ୍ ପ୍ରତିରୋଧକ ହାର ମୂଳ କାରଣ ବୋଲି ଜଣାପଡ଼ିଛି, ତେଣୁ ବର୍ତ୍ତମାନ ଇନ୍ସ୍ୟୁଲିନ ପ୍ରତିରୋଧକ ସମସ୍ୟାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଚିକିତ୍ସା କରାଯାଉଛି । ଇନ୍ସ୍ୟୁଲିନ୍ ପ୍ରତିରୋଧକ ସମସ୍ୟାକୁ ଦୂରେଇବା ପାଇଁ ଇନ୍ସ୍ୟୁଲିନ୍ ସେନ୍ସିଟାଇଜର୍ ବ୍ୟବହାର କରାଯାଉଛି । ଏଣ୍ଡ୍ରୋମେଟ୍ରିଆଲ୍ କାର୍ସିନୋମାର ପ୍ରତିଷେଧକ ଭାବରେ ପିସିଓଏସ୍ରେ ପୀଡ଼ିତ ଥିବା ରୋଗୀଙ୍କଠାରେ ପ୍ରୋଜେଷ୍ଟିରନ୍ ପ୍ରୟୋଗ କରାଯାଉଛି, ଯାହାକି ବହୁତ ସୁଫଳ ପ୍ରଦାନ କରୁଛି ।
ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ରେ ପୀଡ଼ିତ ଥିବା ମହିଳାଙ୍କଠାରେ ବନ୍ଧ୍ୟାତ୍ୱ, ନିଶ, ଦାଢ଼ି ଉଠିଯିବା, ମେଦବହୁଳତା ଭଳି ସମସ୍ୟା ପରିଲକ୍ଷିତ ହେଉଥିବାରୁ ସେମାନେ ହୀନମନ୍ୟତାର ଶୀକାର ହୋଇଯାନ୍ତି । ଏପରିକି ସେମାନେ ନିଜର ନାରୀ ହେବାର ସାଧାରଣ ପରିଚୟ ବା ନାରୀତ୍ୱ ପାଇଁ ମଧ୍ୟ ଘୋର ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯଦ୍ୱାରା ସେମାନଙ୍କ ଆତ୍ମସମ୍ମାନ ହାନୀ ହୁଏ, ମାନସିକ ଚାପ ବୃଦ୍ଧି ହୁଏ, ଶରୀର ନିଷ୍ପ୍ରଭ ହଏ ତଥା ଅବସାଦ ଖୁବ୍ ବଢ଼ିଯାଏ । ତେଣୁ ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମରେ ଆକ୍ରାନ୍ତ ହୋଇଥିବା ମହିଳାଙ୍କୁ ଚିକିତ୍ସା କରିବା ସମୟରେ ସେମାନଙ୍କ ମାନସିକ ସ୍ଥିତିକୁ ମଧ୍ୟ ଆକଳନ କରିବା ଆବଶ୍ୟକ ହୋଇଥାଏ ।