
ପ୍ରଫେସର ଡା. ଜୟନ୍ତ କୁମାର ଦାଶ
ବିଭାଗୀୟ ମୁଖ୍ୟ
ବର୍ଣ୍ଣ, ପ୍ଲାଷ୍ଟିକ୍ ଆଣ୍ଡ୍ ରିକନ୍ଷ୍ଟ୍ରକ୍ଟିଭ୍ ସର୍ଜରୀ ବିଭାଗ
ସମ୍ ହସ୍ପିଟାଲ୍
ଭୁବନେଶ୍ୱର
ଚର୍ମ ଆମ ଶରୀରର ଏକ ରକ୍ଷାକାରୀ ଅଙ୍ଗ । ଯେତେବେଳେ ଗୋଟିଏ ଲୋକ ପୋଡ଼ିଯାଏ ଏହି ଅଙ୍ଗ ନଷ୍ଟ ହୋଇଯାଏ । ଯାହାକି ମୃତ୍ୟୁକାଳୀନ ସଂକ୍ରମଣ ପାଇଁ ଦାୟୀ ହୋଇଥାଏ । ଯଦି ଯଥେଷ୍ଟ ଚର୍ମ ଚର୍ମଦାନ ସଂସ୍ଥାରେ ସଂରକ୍ଷିତ ଥାଏ, ତେବେ ଏହା ଦ୍ୱାରା ବହୁତ ଜଳାପୋଡ଼ା ରୋଗୀଙ୍କୁ ଅକର୍ମଣ୍ୟତା କିମ୍ବା ମୃତ୍ୟୁମୁଖରୁ ରକ୍ଷା କରାଯାଇପାରିବ । ପୋଡ଼ାଜନିତ ମୃତ୍ୟୁହାର କମ୍ କରାଯାଇ ପାରିବ ।
ପ୍ରତିବର୍ଷ ୬୦ରୁ ୭୦ ଲକ୍ଷ ଲୋକ ପୋଡ଼ା ଜଳା ଆଘାତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ଲୋକ ଚର୍ମ ଅଭାବରୁ ମୃତ୍ୟୁବରଣ କରୁଛନ୍ତି ।
ଚାଲନ୍ତୁ ପ୍ରତିଜ୍ଞା କରିବା ‘ଚର୍ମ ଦାନ କରିବା, ଜୀବନ ରକ୍ଷା କରିବା’ ।
କେତେବେଳେ ଜଣେ ମଣିଷ ତା’ର ଚର୍ମ ଦାନ କରିପାରିବ?
ମୃତ୍ୟୁ ହେବାର ୬ ଘଂଟା ମଧ୍ୟରେ ଚର୍ମ ଦାନ କରାଯାଇପାରିବ ।
କେଉଁ ମଣିଷ ଚର୍ମ ଦାନ କରିପାରିବ?
ଯେ କେହି ବି ଚର୍ମ ଦାନ କରିପାରିବ । ସିଏ ଯେଉଁ ଜାତିର ଯେଉଁ ବର୍ଗର ବା ଯେଉଁ ରକ୍ତ ପ୍ରକାରର ହେଉ, ଚର୍ମ ଦାନ କରିପାରିବେ । ଚର୍ମ ଦାନ ପାଇଁ ସର୍ବନିମ୍ନ ବୟସ ୧୮ରୁ ଊଦ୍ଧ୍ୱର୍ ହେବା ଆବଶ୍ୟକ ।
ପୂରା ଚର୍ମ ଦାନ ପ୍ରଣାଳୀ ପାଇଁ କେତେ ସମୟ ଦରକାର ହୋଇଥାଏ?
ଚର୍ମଦାନ ପାଇଁ ମାତ୍ର ୩୦-୪୫ ମିନିଟ୍ ସମୟ ଦରକାର ।
କ’ଣ ଚର୍ମ ଦାନ ପାଇଁ ଜଣକୁ ହସ୍ପିଟାଲ୍କୁ ସ୍ଥାନାନ୍ତର କରିବାକୁ ପଡ଼ିବ?
ନା, ମୃତ ବ୍ୟକ୍ତିର ନିଜ ଘରେ ମଧ୍ୟ ଚର୍ମ ଦାନ ସମ୍ଭବ ।
କିପରି ଚର୍ମ ନିଆଯାଇପାରିବ?
ଏକ ସ୍ପେଶାଲ୍ ଯନ୍ତ୍ର ଡର୍ମାଟୋମ ଚର୍ମ ନେବାରେ ସାହାଯ୍ୟ କରେ ।
ଚର୍ମ ନେବା ପୂର୍ବରୁ ସହମତି ପତ୍ର ଦରକାର କି ନାହିଁ?
ହଁ, ଚର୍ମ ନେବା ପୂର୍ବରୁ ମୃତ ବ୍ୟକ୍ତିଙ୍କର ଏବଂ ଜଣେ ସାକ୍ଷୀଙ୍କର ସହମତି ପତ୍ର ଦରକାର ।
ଶରୀରର କେଉଁ ଅଂଶରୁ ଚର୍ମ ନିଆଯାଇଥାଏ?
ଗୋଡ଼, ଜଂଘ ଏବଂ ପିଠିରୁ ଚର୍ମ ନିଆଯାଇପାରିବ ।
କ’ଣ ପୂରା ସ୍ତର ଚର୍ମ ନିଆଯାଇପାରିବ?
ନା, ଆମର ଚର୍ମରେ ସମୁଦାୟ ୮ଟି ସ୍ତର ଅଛି, କିନ୍ତୁ କେବଳ ୧/୮ ସ୍ତର, ଯେପରିକି ଚର୍ମ କେବଳ ଚର୍ମର ଉପର ସ୍ତର ନିଆଯାଏ ।
ଚର୍ମ ନେବା ପରେ ରକ୍ତସ୍ରାବ ହୋଇଥାଏ କି?
ନା । ଚର୍ମ ନେବା ପରେ କିଛି ରକ୍ତସ୍ରାବ ହୋଇନଥାଏ ।
କେଉଁ କେଉଁ କ୍ଷେତ୍ରରେ ଚର୍ମ ଦାନ ସମ୍ଭବ ହୋଇନଥାଏ?
ଯେଉଁ ଲୋକଙ୍କ ମଧ୍ୟରେ ଏଡ୍ସ, ହେପାଟାଇଟିସ୍ ବି କିମ୍ବା ସି, କୌଣସି ଯୌନରୋଗ, ଚର୍ମକର୍କଟ କିମ୍ବା ଅନ୍ୟାନ୍ୟ କୌଣସି ଚର୍ମରୋଗ ଥିବ ସେମାନେ ଚର୍ମଦାନ କରିବା ପାଇଁ ସକ୍ଷମ ହୋଇନଥାନ୍ତି । ଚର୍ମ ନେବା ସମୟରେ ମୃତ ଶରୀରରୁ ରକ୍ତ ନିଆଯାଏ ଏବଂ ତାକୁ ଏଚ୍ଆଇଭି, ହେପାଟାଇଟିସ୍ ଭଳି ଦରକାରୀ ପରୀକ୍ଷା କରାଯାଇଥାଏ ।
ଚର୍ମଦାନ କ୍ଷେତ୍ରରେ ରକ୍ତଚାପ କିମ୍ବା ମଧୁମେହ ରୋଗ ପାଇଁ କ’ଣ କରିବେ?
ରକ୍ତଚାପ କିମ୍ବା ମଧୁମେହ ରୋଗ ଥିଲେ ବି ଇଚ୍ଛୁକ ବ୍ୟକ୍ତି ଚର୍ମ ଦାନ କରିପାରିବେ ।
ସଂଗୃହୀତ ଚର୍ମକୁ କିପରି ବ୍ୟବହାର କରିବେ?
ଚର୍ମ ଦାନ ପରେ, ଚର୍ମକୁ ଚର୍ମ ବ୍ୟାଙ୍କରେ ପରୀକ୍ଷା ନିରୀକ୍ଷା କରାଯିବ, ତା’ପରେ ବିଭିନ୍ନ ଡାକ୍ତରଙ୍କୁ ପ୍ରତିରୋପଣ ପାଇଁ ପଠାଯିବ ।

କିପରି ଓ କେତେ ସମୟ ଚର୍ମକୁ ସଂରକ୍ଷଣ କରାଯାଇପାରିବ?
ଆମେ ୮୫% ଗ୍ଲିସେରିନ୍ ମିଶ୍ରଣରେ ୪ଂରୁ ୮ଂ ସେଲ୍ସିୟସ୍ ତାପମାତ୍ରାରେ ୫ ବର୍ଷ ପର୍ଯ୍ୟନ୍ତ ଚର୍ମକୁ ରଖିପାରିବ ।
ଆମକୁ ଚର୍ମଦାନ ପାଇଁ ଚର୍ମଦାନ ସଂସ୍ଥାକୁ କିଛି ଟଙ୍କା ଦେବାକୁ ପଡ଼ିବ କି?
ନା, ଆମକୁ ଚର୍ମଦାନ ସଂସ୍ଥାକୁ କିଛି ବି ଦେବାକୁ ପଡ଼ିବ ନାହିଁ ।
ଚର୍ମଦାନ ଟିମ୍ ପହଂଚିବା ପୂର୍ବରୁ ଦାନ କରୁଥିବା ବ୍ୟକ୍ତିର ପରିବାରକୁ କିଛି ପ୍ରମାଣ ପତ୍ର ଯୋଗାଡ଼ କରିବାକୁ ପଡ଼ିବ କି?
ହଁ, ଦାତାଙ୍କ ମୃତ୍ୟୁର ପ୍ରମାଣପତ୍ର ଏବଂ ଫଟୋ କପି ଯୋଗାଡ଼ କରିବାକୁ ପଡ଼ିବ । ଏହାକୁ ଦେଖିଲେ ଟିମ୍ର ସଦସ୍ୟ ପ୍ରଣାଳୀ ଆରମ୍ଭ କରିବେ ।
ଚର୍ମ ପ୍ରତିରୋପଣ ପାଇଁ ଦାତା ଓ ଗ୍ରହଣକାରୀଙ୍କର ଚର୍ମ କିମ୍ବା ରକ୍ତ ମିଶିବା ଆବଶ୍ୟକ କି?
ନା, ଯେ କୌଣସି ଦାତାଙ୍କର ଚର୍ମକୁ ଅନ୍ୟ ଜଣେ ଗ୍ରହଣ କରିପାରିବେ; ଯେଉଁ ରଙ୍ଗର କିମ୍ବା ଯେଉଁ ବ୍ଲଡ ଗ୍ରୁପର ହୋଇଥାଉ ।
ଚର୍ମଦାନ କରିବା ପାଇଁ ଆଗରୁ ନାମ ପଞ୍ଜିକରଣ କରିବା ଦରକାର କି?
ନା, ଚର୍ମଦାନ ପାଇଁ ନାମ ପଞ୍ଜିକରଣ ନିହାତି ଆବଶ୍ୟକ ହୋଇନଥାଏ । ଯଦି ନାମ ପଞ୍ଜିକରଣ ହୋଇନଥାଏ ତେବେ ଫୋନ୍ କଲେ ଆମେ ତାକୁ ଗ୍ରହଣ କରିବୁ ।
ଯଦି ଆମେ ଚର୍ମଦାନ ସଂସ୍ଥାକୁ ଚର୍ମଦାନ ପାଇଁ ଫୋନ୍ କରିବାକୁ ଚାହିଁବୁ ତା’ହେଲେ ଆମେ କ’ଣ କରିବୁ?
ଆପଣମାନେ ଆମକୁ ୨୪ ଘଂଟା ମଧ୍ୟରେ ଯେତେବେଳେ ବି ଫୋନ୍ କରିପାରିବେ । ଏଥିପାଇଁ ସୋଆ ବର୍ଣ୍ଣ ସେଂଟର୍ ଆଣ୍ଡ୍ ସ୍କିନ୍ ବ୍ୟାଙ୍କ୍ (ସମ୍ ହସ୍ପିଟାଲ୍)ର ସହାୟକ ଫୋନ୍ ନମ୍ବର ହେଉଛି ୧୮୦୦୧୨୦୦୧୨ ।