ପବିତ୍ର ମୋହନ ଦାଶ
ଇଂରାଜୀ ବିଭାଗ
ଶାସ୍ତ୍ରୀ ସ୍ମୃତି ଡିଗ୍ରୀ ମହାବିଦ୍ୟାଳୟ
ବାଲିପୁଟ, ପୁରୀ – ୭୫୨୦୪୫

 

ବୃକ୍ଷର ମୂଳେ ଯେହ୍ନେ ଆସି
ପଥୁକୀ ବିଶ୍ରାମନ୍ତି ବସି
ପୁଣି ଚଳନ୍ତି ଶ୍ରମ ସାରି,
ସେ ବୃକ୍ଷ ନୁହଁଇ କାହାରି ।
(ଜଗନ୍ନାଥ ଦାସ, ଭାଗବତ ଦଶମ ସ୍କନ୍ଧ, ପଂଚମ ଅଧ୍ୟାୟ)

ପଥିକେ!
ମୁଁ ବି ତମରି ପରି ଜଣେ
ବିଶ୍ରାମ ବାହାନାରେ
ବୃକ୍ଷ ତଳେ ଲଗାଇଛି ଗହଳ ଚହଳ
ମତେ କ୍ଷମା କର,
ଅନୁଭବି ନାହିଁ
ମୁଁ ବି ଖାଲି ମୁଖସ୍ଥ କରିଛି ତମ ପରି
“ଏ ବୃକ୍ଷ ନୁହଇ କାହାର” ।
ଯଥେଷ୍ଟ ଛାଇର ସ୍ନେହ
କ୍ଳାନ୍ତି ମେଂଟାଇ
ଆମେ ଏଠୁ ଉଠିଯିବା କଥା ।
କଦବା କେମିତି
ଫୁଲ ଫୁଟିଥିଲେ, ଚହଟୁଥିଲେ ବାସ
ବା ଝଡ଼ିପଡ଼ିଲେ ପକ୍ୱ ଫଳ
ନାସା, ରଚନା ତୃପ୍ତ କରି
ଧନ୍ୟ ହୋଇ, ବିଭୋର ହୋଇ
ବୃକ୍ଷ ପ୍ରତି କୃତଜ୍ଞତା
ପ୍ରକଟ କରିବା କଥା ଆମର ।

ପଥିକେ! ଦେଖିଲଣି,
ଲମ୍ବା ହାତଗୋଡ଼ ଆମ ଲୋଭର?
ବିଶ୍ରାମ ବଦଳେ ବୃକ୍ଷ ଆରୋହଣ ପାଇଁ
ପ୍ରତିଯୋଗିତା ବଢ଼ିଚାଲିଚି ଆମର ।
କିଏ ଛିଣ୍ଡାଇନେଲାଣି କଷି କଢ଼
କିଏ ଭାଙ୍ଗି ପକାଇଲାଣି ଡାଳ ।

ଶାଖା ନଇଁ ଆସୁ
ଏଥିକୁ ପ୍ରାର୍ଥନା ନାହିଁ
ଅପେକ୍ଷା ନାହିଁ,
ଫଳ ଖୋଜି ଖୋଜି
କିଏ ପହଂଚିଗଲାଣି ଶୀର୍ଷରେ
ଝଡ଼ାଇଦେଇ ଗୋଟି ଗୋଟି
ପତ୍ର ସୁକୁମାର ।

ମୁଁ ବି କିଛି କମ୍ ନୁହେଁ ପଥିକେ!
ବୃକ୍ଷ ଥୁଂଟା ହେଲାବେଳକୁ
ଆରୋହଣ ଆରମ୍ଭିଛି
ପତ୍ରହୀନ ଶାଖାରେ ବସି
ବଜାଇବି ବଂଶୀ
ବିନା ଉଦ୍ଦେଶ୍ୟରେ ।