ଡା. ମୋନାଲିସା ମହାପାତ୍ର
ଚକ୍ଷୁ ଚିକିତ୍ସକ

ଯଦି ଦୁଇଟିଯାକ ଚକ୍ଷୁର ଦୃଷ୍ଟି ଗୋଟିଏ ଦିଗ ବା ନିର୍ଦ୍ଦିଷ୍ଟ ବସ୍ତୁକୁ ନିବଦ୍ଧ ହେଲା ନାହିଁ, ଅର୍ଥାତ୍ ଯଦି ଦୁଇଟିଯାକ ଚକ୍ଷୁ ଦୁଇଟି ଅଲଗା ଅଲଗା ଦିଗକୁ ଦେଖିଲେ ତାକୁ ସ୍କ୍ୱିଂଟ୍ ବା ଟେରା କୁହାଯାଏ । ଗୋଟିଏ ଚକ୍ଷୁ ଭିତରକୁ, ବାହାରକୁ, ତଳକୁ, ଉପରକୁ ଚାହୁଁଥିଲାବେଳେ ଅନ୍ୟ ଚକ୍ଷୁଟି ଆଉ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ନିରୀକ୍ଷଣ କରୁଥାଏ । ଏହା ସବୁବେଳେ ହୋଇଥାଏ କିମ୍ବା କେବେ କେବେ ହୋଇପାରେ । ଏହା ଜନ୍ମଗତ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଶିଶୁର ଚିକିତ୍ସା କରିବା ଏକାନ୍ତ ଆବଶ୍ୟକ, ନଚେତ୍ ଆମବ୍ଲାୟୋପିଆ (ଅଳ୍ପ ଦୃଷ୍ଟିଶକ୍ତିଯୁକ୍ତ ଚକ୍ଷୁ) ଭଳି ସମସ୍ୟା ସୃଷ୍ଟି କରେ, ଯାହା ପରବର୍ତୀ କାଳରେ ଦୃଷ୍ଟିଶକ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଥାଏ ବା ଅନ୍ଧତ୍ୱ ସୃଷ୍ଟି କରିଥାଏ ।

ଟେରା ହେବାର କାରଣ-
– ଆନୁବଂଶିକ
– ଚକ୍ଷୁ ମାଂସପେଶୀରେ ଦୁର୍ବଳତା ବା ଚକ୍ଷୁ ମାଂସପେଶୀର ସ୍ନାୟୁଗତ ସମସ୍ୟା
– ମୋତିଆବିନ୍ଦୁ, ଶ୍ୱେତପଟଳ ଦାଗ (କର୍ଣ୍ଣିଆଲ୍ ସ୍କାର), ଗ୍ଲୁକୋମା, ରିଫ୍ରାକ୍ଟିଭ୍ ଏରର୍‌, ଅଷ୍ଟିକ୍ ନର୍ଭ ରୋଗ, ଦୃଷ୍ଟିପଟଳ (ରେଟିନା) ରୋଗ, ଚକ୍ଷୁର ଅର୍ବୁଦ ଆଦି ଦ୍ୱାରା ସୃଷ୍ଟି ହେଉଥିବା ଦୃଷ୍ଟିଶକ୍ତି କ୍ଷୀଣ ହୋଇଯିବା ବା ଝାପ୍‌ସା ଦେଖାଯିବା ଦ୍ୱାରା
– ଚକ୍ଷୁରେ ଆଘାତ

ଯେତେବେଳେ ଦୁଇଟି ଚକ୍ଷୁ ଅଲଗା ଅଲଗା ଦିଗରେ ଦେଖୁଥାନ୍ତି, ସେତେବେଳେ ଶିଶୁଟିର ମସ୍ତିସ୍କ ଏକା ସାଙ୍ଗରେ ଦୁଇଟି ବସ୍ତୁ ବା ଦୁଇଟି ଦିଗକୁ ଦେଖିବାରେ ଘୋର ଅସୁବିଧାର ସମ୍ମୁଖୀନ ହୁଏ । ଏହି କ୍ଷେତ୍ରରେ ଶିଶୁର ମସ୍ତିଷ୍କ ସିଧା ଦେଖୁଥିବା ଚକ୍ଷୁକୁ ବ୍ୟବହାର କରିଥାଏ ଏବଂ ସ୍କ୍ୱିଂଟ୍‌ରେ ପୀଡ଼ିତ ଚକ୍ଷରୁ ଆସୁଥିବା ପ୍ରତିବିମ୍ବକୁ ଅବରୋଧ କରିଦେଇଥାଏ । ତେଣୁ ଦୀର୍ଘ ସମୟ ଧରି ଏହି ପୀଡ଼ିତ ଚକ୍ଷୁର ପ୍ରତିବିମ୍ବ ଅବରୋଧ ହେବା ଫଳରେ ଧୀରେ ଧୀରେ ଏହି ଚକ୍ଷୁ ଦୁର୍ବଳ ହୋଇପଡ଼େ ଏବଂ ଏହି ଅନୁପଯୋଗିତା ଯୋଗୁଁ ଏହା ପ୍ରାୟ ଅନ୍ଧତ୍ୱ ଅବସ୍ଥାକୁ ଆସିଯାଇଥାଏ ।


ସାଧାରଣତଃ ଗୋଟିଏ ବସ୍ତୁକୁ ଦେଖିଲା ବେଳେ ଆମେ ଦୁଇଟିଯାକ ଚକ୍ଷୁରେ ଏକକାଳିନ ଟିକେ ଅଲଗା ଅଲଗା କୋଣରୁ ଦୃଷ୍ଟି ନିବଦ୍ଧ କରିଥାଉ; ଯାହାକି ସେହି ବସ୍ତୁର ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତାର ସଠିକ୍ ମାପ ବା ଥ୍ରୀଡି ଆକୃତିର ମାପ ଦେଇଥାଏ । ଏହି ସୁବିଧା ସ୍କ୍ୱିଂଟରେ ପୀଡ଼ିତ ଥିବା ଚକ୍ଷୁରେ ଉପଲବ୍ଧ ନଥାଏ । ତେଣୁ ଏଥିରେ ଆକ୍ରାନ୍ତ ଶିଶୁ କେବଳ ଗୋଟିଏ ଚକ୍ଷୁରେ ଦେଖିଥାଏ ଏବଂ ଥ୍ରୀଡି ଆକୃତିର ସଠିକ୍ ମାପ ପାଇପାରେ ନାହିଁ ।
ଏହି ପରିପ୍ରେକ୍ଷୀରେ ସ୍କ୍ୱିଂଟ୍ ପାଇଁ ଶିଶୁଟି ଭୋଗୁଥିବା ମାନସିକ ଅବସାଦ ଏବଂ ସ୍କୁଲ ଓ ସମାଜରେ ଭୋଗୁଥିବା ସାମାଜିକ ସମସ୍ୟା ବିଷୟରେ ମଧ୍ୟ ଧ୍ୟାନ ଦେବାକୁ ହେବ । କାରଣ ଅôଧକାଂଶ ସାଙ୍ଗସାଥି ତଥା ବାହାର ଲୋକ ଅନେକ ସମୟରେ ଏହି ଶିଶୁକୁ ଚିଡ଼ାଇଥାନ୍ତି; ଫଳରେ ଶିଶୁଟି ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼େ ତଥା ଅବସାଦଗ୍ରସ୍ତ ହୋଇପଡ଼େ । ଧୀରେ ଧୀରେ ଶିଶୁଟି ସ୍କୁଲକୁ ଯିବାକୁ ଅମଙ୍ଗ ହୁଏ, ଘରୁ ବାହାରକୁ ଯିବାକୁ ରାଜି ହୁଏ ନାହିଁ ଏବଂ ନିଜର ଫଟୋ ଉଠାଇବାକୁ ମଧ୍ୟ ମନା କରେ । ପରବର୍ତୀ ସମୟରେ ଏ ଶିଶୁଟି ହୀନମନ୍ୟତାର ଶିକାର ହୋଇଯାଏ ଏବଂ ଭୀଷଣ ମାନସିକ ଚାପରେ ରହିଥାଏ ।

ସ୍କ୍ୱିଂଟର ଲକ୍ଷଣ-
– ଗୋଟିଏ ଚକ୍ଷୁ କିମ୍ବା ଦୁଇଟିଯାକ ଚକ୍ଷୁ ଅଲଗା ଅଲଗା ଦିଗକୁ ଦେଖନ୍ତି ।
– ଶିଶୁର ଗୋଟିଏ ଚକ୍ଷୁରେ କିମ୍ବା ଦୁଇଟିଯାକ ଚକ୍ଷୁରେ ଦୃଷ୍ଟିଜନିତ ସମସ୍ୟା ଥାଏ ।
– ସ୍କ୍ୱିଂଟରେ ପୀଡ଼ିତ ଶିଶୁ ଅତ୍ୟଧିକ ସୂର୍ଯ୍ୟାଲୋକରେ ଗୋଟିଏ ଚକ୍ଷୁ ବନ୍ଦ କରିଦିଏ ।
– ସ୍କ୍ୱିଂଟରେ ପୀଡ଼ିତ ଥିବା କିଛି ଶିଶୁ ନିଜର ଦୁଇଟି ଚକ୍ଷୁର ଏକା ସାଙ୍ଗରେ ବ୍ୟବହାର ପାଇଁ ନିଜ ମୁଣ୍ଡକୁ ଗୋଡ଼ଯାଏଁ ନିର୍ଦ୍ଦିଷ୍ଟ ପଟକୁ ମୋଡ଼ିଥାନ୍ତି ।
– ବେଳେବେଳେ ଏହି ଶିଶୁକୁ ଏକା ସାଙ୍ଗେ ଦୁଇଟି ଦୃଶ୍ୟ / ଦୁଇଟି ବସ୍ତୁ ଦେଖୁଥିବାର ଅନୁଭୂତ ହୁଏ ଏବଂ ଭ୍ରମ ସୃଷ୍ଟି ହୋଇଥାଏ ।

ଏହାର ଚିକିତ୍ସା
ରିଫ୍ରାକ୍ଟିଭ୍ ଏରର୍ ଯୋଗୁଁ ହେଉଥିବା ସ୍କ୍ୱିଂଟକୁ ଉପଯୁକ୍ତ ଚଷମା ବ୍ୟବହାର ଦ୍ୱାରା ଠିକ୍ କରିହୁଏ ।

ଶଲ୍ୟ ଚିକିତ୍ସା
ଚଷମା ଦ୍ୱାରା ଏବଂ ପ୍ୟାଚିଙ୍ଗ୍ ଥେରାପି ଦ୍ୱାରା ଦୃଷ୍ଟିଶକ୍ତିରେ ଉନ୍ନତି ଆସିଥିବା ଶିଶୁର ଶଲ୍ୟ ଚିକିତ୍ସା କରାଯାଏ । ଅଲଗା ଅଲଗା ଦିଗକୁ ଦେଖୁଥିବା ଚକ୍ଷୁ ଦୁଇଟିକୁ ଶଲ୍ୟ ଚିକିତ୍ସା ଦ୍ୱାରା ସିଧା ଦୃଷ୍ଟିରେ ପରିବର୍ତିତ କରାଯାଇପାରେ । ଏହି ଶଲ୍ୟ ଚିକିତ୍ସାରେ ମାଂସପେଶୀକୁ ନିଜର ମୂଳ ସ୍ଥାନରୁ ହଟାଯାଇ ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତରଣ କରାଏ । ଏକ ସ୍ୱତନ୍ତ୍ର ପ୍ରିଜମର ମାପ ଅନୁସାରେ କେତେ ମାଂସପେଶୀ ସ୍ଥାନାନ୍ତରଣ କରାଯିବ, ତାହା ନିର୍ଦ୍ଧାରିତ ହୋଇଥାଏ ।
ଶିଶୁମାନଙ୍କଠାରେ ଏହି ଶଲ୍ୟ ଚିକିତ୍ସା ଜେନେରାଲ୍ ଆନାସ୍ଥେସିଆ ବା ନିଶ୍ଚେତକ ଦେଇ କରାଯାଇଥାଏ । ଜେନେରାଲ୍ ଆନାସ୍ଥେସିଆ ଦେବା ପୂର୍ବରୁ ଶିଶୁଟି ଜ୍ୱର, କାଶ, ସାଧାରଣ ଥଣ୍ଡାରେ ପୀଡ଼ିତ ନଥିବାର ପରୀକ୍ଷା କରି ଦେଖାଯାଏ ।
ଥରକରେ ଗୋଟିଏ ଚକ୍ଷୁର ବା ଉଭୟ ଚକ୍ଷୁର ମଧ୍ୟ ଶଲ୍ୟ ଉପଚାର ଏକକାଳୀନ କରାଯାଇପାରେ ।
ନେତ୍ରଗୋଲକ (ଆଇବଲ୍‌) ର ଧଳା ଅଙ୍ଗ (ଶ୍ୱେତ ପଟଳ)ରେ ଶଲ୍ୟ ପଦ୍ଧତି ଅବଲମ୍ବନ କରାଯାଏ ।
ନେତ୍ର ଗୋଲକ ଉନ୍ମୁକ୍ତ କରାଯାଏ ନାହିଁ ।
ଶଲ୍ୟ ଚିକିତ୍ସା ପରେ ହସ୍ପିଟାଲ୍‌ରେ କେବଳ ଗୋଟିଏ ଦିନ ପାଇଁ ରହିବାକୁ ପଡ଼ିଥାଏ ।
ଏଠାରେ ମନେ ରଖିବାକୁ ହେବ ଯେ, ଶଲ୍ୟ ଉପଚାର ପରେ ଚିକିତ୍ସା ସମାପ୍ତ ହୋଇଗଲା ବୋଲି ଭାବିବେ ନାହିଁ । ସ୍ୱଚ୍ଛ ଦୃଷ୍ଟି ପାଇଁ ଚଷମା ବ୍ୟବହାର କରିବାକୁ ହୁଏ । ଶଲ୍ୟ ଚିକିତ୍ସା ପରେ ପ୍ୟାଚିଙ୍ଗ୍ ଥେରାପି ନିୟମିତ ଭାବେ କିଛି ଦିନ ନେବାକୁ ପଡ଼େ ।

ସଅଳ ଚିକିତ୍ସାର ମହତ୍ତ୍ୱ –
ଶିଶୁଟି ଯେତେବେଳେ ଜନ୍ମ ହୁଏ, ସେତେବେଳେ ତାହାର ଦୃଷ୍ଟିଶକ୍ତି ଅତି ଅଳ୍ପ ଥାଏ ଏବଂ ସେ କେବଳ ଅତି ନିକଟରେ ଥିବା ବଡ଼ ବସ୍ତୁକୁ ଦେଖିପାରେ । ଯେତେବେେଳେ ଶିଶୁଟି ବାହାର ଦୁନିଆକୁ ଦେିବାକୁ ଆରମ୍ଭ କରେ, ସେତେବେଳେ ତାହାର ଦୃଷ୍ଟିଶକ୍ତି ପରିପକ୍ୱତା ଖୁବ୍ ଶୀଘ୍ର ବୃଦ୍ଧିପାଏ ।
୮୦% ଦୃଷ୍ଟି ପରିପକ୍ୱତା ପ୍ରଥମ ଦୁଇ ବର୍ଷ ବୟସ ଭିତରେ ହୋଇଥାଏ ଏବଂ ବଳକା ୨୦% ଦୃଷ୍ଟି ପରିପକ୍ୱତା ଆଠ ବର୍ଷ ବୟସ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥାଏ ।
ଶିଶୁ ଜନ୍ମର ପ୍ରଥମ କିଛି ବର୍ଷ ମଧ୍ୟରେ ସ୍କ୍ୱିଂଟ୍ ବା ମୋତିଆବିନ୍ଦୁ ବା ସମୀପ ଦୃଷ୍ଟିଦୋଷ ବା ଦୂରଦୃଷ୍ଟି ଦୋଷ ଦ୍ୱାରା ଯଦି ଦୃଷ୍ଟି ପରିପକ୍ୱତା ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ, ତେବେ ଏହା ପରବର୍ତୀ କାଳରେ ଚିରକାଳୀନ ଅନ୍ଧତ୍ୱ ହେବାର କାରଣ ହୋଇଥାଏ, ଯାହାକୁ ଲୋକେ ‘ଲେଜି ଆଇ’ ବା ‘ଆମବ୍ଲାୟୋପିଆ’ କହିଥାନ୍ତି ।
ଟେରାପଣ ଶିଶୁର ଚେହେରାକୁ ପ୍ରଭାବିତ କରିଥାଏ । ଏହା ଶିଶୁର ଦୃଷ୍ଟିଶକ୍ତି ଓ ମୁଖର ଆକୃତିକୁ ମଧ୍ୟ ପ୍ରଭାବିତ କରିଥାଏ । ୨ ବର୍ଷ ବୟସ ଆଗରୁ ଶିଶୁର ଚକିତ୍ସା କଲେ ଟେରାପଣକୁ ଦୂର କରାଯାଇପାରିବ । ଶିଶୁ ଯେତେ ଯେତେ ବଡ଼ ହୁଏ, ସେତେସେତେ ଚିକିତ୍ସାରେ ଅସୁବିଧା ହୁଏ ତଥା ତାହାର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ । ତେଣୁ ଶୀଘ୍ର ଚିକିତ୍ସା କଲେ ଶିଶୁ ପାଇଁ ଭଲ । ଯଦିଓ ବଡ଼ ହେଲା ପରେ କସ୍ମେଟିକ୍ ସର୍ଜରୀ ଦ୍ୱାରା ଯେ କୌଣସି ବୟସରେ ମଧ୍ୟ ଚକ୍ଷୁକୁ ସିଧା ଚିକିତ୍ସା କରାଯାଇପାରେ ।