ସତ୍ ଉପାୟରେ ରୋଜଗାର ପେଟ ପୂରାଏ, ମନ ଓ ହୃଦୟ ବି…
– ପ୍ରଫେସର୍ ଡା. ଅକ୍ଷୟ କୁମାର ସାମଲ

ଜଣେ ହୃଦ୍ ଡାକ୍ତର ନୁହନ୍ତି କେବଳ, ଖୁବ୍ ଅମାୟିକ, ସରଳ, ମେଳାପୀ, ଉଦାରମନା, ଦରଦୀ ଓ ହୃଦୟବାନ ମଣିଷ ସେ । ଅର୍ଥସର୍ବସ୍ୱ, ସ୍ୱାର୍ଥସର୍ବସ୍ୱ ଆଜିର ସମୟରେ ମଧ୍ୟ ନୀତି ଆଦର୍ଶରୁ ବିଚ୍ୟୁତ ହୋଇନାହାନ୍ତି । ‘ମାନବ ସେବା ହିଁ ମାଧବ ସେବା’କୁ ଆଦରିନେଇ ଜୀବନଯାତ୍ରାର ଯାତ୍ରୀ ସାଜିଛନ୍ତି ସେ । ପୁରାଣ, ସାହିତ୍ୟ, ଦର୍ଶନରେ ଅଗାଧ ଜ୍ଞାନ ତାଙ୍କର । ବହୁ ବଡ଼ ବଡ଼ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପରେ ବର୍ତମାନ ସେ ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ହୃଦରୋଗ ବିଭାଗର ବିଭାଗୀୟ ମୁଖ୍ୟ ତଥା ହସ୍ପିଟାଲ୍ ଅଧୀକ୍ଷକ ଭାବରେ ଅବସ୍ଥାପିତ । ଡାକ୍ତର ପତ୍ନୀଙ୍କ ସହ ସେ ଅବସ୍ଥାନ କରୁଛନ୍ତି ଭୁବନେଶ୍ୱରରେ । ରୋଗୀ ସେବା ସାଙ୍ଗକୁ ବହୁ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହ ମଧ୍ୟ ସମ୍ପୃକ୍ତି ରହିଛି ତାଙ୍କର । ଫ୍ଲାସ୍‌ବ୍ୟାକ୍‌ରେ ଏଥର ଭେଟିବା ଆସନ୍ତୁ ଏହି ମହାନୁଭବ ପ୍ରଫେସର୍ ଡା. ଅକ୍ଷୟ କୁମାର ସାମଲଙ୍କୁ…

ଯାଜପୁର ଜିଲ୍ଲା, ବିଞ୍ଝାରପୁର ଥାନା ଅନ୍ତର୍ଗତ ମାନ୍‌ଧାତା ପାଟଣା ଗାଁରେ, ଜୁନ୍ ୧୫ ତାରିଖ ୧୯୫୬ ମସିହାରେ ବାପା ଚକ୍ରଧର ସାମଲ ଓ ମା’ ସାବିତ୍ରୀ ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୁଅନ୍ତି ଅକ୍ଷୟ । ବାପା ଥିଲେ ପୂର୍ବତନ ଜମିଦାର ବଂଶୀୟ । ତେଣୁ ଏକ ଉତମ ପରିବେଶରେ ବଢ଼ିଥିଲେ ଅକ୍ଷୟ । ଗାଁ ସ୍କୁଲରେ ଆରମ୍ଭ ହୋଇଥିଲା ପାଠପଢ଼ା । ଛୋଟବେଳୁ ହିଁ ଅଧ୍ୟୟନରେ ଖୁବ୍ ମନୋଯୋଗୀ ଥିଲେ ସେ । ପଂଚମ ଓ ସପ୍ତମ ଶ୍ରେଣୀରେ ବୃତି ଲାଭ କରି ନିଜ ମେଧାଶକ୍ତିର ପରିଚୟ ଦେଇଥିଲେ । ୧୯୭୨ ମସିହାରେ ଗାଁ ପାଖ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଜାତୀୟ ମେଧାବୃତି (୧୯୭୨ ରୁ ୧୯୭୯ ଯାଏଁ) ଲାଭ କରି ସେ ଉତୀର୍ଣ୍ଣ ହୋଇଥିଲେ । ଏହି ପରୀକ୍ଷାରେ ସେ ଖୁବ୍‌୍ ଭଲ କରିଥିଲେ ହେଁ ମାତ୍ର କେତେ ନମ୍ବର ପାଇଁ ବେଷ୍ଟ ଟେନ୍‌ଥରୁ ବଂଚିତ ହୋଇଥିଲେ । ଏହା ପରେ ସେ ପଢ଼ିଥିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ରାଉରକେଲା ସାଇନ୍ସ କଲେଜରେ । ସେଠାରୁ ମଧ୍ୟ ବେଷ୍ଟ ଟେନ୍‌ଥ ଭିତରେ ରହି ପିୟୁ ଓ ପିପି ଉତୀର୍ଣ୍ଣ ହେଲେ ସେ । ସେତେବେଳକୁ ବେଷ୍ଟ ଟେନ୍‌ଥରେ ରହୁଥିବା ବିଦ୍ୟାର୍ଥୀଙ୍କ ପାଇଁ ଦଶଟି ମେଡିକାଲ୍ ସିଟ୍ ସଂରକ୍ଷଣ ବ୍ୟବସ୍ଥା ରହିଥିଲା । ତେବେ ଡାକ୍ତରୀ ପଢ଼ିବା ପାଇଁ ତାଙ୍କର ଆଗ୍ରହ ନଥିଲା । କାରଣ ସେ ଥିଲେ ଫିଜିକ୍ସ ଓ ମ୍ୟାଥମେଟିକ୍‌ସର ଜଣେ ଭଲ ଛାତ୍ର । ରେଭେନ୍ସା କଲେଜରେ ଫିଜିକ୍ସ ଅନର୍ସ ନେଇ ପଢ଼ିବା ପାଇଁ ନାମ ଲେଖାଇଥିଲେ । ଏହା ଥିଲା ୧୯୭୪ ମସିହାର ଘଟଣା । ଠିକ୍ ଏତିକିବେଳକୁ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ରାଜସ୍ଥାନର ପୋଖରାନ୍‌ରେ ଏକ ପରମାଣୁ ପରୀକ୍ଷା କରିଥିଲେ । ସେତେବେଳକୁ ତାହା ଥିଲା ଖୁବ୍ ଚର୍ଚ୍ଚାରେ । ଯେହେତୁ ଅକ୍ଷୟ ଫିଜିକ୍ସରେ ଖୁବ୍ ପାରଙ୍ଗମ ଥିଲେ, ତେଣୁ ଭବିଷ୍ୟତରେ ଜଣେ ବୈଜ୍ଞାନିକ ହେବାକୁ ମନେ ମନେ ନିଷ୍ପତି ନେଇସାରିଥିଲେ । ତେବେ ଅକ୍ଷୟଙ୍କର କକା କହିଥିଲେ, ଡାକ୍ତରୀ ପଢ଼ିବା ପାଇଁ ପିଲାଏ ବହୁତ କଷ୍ଟ କରି ସୁଯୋଗ ପାଉନାହାନ୍ତି । ତତେ ଏମିତିରେ ଫ୍ରିରେ ମିଳୁଛି ସିଟ୍‌, ଛାଡ଼ିବୁ କାହିଁକି? ତେଣୁ ତୁ ଡାକ୍ତରୀ ପଢ଼ ବୋଲି ପ୍ରବର୍ତାଇଥିଲେ ଅକ୍ଷୟଙ୍କୁ । ସେହି କକା ହିଁ ଫର୍ମ ଫିଲପ୍ କରିବାରେ ସାହାଯ୍ୟ କରି ନିଜେ ଯାଇ ଆବେଦନ ପତ୍ର ଦାଖଲ କରିଥିଲେ । ତା’ପରେ ମେଡିକାଲ୍ ଏଂଟ୍ରାନ୍ସ ଦେଇଥିଲେ ଅକ୍ଷୟ । ମେଧାବୀ ଛାତ୍ର ଥିବାରୁ ସେ ଏଥିରେ ଖୁବ୍ ସହଜରେ ସଫଳ ହେଲେ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଛାତ୍ର ଥିବାରୁ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପଢ଼ିବାର ସୁଯୋଗ ଲାଭ କଲେ । ଯେହେତୁ ଡାକ୍ତରୀ ପଢ଼ିବାକୁ ଆଗ୍ରହ ନ ଥିଲା, ତେଣୁ ପ୍ରଥମେ କିଛି ଦିନ ଏହି ପାଠରେ ମନ ଲାଗିନଥିଲା ତାଙ୍କର । ମାତ୍ର ପରେ ପରେ ସେ ପାଠପଢ଼ାରେ ମନୋନିବେଶ କଲେ । ଶ୍ରେଣୀ ପରୀକ୍ଷାରେ ପ୍ରଥମ, ଦ୍ୱିତୀୟ ହୋଇ ୪ ଥର କଲେଜ୍ ମେରିଟ୍ ସ୍କଲାର୍‌ସିପ୍ ପାଇଥିଲେ (୧୯୭୫ ରୁ ୧୯୭୯ ଯାଏଁ) । ଆନାଟୋମି, ଆଇ ଇଏନ୍‌ଟିରେ ଅନର୍ସ ଲାଭ କଲେ । ଅପ୍‌ଥାଲ୍‌ମୋଲୋଜିରେ ଲାଭ କଲେ ପୂର୍ଣ୍ଣମାସୀ ଦେବୀ ସ୍ୱର୍ଣ୍ଣପଦକ । ତେବେ ମାତ୍ର କିଛି ମାର୍କ କମ୍ ହୋଇଯିବାରୁ ତାଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ବା ସେକେଣ୍ଡ ବେଷ୍ଟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ଏହା ଥିଲା ୧୯୭୯ ମସିହାର ଘଟଣା ।


ଏହାପରେ ବୁର୍ଲାରେ ପୋଷ୍ଟ ଗ୍ରାଜୁଏସନ୍ କଲେ ସେ । ୧୯୮୫ ମସିହାରେ ଏମ୍‌ଡି (ମେଡିସିନ୍‌)ରେ କୃତିତ୍ୱର ସହ ଉତୀର୍ଣ୍ଣ ହେଲେ । ତେବେ ଏମ୍‌ବିବିଏସ୍‌ରେ ପ୍ରଥମ ହୋଇ ନ ପାରିବାର ଯେଉଁ ଅଭାବବୋଧ ଥିଲା ତାଙ୍କ ଭିତରେ, ତାହା ପୂରା ହେଲା ପିଜିରେ । ଏଥିରେ ସର୍ବମୋଟ ୧୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ଥିଲେ ଡା. ଅକ୍ଷୟ ।

ସହପାଠିନୀଙ୍କ ସହ ଶୁଭ ପରିଣୟ
ପିଜି ତୃତୀୟ ବର୍ଷ; ପରୀକ୍ଷା ଛ’ ମାସ ଥାଏ । ସହପାଠିନୀ ତଥା ବୁର୍ଲାରେ ଡାକ୍ତରାଣୀ ଭାବେ କାର୍ଯ୍ୟରତ ଡା. କାଜଲଙ୍କ ସହ ଶୁଭ ପରିଣୟ ପର୍ବ ସମ୍ପନ୍ନ ହେଲା ଡା. ଅକ୍ଷୟଙ୍କର । ମୁଣ୍ଡ ଉପରେ ପରୀକ୍ଷା – ଏଣେ ବାହାଘରର ଜଞ୍ଜାଳ, ଝିନ୍‌ଝଟ । ଡା. ଅକ୍ଷୟଙ୍କୁ ଭଲ ପାଉଥିବା, ସ୍ନେହ କରୁଥିବା ସାର୍‌ମାନେ, ସହପାଠୀ ବନ୍ଧୁମାନେ ବ୍ୟସ୍ତ ହେଲେ – ବାହା ହେଲା ତ ହେଲା ଆଉ ଛ’ ମାସ ପରେ ହୋଇଥିଲେ କ’ଣ ଚଳିନଥାନ୍ତା! ପରୀକ୍ଷା ପାଇଁ ପଢ଼ାପଢ଼ି କରିବ ନା ପରିବାର ସମ୍ଭାଳିବ ଇତ୍ୟାଦି ଇତ୍ୟାଦି । ଇଏ ବୋଧେ ଫେଲ୍ ହେବା ପାଇଁ ବାହା ହେଲାଣି କହି ଅନେକେ ଟାହି ଟାପରା ବି କଲେ ।

ଚ୍ୟାଲେଞ୍ଜିଂ ଥିଲା ନକାରାତ୍ମକ ଟିପ୍ପଣୀ
ପ୍ରଫେସର ଡା. ବିମଳ କର ଥିଲେ ଡା. ଅକ୍ଷୟଙ୍କ ଗାଇଡ୍ । ସେତେବେଳକୁ ବିମଳ ସାର୍‌ଙ୍କ ସମ୍ପର୍କରେ ଅନ୍ୟମାନଙ୍କର ଗୋଟାଏ ଧାରଣା ଥାଏ ଯେ, ସେ ଯାହାକୁ ଗାଇଡ୍ କରନ୍ତି ସେ ଛାତ୍ରମାନେ ଫେଲ୍ ହେବାଟା ଥୟ । ଡା. ଅକ୍ଷୟ ବିମଳ ସାର୍‌ଙ୍କତ୍ତତତ୍ୱାବଧାନରେ ପିଜି କରୁଥାନ୍ତି । ଏଣେ ପୁଣି ସଦ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । ତେଣୁ ସେ ନିଶ୍ଚିତ ଭାବରେ ଫେଲ୍ ହେବେ ବୋଲି ଅନ୍ୟମାନେ ଗୋଟିଏ ସହଜ ଧାରଣା କରିନେଇଥାନ୍ତି । ଅନ୍ୟମାନଙ୍କର ଏହି ଧାରଣା ବା ନକାରାତ୍ମକ ଟିପ୍ପଣୀ ବେଶ୍ ଚ୍ୟାଲେଞ୍ଜିଂ ଥିଲା ତାଙ୍କ ପାଇଁ । ଜଣେ ମଣିଷ ଯେତେବେଳେ ତା’ ଚାରିପାଖର ମଣିଷଙ୍କ ଆଡ଼ୁ ସହଯୋଗ ପାଏନି, ସମର୍ଥନ ପାଏନି, ଓଲଟି ନକାରାତ୍ମକ କଥା ଶୁଣେ ସେତେବେଳେ ସେ ଦେବଦେବୀଙ୍କ ଶରଣାଗତ ହୁଏ । ଡା. ଅକ୍ଷୟଙ୍କ କ୍ଷେତ୍ରରେ ମଧ୍ୟ ସେମିତି ହିଁ ଘଟିଥିଲା । ସବୁଆଡ଼ୁ ନିରାଶାଜନକ ମନ୍ତବ୍ୟ ଶୁଣି ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ସ୍ମରଣ କଲେ । ପରୀକ୍ଷା ମାସେ ଅଛି ସେ ଯାଇ ପହଂଚିଗଲେ ମା’ଙ୍କ ଦୁଆରେ । ମା’ଙ୍କ ପୂଜାର୍ଚ୍ଚନା ଚାଲିଥାଏ । ଆଳତୀ ଚାଲିଥାଏ । ମନେମନେ ମା’ଙ୍କ ସାମ୍ନାରେ ପ୍ରାର୍ଥନା କଲେ – ‘ମାଲୋ, ତୁ ହିଁ ଭରସା । ଦୟା କର ମା, ଯେମିତି ହେଉ ପରୀକ୍ଷାରେ ମୁଁ କୃତିତ୍ୱର ସହ କୃତକାର୍ଯ୍ୟ ହୁଏ ।’ ଡା. ଅକ୍ଷୟଙ୍କ ଅନ୍ତରର ଡାକ ଶୁଣିପାରିଲେ ବୋଧେ ମା’ ସମଲେଶ୍ୱରୀ । ଶୁଭାଶୀର୍ବାଦ, ନିର୍ଭର ବାଣୀ ସ୍ୱରୂପ ତାଙ୍କ ମଥା ଉପରୁ ଖସି ଆସିଲା ଫୁଲମାଳଟିଏ । ଅଭୟଦାୟିନୀ ମା’ଙ୍କ ଆଶୀର୍ବାଦର ସଙ୍କେତ ସେଇ ଫୁଲଟି ପୂଜକ ଆଣି ଧରେଇଦେଲେ ଡା. ଅକ୍ଷୟଙ୍କ ହାତରେ । ଡା. ଅକ୍ଷୟ ନିଶ୍ଚିତ ହେଲେ ମା’ଙ୍କ ଆଶୀର୍ବାଦ ମିଳିଲା – ଏଥର ସଫଳତାରୁ କେହି ଆଉ ଅଟକେଇ ପାରିବେ ନାହିଁ । ଭକ୍ତି ଓ କୃତଜ୍ଞତାରେ ପୁଣି ଥରେ ମା’ଙ୍କ ଉଦ୍ଦେଶ୍ୟରେ ମୁଣ୍ଡ ନୁଆଁଇ ଫେରିଲେ ସେ । ତା’ପରେ ପରୀକ୍ଷାରେ ବସିଲେ । ଦୁଇଟା ସର୍ଟ୍‌, ଗୋଟିଏ ଲଙ୍ଗ୍ – ତିନୋଟିଯାକ କେସ୍‌ରେ ଖୁବ୍ ଭଲ କଲେ ସେ । ଦୁଇଜଣ ଏକ୍‌ଜାମିନର୍ ଆସିଥିଲେ ବାହାରୁ – ଜଣେ ବନାରସରୁ, ଆଉ ଜଣେ ଚଣ୍ଡୀଗଡ଼ରୁ । ଡା. ଅକ୍ଷୟଙ୍କ ସମେତ ୧୪ ଜଣ ପିଲା ପରୀକ୍ଷା ଦେଇଥିଲେ – ସାତ ଜଣ ଡାଇରେକ୍ଟ, ସାତ ଜଣ ଇନ୍‌ସର୍ଭିସ୍ । ସନ୍ଧ୍ୟାରେ ଡା. ଅକ୍ଷୟଙ୍କ ସାର୍‌ମାନେ ସେହି ଦୁଇ ଜଣ ଏକ୍‌ଜାମିନରଙ୍କୁ ପଚାରିଲେ – କିଏ ସବୁଠୁ ଭଲ କରିଛି? ତିନୋଟି ଯାକ କେସ୍‌ରେ ଡା. ଅକ୍ଷୟ ହିଁ ଭଲ କରିଛନ୍ତି ବୋଲି ସେମାନେ ଇଙ୍ଗିତ ଦେଇଥିଲେ; କହିଥିଲେ- ‘ଏକ୍ ଲଡ୍‌କା ଥା ମୋଟାୱାଲା, ସର୍ଟ ହାଇଟ୍ । ହି ହ୍ୟାଚ୍ ଡନ୍ ବେଷ୍ଟ୍ ଇନ୍ ଅଲ୍ ଥ୍ରି କେସେସ୍‌’ । ଡା. ଅକ୍ଷୟଙ୍କ ଏଚ୍‌ଓଡି ଥିଲେ ପ୍ରଫେସର ଡା. ପୂର୍ଣ୍ଣଚନ୍ଦ୍ର ଶତପଥୀ । ବୌଦ୍ଧର । ଭାରି ଜ୍ଞାନୀ, ଭାରି କଡ଼ା ସେ । ତାଙ୍କ ପାଖରେ ଅତି ବେଶିରେ ୩୦ ପ୍ରତିଶତ ପିଲା ପାସ୍ କରନ୍ତି । ପରଦିନ ସକାଳେ କିଛି ସହପାଠୀଙ୍କ ସହ ଡା. ଅକ୍ଷୟ ଯାଇଥାନ୍ତି ତାଙ୍କ ଘରକୁ । ସେମାନଙ୍କ ମଧ୍ୟରେ ଡା. ଗୋକୁଳ ମହାନ୍ତି ବୋଲି ଜଣେ ସହପାଠୀ ଥାଆନ୍ତି । ସେ ପ୍ରଫେସର ଶତପଥୀଙ୍କୁ ପଚାରିଲେ ଯେ, ପରୀକ୍ଷକମାନେ ‘ଏ’ କାହାକୁ ଦେଇଛନ୍ତି? ‘ଏ’ ଅର୍ଥାତ୍ ଅତି ଭଲ । ‘ବି’ ହେଲେ ଚଳିବ ଓ ‘ସି’ ଅର୍ଥାତ୍ ଫେଲ୍ । ଉତରରେ ଡା. ଅକ୍ଷୟଙ୍କୁ ‘ଏ’ ଦେଇଛନ୍ତି ବୋଲି କହିଥିଲେ ପ୍ରଫେସର ଶତପଥୀ । ତିନୋଟି କାରଣ ପାଇଁ ସେ ଡା. ଅକ୍ଷୟଙ୍କୁ ଏ ଦେଇଛନ୍ତି ବୋଲି କହିଥିଲେ – ‘ପୋଲାଇଟ୍‌, ସେଂଟ୍ ପର୍ସେଂଟ୍ ଟ୍ରୁଥ୍ ଓ କନ୍‌ଫିଡେଂଟ୍‌’ । ଏହା ସହିତ ଆଉ ଯେଉଁ କଥା ପଦକ କହିଥିଲେ ପ୍ରଫେସର ଶତପଥୀ, ତାହା ଥିଲା ଡା. ଅକ୍ଷୟଙ୍କ ପାଇଁ ବେଶ୍ ଉତ୍ସାହପ୍ରଦ । ସେ କହିଥିଲେ, ସାଉଥ୍‌ରେ ହୋଇଥିଲେ ସେ ଗୋଲ୍ଡ ମେଡାଲ୍‌ଟାଏ ପାଇଥାନ୍ତା । ଏଇଠି ତ ସେ ବ୍ୟବସ୍ଥା ନାହିଁ । ପ୍ରଫେସର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଭଳି ଜଣେ ଗୁଣି ଜ୍ଞାନୀ ପ୍ରଫେସରଙ୍କ ମୁହଁରୁ ବାହାରିଥିବା ଏଇ କଥା ପଦକ ଡା. ଅକ୍ଷୟଙ୍କ ପାଇଁ ସ୍ୱର୍ଣ୍ଣପଦକ ପ୍ରାପ୍ତିଠାରୁ କୌଣସି ଗୁଣରେ କମ୍ ନଥିଲା ।

ପାଂଚଥର ଓପିଏସ୍‌ସି
ଡା. ଅକ୍ଷୟଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗୌରବମୟ ଘଟଣା ଥିଲା ସେ ପାଂଚଥର ଓପିଏସ୍‌ସି ପାଇଥିଲେ । ଥରଟିଏ ମଧ୍ୟ ଓପିଏସ୍‌ସି ପାଇବା ଅନେକଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିବାବେଳେ ସେ ପାଇଥିଲେ ପାଂଚ ପାଂଚ ଥର । ପିଜି ସରିନଥିବାବେଳେ ଦୁଇ ଥର । ପରେ ଯୋଗ ଦେଲେ ଫୁଲବାଣୀର ତୁମୁଡ଼ିବନ୍ଧରେ । ଥରେ ଇଏସ୍‌ଆଇ ପିଏଚ୍‌ସି ଇଂଟରଭ୍ୟୁରେ ଓଡିଶାରେ ଫାଷ୍ଟ ବି ହୋଇଥିଲେ । କାନ୍‌ସବାହାଲରେ ଜଏନ୍ କଲେ । ଏହା ପରେ ପୁଣି ଓପିଏସ୍‌ସି ପାଇ ସମ୍ବଲପୁର ଲେପ୍ରୋସି କେଂଟ୍ରାଲ୍ ୟୁନିଟ୍‌ରେ ଜଏନ୍ କଲେ । ତିନି ବର୍ଷ ଚାକିରି ପରେ ୧୯୮୮ରେ ଡିଏମ୍ କଲେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍‌ପିଟାଲ୍‌ରେ । ୧୯୯୦ରେ ଓପିଏସ୍‌ସି ପାଇ ଭିଏସ୍‌ଏସ୍‌, ମେଡ଼ିସିନ୍‌ରେ ୧୯୯୨ରେ ପୋଷ୍ଟିଂ ହେଲା । ୧୯୯୪ରେ କାଇର୍ଡିଓଲୋଜିିରେ ଜଏନ୍ କଲେ ଓ ପିଏସ୍‌ସି ପାଇ ସେଠାରେ ସେ ପାଖାପାଖି ତେର ବର୍ଷ ଚାକିରି କଲେ । ବୁର୍ଲାରେ ରହିଲେ୨୦୦୬ ଯାଏଁ । ମାସେରୁ ପନ୍ଦର ଦିନ ଏମର୍‌ଜେନ୍ସି ଡ୍ୟୁଟି । ସେଇ ସମୟରେ କେବଳ ଦୁଇଜଣ କାର୍ଡିଓଲୋଜିଷ୍ଟ୍ ଥିଲେ, ଜଣେ ଡା. ଅକ୍ଷୟ ଓ ଆଉ ଜଣେ ଡା. ସୁରେଶ । ଯେହେତୁ ଡା. ଅକ୍ଷୟ ସମ୍ବଲପୁରରେ ରହୁଥିଲେ, ତେଣୁ ରାତିରେ ଏମର୍ଜେନ୍ସି ପାଇଁ ଉଠିକି ଯିବା ଅପେକ୍ଷା ବୁର୍ଲା ହସ୍ପିଟାଲ୍‌ରେ ରାତିରେ ଶୋଇବାକୁ ଉଚିତ ମନେ କରୁଥିଲେ ।

ନାସିକ୍ ଯାତ୍ରା
ପ୍ରଫେସର ପତୀତ ପାବନ ପାଣିଗ୍ରାହୀ ବୋଲି ସମ୍ବଲପୁରର ଜଣେ ଭଦ୍ରବ୍ୟକ୍ତି ନାସିକ୍‌ରେ ଥିବା ଏମ୍‌.ଭି.ପି. ମେଡିକାଲ୍ କଲେଜ୍‌ରେ ପ୍ରିନ୍‌ସିପାଲ୍ ଥିଲେ । ନାସିକ୍ ଆସି ପ୍ରଫେସର ଭାବେ ଯୋଗଦେବାକୁ ସେ ଆମନ୍ତ୍ରଣ କଲେ ଡା. ଅକ୍ଷୟଙ୍କୁ । ଦୀର୍ଘ ବର୍ଷ ଧରି ହସ୍‌ପିଟାଲ୍‌ରେ ପ୍ରାୟ ଦିନ ଶୋଇ ଶୋଇ ତଥା ଅତ୍ୟଧିକ ଚାପ ଯୋଗୁଁ ଏକ ପ୍ରକାର ବିରକ୍ତି ଆସିଯାଇଥିଲା ଡା. ଅକ୍ଷୟଙ୍କର । ସେ ସମ୍ବଲପୁର ଛାଡିବାକୁ ଚାହୁଁଥିଲେ । ତେଣୁ ପ୍ରଫେସର ପାଣିଗ୍ରାହୀଙ୍କ ପ୍ରସ୍ତାବ ବିଷୟରେ ଭଲ ଭାବେ ଚିନ୍ତା କଲେ ଏବଂ ନାସିକ୍ ଯିବା ପାଇଁ ନିଷ୍ପତି ନେଲେ । ନୂଆ ଜାଗା, ନୂଆ ଆହ୍ୱାନକୁ ଆଦରିନେଇ ନାସିକ୍ ଯାତ୍ରା କଲେ ସେ । ସେଠାରେ ଦୁଇ ବର୍ଷ ରହିଲେ ପ୍ରଫେସର । ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ଡା. ଅକ୍ଷୟଙ୍କର ଜ୍ଞାନ ଗରିମା ଦେଖି ଖୁସି ହୋଇଗଲେ ସମସ୍ତେ । ଖୁବ୍ ଆଦର ଅଭ୍ୟର୍ଥନା ମିଳିଲା । ହୃଦ୍ ଡାକ୍ତର ହୋଇ ମଧ୍ୟ ଆନାଟୋମି ଉପରେ ଅକ୍ଷୟଙ୍କର ଅଗାଧ ପାଣ୍ଡିତ୍ୟ ଦେଖି ଚମତ୍କୃତ ହୋଇଥିଲେ ସମସ୍ତେ । ଡା. ଅକ୍ଷୟଙ୍କର ପାଠପଢ଼ା, ବିଷୟବସ୍ତୁର ପ୍ରାଞ୍ଜଳ ବର୍ଣ୍ଣନା, ଉପସ୍ଥାପନ ଶୈଳୀ ମୁଗ୍ଧ କଲା ସଭିଙ୍କୁ । ସମସ୍ତଙ୍କର ଭଲପାଇବା, ଆଦର ଅଭ୍ୟର୍ଥନା ଭିତରେ ଦୁଇବର୍ଷ କଟାଇଦେଲେ ସେଠାରେ ଡା. ଅକ୍ଷୟ । ବିଶେଷକରି ନାସିକ୍ ଭଳି ପୌରାଣିକ ମହତ୍ୱ ରଖୁଥିବା ସହର, ସେଠାକାର ପରିଷ୍କାର ପରିଚ୍ଛନ୍ନତା, ଗୁଣୀ, ଜ୍ଞାନୀ ଲୋକଙ୍କ ପ୍ରତି ସମ୍ମାନ ବେଶ୍ ଅଭିଭୂତ କରିଥିଲା ଡା. ଅକ୍ଷୟଙ୍କୁ । ଠିକ୍ ଏହି ସମୟରେ ଓଡ଼ିଶାର ଭୁବନେଶ୍ୱରରେ ସମ୍ ହସ୍ପିଟାଲ୍ ଆରମ୍ଭ ହେଲା ୨୦୦୭ରେ । ଏଠାରେ ଯୋଗଦେବାକୁ ପ୍ରଫେସର୍ ଡା. ଏଚ୍‌. କେ. ସାହୁଙ୍କ ଠାରୁ ଡାକରା ପାଇଲେ ସେ । ଜନ୍ମମାଟି ଓଡ଼ିଶାର ମୋହ, ସେଥିରେ ପୁଣି ପତ୍ନୀ ଓ ପିଲାଏ ଥିଲେ ଓଡ଼ିଶାରେ । ତେଣୁ ଅନିଚ୍ଛା ସତ୍ୱେ ନାସିକ୍ ଛାଡ଼ିବାକୁ ମନସ୍ଥ କଲେ ସେ । ତେବେ ତାଙ୍କ ଭଳି ଜଣେ କର୍ମଠ, ଜ୍ଞାନୀ, ସୁଦକ୍ଷ କାର୍ଡିଓଲୋଜିଷ୍ଟ୍‌ଙ୍କୁ ଏତେ ଶୀଘ୍ର ଛାଡିଦେବାକୁ ଚାହୁଁନଥିଲେ କଲେଜ କର୍ତୃପକ୍ଷ । ମାତ୍ର ତାଙ୍କର ଓଡ଼ିଶା ଫେରିବା ଇଚ୍ଛାକୁ ସମ୍ମାନ ଦେଇ ସେମାନେ ନାରିକେଳ, ଉପଢୌକନ ଓ ସ୍ୱର୍ଣ୍ଣ ମୁଦ୍ରିକା ଉପହାର ଭାବେ ପ୍ରଦାନ କରି ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ନାସିକ୍ ରହଣି କାଳର ସୁଖଦ ସ୍ମୃତି କେବେ ଭୁଲିବାର ନୁହେଁ ବୋଲି କହନ୍ତି ଡା. ଅକ୍ଷୟ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସେଇ ମେଡିକାଲ୍ କଲେଜର ଚେୟାରମ୍ୟାନ୍ ଥିଲେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଭାଇ ସର୍ଜନ୍ ଡା. ବସନ୍ତ ପାୱାର । ସେଠି ରହିବା ସମୟରେ ଶ୍ରୀ ପାୱାରଙ୍କ ସହ ଉତମ ସମ୍ବନ୍ଧ ସ୍ଥାପନ ହୋଇଥିଲା । ତାଙ୍କର ସହଯୋଗ ଓ ସହାନୁଭୂତି ସବୁବେଳେ ମିଳୁଥିଲା । ପ୍ରଥମେ ସେଠି ଆସୋସିଏଟ୍ ପ୍ରଫେସର ଭାବେ ଯୋଗଦେବାକୁ ଚାହୁଁଛନ୍ତି ବୋଲି ନିଜ ଆବେଦନପତ୍ରରେ ଦର୍ଶାଇଥିଲେ ଡା. ଅକ୍ଷୟ । ମାତ୍ର ତାଙ୍କର ଦୀର୍ଘ ଅଭିଜ୍ଞତା, କାମ କରିବାର ଶୈଳୀ ଓ ଜ୍ଞାନ ଦେଖି ଆସୋସିଏଟ୍ ପ୍ରଫେସର ନୁହେଁ ବରଂ ତାଙ୍କୁ ପ୍ରଫେସର ଭାବେ ନିଯୁକ୍ତି ଦେବା ଉଚିତ ବୋଲି ମତ ଦେଇଥିଲେ ବସନ୍ତ ପାୱାର । ଆଜି ସେ ନାହାନ୍ତି ସତ, ମାତ୍ର ତାଙ୍କ ସହୃଦୟତା କେବେ ଭୁଲିବାର ନୁହେଁ ବୋଲି କହନ୍ତି ଡା. ଅକ୍ଷୟ ।

ସମ୍ ହସ୍‌ପିଟାଲ୍‌ରେ ଯୋଗଦାନ
ସମ୍ ହସ୍‌ପିଟାଲ୍‌ରେ ଜାନୁଆରୀ, ୨୦୦୭ ମସିହାରେ ଯୋଗ ଦିଅନ୍ତି ଡା. ଅକ୍ଷୟ । ଏମ୍‌ବିବିଏସ୍ ଖୋଲିନଥିଲା । ସେ କାର୍ଡିଓଲୋଜି ଡିପାର୍ଟମେଂଟ୍ ଆରମ୍ଭ କଲେ । ଆସ୍ତେ ଆସ୍ତେ ହସ୍‌ପିଟାଲ୍‌ର ଭିତିଭୂମିରେ ଉନ୍ନତି ହେଲା । କ୍ରମେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ ୟୁନିଭରସିଟି) ଖୋଲିଲା । ପ୍ରଥମେ ୧୦୦ ଏମ୍‌ବିବିଏସ୍ ସିଟ୍ ଖୋଲିଲା । ତା’ପରେ ୧୫୦ । ପ୍ରଥମେ ମେଡିସିନ୍ ପିଜି ଆରମ୍ଭ ହେଲା । ସମ୍‌ରେ ରହିବା ଭିତରେ ଡିଏମ୍ (କାର୍ଡିଓଲୋଜି) କୋର୍ସ ଆରମ୍ଭ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ସେ । ସମ୍‌ରେ ବି ପ୍ରାୟ ଏଗାର ବର୍ଷ ପ୍ରଫେସର୍ ଭାବରେ ବିତାଇଥିଲେ ଡା. ଅକ୍ଷୟ ।

ବିଦ୍ୟାଦାନରେ ଆନନ୍ଦ
ଡା. ଅକ୍ଷୟ କହନ୍ତି, କାର୍ଡିଓଲୋଜିରେ ଆଞ୍ଜିଓଗ୍ରାମ୍ ଓ ଆଞ୍ଜିଓପ୍ଲାଷ୍ଟି, ସମ୍ ଓ ହାଇଟେକ୍‌ରେ କରୁଥିଲେ ମଧ୍ୟ ବିଦ୍ୟାଦାନରେ ହିଁ ତାଙ୍କୁ ପ୍ରକୃତ ଆନନ୍ଦ ମିଳେ । ପିଲାଙ୍କୁ ଗାଇଡ୍ କରିବା, ପିଲାଙ୍କୁ ପଢ଼େଇବାରେ ହିଁ ସେ ବହୁତ ଆନନ୍ଦ ପାଇଛନ୍ତି । ସେ କହନ୍ତି, ଅର୍ଥ ପଛରେ ସେ କେବେ ବି ଗୋଡ଼ାଇ ନାହାନ୍ତି କିମ୍ବା ଅର୍ଥ ପ୍ରଲୋଭନରେ କେବେ ପଡ଼ିନାହାନ୍ତି ।

ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ
ଡାକ୍ତରୀ ପେସାରେ ସେ ସର୍ବଦା ଗୋଟିଏ ବିଷୟ ପ୍ରତି ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ତାହାହେଉଛି ରୋଗୀଙ୍କ ପ୍ରତି ସହାନୁଭୂତିଶୀଳ ହେବା । ତାଙ୍କ ମତରେ କୌଣସି ବି ପରିସ୍ଥିତିରେ ରୋଗୀ ଓ ତା’ର ସମ୍ପର୍କୀୟଙ୍କ ମନୋବଳ ଯେମିତି ଭାଙ୍ଗି ନ ଯିବ, ସେମାନେ ଯେମିତି ନିରୁତ୍ସାହିତ ନ ହେବେ, ଜଣେ ଡାକ୍ତର ସେଥିପ୍ରତି ଯତ୍ନବାନ ହେବା ଉଚିତ । ତାଙ୍କର ଆଉ ଏକ ଭଲଗୁଣ ହେଉଛି, ସେ ସର୍ବଦା ଚେଷ୍ଟା କରି ଆସିଛନ୍ତି ଜଣେ ରୋଗୀର ଯେତେ ସମ୍ଭବ କମ୍ ଟେଷ୍ଟ କରାଇବା, କମ୍ ମେଡିସିନ୍ ଲେଖିବା ତଥା କମ୍ ଟଙ୍କାର ବା ସ୍ୱଳ୍ପ ମୂଲ୍ୟର ମେଡିସିନ୍ ଲେଖିବା ପାଇଁ । ରୋଗୀଙ୍କର ଅଧିକ ଟଙ୍କା ଖର୍ଚ୍ଚ କରିବା ବଦଳରେ ନିଜର ବୁଦ୍ଧି ଖର୍ଚ୍ଚ କରି, ମୁଣ୍ଡ ଖଟେଇ ସେ ରୋଗ ନିରୂପଣ କରିବାକୁ ପ୍ରୟାସ କରିଥାନ୍ତି ସେ । ରୋଗ ଭଲ ହେବା ପାଇଁ ଔଷଧ ନିହାତି ଜରୁରୀ, ତେବେ ଡାକ୍ତରଙ୍କ ପଦେ ସ୍ନେହପୂର୍ଣ୍ଣ, ମିଠା କଥା ମଧ୍ୟ କମ୍ ଜରୁରୀ ନୁହେଁ ବୋଲି ମତ ଦିଅନ୍ତି ସେ । ରୋଗ ହେବା ପରେ ରୋଗୀଙ୍କୁ ଔଷଧ ଦେବା ଅପେକ୍ଷା ପ୍ରିଭେନ୍‌ସନ ଅର୍ଥାତ୍ କ’ଣ ସବୁ କଲେ ହୃଦ୍‌ରୋଗ ଆଦୌ ହେବ ନାହିଁ, ସେ ସମ୍ପର୍କିତ ସଚେତନତା ସୃଷ୍ଟି କରିବାକୁ ସେ ପ୍ରାଥମିକତା ଦେଇ ଆସିଛନ୍ତି ।

ସ୍ମରଣୀୟ ଘଟଣା
ଡାକ୍ତରୀ ଅଧ୍ୟୟନ, ଚାକିରି, ରୋଗୀ ସେବା ଆଦି ଭିତରେ ଡା. ଅକ୍ଷୟ ସାମଲଙ୍କ ଜୀବନ ଘଟଣାବହୁଳ । ବୃତିଗତ ଜୀବନରେ ଅନେକ ସହକର୍ମୀଙ୍କ ସହିତ ସେ ମିଶିଛନ୍ତି । ଅନେକ ସ୍ଥାନ ବୁଲିଛନ୍ତି । ଅନେକ ରୋଗୀ ତାଙ୍କ ହାତ ସ୍ପର୍ଶରେ ଆରୋଗ୍ୟଲାଭ କରିଛନ୍ତି । ଅନେକ ଘଟଣା ତାଙ୍କର ଛାତି ତଳେ ଅଭୁଲା ହୋଇ ରହିଛି । ସାଇତା ହୋଇ ରହିଛି । ତା’ ଭିତରୁ ଗୋଟିଏ ଘଟଣା ସମ୍ପର୍କରେ ସେ ଅବତାରଣା କରନ୍ତି । ବୁର୍ଲା ମେଡିକାଲ୍ କଲେଜରେ କାର୍ଯ୍ୟରତ ଥିବା ବେଳର ଘଟଣା । ଢେଙ୍କାନାଳର ଜଣେ ବୃଦ୍ଧାଙ୍କୁ ନେଇ ଆସିଥାନ୍ତି ତାଙ୍କ ପୁଅ । ସେତେବେଳକୁ ରାତି ଏଗାର । ଡା. ଅକ୍ଷୟ ତାଙ୍କୁ ଦେଖି ଔଷଧ ଲେଖିଦେଲେ । ତେବେ ସକାଳେ ପରଲୋକ ହୋଇଗଲା ସେହି ବୃଦ୍ଧାଙ୍କର । ବୃଦ୍ଧାଙ୍କ ପୁଅ କିନ୍ତୁ ଏକଥା ମାନିବାକୁ ନାରାଜ । ଡା. ଅକ୍ଷୟଙ୍କ ନିକଟରେ ତାଙ୍କର ଏକମାତ୍ର ଜିଦ୍ – ‘ମୋ ମା’ ମରିନାହିଁ । ତା’ର ଚିକିତ୍ସା କରନ୍ତୁ ।’ ଅଡ଼ୁଆରେ ପଡ଼ିଲେ ସେ । ଲୋକଟାକୁ କେମିତି ବୁଝେଇବେ! ଲୋକଟି କହୁଥାଏ – ‘ସାର୍ ଦେଖନ୍ତୁ, ମୋ ମା’ ହାତଗୋଡ଼ ଛାଟି ନାହିଁ, ଜିଭ ବାହାରକୁ ବାହାର କରିନାହିଁ । ଆଖି ଢିମା ଢିମା କରିନାହିଁ । ତେଣୁ ମୋ ମା ମରିନାହିଁ ।’ ମନେମନେ ଏକ ଉପାୟ ପାଂଚିଲେ ସେ । ଧୀର ଭାବରେ ବୁଝାଇଲେ ବୃଦ୍ଧାଙ୍କ ପୁଅକୁ – ‘ଦେଖ୍ ବାପା, ତୋ’ର ମା’ ଖୁବ୍ ଭଲ ଲୋକ ଥିଲେ ନା’?’ ଲୋକଟି କାନ୍ଦି କାନ୍ଦି ଉତର ଦେଲା – ‘ହଁ, ଆଜ୍ଞା । ଭାରି ଭଲ ଥିଲା ମୋ ମା । ଆମମାନଙ୍କୁ ଖୁବ୍ ସ୍ନେହ କରିଛି । ମାଛିକୁ ମ’ କହି ନାହିଁ କେବେ ।’ ଡା. ଅକ୍ଷୟ କହିଲେ –‘ ଠିକ୍ କଥା । ଖରାପ ଲୋକ ମରିଗଲା ପରେ ଯମ ତାକୁ କଂଟାଛାଟରେ ବାଡ଼ାଏ । ତେଣୁ ଯନ୍ତ୍ରଣାରେ ସେ ଛଟପଟ ହୁଏ । ଗୋଡ଼ହାତ ଛାଟେ । ଜିଭ ବାହାର କରେ । ତୋର ମା’ ଭଲ ଲୋକ ଥିଲେ ବୋଲି ଯମ ତାଙ୍କୁ ଦଣ୍ଡ ଦେଇନାହିଁ । ତେଣୁ ସେ ଛାଟିପିଟି ହେଇନାହାନ୍ତି କି ଜିଭ ବାହାର କରିନାହାନ୍ତି । ଆଉ ରହିଲା ଆଖି ଢିମା ଢିମା କଥା; ଆଖିବାଟେ ଜୀବନ ଗଲେ ସିନା ଆଖି ଢିମା ଢିମା ହେବ… । ଇଏ ତ ଭଲ ଲୋକ ଥିଲେ, ତେଣୁ ଶୂନ୍ୟେ ଶୂନ୍ୟେ ଜୀବନଟା ଚାଲିଗଲା । ଆଖି ଢିମା ଢିମା ହେଲାନି । ଏଥର ବୁଝିଲୁ?’ ଲୋକଟି ସେତେବେଳକୁ ବୁଝିସାରିଥିଲା ଏବଂ ତା’ର ମା’ ଯେ ମରିଯାଇଛି ସେକଥା ନିଜକୁ ବୁଝେଇ ସେଠୁ ମା’ର ଶବକୁ ନେଇ ଘରକୁ ଗଲା ।

ସମ୍ମାନ ଓ ସ୍ୱୀକୃତି
ଡା. ଅକ୍ଷୟ ବିଭିନ୍ନ ସାମାଜିକ, ସାଂସ୍କୃତିକ, ସ୍ୱାସ୍ଥ୍ୟଭିିତିକ, ସାରସ୍ୱତ ଅନୁଷ୍ଠାନ ସହ ସମ୍ପୃକ୍ତ ରହିଛନ୍ତି । ଲାୟନ୍‌ସ କ୍ଲବ୍ କେନ୍ଦ୍ରାପଡ଼ାର ହେଲଥ୍ କମିଟିର ଚେୟାର୍‌ମ୍ୟାନ୍ ଥିଲେ ଓ ସମ୍ବଲପୁର ରୋଟାରୀ କ୍ଲବ୍ ସହ ମଧ୍ୟ ଜଡିତ ଥିଲେ । ଲାୟନ୍‌ସ କ୍ଲବ, ରୋଟାରୀ କ୍ଲବ୍‌, ଏନ୍‌ସିସି ଏବଂ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଅନେକ ସ୍ୱାସ୍ଥ୍ୟ ଓ ସଚେତନତା ଶିବିରରେ ଯୋଗଦାନ କରି ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି ଲୋକଙ୍କୁ । ଏଭଳି ମହାନ୍ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ଅନେକ ସମ୍ମାନ ଓ ସ୍ୱୀକୃତି ଲାଭ କରିଛନ୍ତି ଡାକ୍ତର ସାମଲ । ତନ୍ମଧ୍ୟରୁ କେତୋଟି ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ଜାନୁଆରୀ ୨୬, ଜନରାଜ୍ୟ ଦିବସ ୨୦୦୦ରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ମହାତ୍ମା ଗାନ୍ଧି ସେବା ସମ୍ମାନ, ଦିଲ୍ଲୀ ସ୍ଥିତ ଆଇଆଇଏଫ୍‌ଏସ୍ ଦ୍ୱାରା ଦକ୍ଷିଣଆଫ୍ରିକାର କ୍ରୀଡା ମନ୍ତ୍ରୀ ଓ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାଉତଙ୍କ ଠାରୁ ଭାରତଜ୍ୟୋତି ସମ୍ମାନ, ପୁରୀରୁ ବାଡଗ୍ରାହୀଙ୍କ ଠାରୁ ଶ୍ରୀଜଗନ୍ନାଥ ସେବା ସମ୍ମାନ, ଯାଜପୁରରୁ ତତ୍‌କାଳୀନ ମନ୍ତ୍ରୀ ପ୍ରମିଳା ମଲିକଙ୍କ ହାତରୁ ଅଖିଳ ଚକ୍ର ସେବା ସମ୍ମାନ, ଭୁବନେଶ୍ୱର ଡିଜି, ରୋଟାରୀଙ୍କ ଠାରୁ ରୋଟାରୀ ସମ୍ମାନ, ବିଶିଷ୍ଟ ଲେଖିକା ପଦ୍ମଶ୍ରୀ ଡ. ପ୍ରତିଭା ରାୟଙ୍କ ଠାରୁ ଟାଇମ୍‌ସ ଆୱାର୍ଡ ଫର୍ ବେଷ୍ଟ୍ କାର୍ଡିଓଲୋଜିଷ୍ଟ୍ ଅଫ୍ ଓଡିଶା ସମ୍ମାନ, ହାଇଟେକ୍ ମେଡିକାଲ୍ କଲେଜ ପକ୍ଷରୁ ଚେୟାରମ୍ୟାନ ତିରୁପତି ପାଣିଗ୍ରାହୀ ତାଙ୍କୁ ଦୁଇଥର ସମ୍ମାନିତ କରିଛନ୍ତି । ହେଲ୍‌ଥ ଆଣ୍ଡ ଏଜୁକେଶନ୍ ଏକ୍ସିଲେନ୍ସି ଆୱାର୍ଡ ମଧ୍ୟ ଲାଭ କରିଛନ୍ତି ସେ ୨୦୦୮ରେ । ଏହା ସହିତ ବିଭିନ୍ନ ମର୍ଯ୍ୟାଦାଜନକ ସଂଗଠନ ପକ୍ଷରୁ ମଧ୍ୟ ସେ ଫେଲୋସିପ୍ ଲାଭ କରିଛନ୍ତି । ଏହାରି ମଧ୍ୟରେ ରହିଛି – ଫେଲୋ ଅଫ୍ ଆମେରିକାନ୍ କଲେଜ୍ ଅଫ୍ କାର୍ଡିଓଲୋଜି, ଫେଲୋ ଅଫ୍ କଲେଜ ଅଫ୍ ଚେଷ୍ଟ ଫିଜିସିଆନ୍‌, ଫେଲୋ ଅଫ୍ ଇଣ୍ଡିଆନ୍ କଲେଜ ଅଫ୍ କାର୍ଡିଓଲୋଜି, ଫେଲୋ ଅଫ୍ ଆମେରିକାନ୍ କଲେଜ୍ ଅଫ୍ ଆଞ୍ଜିଓଲୋଜି, ଫେଲୋ ଅଫ୍ ଇଉରୋପିଆନ୍ ସୋସାଇଟି ଅଫ୍ କାର୍ଡିଓଲୋଜି ଇତ୍ୟାଦି । ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ଅନେକ ଲେଖା ପ୍ରକାଶିତ ହୋଇ ବହୁ ପାଠକୀୟତା ସାଉଁଟିଛି । ଦେଶରେ ଓ ଦେଶ ବାହାରେ ଅନେକ ହୃଦ୍‌ରୋଗର ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମୀଳନୀରେ ଯୋଗ ଦେଇଛନ୍ତି । ସମସ୍ତ ସମ୍ମାନଜନକ ମେଡିକାଲ୍ ସୋସାଇଟି ଯଥା- ଏବିଆଇ, ସିଏସ୍‌ଆଇ, ଆଇଏମ୍‌ଏ, ଆଇସିସି ଓ ଆର୍‌ଏସ୍‌ଏସ୍‌ଡିଆଇ ଆଦିର ସେ ଆଜୀବନ ସଭ୍ୟ ଅଛନ୍ତି ।

ପରିବାର
ଡାକ୍ତର ପତ୍ନୀ କାଜଲ୍ (ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା), ବଡ଼ଝିଅ ପୂଜା, ସାନଝିଅ ସୃଷ୍ଟିଙ୍କୁ ନେଇ ଡା. ଅକ୍ଷୟ ସାମଲ ଏକ ସୁଖୀ, ସନ୍ତୁଷ୍ଟ ଜୀବନ ବିତାଉଛନ୍ତି । ବଡ଼ଝିଅ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ, ରେଭେନ୍ସାରୁ ପିଏଚ୍‌ଡି ଶେଷ କରି ବର୍ତମାନ ବାଙ୍ଗାଲୋରର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷରେ ବିଟେକ୍ କରିବା ପରେ ସୃଷ୍ଟି ବର୍ତମାନ ହାଇଦ୍ରାବାଦସ୍ଥିତ ଟିସିଏସ୍‌ରେ କାର୍ଯ୍ୟ କରୁଛନ୍ତି । ବଡ ଝିଅଙ୍କ ବିବାହ ସମ୍ପନ୍ନ ହୋଇସାରିଛି ଓ ବଡ଼ଝିଅଙ୍କ ପୁଅ ଅର୍ଥାତ୍ ନାତି ‘ସିଓ’ ସହ ଖୁବ୍ ମଉଜ ମଜଲିସ୍ କରିବାକୁ ଭଲ ପାଆନ୍ତି ଡା. ସାମଲ ।

ଜୀବନ ଦର୍ଶନ
ଡାକ୍ତରୀ ତାଙ୍କର ବୃତି ମାତ୍ର ପ୍ରବୃତିରେ ଈଶ୍ୱରବିଶ୍ୱାସୀ, ଆଧ୍ୟାତ୍ମିକବାଦୀ ଓ ଆବେଗପ୍ରବଣ ଛଳଛଳ ମଣିଷ ଡା. ଅକ୍ଷୟ । ତାଙ୍କ ମତରେ ‘ବାପ ଧନ ଆଉ ପାପ ଧନ’ ଭଳି ‘ଖଟି ପଇସା ଆଉ ବଟି ପଇସା’ ଭିତରେ ଫରକ୍ ରହିଛି । ସେ ମଧ୍ୟ କହନ୍ତି, ‘ଧନ ଅର୍ଜିଲେ ଧର୍ମ କରି / ଧର୍ମେ ପ୍ରାପତ ନରହରି’ । ସତ୍ ଉପାୟରେ ଯେଉଁ ରୋଜଗାର ହୁଏ, ସେଥିରେ କେବଳ ପେଟ ପୂରେନି, ମନ ମଧ୍ୟ ପୂରିଯାଏ, ହୃଦୟ ପୂରିଯାଏ । ଘରେ ସୁଖ ଶାନ୍ତି ବିରାଜମାନ କରେ । ଅନ୍ୟପକ୍ଷରେ ଅସତ୍ ଉପାୟରେ ଅର୍ଜିତ ଧନ ମନକୁ ବିଷାକ୍ତ କରେ । ପରିବାର ବିଶୃଙ୍ଖଳିତ ହୁଏ ।
ପ୍ରତିମାସ ଶେଷ ରବିବାର ନିଜ ଗ୍ରାମକୁ ଯାଇ ମାଗଣା ରୋଗୀ ସେବା କରିବା ସହ ଗଣେଷ ମନ୍ଦିର, ଶିବ ମନ୍ଦିର ଆଦି ଦେବାଳୟମାନଙ୍କ ପୁର୍ନନିର୍ମାଣ କାର୍ଯ୍ୟରେ ସାମିଲ୍ ହୋଇଥାନ୍ତି ।
ତାଙ୍କ ଜୀବନର ଲକ୍ଷ୍ୟ ଥିଲା, ଭଲ ଡାକ୍ତର ହେବେ, ଭଲ ମଣିଷ ହେବେ ଓ ଭଲ ମେଡିକାଲ୍ ଶିକ୍ଷକ ହେବେ । ଏଥିରେ ସେ ଅନେକାଂଶରେ ସଫଳ ହୋଇଛିନ୍ତି ବୋଲି ଭାବନ୍ତି । ଅର୍ଥ ପଛରେ କେବେ ଗୋଡ଼େଇ ନାହାନ୍ତି, ବରଂ ଭଗବାନ ଯେତିକି ଦେଇଛନ୍ତି, ସେତିକିରେ ଖୁସିରେ ଏବଂ ଭଲରେ ଅଛନ୍ତି ବୋଲି କହନ୍ତି ଡା. ସାମଲ ।
ସତରେ ସେ ଜଣେ ମେଳାପି ମଣିଷ; ସମାଜର ସବୁ ବର୍ଗର ଲୋକଙ୍କ ସହ ସ୍ୱଛନ୍ଦରେ ମିଶି ପାରନ୍ତି । ପୁରା ‘ଡାଉନ୍ ଟୁ ଆର୍ଥ’ ମଣିଷ । ନିଜେ ହସି ଅନ୍ୟକୁ ହସାଇବା ତାଙ୍କର ପ୍ରବୃତି ।


କରୋନା ସମ୍ପର୍କରେ ଯାହା କୁହନ୍ତି ଡା. ସାମଲ
ବର୍ତମାନ ସମୟରେ ବିଶ୍ୱରେ ଆତଙ୍କ ଖେଳାଇ ରଖିଥିବା ମହାମାରୀ କରୋନା ସମ୍ପର୍କରେ ଡା. ସାମଲ କହନ୍ତି, ହୃଦ୍‌ରୋଗୀମାନେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ । ଏହା ସହିତ ହାଇପର୍‌ଟେନ୍‌ସନ, କ୍ୟାନ୍‌ସର, ମଧୁମେହ ରୋଗୀ ମଧ୍ୟ ସତର୍କତାର ସହ ଚଳିବା ଉଚିତ । ଡରି ନ ଯାଇ ଟିକା ନେବା ଜରୁରୀ । ସଚେତନ ରହିଲେ ହିଁ ସୁରକ୍ଷିତ ରହିପାରିବା ।