
କେଦାର ମିଶ୍ର
ବିନୋଦିନୀ ନିବାସ ,୨୬୫/୧୭୩୬ ଏ , ଶାସ୍ତ୍ରୀ ନଗର, ୟୁନିଟ୍-୪
ଭୁବନେଶ୍ୱର-୧
ଯାହା କହି ହେଲାନି, ତାକୁ ମେଘ କରି ଉଡେଇ ଦେଲି ଆକାଶରେ ।
ମେଘରେ ଦେଖ, ଲାଖିଛି ଟୋପାଏ ବୋଲି ମୋର ରକତ
ମେଘରେ ହିରା ପରି ଉଜ୍ଜଳ ଟୋପେ ଲୁହ
ଖୁଦ କଣା, ଦରଲେଖା ଚିଠି ଓ ଅଧ ପାଶୋରା ଦୁଃଖ
ମେଘରେ ଭାସି ଯାଉଚି ଧଳା କାଗଜ ଡଂଗା ର ବିତି ଯାଇଥିବା
ଜୋଛନା ଧଉଳା ରାତି
ମେଘକୁ ଦେଖି, ତମେ ମନେ ପକେଇବ କେବେ ଦିନେ
ଆମର ପୃଥିବୀଟିଏ ଥିଲା ଏମିତି ।
ମୋର ପରାସ୍ତ ଭାଗ୍ୟର ପୀଡା ଏଇ ଟାଂଗରା ପାହାଡ ପରି
ଖାଲି ଦୂର ଦୂର ଯାଏଁ ପଥର ଓ ଶୂନ୍ୟ ପବନ
ଖାଲି ଦୀର୍ଘଶ୍ବାସ ଓ ତତଲା ହୁତାଶ ର ଯୌବନ
ସେଠୁ ମୁଁ ତମ ଲାଗି ଫୁଲ ତୋଳିବାର କଳ୍ପନା କରୁଛି
ସେଠୁ ମୁଁ ତମ ଲାଗି ପାପୁଲିରେ ଆଂକୁଛି ଗୋଟେ ଚିତ୍ରନଦୀ ।

ଭଲ ପାଇବା ର ଠିକଣା ଆଗରେ ଘର କରିଛି ଯନ୍ତ୍ରଣା
ତାକୁ ତମକୁ ଦେଖେଇ ପାରିବି ନାହିଁ
ଗଣି ପାରିବି ନାହିଁ ପଥର ଉପରେ ପବନର ନିଷ୍ଠୁର ଢେଉ ମାନଂକୁ
ଭଲ ପାଉଛି ବୋଲି ଗୀତ ହୋଇ ଯାଇ ପାରିବିନି ସୀମାନ୍ତକୁ, ଯୁଦ୍ଧ କ୍ଷେତ୍ରକୁ ।
ମୋତେ ବି ବେଳେ ବେଳେ ଭଲ ଲାଗେ ଅଭିଶାପ
ତମଠୁ ଦିନେ ଦିନେ ବେଶୀ ସୁନ୍ଦର ଲାଗେ ମୋର ଯନ୍ତ୍ରଣା ର ପ୍ରତିମା
ମୁଁ ସେଇଠି ବାଟବଣା ହୁଏ ପ୍ରେମରେ
ତମକୁ ଭଲ ପାଉ ପାଉ ଏବେ ଦେଖ ମୁଁ ଅଣ ମୌସୁମୀର ମେଘ
ଚିଠି ଆଉ ଲୁହ ନେଇ ଗର୍ଜୁଛି ଧଳା ରକ୍ତର ଆକାଶରେ !!!!