ଡା. ଚନ୍ଦ୍ରମୌଳି ମିତ୍ର
କନସଲଟାଣ୍ଟ୍‌, ନ୍ୟୁରୋସର୍ଜନ
କଳିଙ୍ଗ ହସ୍‌ପିଟାଲ୍‌
ଭୁବନେଶ୍ୱର

ନରହରିବାବୁ ସ୍କୁଟରଟି ରଖିଲେ ପାନ ଦୋକାନ ଆଗରେ । ଦୋକାନ ଆଗରେ ଠିଆ ହୋଇଥିବା ଧୋତି ପଞ୍ଜାବୀପିନ୍ଧା ଦରଚନ୍ଦା ପେଟୁଆ ଲୋକଟି ପାନ ଚୋବାଉ ଚୋବାଉ ହସ ହସ ମୁହଁରେ ହଠାତ୍ କହି ଉଠିଲେ, “ଆଜ୍ଞା ନମସ୍କାର, ବହୁ ଦିନ ପରେ ଦେଖା, ଭଲ ଅଛନ୍ତି?” ନରହରିବାବୁ ଚିହ୍ନି ପାରିଲେନି ଲୋକଟିକୁ, ତଥାପି ଓଠ ଚଉଡ଼ା କରି ସ୍ମିତହାସ୍ୟର ଭଙ୍ଗୀ ଖେଳାଇ କହିଲେ, “ହଁ ସବୁ ଭଲ ଚାଲିଛି ସେମିତି ।” ଦୋକାନୀକୁ ତାଙ୍କ ପାନ ବ୍ରାଣ୍ଡ ଜଣାଇ ଲୋକଟି ଆଡ଼େ ଅନାଇ ପଚାରିଲେ, “ଆଉ ଖବର କ’ଣ?” ତାଙ୍କ କଥାରେ ଚିହ୍ନାଭାବ ସୃଷ୍ଟି କରିବା ପାଇଁ ଆଉ ପଦେ ଯୋଡ଼ି ପଚାରିଲେ, “ଏବେ ସେଇଠି ନା ଆଉ କୁଆଡ଼େ?” ଲୋକଟି ଗଦଗଦ ହୋଇ କହିଲେ, “ହଁ ଆଜ୍ଞା, କିରାଣୀଙ୍କ ଆଉ ବଦଳି ନାହିଁ । ସେଇ ବିଡିଏ ଅଫିସରେ ଅଛି ଏଯାଏଁ । ସେକ୍ସନ ଅଫିସର ହେଇଯାଇଛି । ଆଉ ଆପଣଙ୍କ କାମଟା ଭଲରେ ଭଲରେ ହେଇଗଲା ତ?” ନରହରିବାବୁ କେବେ ବିଡିଏ ଯାଇଥିଲେ, ଏ ମହାଶୟଙ୍କୁ କାହିଁକି ଦେଖିଥିଲେ, ତାଙ୍କର କି କାମ ଥିଲା ଭଲରେ ହୋଇଗଲା,ଏସବୁ ହଠାତ୍ ମନେପଡ଼ୁନଥିଲା । ଚଳେଇଦେବା ଭଳି କହିଲେ, “ହଁ ଭଗବାନଙ୍କ ଦୟାରୁ କିଛି ଅସୁବିଧା ହେଇନି । ଭଲରେ ଭଲରେ ହେଇଗଲା ।” ଚିହ୍ନାଭାବର ମୋହର ମାରି ପଚାରିଲେ, “ପୁଅ କେମିତି ଅଛି?” ଲୋକ ଜଣକ କୃତକୃତ୍ୟ ହୋଇଗଲା ଭଳି କହିଲେ “ଆଜ୍ଞା ଆପଣ ସେଦିନର କଥା ଏବେ ବି ମନେ ରଖିଛନ୍ତି! ସତରେ ସେତେବେଳେ କମ୍ ଚିନ୍ତାରେ ମୁଁ ନଥିଲି ପୁଅ ପାଇଁ । ଭଗବାନଙ୍କ କି ଅଦ୍ଭୂତ ଯୋଗାଯୋଗ । ଆପଣ ଘର ପ୍ଲାନ୍ ଆପ୍ରୁଭାଲ୍ ପାଇଁ ନ ଆସନ୍ତି, ମୋର ଆପଣଙ୍କ ସଙ୍ଗେ ପରିଚୟ ନ ହୁଏ । ଆପଣଙ୍କ ଚିକିତ୍ସାରେ ପୁଅ ମୋର ପୂରା ଭଲ ହେଇଗଲା । ସେ ଏବେ ବାଙ୍ଗାଲୋରରେ ଇଞ୍ଜିନିୟର ଅଛି ।” ନରହରିବାବୁଙ୍କର ଧୂଆଁଳିଆ ମନେପଡ଼ିଲା, ଆଜକୁ ପ୍ରାୟ ବାର ବର୍ଷ ପୂର୍ବେ ଘର ତିଆରି ପ୍ଲାନ ଆପ୍ରୁଭାଲ୍ ପାଇଁ ବିଡିଏ ଅଫିସ୍ ଯାଇଥିଲେ । କିନ୍ତୁ ଏ ମହାଶୟଙ୍କ ମୁହଁଟା ମନେପକାଇ ପାରିଲେନି । ତଥାପି ପୁଅ ଖବରଟା ଶୁଣି ଭାରି ଖୁସି ଲାଗିଲା । ସବୁ ମନେଥିବା ଭାବ ସୃଷ୍ଟି କରି ସେ ପୁଣି ଫାଙ୍କା ଗୁଳି ଚାଳନା କଲେ, “ଆଉ ଆପଣଙ୍କ ଝିଅର ଖବର କ’ଣ?”
ଲୋକଟି ପୁଣି ଆନନ୍ଦରେ ବିହ୍ୱଳ ହେଇ କହିଲେ, “ସତରେ ଆଜ୍ଞା ଆପଣଙ୍କ ସ୍ମୃତିଶକ୍ତିକୁ ମାନିବାକୁ ପଡ଼ିବ । ଏତେ ବଡ଼ ଡାକ୍ତର ହେଇ ବି ଏତେ ଦିନ ପୂର୍ବର ଆମ କଥା ସବୁ ମନେ ରଖିଛନ୍ତି । ସତରେ ସେ ଦିନ ଆପଣଙ୍କ କଥା ମାନି ଝିଅକୁ ବିଏସ୍‌ସି ନର୍ସିଂ ପଢ଼ାଇଥିଲି ବୋଲି ସେ ଏବେ ବାଲେଶ୍ୱର ନର୍ସିଂ ସ୍କୁଲରେ ଲେକଚରର ଅଛି । ବାହା ହେଇ ବହୁତ ଭଲରେ ଅଛି ।” ନରହରିବାବୁଙ୍କର କିଛି ମନେ ନଥିଲେ ବି ଭାରି ଖୁସି ଲାଗିଥିଲା ଝିଅଟିର ଖବର ଶୁଣି ।
ପାନ ବରାଦ କଥା ମନେ ପଡ଼ିଯିବାରୁ ନରହରିବାବୁ ପକେଟରୁ ପଇସା ବାହାର କରୁ କରୁ ସେ ବ୍ୟକ୍ତି ଜଣକ ଉପରେ ପଡ଼ି ପଇସା ଦେବା ପାଇଁ ଉଦ୍ୟତ ହେଲେ । ନରହରିବାବୁ ତାଙ୍କୁ ମନା କରି ନିଜେ ପଇସା ଦେଇ ପାନ ଖଣ୍ଡେ ପାଟିରେ ଜାକିଲେ । ଆଜିକାଲି ବୟସ ବଢ଼ିବା ସାଙ୍ଗକୁ ଅନେକ ଜିନିଷ ମନେ ପଡ଼ୁନାହିଁ ହଠାତ୍ । କେତେବେଳେ ପୁଣି ଧଡ୍ କରି ମନେପଡ଼ିଯାଉଛି ସବୁକିଛି । ସ୍ମୃତି ବିସ୍ମୃତିର ଏହି ଦୋ’ଛକି ରାସ୍ତାରେ ଠିଆ ହୋଇ ପାନଟା ଚୋବାଉ ଚୋବାଉ ହଠାତ୍ ତାଙ୍କର ମନେ ପଡ଼ିଗଲା ସେହି ଲୋକଟି ବିଷୟରେ । ଘର ପ୍ଲାନ୍ ଆପ୍ରୁଭ କରିବାକୁ ବିଡିଏ ଯାଇଥିବାବେଳେ ଏହି ବ୍ୟକ୍ତି ଜଣକ ତାଙ୍କୁ ବୁଲେଇ ବଙ୍କେଇ ବହୁ କଥା କହି ଦୁଇ ହଜାର ଟଙ୍କା ଲାଂଚ ନେଇଥିଲା ଶୀଘ୍ର ପ୍ଲାନ୍‌ଟି ଆପ୍ରୁଭାଲ୍ କରିଦେବା ପାଇଁ । ଆହୁରି ବି ଠିଆ ଠିଆ ତା’ ପୁଅ ପାଇଁ ଅନ୍ଦାଜିଆ ପ୍ରେସ୍‌କ୍ରିପ୍‌ସନ ଲେଖେଇ ନେଇଥିଲା ଏବଂ ତା’ ଝିଅର କ୍ୟାରିୟର ବିଷୟରେ ପରାମର୍ଶ ନେଇଥିଲା । ତଥାପି ତାଙ୍କୁ ତିନି ଚାରି ଥର ଦଉଡ଼ାଇଥିଲା ପ୍ଲାନ ଆପ୍ରୁଭାଲ୍ ପାଇଁ ।


ନରହରିବାବୁ ଲୋକଟିକୁ ପୁଣି ଥରେ ଅନାଇଲେ ଭଲ ଭାବରେ । ଘର ତିଆରି ବେଳର ଦୁଃଖମୟ ଦିନ ସବୁ ତାଙ୍କ ଆଖି ଆଗରେ ଭାସି ଯାଉଥିଲା । ରାଜ୍ୟ ସରକାରଙ୍କ ସ୍ୱଳ୍ପ ବେତନ… ସଚ୍ଚୋଟ ହେବାର ଆର୍ଥିକ ଦୁରାବସ୍ଥା… ବାଧ୍ୟ ହୋଇ ପ୍ରାଇଭେଟ୍ ପ୍ରାକ୍ଟିସ୍‌… ସସପେନସନ୍‌… ଧାଁ ଦଉଡ଼… ସେ ଆଗକୁ ଆଉ ଭାବି ପାରିଲେ ନାହିଁ, ମୁଣ୍ଡ ଜାମ୍ ହେଇଯାଉଥିଲା । ସେ ଦିନଗୁଡ଼ିକୁ ସେ ନିଜ ସ୍ମୃତିରୁ ସବୁଦିନ ପାଇଁ ଲିଭାଇ ଦେବାକୁ ଚାହୁଁଥିଲେ । ଭୁଲି ବି ଯାଇଥିଲେ ପ୍ରାୟ, କିନ୍ତୁ ସବୁ ସ୍ମୃତି ଯେମିତି ହଠାତ୍ ଚାଙ୍ଗା ହୋଇଗଲା… ଦୁଃଖ ଆନନ୍ଦରେ ଭରା ସେସବୁ ଅଭୁଲା ସ୍ମୃତିଗୁଡ଼ିକ ।
ହଠାତ୍ ସେ ଟିକେ ଭାବୁକ ହୋଇଗଲେ । ଭାବିଲେ, ଜୀବନର ସୁଖ ଦୁଃଖ ସ୍ମୃତି ସବୁ ମନେ ରହିବାଟା ଭଲ ନା ଖରାପ… କଳ୍ପନା ସହିତ ତାଙ୍କର ବ୍ୟର୍ଥ ପ୍ରେମର ଗାଥା ଏ ବୟସରେ ମନେରହିବା ଉଚିତ କି ନୁହେଁ… ଡାଇଭୋର୍ସ ହୋଇ ନିଜ ପାଖରେ ରହୁଥିବା ଅଲିଅଳି ଝିଅ ସ୍ୱପ୍ନାର ମାନସିକ ଯନ୍ତ୍ରଣାର ଅଧ୍ୟାୟ ସ୍ମୃତିପଟରେ ଉଜ୍ଜୀବିତ ହେଇ ରହିବା ଉଚିତ କି ନୁହେଁ? ପାନଟିକୁ ଟିକେ ଜୋର୍‌ରେ ଚୋବାଇ ତା’ ରସ ଆସ୍ୱାଦନ କରୁ କରୁ ସେ ଭାବୁଥିଲେ ମନ ଭିତରେ ଆଲଜାଇମର୍ ଆପ୍ ଟିଏ ରହିବା ଉଚିତ । କିନ୍ତୁ ସେ ଆପ୍ ର ଫିଚର କ’ଣ କ’ଣ ହେବା ଦରକାର ତାହା ସ୍ଥିର କରିବାକୁ ପଡ଼ିବ । ଏହି ଚିନ୍ତା କରୁ କରୁ ସେ କେତେବେଳେ ସ୍କୁଟରଟି ଷ୍ଟାର୍ଟ କରି ନିଜକୁ ହଜାଇ ଦେଇଥିôଲେ ଗହଳି ରାସ୍ତା ମଧ୍ୟରେ ଘର ଅଭିମୁଖେ ।