
ପ୍ରଫେସର୍ ଡା. ଅକ୍ଷୟ କୁମାର ସାମଲ
ବିଭାଗୀୟ ମୂଖ୍ୟ, ହୃଦ୍ରୋଗ ବିଭାଗ
ହାଇଟେକ୍ ମେଡ଼ିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ୍
ଭୁବନେଶ୍ୱର
ହୃତ୍ପିଣ୍ଡର ଧମନୀରେ ଆଥେରୋସ୍କ୍ରେୋସିସ୍ ରୋଗ ହୋଇ ତାହା ସଂକୀର୍ଣ୍ଣ ହୁଏ ଓ ହୃତପିଣ୍ଡକୁ ରକ୍ତ ସଞ୍ଚାଳନ କମ୍ କରି ଆଞ୍ଜାଇନା ଓ ବନ୍ଦ କରି ହୃଦ୍ଘାତ (ହାର୍ଟଆଟାକ୍) କରାଇଥାଏ । ସେହି ଆଥେରୋସ୍କେରୋସିସ୍ ପ୍ରକ୍ରିୟାକୁ ପରାହତ କରି ହୃଦ୍ରୋଗରୁ ରକ୍ଷା ପାଇବା ପାଇଁ ନିମ୍ନଲିଖିତ ଉପାୟ ଅବଲମ୍ବନ କରାଯାଇପାରେ । ଯାହାକୁ ଆମେ ଏ ବି ସି ଆକାରରେ ସଂଯୋଜନା କରିପାରିବା ।
ଏ : ଆଲ୍କୋହଲ୍ ମୋଡେରେସନ୍ – ଅତ୍ୟଧିକ ମଦ୍ୟପାନ ଦେହ ତଥା ହୃଦୟ ପକ୍ଷେ କ୍ଷତିକାରକ । ମଦ୍ୟପାନ ଆରମ୍ଭ କରନ୍ତୁ ନାହିଁ । ଯଦି ଅଭ୍ୟାସ ଅଛି, ଛାଡ଼ି ନ ହେଉଛି, ଦିନକୁ ଏହାର ମାତ୍ରା ଏକ ପେଗ୍ରେ ସୀମିତ ରଖନ୍ତୁ । ମହିଳାମାନେ ଏହାର ଅଧା ପିଅନ୍ତୁ ।
ବି : ବଡି ୱେଟ୍ ରିଡକ୍ସନ – ମୋଟାପଣ ବା ପୃଥୁଳକାୟ ହେବା ହୃଦୟ ପକ୍ଷେ କ୍ଷତିକାରକ, ବିଶେଷକରି ଉଦର ପୃଥୁଳତା । ଶରୀରର ଓଜନକୁ ନିୟନ୍ତ୍ରଣ କରନ୍ତୁ । ନିଜର ଉଚ୍ଚତା ସେଣ୍ଟିମିଟରରେ ମାପି ସେଥିରୁ ଶହେ ଫେଡ଼ି ଯାହା ହେଲା, ସେତିକି କିଲୋଗ୍ରାମ ହେଉଛି ପ୍ରକୃଷ୍ଟ ଓଜନ । ବ୍ୟାୟାମ କରି, ଖାଦ୍ୟକୁ ସୁଷମ ରଖି ଓଜନକୁ କମାନ୍ତୁ । ବି.ଏମ୍.ଆଇ.କୁ ୨୫ ଭିତରେ ରଖନ୍ତୁ ।
ସି : ସିଜେସନ୍ ଅଫ୍ ସଲ୍ଟ / ସ୍ମୋକିଂ – ଅତ୍ୟଧିକ ଲୁଣ (ଏନ୍ଏସିଏଲ୍) ଖାଇଲେ ରକ୍ତଚାପ ବଢ଼ିଥାଏ, ତେଣୁ ଦୈନିକ ୬ ଗ୍ରାମ ଭିତରେ ଲୁଣ ବ୍ୟବହାର କରନ୍ତୁ । ଏକ୍ସଟ୍ରା ସଲ୍ଟ ଖାଆନ୍ତୁ ନାହିଁ । ଆଚାର, ପାମ୍ପଡ଼ ଆଦି କମାନ୍ତୁ ।
ଧୂମପାନ ଦେହ ପକ୍ଷେ କ୍ଷତିକାରକ । ଧୂଆଁରେ ଥିବା ନିକୋଟିନ୍ ସବୁଠୁ ମାରାତ୍ମକ ଏବଂ ଏହା ହୃଦରୋଗ, କ୍ୟାନ୍ସର ଆଦି କରାଇଥାଏ । ତେଣୁ ଧୂମପାନକୁ ସର୍ବଦା ବନ୍ଦ କରନ୍ତୁ । ବିଡ଼ି, କଡ଼ାପାନ, ସିଗାରେଟ୍, ଗୁଟ୍ଖା, ଗୁଣ୍ଡି, ଭାଙ୍ଗ ଆଦି ବର୍ଜନ କରନ୍ତୁ ।
ଡି : ଡାଏଟ୍ – ତଟକା ଫଳ ଓ ପନିପରିବା ଖାଆନ୍ତୁ । ଅତ୍ୟଧିକ ଚର୍ବି ଓ ତୈଳ ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ । ଅଧିକ ଶ୍ୱେତସାର ବା ଚିନି, ମିଠା, ଭାତ ଆଦି ଖାଆନ୍ତୁ ନାହିଁ । ତନ୍ତୁଯୁକ୍ତ ଖାଦ୍ୟ ଖାଆନ୍ତୁ । ଦିନକୁ ଗୋଟିଏ ବା ଦୁଇଟି ଅଣ୍ଡା ଖାଆନ୍ତୁ । ମାଛ ଖାଆନ୍ତୁ । ଏଥିରେ ପୁଷ୍ଟିସାର ଅଛି । ଖାସି ମାଂସ ଖାଆନ୍ତୁ ନାହିଁ । ଭୋଜିଭାତରୁ ଓ ଜଙ୍କ୍ଫୁଡ୍, ଫାଷ୍ଟଫୁଡ୍ଠାରୁ ଦୂରେଇ ରୁହନ୍ତୁ ।
ଇ : ଏକ୍ସରସାଇଜ୍ – ବ୍ୟାୟାମର ଉପକାରିତା ସମସ୍ତେ ଜାଣନ୍ତି । ରକ୍ତଚାପ, ହୃଦ୍ରୋଗ, ଅଧିକ ଚର୍ବି ଆଦି ସହ ସବୁ ରୋଗକୁ ଏହା କମାଇଥାଏ । ପ୍ରତିଦିନ ୩୦ ମିନିଟ୍ ବ୍ୟାୟାମ କରନ୍ତୁ । ଯଦି ସବୁବେଳେ ନ ହେଲା, ସପ୍ତାହରେ ପାଞ୍ଚ ଦିନ କରିପାରନ୍ତି । ୱାକିଂ, ସ୍ୱିମିଂ, ଜଗିଂ, ସାଇକେଲିଂ ଆଦି ଚାରିଗୋଟି ଆଇସୋଟନିକ୍ ଏକ୍ସରସାଇଜ୍ । ଏଗୁଡ଼ିକ ହୃଦୟ ପାଇଁ ଉପଯୋଗୀ । ଅନ୍ୟ ବ୍ୟାୟାମଗୁଡ଼ିକ ଆଇସୋମେଟ୍ରିକ୍ ଏକ୍ସରସାଇଜ୍ । ଯାହାକି ମାଂସପେଶୀ ପାଇଁ ଉପଯୋଗୀ ।
ଏଫ୍ : ଫ୍ରିଡମ୍ ଫ୍ରମ୍ ଷ୍ଟ୍ରେସ୍ ଆଣ୍ଡ୍ ଷ୍ଟ୍ରେନ୍ – ଅତ୍ୟଧିକ ମାନସିକ ଚାପ ହୃଦ୍ରୋଗର ପ୍ରଧାନ କାରଣ । ତିନୋଟି ସ୍ଥାନରୁ ମାନସିକ ଚାପ ଆସିଥାଏ । ପରିବାର, କାର୍ଯ୍ୟସ୍ଥଳୀ ଓ ସମାଜ । ଘରେ ସ୍ତ୍ରୀଙ୍କ ସହ ଉତ୍ତମ ସମ୍ପର୍କ ରଖିଲେ ଅଧା ଚାପ କମିଯାଏ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀ, ମାଲିକ ଆଦିଙ୍କ ସହ ଉତ୍ତମ ସମ୍ପର୍କ ରଖନ୍ତୁ ଓ ହସଖୁସି କରନ୍ତୁ । ସମାଜରେ ଭଲ ବ୍ୟବହାର ଦେଖାନ୍ତୁ ।
ମାନସିକ ଚାପରୁ ରକ୍ଷା ପାଇବା ପାଇଁ ନିୟମିତ ଯୋଗ, ଧ୍ୟାନ ଓ ପ୍ରାଣାୟାମ କରନ୍ତୁ । ଚିନ୍ତା, ଚେତନା, ବାକ୍ୟ ଓ କାର୍ଯ୍ୟରେ ପବିତ୍ରତା ରଖନ୍ତୁ । ସୁଚିନ୍ତା ଓ ସକାରାତ୍ମକ ଚିନ୍ତା କରନ୍ତୁ । ନିଜେ ହସନ୍ତୁ ଓ ଅନ୍ୟକୁ ହସାଇବାକୁ ଚେଷ୍ଟା କରନ୍ତୁ ।
ଜି : ଗଡ୍ ଆଣ୍ଡ୍ ଗୁରୁ – ଭଗବାନ୍ ହେଉଛନ୍ତି ଆମର ଫ୍ରେଣ୍ଡ୍, ଫିଲୋସଫର୍ ଓ ଗାଇଡ୍ । ସେ ମଙ୍ଗଳମୟ । ଅଦୃଶ୍ୟ ସାହାଯ୍ୟକାରୀ । ବିପଦ ଆପଦ, ଚାପ ସମୟରେ ତାଙ୍କୁ ହିଁ ସ୍ମରଣ କରନ୍ତୁ, ରକ୍ଷା ପାଇଯିବେ ।
“ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।
ଅହଂ ତ୍ୱା ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚଃ ।ା”
ଭଗବାନ ନିଜେ ଗୀତାରେ କହିଛନ୍ତି, ଭଗବାନଙ୍କ ପରିବର୍ତ୍ତେ ସଦ୍ଗୁରୁଙ୍କ ପରାମର୍ଶ ମଧ୍ୟ ନେଇପାରନ୍ତି ।
ବେଦରେ ଅଛି, ଆଚାର, ବିଚାର, ବ୍ୟବହାର, ଆହାର (ଓ ନିଦ୍ରା) – ଏହି ଚାରୋଟି ଠିକ୍ ରହିଲେ ହୃଦ୍ରୋଗ ହେବ ନାହିଁ ।