ଦାନ୍ତମାଢ଼ିରୁ ରକ୍ତସ୍ରାବ


ଦାନ୍ତର ଯତ୍ନ ନେବାକୁ ଆମେ ଯେତେ ଗୁରୁତ୍ୱ ଦେଇଥାଉ, ଦାନ୍ତମାଢ଼ିକୁ ସାଧାରଣତଃ ସେତେଟା ଗୁରୁତ୍ୱ ଦେଇନଥାଉ । ଦାନ୍ତମାଢ଼ିରୁ ରକ୍ତସ୍ରାବ ହେବା ବା ବ୍ଲିଡିଙ୍ଗ୍ ଗମ୍ ଦେଖା ଦେଲେ ଏହା କେବଳ ଯେ ଦାନ୍ତମାଢ଼ି ରୋଗର ଲକ୍ଷଣ ବୋଲି ବୁଝାଯିବ ତା’ନୁହେଁ ବରଂ ଏହା ଅନେକ ରୋଗ ପ୍ରତି ଆଙ୍ଗୁଳି ନିଦେ୍‌ର୍ଶ କରିଥାଏ । ଏହା ସହ ଅନେକ ସମସ୍ୟା ଯଥା ପାଟି ଦୁର୍ଗନ୍ଧ, ଦାନ୍ତମାଢ଼ି ଫୁଲା, ଦାନ୍ତ ହଲିବା, ପୀଡ଼ା ଆଦି ସଂଶ୍ଲିଷ୍ଟ ହୋଇଥାଏ । ଦାନ୍ତମାଢ଼ିରୁ ରକ୍ତସ୍ରାବ ହେବାକୁ ସାଧାରଣ ଭାବି ହାଲୁକା ଭାବେ ନିଅନ୍ତୁ ନାହିଁ । ପାଖାପାଖି ପ୍ରାୟ ୬୦% ଲୋକ କେବେ ନା କେବେ ଏହାର ସମ୍ମୁଖୀନ ହୋଇଥାନ୍ତି ।
ଦାନ୍ତମାଢ଼ି ସାଧାରଣରତଃ କନେକ୍ଟିଭ୍ ଟିସୁ ବା ସଂଯୋଗୀକରଣ ତନ୍ତୁ ଦ୍ୱାରା ସଂଘଠିତ ହୋଇଥାଏ, ଯେଉଁଠାରେ ପର୍ଯାପ୍ତ ମାତ୍ରାରେ ସୂକ୍ଷ୍ମ ରକ୍ତବାହୀ ନଳୀକା ସବୁ ସନ୍ନିବେଷ୍ଟିତ ହୋଇ ରହିଥାଆନ୍ତି । ବିଭିନ୍ନ କାରଣରୁ ରକ୍ତ ନଳୀକା ଉପରେ ଚାପ ପଡିଲେ ରକ୍ତସ୍ରାବ ହୋଇଥାଏ । ଯଥା-ବ୍ରସ୍ ଜୋର୍‌ରେ ଘଷିବା, ଟାଣ ବ୍ରସ୍‌ରେ ଦାନ୍ତ ଘଷିବା, କିଛି ନିଦ୍ଦିଁଷ୍ଟ ଔଷଧ ସେବନ (ବିଶେଷ କରି ରକ୍ତ ପତଳା କରୁଥିବା ଔଷଧ), କିଛି ଆଘାତ, ଅତ୍ୟଧିକ ଗରମ ଜାତୀୟ ତରଳ ଖାଦ୍ୟ ଖାଇବା ଓ ଅନେକ ପ୍ରକାରର ସଂକ୍ରମଣ ଦ୍ୱାରା ଏହା ଆକ୍ରାନ୍ତ ହୋଇଥାଏ ତଥା ରକ୍ତସ୍ରାବ ଘଟିଥାଏ ।
ମୁଖ ଗହ୍ୱରର ଉପଯୁକ୍ତ ଯତ୍ନ ନ ନେବା ଦ୍ୱାରା, ଦାନ୍ତସନ୍ଧିରେ ଖାଦ୍ୟ ପଦାର୍ଥ ଜମା ରହିବା ଦ୍ୱାରା, ବୀଜାଣରୁ ସଂକ୍ରମଣ ଦ୍ୱାରା, ଜୋର୍‌ରେ ବ୍ରସ୍ କରିବା ଦ୍ୱାରା, ହିମୋଫିଲିଆ, ଡାଇବେଟିସ୍‌, ଡାଉନ୍ ସିଣ୍ଡ୍ରୋମ. ରକ୍ତହୀନତା ବା ଆନିମିଆ, ହିିମୋଫିଲିଅ।।, ଜିଞ୍ଜିଭାଇଟିସ୍‌, ପେରିଓଡୋଂଟାଇଟିସ ଆଦି ବିଭିନ୍ନ୍ ରୋଗ ଯୋଗୁଁ ତଥା ଭିଟାମିନ୍ ସି ଓ କେ ର ଅଭାବ ଇତ୍ୟାଦି କାରଣରୁ ଦାନ୍ତମାଢ଼ିରୁ ରକ୍ତସ୍ରାବ ହୁଏ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଟିକେ ଅଧିକ ପରିମାଣରେ ଦେଖାଯାଏ । ମାସିକ ଋତୁସ୍ରାବ ଓ ଗର୍ଭାବସ୍ଥାରେ ଘଟୁଥିବା ହର୍‌ମୋନ୍ ଜନିତ ପରିବର୍ତନ ଯୋଗୁଁ ଏହା ଦେଖାଯାଏ । ତେଣୁ ଗର୍ଭାବସ୍ଥାରେ ଆଦୌ ହେଳା ନ କରି ମୁଖଗହ୍ୱର ତଥା ବିଶେଷ ଭାବେ ଦାନ୍ତମାଢ଼ିର ଉପଯୁକ୍ତ ଯତ୍ନ ନେବା ଉଚିତ । ନହେଲେ ସମୟ ପୂର୍ବରୁ ପ୍ରସବ ହୋଇଯିବା ଓ କମ୍ ଓଜନ ବିଶିଷ୍ଟ ନବଜାତକ ଜନ୍ମ ହେବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଡାଉନ୍ ସିଣ୍ଡ୍ରୋମ୍ ଓ ଅଟିଜିମ୍ ଆଦିରେ ଆକ୍ରାନ୍ତ ଶିଶୁ ମାନସିକ ଅନଗ୍ରସର ହୋଇଥିବା ଯୋଗୁଁ ବ୍ରସ୍ କରିବା ପାଇଁ ସହଜରେ ରାଜି ହୁଅନ୍ତି ନାହିଁ ବା ଯଦି ବି ବ୍ରସ୍ କରନ୍ତି ଖୁବ୍ ଜୋର୍‌ରେ ଘଷନ୍ତି । ଫଳରେ ଦାନ୍ତମାଢ଼ିରୁ ରକ୍ତସ୍ରାବ ହୋଇଥାଏ ।

ଚିକିତ୍ସା ଓ ପ୍ରତିକାର:
ସବୁଦିନ ମୁଖଗହ୍ୱରର ଉପଯୁକ୍ତ ଯତ୍ନ ନେବା ବା ସଠିକ୍ ଓରାଲ୍ ହାଇଜିନ୍ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ । ବୀଜାଣୁନାଶକ ପ୍ରଭାବ ଥିବାରୁ ମାଉଥ୍ ୱାସ୍ ବ୍ୟବହାର କରାଯାଏ । ଘରୋଇ ଉପଚାର ଭାବେ ନଖ ଉଷୁମ ଲୁଣ ପାଣିରେ କୁଳି କରିବା ପାଇଁ ପରାମର୍ଶ ଦିଆଯାଏ । ଦିନକୁ ୨ ଥର ଭଲ ଭାବେ ବ୍ରସ୍ କରିବା ଆବଶ୍ୟକ । କିନ୍ତୁ ଅଧିକାଂଶ ଲୋକ ଦିନକୁ କେବଳ ଥରୁଟେ ବା କେବଳ ସକାଳେ ହିଁ ବ୍ରସ୍ କରନ୍ତି । ରାତିରେ ଆଦୌ ବ୍ରସ୍ କରନ୍ତ ନାହିଁ । ହେଲେ ରାତିରେ ମଧ୍ୟ ବ୍ରସ୍ କରିବା ଖୁବ୍ ଆବଶ୍ୟକ ଅଟେ । ବ୍ରସଟି ଟାଣ ନ ହୋଇ ନରମ ବା ସଫ୍ଟ ହେବା ଆବଶ୍ୟକ । ଧୂମପାନ ବର୍ଜନ କରିବା ଉଚିତ । ଜଙ୍କ୍ ଫୁଡ୍ ବା ସ୍ନାକ୍ସ ଖାଇବା ଉଚିତ ନୁହେଁ, କାରଣ ଏଥିରେ ଫାଇବର୍ ପରିମାଣ କମ୍ ଥାଏ ଏବଂ ଏହା ସହ ଦାନ୍ତସନ୍ଧିରେ ଲାଖି ରହିବାର ଆଶଙ୍କା ବି ବେଶୀ ଥାଏ । ଦାନ୍ତ ସନ୍ଧିରୁ ଖାଦ୍ୟ ଅଂଶ କାଢ଼ିବା ପାଇଁ ଡେଂଟାଲ୍ ଫ୍ଲସ୍ ବ୍ୟବହାର କରନ୍ତୁ । ଦାନ୍ତ ସନ୍ଧିରୁ ଖାଦ୍ୟ ଅଂଶ କାଢ଼ିବା ପାଇଁ ଇଆଡୁ ସିଆଡୁ କୁଟା କାଠି, ଗୁଟ୍‌ଖା ଜରି, ଟୁଥ୍ ପିକ୍‌, କଲମର ମୁନ, ପିନ୍ କଂଟା, ଛୁଂଚି ଟୁଥ୍ ପିକ୍ ବିଲ୍‌କୁଲ୍ ବ୍ୟବହାର କରନ୍ତୁ ନାହିଁ, କାରଣ ଏହା ମାଢ଼ିକୁ ଧିରେ ଧିରେ ଭିତରକୁ ଠେଲି ଦିଏ ଓ ମାଢ଼ି କ୍ଷୟ ହୁଏ । ଫଳରେ ଦାନ୍ତ ସନ୍ଧିରେ ଛୋଟ ଛୋଟ ପକେଟ୍ ବା ଥଳି ଭଳି ଆକୃତି ସୃଷ୍ଟି ହୁଏ, ଯେଉଁଥିରେ ଖାଦ୍ୟ ଅଂଶ ଜମା ହୋଇ ରହିଯାଏ ଏବଂ ପରବର୍ତି ସମୟରେ ଦାନ୍ତମାଢ଼ିରୁ ରକ୍ତସ୍ରାବର କାରଣ ପାଲଟେ । ରକ୍ତ ସ୍ରାବ ହେଉଥିବା ସ୍ଥାନରେ ସଫା ଗଜ୍ କନାରେ କିଛି ସମୟ ଧିରେ ଚାପି ରଖନ୍ତୁ, ଏହି ପଦ୍ଧତିରେ ରକ୍ତସ୍ରାବ ବନ୍ଦ ହେବାର ସମ୍ଭାବନା ଥାଏ । ରକ୍ତସ୍ରାବ ବନ୍ଦ ପାଇଁ ତଥା ଫୁଲା କମାଇବା ସକାଶେ ଆଇସ୍‌ପ୍ୟାକ୍‌ର ବ୍ୟବହାର ବି କରାଯାଇପାରେ । ଭିଟାମିନ୍‌-ସି ଅଧିକ ଥିବା ଖାଦ୍ୟ ଯଥା ଲେମ୍ବୁ, କମଳା, ବ୍ରକୋଲି, ଟମାଟୋ, କ୍ୟାପ୍‌ସିକମ୍ ଓ ଷ୍ଟ୍ରବେରୀ ଏବଂ ଭିଟାମିନ୍‌-କେ ଥିବା ଖାଦ୍ୟ ଯଥା କୋବି, ପାଳଙ୍ଗ, ଡାଳିମ୍ବ, ସୋୟାବିନ୍ ଓ ଅଲିଭ୍ ତେଲ ଇତ୍ୟାଦି ସେବନ କରନ୍ତୁ । ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦାନ୍ତରେ ମଇଳା ଥିବାର ଜଣା ପଡ଼ୁ ନ ପଡ଼ୁ, ପ୍ରତି ବର୍ଷ ଥରେ ଜଣେ ଦନ୍ତ ଚିକିତ୍ସିକଙ୍କ ପାଖରେ ନିଜର ଦାନ୍ତ ସଫା କରାଇ ନିଅନ୍ତୁ ଓ ନିଜର ଓରାଲ୍ କ୍ୟାଭିଟି (ମୁଖଗହ୍ୱର) ଚେକ୍‌ଅପ୍ କରାଇ ନିଅନ୍ତୁ । ଦାନ୍ତମାଢ଼ିରୁ ରକ୍ତ ବାହାରିବା ଅର୍ଥ କେବଳ ଏହା ଗୋଟେ ଦାନ୍ତ ରୋଗ ନୁହେଁ ଏବଂ ଏହା ଅନ୍ୟ ରୋଗର ସଙ୍କେତ ମଧ୍ୟ ହୋଇପାରେ । ତେଣୁ ଯଦି ଦାନ୍ତମାଢ଼ିରୁ ରକ୍ତ ବାହାରୁଛି, ତେବେ ଅବହେଳା ନ କରି ତୁରନ୍ତ ଜଣେ ଅଭିଜ୍ଞ ଦନ୍ତ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । କାରଣକୁ ଅନୁଶୀଳନ କରି ସେ ତାହାର ଚିକିତ୍ସା ନିର୍ଦ୍ଧାରଣ କରିଥାନ୍ତି ।