ମତେ କାହିଁକି ଭଲ କଲେ ବୋଲି ସେ ବହୁତ କାନ୍ଦିଥିଲେ
– ଡା. ସମ୍ରାଟ କର

ନାଁ ତାଙ୍କର ସମ୍ରାଟ । ଚେହେରା, ଠାଣି, ବାଣୀ ଓ ସାମର୍ଥ୍ୟ ବି ସେମିତି । ଜଣେ ସଫଳ ମାନସିକ ଚିକିତ୍ସକ ଭାବେ ଓଡ଼ିଶାର କୋଣ ଅନୁକୋଣରେ ପରିଚିତି ଲାଭ କରିଛନ୍ତି ସେ । କେବଳ ମାନସିକ ଚିକିତ୍ସକ କହିଲେ ଯଥେଷ୍ଟ ହେବ ନାହିଁ, ସେ ମଧ୍ୟ ଏକ ସୁନ୍ଦର ହୃଦୟ, ମନର ଅଧିକାରୀ । ସେଇ ହୃଦୟ ଦେଇ, ମନ ନେଇ ସେ ବୁଝନ୍ତି, ଶୁଣନ୍ତି ଓ ଚିକିତ୍ସା କରନ୍ତି । ଜଣେ ସୁଲେଖକ ଭାବେ ମଧ୍ୟ ତାଙ୍କର ବେଶ୍ ପରିଚିତି ରହିଛି । ବେଶ୍ ବନ୍ଧୁବତ୍ସଳ, ଆବେଗରେ ଛଳଛଳ, ଅତ୍ୟନ୍ତ ସମ୍ବେଦନଶୀଳ, ମେଳାପୀ, ଖୋଲା ମିଜାଜ୍‌ର ମଣିଷଙ୍କୁ ପଢ଼ିବା ଏଥର ଫ୍ଲାସ୍‌ବ୍ୟାକ୍‌ରେ ।

ଡିସେମ୍ବର, ୯ ତାରିଖ ୧୯୭୫ ମସିହା, ଓଡ଼ିଶାର ପୁରୁଣା ରାଜଧାନୀ, ଐତିହ୍ୟସମ୍ପନ୍ନ ସହର କଟକର ଚାନ୍ଦିନୀ ଚୌକରେ ବାପା ପ୍ରଫେସର୍ ଡା. ଗୋପାଳ ଚନ୍ଦ୍ର କର ଓ ମା’ ଡ. ଗାୟତ୍ରୀଦେବୀଙ୍କ କୋଳରେ ତୃତୀୟ ସନ୍ତାନ ଭାବେ ଭୂମିଷ୍ଠ ହୁଅନ୍ତି ସମ୍ରାଟ । ଚାନ୍ଦିନୀ ଚୌକରେ ହିଁ ବିଦ୍ୟା ଅଧ୍ୟୟନ ଆରମ୍ଭ ହୁଏ । ଅନ୍ୟ ଭାଇମାନେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବାବେଳେ ସମ୍ରାଟଙ୍କର ବିଦ୍ୟାରମ୍ଭ ହେଲା ଇଂରାଜୀ ମାଧ୍ୟମରେ । ପରେ ସପରିବାର ଚାନ୍ଦିନୀଚୌକ ଛାଡ଼ି ତେଲେଙ୍ଗାବଜାର (ପୁରୀଘାଟ)ରେ ସ୍ଥାୟୀ ଭାବରେ ବସବାସ ଆରମ୍ଭ ହୁଏ । ସେହି ସମୟରେ ତେଲେଙ୍ଗାବଜାର (ପୁରୀଘାଟ) ଆଖପାଖରେ କୌଣସି ଇଂରାଜୀ ମିଡିଅମ୍ ସ୍କୁଲ ନଥିଲା । ଏଣେ ଦୂରରେ ଥିବା ସ୍କୁଲରେ ପାଠ ପଢ଼ିଲେ ଯିବା ଆସିବାରେ ସମସ୍ୟା ଥିଲା । ତେଣୁ ଇଂରାଜୀ ମିଡିୟମ୍ ସ୍କୁଲରେ ଷ୍ଟାଣ୍ଡାର୍ଡ ୱାନ୍ ପଢ଼ିସାରିଥିବା ସମ୍ରାଟ ବର୍ଷଟିଏ ପାଠ ନ ପଢ଼ି ରହିଲେ ଘରେ । ପରେ ସିଧା ତୃତୀୟ ଶ୍ରେଣୀରୁ ପୁଣି ପାଠପଢ଼ା ଆରମ୍ଭ ହେଲା ତାଙ୍କର ମ୍ୟୁନିସିପାଲଟି ସ୍କୁଲରେ, ଓଡ଼ିଆ ମାଧ୍ୟମରେ । ତେବେ ମେଧାବୀ ଛାତ୍ର ଥିବାରୁ ଇଂରାଜୀ ମିଡିୟମରୁ ଓଡ଼ିଆକୁ ଯିବା ତାଙ୍କ ପାଇଁ ବିଶେଷ ଅସୁବିଧା ହୋଇନଥିଲା । ତୃତୀୟ ଶ୍ରେଣୀରେ ସେ ଲାଭ କରିଥିଲେ ସ୍କଲାର୍‌ସିପ । ଏହାପରେ ଚତୁର୍ଥ ଶ୍ରେଣୀ ପଢ଼ିବା ପାଇଁ ସେ ଯୋଗଦେଲେ ଐତିହାସିକ, ମର୍ଯ୍ୟାଦାସମ୍ପନ୍ନ ଶିକ୍ଷାନୁଷ୍ଠାନ ରେଭେନ୍‌ସା କଲେଜିଏଟ୍ ସ୍କୁଲରେ । କହିବା ବାହୁଲ୍ୟ, ରେଭେନ୍‌ସା କଲେଜିଏଟ୍ ସ୍କୁଲ ଥିଲା ଏକ ମଣିଷଗଢ଼ା କାରଖାନା । ଏହି ସ୍କୁଲରେ ପାଠ ପଢ଼ିବା, ପଢ଼େଇବା ଥିଲା ସବୁ ଛାତ୍ରଙ୍କ, ଅଭିଭାବକଙ୍କ ସ୍ୱପ୍ନ । ଏଇ ସ୍କୁଲରେ ଦିନେ ପଢ଼ିଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକଙ୍କ ଭଳି ଆହୁରି ଅନେକ ଆଦର୍ଶ ପୁରୁଷ । ତେଣୁ ସେମାନଙ୍କୁ ରୋଲ୍ ମଡେଲ୍ ଭାବରେ ଗ୍ରହଣକରି, ତାଙ୍କ ସମ୍ପର୍କରେ ଶୁଣି ଛାତ୍ରମାନେ ପ୍ରେରଣା ଲାଭ କରୁଥିଲେ । ୧୯୯୧ ମସିହାରେ ରେଭେନ୍‌ସା କଲେଜିଏଟ୍ ସ୍କୁଲରୁ କୃତିତ୍ୱର ସହ ଦଶମ ଶ୍ରେଣୀ ଉତୀର୍ଣ୍ଣ ହେଲେ ସମ୍ରାଟ ।

ଖେଳକୁଦରେ ମାହିର୍
କେବଳ ମେଧାବୀ ଛାତ୍ର ନଥିଲେ ସମ୍ରାଟ । ଥିଲେ ଅଲ୍‌ରାଉଣ୍ଡର । ପାଠପଢ଼ା ସାଙ୍ଗକୁ ଖେଳକୁଦ ପ୍ରତି ମଧ୍ୟ ଖୁବ୍ ରୁଚି ଥିଲା ତାଙ୍କର । ସଟ୍‌ପୁଟ୍ ଓ ଡିସ୍କସ୍ ଥ୍ରୋ’ରେ ସେ ଅନେକଥର ଚାମ୍ପିୟନ ହୋଇଛନ୍ତି ସ୍କୁଲରେ । ରେଭେନ୍‌ସା ସ୍କୁଲରେ ପଢ଼ିବାବେଳୁ ଆରମ୍ଭ ହୋଇଥିବା ତାଙ୍କର କ୍ରୀଡ଼ା ନୈପୁଣ୍ୟତା ପରବର୍ତୀ ବର୍ଷମାନଙ୍କରେ ଅର୍ଥାତ୍ ଯୁକ୍ତ ଦୁଇ; ଏପରିକି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜରେ ପଢ଼ିଲାବେଳେ ମଧ୍ୟ ଦେଖିବାକୁ ମିଳିଥିଲା । ଇଂଟର ମେଡିକାଲ୍ ମିଟ୍‌, ବ୍ରହ୍ମପୁର ୟୁନିଭରସିଟିରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେ ଚାମ୍ପିୟନ ସାବ୍ୟସ୍ତ ହୋଇଥିଲେ । ଖାଲି ସଟ୍‌ପୁଟ୍ କିମ୍ବା ଡିସ୍କସ୍ ଥ୍ରୋ’ରେ ସୀମିତ ନଥିଲା ତାଙ୍କ କ୍ରୀଡ଼ା ପ୍ରତିଭା, ବ୍ୟାଡମିଂଟନ୍‌ରେ ମଧ୍ୟ ସେ ଜିଲ୍ଲାସ୍ତରୀୟ ଜୁନିଅର ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିଲେ ।

ପରିବାରର ସମସ୍ତଙ୍କ ଇଚ୍ଛା – ସମ୍ରାଟ ଡାକ୍ତର ହୁଅନ୍ତୁ
ସବୁ ଅଭିଭାବକଙ୍କ ଗୋଟାଏ ବଡ଼ ଆଶା, ମହତ୍ୱାକାଂକ୍ଷା ଥାଏ, ସବୁ ବାପା ମା’ ମନରେ ଉଚ୍ଚ ଅଭିଳାଷଟିଏ ପୋଷିଥାନ୍ତି ଯେ, ସେମାନଙ୍କ ପିଲାଏ ଡାକ୍ତର, ଇଞ୍ଜିନିୟର ହୁଅନ୍ତୁ । ସମାଜରେ ପ୍ରତିଷ୍ଠିତ ହୁଅନ୍ତୁ, ନାଁ କରନ୍ତୁ । ସମ୍ରାଟଙ୍କ କ୍ଷେତ୍ରରେ ମଧ୍ୟ ଅବିକଳ ସେମିତି ଘଟିଥିଲା । ତିନି ଭାଇଙ୍କ ଭିତରୁ ସମ୍ରାଟଙ୍କ ସ୍ଥାନ ଥିଲା ତୃତୀୟ । ବଡ଼ଭାଇ ପ୍ରଥମରୁ ହିଁ ତାଙ୍କ ମନକଥା ସ୍ପଷ୍ଟ କରିସାରିଥିଲେ, ସେ ଡାକ୍ତରୀ ପଢ଼ିବେନି, ପଢ଼ିବେ ଇଞ୍ଜିନିୟରିଂ । ମଝିଆ ଭାଇ ମଧ୍ୟ ଡାକ୍ତରୀ ପଢ଼ିବା ପାଇଁ ଆଗ୍ରହ ଦେଖାଇ ନଥିଲେ । ବାପା ଯେହେତୁ ଡାକ୍ତର ଥିଲେ, ତେଣୁ ତାଙ୍କର ଇଚ୍ଛା ଥିଲା ପିଲାଏ ଡାକ୍ତର ହୁଅନ୍ତୁ । ମାତ୍ର ପ୍ରଥମ ଓ ଦ୍ୱିତୀୟ ପୁଅ ଯେତେବେଳେ ଡାକ୍ତର ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ, ସ୍ୱାଭାବିକ ଭାବରେ ସେଇ ଲକ୍ଷ୍ୟ, ଉଦ୍ଦେଶ୍ୟ ବା ଉଚ୍ଚ ଅଭିଳାଷଟିକୁ ସମ୍ରାଟ ପୂରଣ କରନ୍ତୁ ଅର୍ଥାତ୍ ସମ୍ରାଟ ଡାକ୍ତର ହୁଅନ୍ତୁ ବୋଲି ଚାହିଁଥିଲେ ବାପାଙ୍କ ସମେତ ଅନ୍ୟମାନେ । ତାହା ହିଁ ହୋଇଥିଲା । ଡାକ୍ତରୀ ପଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ସମ୍ରାଟ । ରେଭେନ୍ସା କଲେଜରୁ ୧୯୯୩ ମସିହାରେ ଯୁକ୍ତ ଦୁଇ ଉତୀର୍ଣ୍ଣ ହେଲେ ସେ । ଏହାପରେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜରେ ଏମ୍‌ବିବିଏସ୍‌, ଡକ୍ଟର ହରିସିଂହ ଗୌର ବିଶ୍ୱବିଦ୍ୟାଳୟ, ସୌଗାର ୟୁନିଭର୍‌ସିଟିରୁ ୨୦୦୮ରେ ସାଇକୋଲୋଜିକାଲ କାଉନ୍‌ସେଲିଂରେ ସ୍ନାତକୋତର ଶିକ୍ଷାଲାଭ କରନ୍ତି ସମ୍ରାଟ । ଏହାର ତିନି ବର୍ଷ ପରେ ଅର୍ଥାତ୍ ୨୦୧୧ରେ ଏନ୍‌ଟିଆର୍ ୟୁନିଭରସିଟିରୁ ସମାପ୍ତ କରନ୍ତି ଏମ୍‌ଡି । ଡାକ୍ତରୀ ଅଧ୍ୟୟନ ସମାପ୍ତି ପରେ ସେ କିଛିକାଳ ଗଞ୍ଜାମ ଜିଲ୍ଲା, ବଡ଼ଗଡ଼ ନିକଟସ୍ଥ ଗୌଡ଼ଗୋଠରେ ମେଡିକାଲ୍ ଅଫିସର ଭାବେ ଯୋଗ ଦେଇଥିଲେ । ଏହା ପରେ ଏସ୍‌ସିବି ମେଡ଼ିକାଲ କଲେଜ, କଟକର ମେଂଟାଲ୍ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆସିଷ୍ଟାଂଟ୍ ସର୍ଜନ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତେବେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ସରକାରୀ ଚାକିରି ଛାଡ଼ିଥିଲେ ଡା. ସମ୍ରାଟ । ଉଚ୍ଚଶିକ୍ଷା ଶେଷକରି କଟକ, ପୁରୀଘାଟ ଉପର ତେଲେଙ୍ଗା ବଜାରରେ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଦି ବ୍ରେନ୍ ଆଣ୍ଡ ରିସର୍ଚ୍ଚ ସେଂଟର୍ ହସ୍‌ପିଟାଲ୍‌’ରେ ମାନସିକ ରୋଗୀ ଚିକିତ୍ସାରେ ମନୋନିବେଶ କରିଛନ୍ତି । ଏହା ସହିତ ବିଭିନ୍ନ ସେବାମୂଳକ କାର୍ଯ୍ୟ, ସଚେତନତା ଶିବିରରେ ଯୋଗଦେଇ ମାନସିକ ଭାବେ କିଭଳି ସୁସ୍ଥ ରହିବେ ସେ ସମ୍ପର୍କରେ ନିଜର ମୂଲ୍ୟବାନ ପରାମର୍ଶ ଦେଇଥାନ୍ତି ସେ । ବକ୍ସିବଜାର ସ୍ଥିତ ଦୟାଶ୍ରମର ଅନ୍ତେବାସୀଙ୍କୁ ବିନା ମୂଲ୍ୟରେ ‘ଦି ବ୍ରେନ୍ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ମାନସିକ ରୋଗର ଔଷଧ ଓ ଚିକିତ୍ସା ଯୋଗାଇ ଦେଇଥାନ୍ତି । ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ଆଲୋଚନାଚକ୍ର, କର୍ମଶାଳାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥାନ୍ତି ।

ସର୍ଜନଶୀଳ ସମ୍ରାଟ
ଚିକିତ୍ସା ଓ କ୍ରୀଡ଼ାକୁ ଛାଡ଼ିଦେଲେ ଲେଖାଲେଖି ଡା. ସମ୍ରାଟଙ୍କର ଆଉ ଏକ ସହଜାତ ପ୍ରତିଭା । ସାହିତ୍ୟ ପ୍ରତି ତାଙ୍କର ଗଭୀର ରୁଚି ରହିଛି । ସ୍ୱାସ୍ଥ୍ୟ ସମ୍ବନ୍ଧିତ, ଗବେଷଣାତ୍ମକ ଅନେକ ଉଚ୍ଚକୋଟୀର, ଉପାଦେୟ ଆଲେଖ୍ୟ ତାଙ୍କର ପ୍ରକାଶିତ ହୋଇଛି ଅନେକ ଦୈନିକ ଖବରକାଗଜ, ଓ ପତ୍ରପତ୍ରିକାରେ । ସମ୍ରାଟଙ୍କ ଲିଖିତ ପୁସ୍ତକ ତାଲିକାରେ ରହିଛି ଓଡ଼ିଆ ଭାଷାର ପୁସ୍ତକ ‘ମନକଥା ଜାଣନ୍ତୁ’ ଓ ‘ମନରେ ଅଛି କ’ଣ’ । ସେହିପରି ହିନ୍ଦୀରେ ଲିଖିତ ତାଙ୍କ ପୁସ୍ତକ ‘ମନ୍ କି ବାତ୍ ଜାନିୟେ’ ଓ ଇଂରାଜୀରେ ଲିଖିତ ‘ନୋ ୟୋର୍ ମାଇଣ୍ଡ୍‌’ ବେଶ୍ ଲୋକପ୍ରିୟତା ଲାଭ କରିଛି । ତାଙ୍କ ଲେଖାର ବିଶେଷତ୍ୱଟି ହେଉଛି ଗପ କହିବା ଶୈଳୀ । ଲେଖାଟିଏ ପଢ଼ିଲେ ପାଠକ ଅନୁଭବ କରେ, ସେ ଯେମିତି ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ଆର୍ଟିକଲ୍ ପଢ଼ୁନାହିଁ, ବରଂ ସାମ୍ନାରେ ବସି ତାଙ୍କୁ ଗପ ଶୁଣଉଛନ୍ତି ଡା. ସମ୍ରାଟ କର । ସାଧାରଣରେ ଧାରଣା ରହିଛି ଯେ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲେଖାଗୁଡ଼ିକ ନୀରସ । ସେଗୁଡ଼ିକରେ ସେଭଳି କୌଣସି ରୁଚି ନ ଥାଏ । ବର୍ଣ୍ଣନା ଚାତୁରୀ ନ ଥାଏ । ମନକୁ ଟାଣିଧରିବା ଭଳି ଉପାଦାନ ହିଁ ନଥାଏ ଓ ସହଜରେ ବୁଝି ହୁଏନି । ସେଗୁଡ଼ିକ ଡାକ୍ତରୀ ଶବ୍ଦ, ଚିକିତ୍ସା ପ୍ରଣାଳୀ, ମେଡିସିନ୍‌ର ନାଁ ଓ ରୋଗର କାରଣ, ପ୍ରତିକାରରେ ଭରପୂର । ମାତ୍ର ଡା. ସମ୍ରାଟ କର ଏ ଦିଗରେ ଏକ ବିରଳ ବ୍ୟତିକ୍ରମ । ତାଙ୍କ ଲେଖା ପଢ଼ିଲେ ଜଣେ ଆଦୌ ବୋର୍ ହେବ ନାହିଁ – ଏହା ଆମେ ଜୋର୍ ଦେଇ କହିପାରୁ । ଏହା ପଛର କାରଣଟି ସୁସ୍ପଷ୍ଟ – ତାଙ୍କର ଲିଖନ ଶୈଳୀ, ଯାହା ଆମେ ପ୍ରଥମରୁ କହିଆସିଛୁ । ଅତ୍ୟନ୍ତ ସରଳ, ସାବଲୀଳ ଭାଷାରେ, ସହଜ ଢଙ୍ଗରେ, କଥା ବା ଗପ କହିବା ଛଳରେ ସେ ଲେଖାଟିଏ ଆରମ୍ଭ ଓ ଶେଷ କରନ୍ତି । ଯାହା ପାଠକର ମନ, ପ୍ରାଣକୁ ଛୁଏଁ । ହୃଦୟଗ୍ରାହୀ ହେବା ସହିତ ତା’ ଭିତରେ ଥିବା ମହତର ଉଦ୍ଦେଶ୍ୟକୁ ଧରିପାରେ ପାଠକ । ଲେଖାଲେଖି ସମ୍ପର୍କରେ ସେ କହନ୍ତି, ଏ କ୍ଷେତ୍ରରେ ଜେଜେବାପା ଗୋକୁଳ ଚନ୍ଦ୍ର କର ହିଁ ତାଙ୍କର ଆଦ୍ୟ ପ୍ରେରଣା । ଡାକ୍ତରୀ ବୃତିକୁ ଆପଣେଇଥିବାରୁ ବାପାଙ୍କ ପାଖରେ ସେତେଟା ସମୟ ନଥିଲା । ତେଣୁ ଡା. ସମ୍ରାଟଙ୍କ ପିଲାବେଳର ଅଧିକାଂଶ ସମୟ କଟିଛି ଜେଜେବାପାଙ୍କ ସହିତ । ଜେଜେବାପାଙ୍କ ସାନ୍ନିଧ୍ୟ ତାଙ୍କୁ ଖୁବ୍ ଭଲ ଲାଗୁଥିଲା । ସ୍କୁଲ, ଟ୍ୟୁସନ୍‌, ପାଠପଢ଼ା ସରିବା ପରେ ଅବଶିଷ୍ଟ ସମୟ, ସକାଳ ଓ ସଞ୍ଜରେ ଜେଜେବାପାଙ୍କ ସହିତ ବଜାର ବୁଲାବେଳେ ଅନେକ ଅନୁପ୍ରାଣୀତ ହୋଇଛନ୍ତି । ୟୁନାଇଟେଡ୍ ବୁକ୍ ହାଉସ୍ ନାମରେ ତାଙ୍କର ଏକ ପ୍ରଖ୍ୟାତ ପ୍ରକାଶନ ସଂସ୍ଥା ଥିଲା । ସେ ନିଜେ ବି ଥିଲେ ସାରସ୍ୱତ ସାଧକ । ତାଙ୍କ ଲେଖନୀ ମୁନରୁ ସୃଷ୍ଟି ହୋଇଛି ଅନେକ ଗଳ୍ପ, ପ୍ରବନ୍ଧ । ତାଙ୍କର ଏକାଧିକ ବହି ପାଠକୀୟ ଆଦୃତି ଲାଭ କରିଥିଲା । ଆଜି ବି କଟକସ୍ଥିତ ରାମଚନ୍ଦ୍ର ଭବନରେ ଅନ୍ୟ ଅନେକ ସୁସାହିତ୍ୟିକଙ୍କ ଗହଣରେ ଶୋଭା ପାଉଛି ଜେଜେବାପାଙ୍କ ଫଟୋ । ଏସବୁ ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥିଲେ ଡା. ସମ୍ରାଟ । ଜେଜେବାପାଙ୍କ ସୃଜନଶୀଳତାର ଅନେକ ପ୍ରଭାବ ପଡ଼ିଛି ଡା. ସମ୍ରାଟଙ୍କ ମା’ ଡ. ଗାୟତ୍ରୀଦେବୀଙ୍କ ଉପରେ । ତା’ର ଫଳ ସ୍ୱରୂପ ଲେଖାଲେଖି ସାଙ୍ଗକୁ ‘ସୁଲଗ୍ନା’ ନାମକ ପତ୍ରିକାର ସମ୍ପାଦନା ମଧ୍ୟ କରୁଛନ୍ତି ସେ ।

ବଦଳିଗଲାଣି ମାନସିକ ରୋଗୀଙ୍କ ମାନସିକତା
ଡା. ସମ୍ରାଟ କହନ୍ତି, ଛୋଟବେଳୁ ସେ ଅନେକ ସମୟ ବିତାଇଛନ୍ତି ବାପାଙ୍କ କ୍ଲିନିକ୍‌ରେ । ରୋଗୀ ଆସିବା ପରେ ସେମାନଙ୍କୁ ଭଲ ଭାବରେ ଅନୁଧ୍ୟାନ କରି ବାପା ଚିକିତ୍ସା ଆରମ୍ଭ କରିବା ଇତ୍ୟାଦି ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ସେ ଦେଖୁଥିଲେ, କିଛି ଲୋକ ଚିଲ୍ଲଉଛନ୍ତି, ଚିତ୍କାର କରୁଛନ୍ତି, ହୋହଲ୍ଲା, ଡିଆଁକୁଦା, ଗାଳିଗୁଲଜ ଭଳି ଅସ୍ୱାଭାବିକ ଆଚରଣ କରୁଛନ୍ତି । ପୁଣି ସେମାନଙ୍କ ମଧ୍ୟରୁ ଅଧିକାଂଶ ହାତଗୋଡ଼ ବନ୍ଧା ଅବସ୍ଥାରେ ଆଉ ଚାରି ଛ’ ଜଣଙ୍କ ଦ୍ୱାରା ଭିଡ଼ା ଓଟରା ହୋଇ ଅଣା ଯାଇଥାନ୍ତି । ଏସବୁ ଦେଖି ତାଙ୍କର ପିଲାମନ ଅନୁସନ୍ଧିତ୍ସୁ ହୋଇପଡ଼ୁôଥିଲା । ଏ ବାବଦରେ ଜାଣିବା, ବୁଝିବାକୁ ସେ ଯଥାସମ୍ଭବ ଚେଷ୍ଟା କରୁଥିଲେ । ଡା. ସମ୍ରାଟ କହନ୍ତି, ପ୍ରଥମରୁ ହିଁ ସେ ସର୍ଜରୀ ପ୍ରତି ଆଗ୍ରହୀ ନ ଥିଲେ । ବାପା ମଧ୍ୟ ତାହା ହିଁ କରୁଥିଲେ । ସେ ଚିକିତ୍ସା ପାଇଁ ଆସୁଥିବା ଲୋକଙ୍କ ସମସ୍ୟାକୁ ଖୁବ୍ ଭଲ ଭାବରେ ବୁଝୁଥିଲେ । ବିଭିନ୍ନ ପ୍ରଶ୍ନ ପଚାରି ମନର ଅବସ୍ଥା ଜାଣିବାକୁ ଚେଷ୍ଟା କରୁଥିଲେ । ରୋଗୀଟିଏକୁ ଭଲ ଭାବରେ ଅନୁଧ୍ୟାନ କରିବା ପରେ ହିଁ ଚିକିତ୍ସା କରୁଥିଲେ । ସେ ଏହା ମଧ୍ୟ ଲକ୍ଷ୍ୟ କରୁଥିଲେ ଯେ, ଦିନେ ହାତଗୋଡ଼ ବନ୍ଧା ହୋଇ ଆସିଥିବା ଲୋକଟି କିଛି ଦିନର ଚିକିତ୍ସା ପରେ ଭଲ ହେଲାଣି । ସ୍ୱାଭାବିକ ଆଚରଣ ଦେଖାଇଲାଣି ଓ ଭଦ୍ର କଥାବାର୍ତା କଲାଣି । ଏସବୁ ତାଙ୍କ ପିଲାମନକୁ ବେଶ୍ ଆନ୍ଦୋଳିତ କରୁଥିଲା । ସେ କହନ୍ତି, ବର୍ତମାନ ପୂର୍ବ ଅବସ୍ଥା ନାହିଁ । କିଛି ବର୍ଷ ତଳେ ମାନସିକ ରୋଗ ସମ୍ପର୍କରେ ଲୋକଙ୍କର ଆଦୌ ଧାରଣା ନ ଥିଲା । ଅନେକେ ତ ମାନସିକ ରୋଗର ଶିକାର ହୋଇଛନ୍ତି ବୋଲି କାହା ଆଗରେ ପ୍ରକାଶ କରୁନଥିଲେ । ସେମାନଙ୍କ ପରିବାର ଲୋକେ ମଧ୍ୟ ଏହାକୁ ଗୋପନୀୟ କରି ରଖୁଥିଲେ । ମାନସିକ ରୋଗକୁ ନେଇ ଲୋକଙ୍କ ଭିତରେ ସଙ୍କୋଚ ଥିଲା । କୌଣସି ପ୍ରକାର ମାନସିକ ବିକୃତି ଅଛି ବୋଲି ଅନ୍ୟମାନେ ଜାଣିଲେ ତାଙ୍କ ପ୍ରତି ଓ ପରିବାର ପ୍ରତି ଲୋକଙ୍କର କି ପ୍ରକାର ଧାରଣା ହେବ – ଏହା ଭାବି ମାନସିକ ଚିକିତ୍ସକଙ୍କ ପାଖକୁ କେହି ଆସୁନଥିଲେ । ପାରମ୍ପରିକ ଚିକିତ୍ସା, ଗୁଣିଆ ଦେଖାଇବା, ଝଡ଼ାଫୁଙ୍କା କରିବା ଉପରେ ଲୋକଙ୍କର ବିଶ୍ୱାସ ଥିଲା । ମାତ୍ର ସମୟ ବଦଳିଛି । ଲୋକେ ସଚେତନ ହେଲେଣି । ମାନସିକ ରୋଗକୁ ନେଇ ରୋଗୀଙ୍କ ମାନସିକତାରେ ପରିବର୍ତନ ଆସିଲାଣି । ବିଭିନ୍ନ ଜଟିଳ ସମସ୍ୟା ନେଇ ସେମାନେ ଆସୁଛନ୍ତି ଓ ଡାକ୍ତରୀ ପରାମର୍ଶ ମାନୁଛନ୍ତି । ଚିକିତ୍ସା ଲାଭ କରି ଫେରିବା ପରେ ସ୍ୱାଭାବିକ ସୁଖୀ ଜୀବନ ବିତାଉଛନ୍ତି ।

ପ୍ରେମ ଓ ପରିଣୟ
ପ୍ରଥମରୁ କହିଛୁ, ସମ୍ରାଟ ଜଣେ ଆବେଗ ଛଳଛଳ ମଣିଷ । ଭଲପାଇବାରେ ତାଙ୍କର କୃପଣତା ନଥାଏ, ନ ଥାଏ କୃତ୍ରିମତା । ସେ କହନ୍ତି, ତାଙ୍କର ପ୍ରେମ ପ୍ରସଙ୍ଗ ଖୁବ୍ ରୋଚକ ଓ ଟିକେ ନିଆରା । ସମ୍ରାଟଙ୍କ ମତରେ, ସାଧାରଣତଃ ପୁଅ ଝିଅ ବା ଯୁବକ ଯୁବତୀ ସପିଂମଲ୍‌, ମନ୍ଦିର, ସ୍କୁଲ କଲେଜ, ପାର୍କ କିମ୍ବା ଲାଇବ୍ରେରୀରେ ପ୍ରଥମେ ପରସ୍ପରକୁ ଭେଟିଥାନ୍ତି । ବିବାହ ଉତ୍ସବରେ ମଧ୍ୟ କାହାରି କାହାରି ପ୍ରଥମ ଦେଖା ହୋଇଥାଏ । ଦେଖା ସାକ୍ଷାତରୁ ସେମାନଙ୍କ ଭିତରେ ବନ୍ଧୁତା ହୁଏ । ସେମାନଙ୍କ ଭିତରେ ପ୍ରେମ ହୁଏ । ମାତ୍ର ତାଙ୍କ କ୍ଷେତ୍ରରେ ଏ ମାମଲା ଟିକେ ଭିନ୍ନ । ଶୁଭଶ୍ରୀ ମିଶ୍ରଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୁଏ ଶବ ବ୍ୟବଚ୍ଛେଦ ଗୃହରେ । ପରେ ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଗଢ଼ିଉଠେ ଓ ତାହା ରୂପାନ୍ତରିତ ହୁଏ ପ୍ରେମରେ । ୨୦୦୩ ମାର୍ଚ୍ଚ ୧୦ ତାରିଖରେ ଡା. ଶୁଭଶ୍ରୀଙ୍କ ସହିତ ତାଙ୍କର ବିବାହ ହୁଏ । ପତ୍ନୀ ଡା. ଶୁଭଶ୍ରୀ ବର୍ତମାନ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆସିଷ୍ଟାଂଟ୍ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି । ନିଜ କର୍ତବ୍ୟ ସମ୍ପାଦନ ସହିତ ଡା. ସମ୍ରାଟଙ୍କ ସମସ୍ତ କାର୍ଯ୍ୟରେ ସହଭାଗୀ ହୋଇଆସୁଛନ୍ତି ଡା. ଶୁଭଶ୍ରୀ । ସେମାନଙ୍କ ଏକମାତ୍ର ପୁତ୍ର ସ୍ନେହାଂଶ ବର୍ତମାନ ଭୁବନେଶ୍ୱରସ୍ଥିତ ସାଇ ଇଂଟରନ୍ୟାସନାଲ୍ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର ।

ଅଭୁଲା ଅଧ୍ୟାୟ
ଜୀବନ ମରଣ ସହ ଯୁଝୁଥିବା ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି ଜଣେ ଡାକ୍ତର । ସେମାନଙ୍କୁ ଖୁବ୍ ନିକଟରୁ ଦେଖିଥାନ୍ତି ଓ ତାଙ୍କ ଘଡ଼ିସନ୍ଧି ମୁହୂର୍ତରେ ନିର୍ବାହ କରିଥାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା । ତେଣୁ ଏଭଳି ଅନେକ ଘଟଣାର ସାକ୍ଷୀ ସେ ଥାଆନ୍ତି, ଯାହା ଜୀବନସାରା ଅଲିଭା ହୋଇ ରହିଯାଏ ମାନସପଟରେ । ଡା. ସମ୍ରାଟ କରଙ୍କ ଜୀବନରେ ମଧ୍ୟ ଏଭଳି ଘଟଣା କିଛି କମ୍ ଘଟିନାହିଁ । ଅନେକ ଭିତରୁ ଗୋଟିଏ ଘଟଣାର ଅବତାରଣା କରନ୍ତି ସେ । ଥରେ ଭାରତୀୟ ସୈନ୍ୟବାହିନୀରେ କାର୍ଯ୍ୟରତ ଜଣେ ଯବାନ୍ କୌଣସି କାରଣରୁ ଅସମୟରେ ଚାଲିଗଲେ । ତାଙ୍କୁ ଖୁବ୍ ଭଲ ପାଉଥିଲେ ତାଙ୍କର ପତ୍ନୀ । ଜୀବନରେ ଆସିଥିବା ଏହି ଦୁର୍ଦ୍ଦିନକୁ ସହଜରେ ଗ୍ରହଣ କରିପାରି ନଥିଲେ ମହିଳା ଜଣକ । ଅନ୍ୟମାନେ ଯେତେ ଯାହା କହିଲେ ବି ବିଶ୍ୱାସ କରିନଥିଲେ ସେ । ଏମିତିକି ସ୍ୱାମୀଙ୍କ ମରଶରୀର ମଧ୍ୟ ଦେଖିଲେ ନାହିଁ ସେ । ନିଜ ଉପରେ ତାଙ୍କର ଖୁବ୍ ବିଶ୍ୱାସ ଥିଲା । ତେଣୁ ସେ ଧରିନେଇଥିଲେ ଯେ ତାଙ୍କ ସ୍ୱାମୀ ଏବେ ମଧ୍ୟ ଜୀବିତ ଅଛନ୍ତି ଓ ଅନ୍ୟଦିନ ଭଳି ସେ ବାହାରେ ଚାକିରି କରିଛନ୍ତି । ତେଣୁ ସ୍ୱାଭାବିକ ଭାବରେ ତାଙ୍କର ପରିଧାନ ଓ ପ୍ରସାଧନ ଥିଲା ଜଣେ ସଧବା ମହିଳାଙ୍କ ଭଳି । ସେ ଚୁଡ଼ି ପିନ୍ଧୁଥିଲେ, ଶାଢ଼ି ପିନ୍ଧୁଥିଲେ, ସିନ୍ଥିରେ ନାଉଥିଲେ ସିନ୍ଦୂର । ଡା. ସମ୍ରାଟଙ୍କ କହିବାନୁସାରେ, ଯାହାକୁ ସେ ନିଜର ଆତ୍ମବିଶ୍ୱାସ ବୋଲି ଭାବୁଥିଲେ, ତାହା ପ୍ରକୃତରେ ଥିଲା ତାଙ୍କର ଭ୍ରମ । ସେ ପ୍ରକୃତରେ ମାନସିକ ରୋଗର ଶିକାର ହୋଇସାରିଥିଲେ । ତାଙ୍କର କିଛି ସମ୍ପର୍କୀୟ ତାଙ୍କୁ ଡା. ସମ୍ରାଟ କରଙ୍କ ନିକଟକୁ ଆଣିଲେ ଚିକିତ୍ସା ପାଇଁ । କିଛି ମାସର ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଗଲେ । ପ୍ରକୃତିସ୍ଥ ହେବା ପରେ ସେ ବୁଝିଲେ, ତାଙ୍କର ସ୍ୱାମୀ ଆଉ ଇହଜଗତରେ ନାହାନ୍ତି । ଏହାପରେ ସେ ଦିନେ ଡା. ସମ୍ରାଟଙ୍କ ପାଖକୁ ଆସି କାନ୍ଦିଲେ । ମାନସିକ ବିଷାଦରେ ଥିବା ସତ୍ୱେ ସେ ବରଂ ଭଲ ଥିଲେ ଏଇଆ ଭାବି ଯେ, ସ୍ୱାମୀ ତାଙ୍କର ଅଛନ୍ତି । ମାତ୍ର ଏବେ ଭଲ ହୋଇଯିବା ପରେ ଜାଣିଲେ, ସେ ବିଧବା ହୋଇସାରିଛନ୍ତି! ତାଙ୍କୁ କାହିଁକି ଭଲ କଲେ ବୋଲି କାନ୍ଦି କାନ୍ଦି ଅଭିମାନ ପ୍ରକାଶ କରିଥିଲେ ଡା. ସମ୍ରାଟଙ୍କ ନିକଟରେ ।

ବିଭିନ୍ନ ଅନୁଷ୍ଠାନ ସହ ସମ୍ପୃକ୍ତି
ଡାକ୍ତରୀ ଭଳି ବ୍ୟସ୍ତବହୁଳ ପେସାରେ ଥାଇ ମଧ୍ୟ ଅନେକ ସାମାଜିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଡା. ସମ୍ରାଟଙ୍କର ସମ୍ପୃକ୍ତି ରହିଛି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌, କଟକସ୍ଥିତ ଉତ୍କଳ ସାହିତ୍ୟ ସମାଜ, ଇଣ୍ଡିଆନ୍ ସାଇକିଆଟ୍ରିକ୍ ସୋସାଇଟି, ଭୁବନେଶ୍ୱର ସ୍ଥିତ ଶହୀଦ୍ ସ୍ପୋର୍ଟିଂ କ୍ଲବ୍‌, ଭାଗବତ ଜିଉ ଯୁବକ ସଂଘ, କଟକ କ୍ଲବ୍‌, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ବାପୁଜି ଡ୍ରାମାଟିକ୍ କ୍ଳବ୍ ଆଦିର ସେ ଆଜୀବନ ସଭ୍ୟ ଅଟନ୍ତି । ଏହା ବ୍ୟତୀତ ସେ କଟକ ଲାୟନ୍‌ସ କ୍ଳବ ଓ ରୋଟାରି କ୍ଳବ ଆଦିର ମଧ୍ୟ ସକ୍ରିୟ ସଦସ୍ୟ ଅଟନ୍ତି । ଏହା ସହିତ ସେ ମଧ୍ୟ ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ଭାରତୀୟ ମାନସିକ ଚିକିତ୍ସକ ସଂଘ ଓଡିଶା ଶାଖାର ମର୍ଯ୍ୟାଦାଜନକ ସମ୍ପାଦକ ଆସନ ଅଳଙ୍କୃତ କରିଥିଲେ । ପରେ ୨୦୧୭ ରୁ ୨୦୧୮ ଯାଏଁ ଏହି ଅନୁଷ୍ଠାନର ଉପସଭାପତି ଏବଂ ୨୦୧୮ ରୁ ୨୦୧୯ ଯାଏଁ ସେ ସଭାପତି ଦାୟିତ୍ୱ ମଧ୍ୟ ସୁଚାରୁରୂପେ ନିର୍ବାହ କରିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) ଓଡିଶା ରାଜ୍ୟ ଶାଖାର ସଂଯୋଜକ ଓ ଜର୍ଣ୍ଣାଲ୍ ଏଡିଟର୍ ଭାବେ ୨୦୧୮ ରୁ ଦାୟିତ୍ୱ ନିର୍ବାହ କରୁଛନ୍ତି ଓ ଏହି ଦାୟିତ୍ୱ ୨୦୨୨ ଯାଏଁ ନିର୍ବାହ କରିବେ ।

ସମ୍ମାନ ଓ ସ୍ୱୀକୃତି
ଡା. ସମ୍ରାଟଙ୍କ ସାଧନାକୁ ସ୍ୱୀକୃତି ଦେଇ ଅନେକ ସାମାଜିକ ଓ ସାରସ୍ୱତ ଅନୁଷ୍ଠାନ ତାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଛନ୍ତି । ୨୦୧୯ ସାଧାରଣତନ୍ତ୍ର ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡା. ସମ୍ରାଟଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହା ସହିତ ସେ ଇଣ୍ଡିଆନ ସାଇକିଆଟ୍ରିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ପ୍ରଫେସର ଜି.ସି. ବରାଳ ପୁରସ୍କାର, ସିଦ୍ଧାର୍ଥ ମେମୋରିଆଲ ଆୱାର୍ଡ, ପ୍ରଫେସର ବି. ଦାସ ପୁରସ୍କାର, ସ୍କାର୍ଟ ନବରତ୍ନ ସମ୍ମାନ, କଟକ କଳାବିକାଶ କେନ୍ଦ୍ର ପକ୍ଷରୁ ସମାଜସେବୀ ଓ କଳାକାର ସମ୍ମାନ, କଳିଙ୍ଗ ରତ୍ନ, ନ୍ୟାସନାଲ୍ ସେବାରତ୍ନ ସମ୍ମାନ, ଉତ୍କଳ ସେବା ଗୌରବ ସମ୍ମାନ-୨୦୧୮ ଇତ୍ୟାଦି ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି । ଏହାଛଡା ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି, ଇଣ୍ଡିଆନ ଆସୋସିଏସନ ଅଫ୍ ସୋସିଆଲ ସାଇକିଆଟ୍ରିକ୍‌, ଆସୋସିଏସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ସାଇକିଆଇଟ୍ରି ଅଫ୍ ଇଣ୍ଡିଆ ପକ୍ଷରୁ ଫେଲୋସିପ୍ ଲାଭ କରିଛନ୍ତି ସେ । ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ମନୋବଳ ବଢ଼ାଏ, ଆଗକୁ ଆହୁରି ଭଲକାମ କରିବାକୁ ପ୍ରେରଣା ଯୋଗାଏ ବୋଲି ମତ ଦିଅନ୍ତି ସେ ।

ଅଭିନୟ ଓ ପ୍ରଯୋଜନାରେ ଆଗ୍ରହ
କ୍ରୀଡ଼ା, ସାହିତ୍ୟ ଭଳି ଅଭିନୟ ଓ ପ୍ରଯୋଜନାରେ ବି ବିଶେଷ ରୁଚି ରଖନ୍ତି ସମ୍ରାଟ । ସ୍କୁଲ, କଲେଜରେ ପଢ଼ିବାବେଳେ ଅଭିନୟ କରି ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ସନ୍ଦେହ ନିଆଁ’ ତାଙ୍କ ପ୍ରତିଭାର ପ୍ରମାଣ ଦିଏ । ସଚେତନତା ସୃଷ୍ଟି ପାଇଁ ସଂଖ୍ୟାଧିକ ଭିଡିଓ, ଟେଲିଫିଲ୍ମ, ମ୍ୟୁଜିକ୍ ଭିଡିଓ ଆଦି ପ୍ରସ୍ତୁତ କରି ସେ ନିଜ କଳାପ୍ରାଣତାର ପରିଚୟ ଦେବା ସହିତ ସମାଜ ପ୍ରତି ଥିବା କର୍ତବ୍ୟ ସମ୍ପାଦନ କରୁଛନ୍ତି । ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ୍ ମଧ୍ୟ ରହିଛି, ଯେଉଁଥିରେ ସେ ସଚେତନତାର ବାର୍ତା ପ୍ରଚାର କରିଆସୁଛନ୍ତି । ଓଡିଶାର ଅନେକ ଲୋକପ୍ରିୟ କଳାକାର ଯଥା ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ଅଭିଜିତ ମଜୁମଦାର୍‌, ହ୍ୟୁମାନ୍ ସାଗର, ମଂଟୁ ଛୁରିଆ, ସବିଶେଷ ମିଶ୍ର, ପୁଷ୍ପକ ପରିଡା, ବିଜୁ ସ୍ୱାଇଁ, ରଶ୍ମୀ ମହାପାତ୍ର ଆଦିଙ୍କ ସହ ମିଶି ସଚେତନତା ସୃଷ୍ଟିକାରୀ ଅନେକ ଭିଡିଓ ପ୍ରସ୍ତୁତ କରିଛନ୍ତି ।
ଡା. ସମ୍ରାଟ ବେଶ୍ ଭ୍ରମଣପ୍ରିୟ ମଧ୍ୟ । ଅବସର ପାଇଲେ ପରିବାର ସହ ନୂଆ ନୂଆ ସ୍ଥାନ ବୁଲି ଦେଖିବାକୁ ସେ ପସନ୍ଦ କରନ୍ତି । ଦେଶ ବିଦେଶର ଅନେକ ଆକର୍ଷଣୀୟ ସ୍ଥାନ ବୁଲିବା, ସେହି ସବୁ ସ୍ଥାନ ବିଷୟରେ ଜାଣିବା, ଲେଖିବାକୁ ଭଲ ପାଆନ୍ତି ସେ ।

ଜୀବନର ବଡ଼ ଉପଲବ୍‌ଧି
ପ୍ରାୟ ଛ’ ସାତ ବର୍ଷ ତଳର କଥା । ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ୍ କଲେଜ୍‌ର ହଷ୍ଟେଲ୍ ସାମ୍ନାରେ ନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ କର୍ତା ଭାବେ ଉପସ୍ଥିତ ରହି ଏହାର ଗୁରୁଦାୟିତ୍ୱ ତୁଲାଇବା ପାଇଁ ସାଦର ନିମନ୍ତ୍ରଣ ମିଳିଲା । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା; ତାହା ପୁଣି ତାଙ୍କ ଭଳି ଏତେ କମ୍ ବୟସର ଜଣେ ଯୁବକଙ୍କ ହାତରେ! ଭଲ ତ ନିହାତି ଲାଗୁଥାଏ ମାତ୍ର ଟିକେ ଡର ବି ଲାଗୁଥାଏ । ତେବେ ଜଗତର ନାଥ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ଭଳି ମହତ୍ କାର୍ଯ୍ୟ – ଅସ୍ୱୀକାର କରିବାର ପ୍ରଶ୍ନ ହିଁ ଉଠୁନଥିଲା । ଏହାକୁ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ଓ ଆଦେଶ ମନେକରି ସେ ପତ୍ନୀଙ୍କୁ ନେଇ ପହଂଚିଲେ ବ୍ରହ୍ମପୁରରେ । ସମ୍ପୂର୍ଣ୍ଣ ନିଷ୍ଠାର ସହିତ ପୂଜାରେ ବସିଲେ ପାଂଚଦିନ । ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦରୁ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା ପ୍ରତିଷ୍ଠା ଉତ୍ସବ । ଏହା ତାଙ୍କ ଜୀବନର ଏକ ବଡ଼ ଉପଲବ୍ôଧ ବୋଲି ବିନମ୍ରତାର ସହ କହନ୍ତି ଡା. ସମ୍ରାଟ ।

ଭବିଷ୍ୟତ ଯୋଜନା
ଡା. ସମ୍ରାଟ କରଙ୍କର ଭବିଷ୍ୟତ ଯୋଜନା କ’ଣ? ଏ ପ୍ରଶ୍ନରେ ସାମାନ୍ୟ ହସିଥିଲେ ସେ । ଯୋଜନା ତ ଅନେକ ରହିଛି, ତେବେ ବ୍ୟସ୍ତବହୁଳ ଜୀବନ ଭିତରେ କ’ଣ କରିପାରୁଛେ ଓ କ’ଣ ନାହିଁ ତାହା ବେଶ୍ ଗୁରୁତ୍ୱ ରଖେ ବୋଲି କହନ୍ତି ସେ । ମାନସିକ ରୋଗର ଅତ୍ୟାଧୁନିକ ଚିକିତ୍ସାଳୟଟିଏ ଖୋଲିବା ତାଙ୍କର ଲକ୍ଷ୍ୟ, ଯେଉଁଠି ସମ୍ପୂର୍ଣ୍ଣ ମାଗଣାରେ ଗରିବ ଲୋକଟିଏ ବିନା ବାଧା, ବିନା ପ୍ରତିବନ୍ଧକରେ ଭଲ ହୋଇ ଘରକୁ ଫେରିବ । ଏହାଛଡ଼ା ଆଉ ଗୋଟିଏ କର୍ପୋରେଟ୍ ହସ୍ପିଟାଲଟିଏ ସ୍ଥାପନ କରିବା, ଯେଉଁଠି ମାନସିକ ରୋଗ ଚିକିତ୍ସା ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ଥିବ ।

ସମାଜ ପାଇଁ ସନ୍ଦେଶ
ଜଣେ ଦାୟିତ୍ୱସମ୍ପନ୍ନ ଚିକିତ୍ସକ ଭାବରେ ସମାଜ ପାଇଁ ତାଙ୍କର କି ସନ୍ଦେଶ ରହିଛି? ଏ ପ୍ରଶ୍ନର ଉତର ଦେବାବେଳେ ଖୁବ୍ ଭାବପ୍ରବଣ ହୋଇପଡ଼ିଥିଲେ ସେ । କହିଥିଲେ, ଛୋଟ ଛୋଟ କାରଣରୁ, ସାମାନ୍ୟ ବୁଝାମଣା ଅଭାବରୁ ପରିବାରରେ ସ୍ୱାମୀ-ସ୍ତ୍ରୀ, ଭାଇ-ଭାଇ, ବାପ-ପୁଅ, ଶାଶୂ-ବୋହଙ୍କ ଭିତରେ କଳହ ହୁଏ । ଟିକିଏ କଥାରେ ସ୍ୱାମୀ, ସ୍ତ୍ରୀକୁ ଦୋଷ ଦିଏ । ସ୍ତ୍ରୀ ସ୍ୱାମୀ ଉପରେ ଦୋଷାରୋପ କରେ । ଭାଇ ଭାଇକୁ ଆଙ୍ଗୁଳି ଦେଖାଏ । କେହି କାହା ଦୋଷ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ଫଳରେ ପରିବାରରେ ମତାନ୍ତର, ମନାନ୍ତର ଲାଗିରହେ । ଏଭଳି କ୍ଷେତ୍ରରେ ନିଜେ ସେହି ସ୍ଥାନରେ ରହି ଥରଟିଏ ବିଚାର କରିବା ଉଚିତ । ସ୍ଥିର ମନ ମସ୍ତିଷ୍କରେ ନିଜକୁ ପ୍ରଶ୍ନ କରିବା ଉଚିତ ଯେ ମୁଁ ସେହି ସ୍ଥାନରେ ଥିଲେ କ’ଣ କରିଥାନ୍ତି । ଅର୍ଥାତ୍ ସ୍ୱାମୀଟିଏ ସ୍ତ୍ରୀକୁ ଦୋଷ ଦେବା ପୂର୍ବରୁ ନିଜକୁ ସ୍ତ୍ରୀର ଜାଗାରେ ଛିଡ଼ାକରି ଭାବିବା ଉଚିତ । ଏପରି ହେଲେ ପରସ୍ପର ପ୍ରତି ସନ୍ଦେହ, ଭୁଲ୍ ବୁଝାମଣା ରହିବ ନାହିଁ ଓ ମାନସିକ ଶାନ୍ତି ମିଳିବ । ପୁଣି ମନରେ ସର୍ବଦା ସକାରାତ୍ମକ ଭାବନା ପୋଷଣ କରିବା ଉଚିତ । ନିଜକୁ ଅନ୍ୟମାନଙ୍କ ସହ ତୁଳନା ନ କରି ଯାହା ଆମ ନିକଟରେ ଅଛି ତାହାକୁ ନେଇ ସନ୍ତୁଷ୍ଟ ହେବା ମଧ୍ୟ ମାନସିକ ଶାନ୍ତି ପଛର ଆଉ ଏକ ବଡ଼ କାରଣ । ନିଜକୁ ଖୁସି ରଖିବା ପାଇଁ, ନିଜକୁ ଅନ୍ୟମାନଙ୍କ ସାମ୍ନାରେ ସଠିକ୍ ଭାବେ ଉପସ୍ଥାପନ କରିବାର କଳା ପ୍ରତ୍ୟେକ ମଣିଷ ଆହରଣ କରିବା ଦରକାର ବୋଲି ମଧ୍ୟ କହନ୍ତି ଡା. ସମ୍ରାଟ ।
ଡା. ସମ୍ରାଟ କରଙ୍କ ଚଲାପଥ କୁସୁମିତ ହେଉ, ତାଙ୍କର ସବୁ ସ୍ୱପ୍ନ ପୂରଣ ହେଉ, ପ୍ରଭୂ ଶ୍ରୀଜଗନ୍ନାଥଙ୍କ ପାଖରେ ଆମର ଏତିକି ପ୍ରାର୍ଥନା ।