
ଡା. ଅନିତା ରଥ
ବରିଷ୍ଠ ଚର୍ମରୋଗ ବିଶେଷଜ୍ଞ
ଆଶୁ ସ୍କିନ୍ କେୟାର୍
ଜୟଦେବ ବିହାର, ଭୁବନେଶ୍ୱର
ନିଜ ଚେହେରାର ଚମକପଣ କିଏ ବା ନ ଚାହେଁ! ତ୍ୱଚାର ଚମକ ହିଁ ସୌନ୍ଦର୍ଯ୍ୟ ବୃଦ୍ଧି କରେ । ସୁନ୍ଦର ବ୍ୟକ୍ତିର ବ୍ୟକ୍ତିତ୍ୱ ସ୍ୱତଃ ଉଦ୍ଭାସିତ ହୋଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରେ । ତେଣୁ ତ୍ୱଚାର ଚମକପଣ ଯେ ଆତ୍ମବିଶ୍ୱାସ ବୃଦ୍ଧିର ଏକ ଅନ୍ୟତମ ଚାବିକାଠି, ଏଥିରେ କୌଣସି ସନ୍ଦେହ ନାହିଁ ।
ପାଠକବନ୍ଧୁ ମନେରଖନ୍ତୁ ନିଜର ତ୍ୱଚାର ସୁରକ୍ଷା ନିଜ ହାତରେ । ଏବଂ ଏହା ଯେ ଗୋଟିଏ ଖୁବ୍ କାଠିକର ପାଠ, ସେମିତି ଆଦୌ ନୁହେଁ । ତ୍ୱଚାର ସୁରକ୍ଷା ପଦ୍ଧତି ଅତି ସହଜ ତଥା ସରଳ । କେବଳ ଆପଣଙ୍କ ବ୍ୟସ୍ତବହୁଳ ଦିନଚର୍ଯ୍ୟାରୁ କିଛି ସମୟ କାଢି ତ୍ୱଚା ପାଇଁ ଦେବାକୁ ପଡ଼ିଥାଏ । ଯେତେବେଳେ ତ୍ୱଚା ପାଇଁ ଦେବାକୁ ପଡ଼ିଥାଏ । ଯେତେବେଳେ ତ୍ୱଚା ପାଇଁ ସମୟ ବାହାର କରିହୁଏ ନାହିଁ, ସେତେବେଳେ ତ୍ୱଚାରେ ନାନା ପ୍ରକାର ସମସ୍ୟା ଦେଖାଯାଏ । ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ତ୍ୱଚାର ଯତ୍ନ କେମିତି ନେବାକୁ ହୁଏ, ତାହା ଜାଣିବା ଆବଶ୍ୟକ ହୋଇଥାଏ ।

ଆସନ୍ତୁ ଜାଣିବା ତ୍ୱଚାର ଯତ୍ନ କେମିତି ନେବା, ଯ’ଦ୍ୱାରା ତ୍ୱଚାର ଚମକ ବୃଦ୍ଧି ହେବ ।
ମୃତ ତ୍ୱଚାର ସ୍ତରକୁ କାଢିବା ପାଇଁ ପ୍ରତି ସପ୍ତାହରେ ଥରେ କିମ୍ବା ଦୁଇଥର ତ୍ୱଚାକୁ ଧିର ଭାବରେ ଘଷନ୍ତୁ । ଦେଖିବେ କେତେ ସପ୍ତାହର ଅଭ୍ୟାସ ପରେ ଆପଣଙ୍କ ତ୍ୱଚା ନିଶ୍ଚିତ ଭାବରେ ଚମକିବା ଆରମ୍ଭ କରିବ । ୱାଲ୍ନଟ୍ (ଅଖ୍ରୋଟ୍) କୁ ପୁରା ଗୁଣ୍ଡ କରି ଏଥିରେ ଦହି ମିଶାଇ ଗୋଟିଏ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଘଷନ୍ତୁ । ଯେହେତୁ ଅଖରୋଟ୍ରେ ଆଂଟିଅକ୍ସିଡେଂଟ୍ ଥାଏ, ଏହା ତ୍ୱଚାରୁ ମଇଳା ଦୂର କରିବା ସଙ୍ଗେ ସଙ୍ଗେ ଚମକ୍ପଣ ମଧ୍ୟ ଦେଇଥାଏ । ଆପଣଙ୍କ ତ୍ୱଚା ଯେଭଳି ହୋଇଥିଲେ ବି ଏହା ଆପଣଙ୍କୁ ଏକ ସୁସ୍ଥ ତ୍ୱଚା ସହ ପ୍ରାକୃତିକ ଚମକପଣ ପ୍ରଦାନ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କ ତ୍ୱଚାର ସୁସ୍ଥତା ନାହିଁ ତେବେ ଆପଣ ଯେତେ ଯତ୍ନ କଲେ ସୁଦ୍ଧା ଏହା ଶୁଷ୍କ ଦେଖାଯାଏ ତଥା ଜୀବନ୍ତ ଦେଖାଯାଏ ନାହିଁ । ଫଳରେ ଅପଣଙ୍କ ତ୍ୱଚାର ସ୍ୱାଭାବିକ ରଙ୍ଗ ପ୍ରଭାବିତ ହୁଏ ଓ ଆପଣ ଅସୁସ୍ଥ ଥିବା ଭଳି ଦେଖାଯାଇଥାଆନ୍ତି ।
ହେଲେ ଚିନ୍ତା କରନ୍ତୁ ନାହିଁ । ଯଦି ଆପଣଙ୍କ ତ୍ୱଚାରେ ଏଭଳି ସମସ୍ୟା ଦେଖାଯାଉଛି, ତେବେ ତ୍ୱଚାର ପ୍ରାକୃତିକ ଚମକପଣ ଫେରିପାଇବାକୁ ଅନେକ ସହଜ ଉପାୟ ରହିଛି, ଯାହାକୁ କାହାରି ସହାୟତା ବିନା ନିଜେ ନିଜେ କରିପାରିବେ । ଏହି ଉପାୟ ସବୁ ଆପଣଙ୍କ ତ୍ୱଚାର ପ୍ରକାର ଓ ନିଷ୍ପ୍ରଭ ହେବାର କାରଣ ଉପରେ ନିର୍ଭରଶୀଳ ।
କୌଣସି ପ୍ରକାର ଉତ୍ପାଦ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ନିଜ ତ୍ୱଚାର ସମସ୍ୟା ସମ୍ପର୍କରେ ସମ୍ପୁର୍ଣ୍ଣ ଆକଳନ କରନ୍ତୁ । ଯଦି ବ୍ରଣ ଓ ତାହାର ଦାଗ ପାଇଁ ଆପଣଙ୍କ ତ୍ୱଚା ନଷ୍ପ୍ରଭ ଦେଖାଯାଉଛି, ତେବେ ବ୍ରଣ ବିନାଶ ପାଇଁ ମିଳୁଥିବା ଫେସ୍ୱାସ୍, ଅଏଂଟ୍ମେଂଟ୍ ଓ କ୍ରିମ୍ ବ୍ୟବହାର କରିପାରିବେ । ଯଦି ଶୁଷ୍କତା ପାଇଁ ଆପଣଙ୍କ ତ୍ୱଚା ନିଷ୍ପ୍ରଭ ଜଣାପଡ଼ୁଛି, ତେବେ ତ୍ୱଚାର ଆର୍ଦ୍ରତା ବୃଦ୍ଧି କରିବା ପାଇଁ ଉପଲବ୍ଧ ହେଉଥିବା ମସ୍ଚ୍ୟୁରାଇଜର୍ ଓ ଲୋସନ୍ ଳଗାଇ ପାରିବେ । ଆପଣଙ୍କ ତ୍ୱଚା ଥରେ ଆର୍ଦ୍ର ହେବାର ଆରମ୍ଭ କଲେ, ତ୍ୱଚାର ଚମକପଣ ସ୍ୱତଃ ବୃଦ୍ଧି ହୋଇଥାଏ । ତ୍ୱଚା ପାଇଁ ଉପଲବ୍ଧ ବିଭିନ୍ନ ପ୍ରକାର ତେଲ ଓ ମାକ୍ସ୍ (ମୁଖା) ମଧ୍ୟ ତ୍ୱଚାର ଚମକପଣ ବୃଦ୍ଧିରେ ଯଥେଷ୍ଟ ସହାୟକ ସଜିଥାନ୍ତି ।
ଚେହେରା ଉପଯୋଗୀ ଖାଦ୍ୟ ଖାଆନ୍ତୁ: ଚେହେରାରେ ଚମକ ପାଇବାର ଖାଦ୍ୟର ଏକ ମଧ୍ୟ ପ୍ରମୂଖ ଭୂମିକା ରହିଛି । ତ୍ୱଚା କୋମଳ ଓ ସ୍ୱଚ୍ଛ ରହିବା ପାଇଁ ସନ୍ତୁଳିତ ଆହାର ସେବନ ଜରୁରୀ । ତେଣୁ ଆପଣଙ୍କୁ ଚେହେରାକୁ ସୁହାଇଲା ଭଳି ସନ୍ତୁଳିତ ଖାଦ୍ୟ ଯଥା ପୋଷକତତ୍ୱରେ ଭରପୁର ଥିବା ଫଳ ସବୁଜ ପନିପରିବା ସେବନ କରିବା ଉଚିତ୍ । ଆଇରନ୍ ଏବଂ ଭିଟାମିନ୍ ବି-୧୨ ଭଳି ପୋଷକତତ୍ୱର ଅଭାବରେ ତ୍ୱଚା ହଳଦିଆ ଓ ବିବର୍ଣ୍ଣ ହୋଇଯାଏ ତଥା ତ୍ୱଚା ଫାଟିଯାଏ । ତେଣୁ ଖାଦ୍ୟରେ ପ୍ରଚୁର ପରିମାଣର ଆଇରନ୍ ଓ ଭିଟାମିନ୍ ବି-୧୨ ଖାଉଥିବାର ନିଶ୍ଚିତ ହୁଅନ୍ତୁ । ବାଦାମ ଅଖରୋଟ୍ ଭଳି ଚଣାଜାତୀୟ ଦ୍ରବ୍ୟରେ ଭିଟାମିନ୍-ଇ ପ୍ରଚୁର ପରିମାଣରେ ରହିଥିବାରୁ ଏହା ତ୍ୱଚାର ପ୍ରାକୃତିକ ଆର୍ଦ୍ରତାକୁ ରକ୍ଷା କରିବା ସଙ୍ଗେ ସଙ୍ଗେ ତ୍ୱଚାକୁ କୋମଳ ରଖିଥାଏ ।
ବାହାରକୁ ବାହାରନ୍ତୁ: ଗୋଲାପି ଗାଲ ଓ ଚମକଦାର୍ ତ୍ୱଚା ପାଇଁ କେବଳ ମେକ୍ଅପ୍ ଉପରେ ଭରସା କରି ଘର ଭିତରେ ରହିବା ଅପେକ୍ଷା ଟିକେ ବାହାରକୁ ବାହାରି ବୁଲାବୁଲି କରି ଶାରୀରିକ ଭାବେ ସକ୍ରିୟ ରହିକରି ପ୍ରାକୃତିକ ଭାବେ ତ୍ୱଚାର ଚମକ ଆସି ପାରିଲେ ଖୁବ୍ ଭଲ । ସକାଳୁଆ ସୂର୍ଯ୍ୟ କିରଣ ଓ ତାଜା ପବନ ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ । ଶାରୀରିକ ବ୍ୟାୟାମ ଦ୍ୱାରା ରକ୍ତ ସଂଚାଳନ ବୃଦ୍ଧିପାଏ, ଯାହାକି ତ୍ୱଚାର କୋଷମାନଙ୍କ ପୋଷଣରେ ସହାୟକ ହୋଇଥାଏ ଓ ମାନସିକ ଚାପ ମଧ୍ୟ ଦୂର ହୋଇଥାଏ । ତେଣୁ ପାର୍କରେ ବା ଖୋଲା ପଡ଼ିଆରେ କିଛି ସମୟ ଚଲାବୁଲା କରିବା, ଖେଳକୁଦ କରିବା, ଦୌଡ଼ିବା, ସାଇକେଲ୍ ଚଳାଇବା ଏବଂ ଯୋଗ କରିବା ଆଦି ଦ୍ୱାରା ଶରୀର ସୁସ୍ଥ ରହିବା ସହ ତ୍ୱଚାରେ ଚମକପଣ ଆସିଥାଏ ।
ମୁହଁରେ ଘଷନ୍ତୁ: ଆମ ଚର୍ମ ନିରନ୍ତର ଭାବରେ ନୂଆ କୋଷ ଉତ୍ପନ୍ନ କରୁଥାଏ । ଏଥିପାଇଁ ଅନେକ ସମୟରେ ପୁରୁଣା କୋଷ ତ୍ୱଚାର ଉପର ଅଂଶରେ ଜମା ହୋଇଯାନ୍ତି, ଯ’ଦ୍ୱାରା ତ୍ୱଚା ଶୁଷ୍କ ହୋଇ ନଷ୍ପ୍ରଭ ହୋଇଯାଏ । ଏହି ସବୁ ପୁରୁଣା କୋଷକୁ ସଫା କରିବା ପାଇଁ ମୁହଁକୁ ନିୟମିତ ଘଷିବାକୁ ପଡ଼ିବ । ଏହା ଆପଣଙ୍କ ମୁଡଁକୁ ଚମକପ୍ରଦ କରିବା ସହ ବିଭିନ୍ନ ସ୍କିନ୍ ପ୍ରଡକ୍ଟ (ତ୍ୱଚା ଉପଯୋଗୀ ଉତ୍ପାଦ) ଓ ମସ୍ଚ୍ୟୁରାଇଜର୍ ସବୁକୁ ତ୍ୱଚାର ଆଭ୍ୟନ୍ତର ପ୍ରଦେଶକୁ ଭଲଭାବରେ ପଶିବାରେ ବି ସାହାଯ୍ୟ କରିଥାଏ । ଅତି ଜୋର୍ରେ ରଗଡ଼ିବା ଦ୍ୱାରା ତ୍ୱଚା କ୍ଷତିଗ୍ରସ୍ତ ହୁଏ । ତେଣୁ ଧିରେ ଧିରେ ବା ଯତ୍ନର ସହ ହାଲୁକା ଭାବେ ମୁହଁକୁ ଘଷିବା ଉଚିତ । ଗ୍ରାଉଣ୍ଡ୍ ଓଟ୍ମିଲ୍କୁ ଗୋଟେ ପତଳା,ସଫା ଓ ମୁଲାୟମ୍ କପଡାରେ ଆସ୍ତେ ଆସ୍ତେ ଘଷନ୍ତୁ ।
ସାବୁନ୍ ବଦଳାନ୍ତୁ: ଆମ ଚର୍ମରେ ଗୋଟିଏ ପ୍ରାକୃତିକ ସୁରକ୍ଷାତ୍ମକ ସ୍ତର ରହିଛି, ଯାହାକି ତ୍ୱଚାକୁ ଆର୍ଦ୍ର ରଖିବା ସଙ୍ଗେସଙ୍ଗେ ବୀଜାଣୁ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ସାବୁନ୍ ଭଳି ଆଲ୍କାଲାଇନ୍ ଉତ୍ପାଦର ଅତ୍ୟଧିକ ବ୍ୟବହାର କରି ତ୍ୱଚାକୁ ବାରମ୍ବାର ସଫା କଲେ ତ୍ୱଚାରେ ଥିବା ଏହି ତୈଳଯୁକ୍ତ ସ୍ତର ନଷ୍ଟ ହେବାରେ ଲାଗେ । ଏହାର ଅନେକ କୁପ୍ରଭାବ ପରିଲକ୍ଷିତ ହୋଇଥାଏ । ଯଥା ମୁହଁରେ ଶୁଷ୍କତା ଦେଖାଯିବା, ମୁହଁର ତ୍ୱଚା ଲୋଚାକୋଚା (ରିଙ୍କିଲ୍ସ) ହେବା ଏବଂ ଶେଷରେ ତ୍ୱଚା ଓ ବ୍ରଣ ସୃଷ୍ଟିକାରୀ ବୀଜାଣୁ ମଧ୍ୟରେ ଥିବା ସୁରକ୍ଷାତ୍ମକ ପ୍ରତିବନ୍ଧକ ନାଶ ହୋଇଯିବା । ସେଥିପାଇଁ ମୁହଁରେ ଚମକ ଆଣିବାକୁ ହେଲେ ଆପଣ ବ୍ୟବହାର କରୁଥିବା ସାଧାରଣ ସାବୁନ୍କୁ ଆଉ ବ୍ୟବହାର କରନ୍ତୁ ନାହିଁ । ଏହା ବଦଳରେ ପିଏଚ୍ ନ୍ୟୁଟ୍ରାଲ୍ ଏବଂ କେମିକାଲ୍-ଫ୍ରି କ୍ଲିନ୍ଜର୍ ବିଶିଷ୍ଟ ସାବୁନ୍ ବ୍ୟବହାର କରନ୍ତୁ । ଦିନକୁ ଦୁଇଥର ସେଭଳି ସାବୁନ୍ରେ ମୁହଁ ଧୂଅନ୍ତୁ ।
ମୁୂହଁର ଜଳୀୟଅଂଶ ବଜାୟ ରଖନ୍ତୁ: ତ୍ୱଚାରେ ଜଳୀୟଅଂଶ ହ୍ରାସ ହେବା ଦ୍ୱାରା ମୁହଁ ଋକ୍ଷ ହୋଇଥାଏ ତଥା ଲୋଚାକୋଚା ହେବା ଆରମ୍ଭ କରେ । ଭାବନ୍ତୁ ନାହିଁ ଯେ, ଜଳୀୟଅଂଶ ହ୍ରାସ ହେବାଟା କେବଳ ଋକ୍ଷ ତ୍ୱଚାକୁ ହିଁ ପ୍ରଭାବିତ କରେ, ସେମିତି କିଛି ନାହିଁ; ତୈଳାକ୍ତ ତ୍ୱଚା ମଧ୍ୟ ଏଥିର ପ୍ରଭାବିତ ହୋଇଥାଏ । ତେଣୁ ନିଜର ମୁହଁକୁ ନମନୀୟ, କୋମଳ ଓ ସ୍ୱାଭାବିକ କରିବାକୁ ତଥା ଆର୍ଦ୍ର ରଖିବାକୁ ଉପଯୁକ୍ତ ମସ୍ଚ୍ୟୁରାଇଜର୍ ଲେପନ କରନ୍ତୁ । ଏଥି ସହ ପ୍ରଚୁର ପରିମାଣର ପାଣି ପିଅନ୍ତୁ ।
ପର୍ଯ୍ୟାପ୍ତ ମାତ୍ରାରେ ଶୁଅନ୍ତୁ: ଶୋଇଥିବା ସମୟରେ ଆମ ତ୍ୱଚାର କୋଷମାନେ ନିଜେ ନିଜର ନବୀକରଣ କରନ୍ତି ତଥା କୋଲାଜେନ୍ ନାମକ ଏକ ପୋଷକତତ୍ୱର ଉତ୍ପାଦନ ବୃଦ୍ଧି କରନ୍ତି; ଯ’ଦ୍ୱାରା ମୁହଁ ସୁନ୍ଦର ରହେ, ସୁସ୍ଥ ରହେ, ସ୍ୱାଭାବିକ ରହେ ଏବଂ ଯୌବନାବସ୍ଥାର ତ୍ୱଚା ଭଳି ସତେଜ ରହେ । ବ୍ରିଟିଶ୍ ମେଡ଼ିକାଲ୍ ଜର୍ଣ୍ଣାଲ୍ରେ ପ୍ରକାଶିତ ସର୍ବେକ୍ଷଣ ଅନୁଯାୟୀ ଜଣାପଡ଼ିଛି ଯେ, ଯେଉଁ ଲୋକମାନେ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଇଥାନ୍ତି, ତାଙ୍କ ମୁହଁର ଚମକ, ରାତିରେ ଭଲ ଭାବେ ଶୋଉନଥିବା ଲୋକଙ୍କ ମୁହଁର ଚମକ ଅପେକ୍ଷା ଅଧିକ ହୋଇଥାଏ । ତେଣୁ ସୁନ୍ଦର ଦେଖାଯିବା ପାଇଁ ‘ସୁନ୍ଦର ନିଦ ଜରୁରୀ’ ଉପାଖ୍ୟାନଟି ମିଛ ନୁହେଁ । ତେଣୁ ମୁହଁରେ ଚମକ ଆଣିବା ପାଇଁ ଗୋଟେ ନିଦ୍ଦିଷ୍ଟ ସମୟରେ ଶୋଇବା ଅଭ୍ୟାସ କରନ୍ତୁ ଏବଂ ଅତିକମ୍ରେ ୭ ରୁ ୮ ଘଂଟା ଶୁଅନ୍ତୁ ।
ମୁହଁରେ ପ୍ରାକୃତିକ ତୈଳ ଖୁବ୍ ଯତ୍ନର ସହ ଲଗାନ୍ତୁ: ସତ କହିବାକୁ ଗଲେ ମୁହଁରେ ତେଲ ଲଗାଇବାକୂୁ ଆମେମାନେ ସେତେଟା ପସନ୍ଦ କରୁନାହୁଁ; ବିଶେଷତଃ ଯାହାର ତୈଳାକ୍ତ ତ୍ୱଚା ଥିବ । ଆଲ୍ମଣ୍ଡ୍ ଅଏଲ୍ ଓ ଗ୍ରେପ୍ସିଡ଼ସ୍ ଅଏଲ୍ ମୁହଁକୁ ପ୍ରାକୃତିକ ଭାବେ ଆର୍ଦ୍ର ରଖନ୍ତି । ଜୋଜୋବା ଅଏଲ୍ର ବହୁବିଧ ଲାଭ ରହିଛି, ହେଲେ ନିର୍ଦ୍ଦିଷ୍ଟ ଭାବେ କହିବାକୁ ଗଲେ ତୈଳାକ୍ତ ତ୍ୱଚା ଓ ବ୍ରଣ ବେଶି ହେଉଥିବା ମୁହଁ ପାଇଁ ଅତ୍ୟନ୍ତ ଉପଯୋଗୀ; କାରଣ ଏହା ସେବମ୍ (ବସା) ଉତ୍ପାଦନକୁ ସ୍ୱାଭାବିକ କରିଥାଏ । ମୁହଁରୁ ମଇଳା କାଢ଼ି ସଫା ରଖିବାରେ ଜୋଜୋବା ଅଏଲ୍କୁ ବ୍ୟବହାର କରାଯାଇପାରେ । ଏହା ଆଖିର ପୁରୁଣା ପ୍ରସାଧନକୁ ସଫା କରିବା ସଙ୍ଗେସଙ୍ଗେ ତ୍ୱଚାକୁ ମଧ୍ୟ ଆର୍ଦ୍ର ରଖିଥାଏ ।

ରୋଷେଇ ଘରେ ଉପଲବ୍ଧ ସୌନ୍ଦର୍ଯ୍ୟବୃଦ୍ଧିର ଉପାଦାନକୁ ବ୍ୟବହାର କରନ୍ତୁ: ଚେହେରାର ଚମକ୍ ବୃଦ୍ଧି ପାଇଁ ବା ତ୍ୱଚାରେ ଗୋରାପଣ ପାଇଁ ସବୁବେଳେ ଯେ ଦାମିକିଆ ଉତ୍ପାଦ ବ୍ୟବହାର କରିବାକୁ ପଡ଼ିବ, ସେମିତି କିଛି ମାନେ ନାହିଁ । ରୋଷେଇ ଘରେ ମଧ୍ୟ ସହଜରେ, ସୁଲଭରେ ଅନେକ ପ୍ରାକୃତିକ ଦ୍ରବ୍ୟ ମହଜୁଦ୍ ରହିଥାଏ, ଯାହାର ସଠିକ୍ ଉପଯୋଗ କରି ଜାଣିଲେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ । ଅଲିଭ୍ ଅଏଲ୍ ହେଉଛି ଏକ ପ୍ରାକୃତିକ ମସ୍ଚ୍ୟୁରାଇଜର୍ । ବ୍ରଣ ସମସ୍ୟା ଥିଲେ ଅଲିଭ୍ ଅଏଲ୍ ଓ ଗୁଡକୁ ମିଶାଇ ଲଗାଇବା ଦ୍ୱାରା ଶୀଘ୍ର ଚୋପା ଛାଡ଼ିଯାଏ ଓ ଭଲ ହୋଇଯାଏ । ବରଫ, ମହୁ ଓ ଲୁଣ ତ୍ୱଚା ପାଇଁ ହିତକର ହୋଇଥାନ୍ତି । ମୁହଁରେ ଯଦି ଖେଳଜନିତ କ୍ଷତ ବା ସ୍ୱୋଟର୍ସ ଇଞ୍ଜ୍ୟୁରି ଦେଖାଯାଏ, ତେବେ ସେଠାରେ ବରଫ ଘଷନ୍ତୁ; ଯାହା ଫଳରେ ଦରଜ କମିବା ସହ ଫୁଲା ମଧ୍ୟ କମିଯାଏ । ବରଫ ଘଷି ସାରିବା ପରେ ସେଇଠି ଆଂଟିସେପ୍ଟିକ୍ ଲୋସନ୍ ଓ ମହୁ ଲଗାଇଲେ ଉପଶମ ମିଳିଥାଏ । ଶେଷରେ ସଲ୍ଟ ୱାଟର୍ ଟୋନର୍ ଲଗାନ୍ତୁ । ଯାହାର ଏକ୍ଜିମା ବା କଣ୍ଡୁ ରୋଗ ଥିବ, ଗାଧୋଇବା ପାଣିରେ କିଛିଟା ଓଟ୍ମିଲ ମିଶାଇ ଗାଧୋଇ ପଡ଼ନ୍ତୁ, ଯ’ଦ୍ୱାରା ତ୍ୱଚାକୁ ଅନେକ ଉପଶମ ମିଳିଥାଏ ।
ଧୂମପାନ ଓ ମଦ୍ୟପାନରୁ ଦୂରେଇ ରହନ୍ତୁ: ମଦ ଓ ସିଗାରେଟ୍ ତ୍ୱଚା ପାଇଁ ଖୁବ୍ କ୍ଷତିକାରକ । ତେଣୁ ଯଦି ଆପଣ ମୁହଁରେ ଚମକ ଦେଖିବାକୁ ଚାହୁଁଛନ୍ତି, ତେବେ ଧୂମପାନ ଓ ମଦ୍ୟପାନ ବର୍ଜନ କରନ୍ତୁ । ଧୂମପାନ ଦ୍ୱାରା ତ୍ୱଚା ଖୁବ୍ ଉତେଜିତ ହୋଇଥାଏ, ତ୍ୱଚାକୁ ଅମ୍ଳଜାନ୍ ଓ ବିଭିନ୍ନ ପୋଷକତତ୍ୱ ମିଳିପାରିନଥାଏ । ଫଳରେ ମୁହଁ ତାହାର ସ୍ୱାଭାବିକ ଚମକପଣ ହରାଇ ଶୀଘ୍ର ବୟସ୍କାବସ୍ଥାର ମୁହଁ ଭଳି ଦେଖାଯିବା ଆରମ୍ଭ କରେ । ମଦ୍ୟପାନ ଦ୍ୱାରା ପୋଷକତତ୍ୱ ମିଳିନପାରି ମୁହଁ ଶୁଷ୍କ ହୋଇଯାଏ ଓ ଆଖି ଫୁଲିଯାଏ । ସେଥିପାଇଁ ମୁହଁରେ ଚମକପଣ ବୃଦ୍ଧି କରିବାକୁ ହେଲେ ଧୂମପାନରୁ ସମ୍ପୂର୍ଣ୍ଣ ବିରତ ରୁହନ୍ତୁ ଏବଂ ମଦ୍ୟପାନକୁ ପୁରା କମାଇ ଦିଅନ୍ତୁ ।
ଅବସାଦ ମୁକ୍ତ ରୁହନ୍ତୁ: ମାନସିକ ଚାପ ବା ଅବସାଦ କେବଳ ମନକୁ ଆକ୍ରାନ୍ତ କରେ ନାହିଁ, ବରଂ ଏହା ସହ ତ୍ୱଚାକୁ ମଧ୍ୟ ଗଭୀର ଭାବେ ଓ ଅତି ଦୁର୍ଭାଗ୍ୟପୂର୍ଣ୍ଣ ଢ଼ଙ୍ଗରେ ପ୍ରଭାବିତ କରିଥାଏ । ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦୀର୍ଘଦିନ ଧରି ଅବସାଦଗ୍ରସ୍ତ ରହିବା ଦ୍ୱାରା ଜୀବକୋଷଗୁଡିକ ଶୀଘ୍ର ବାର୍ଦ୍ଧକ୍ୟାବସ୍ଥା ପ୍ରାପ୍ତ ହୋଇଥାନ୍ତି ତଥା ତ୍ୱଚା ଲୋଚାକୋଚା ହେବା ଆରମ୍ଭ କରେ । ଅନେକ ସମୟରେ ମାନସିକ ଚାପ ବିଭିନ୍ନ ତ୍ୱଚା ସମସ୍ୟା ଯଥା ଏକ୍ଜିମା ଓ ବ୍ରଣ ଆଦି ସୃଷ୍ଟି ହେବାରେ ସହାୟକ ସାଜିଥାଏ ତଥା ସୁଖନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ । ତେଣୁ ମାନସିକ ଚାପ ଦ୍ରାସ କରିବାକୁ ଓ ମୁହଁରେ ଚମକପଣ ବୃଦ୍ଧି କରିବାକୁ ଯୋଗ, ପ୍ରାଣାୟମ, ଧ୍ୟାନ ଓ ଶାରୀରିକ ବ୍ୟାୟାମ କରିବା ଉଚିତ ।
ଉପରୋକ୍ତ ପ୍ରାକୃତିକ ପଦ୍ଧତି ନିୟମିତ ଅବଲମ୍ବନ କରିବା ପରେ ମୁହଁର ଚମକପଣ ନିଶ୍ଚିତ ଭାବେ ବୃଦ୍ଧି ପାଇବ । ଯଦି ଏସବୁ ପଦ୍ଧତି ଅବଲମ୍ବନ କଲା ପରେ ମଧ୍ୟ ମୁହଁରେ ଚମକପଣ ବୃଦ୍ଧି ପାଉନାହିଁ ଏବଂ ଆପଣ ତ୍ୱଚା ଜନିତ କୌଣସି ସମସ୍ୟା ଭୋଗୁଛନ୍ତି, ତେବେ ଜଣେ ଅଭିଜ୍ଞ ଚର୍ମରୋଗ ବିଶେଷଜ୍ଞ ବା ଡର୍ମାଟୋଲୋଜିଷ୍ଟ୍ଙ୍କ ପରାମର୍ଶ ନେବା ଉଚିତ । ଏଥିପାଇଁ ଆଜିକାଲି ଅନେକ କସ୍ମେଟିକ୍ ସର୍ଜରୀ ତଥା ଅତ୍ୟାଧୁନିକ ପଦ୍ଧତି ସହଜ ଓ ସୁଲଭ ଭାବରେ ଉପଲବ୍ଧ ହେଲାଣି, ଯଥା- କେମିକାଲ୍ ପିଲିଙ୍ଗ୍, ସ୍କିନ୍ ରେନୁଭେନେସନ୍, ସ୍କିନ୍ ବ୍ରାଇଟେନିଙ୍ଗ୍, ହୋଲ୍ ବଡ଼ି ସ୍କିନ୍ ଲାଇଟେନିଙ୍ଗ୍, ଲେଜର୍ ସ୍କିନ୍ କେୟାର୍, କସ୍ମେଟିକ୍ ସ୍କିନ୍ କେୟାର୍, ଆସ୍ଥେଟିକ୍ ସ୍କିନ୍ ସର୍ଜରୀ ଓ ସ୍କିନ୍ ଟାଇଟେନିଙ୍ଗ୍ ଇତ୍ୟାଦି ।