
ପବିତ୍ର କୁମାର ଗୌଡ଼
ପ୍ଲଟ ନଂ – ବି-୧୮୯, ଶ୍ରୀଜଗନ୍ନାଥ ବିହାର
ଲେନ୍-୭, ବରମୁଣ୍ଡା
ଭୁବନେଶ୍ୱର-୭୫୧୦୦୩
ଗେଟ୍ ପାଖରେ ପହଂଚି କଲିଂବେଲ୍ ଟିପିଲେ ସନ୍ଦୀପବାବୁ । ପତ୍ନୀ ଅନୀତା କବାଟ ଖୋଲିଲେ । ବ୍ୟାଗ୍ ଥୋଉ ଥୋଉ ପଚାରିଲେ ସନ୍ଦୀପ – ‘ପୁପୁ ନାହିଁ କି?’ ‘ଆର ଘରେ ଶୋଇଚି’ କହିଦେଇ ରୋଷେଇଘରକୁ ଗଲେ ଅନୀତା । କଥାଟା ଅସହଜ ଲାଗିଲା ସନ୍ଦୀପଙ୍କୁ । ଶୋଇଚି? ଛ’ଟା ବାଜିବାକୁ ଦଶ ମିନିଟ୍ ଅଛି । ଇଏ ତ ଶୋଇବା ସମୟ ନୁହେଁ । ଏମିତିଆ ସଞ୍ଜବେଳେ କେବେ ଶୁଏନି ପୁପୁ । କଲେଜରୁ ଫେରି ଛାତ ଉପରେ ଟିକିଏ ଟହଲେ । ସଞ୍ଜବେଳକୁ ପଢ଼ାପଢ଼ିରେ ବସିଯାଏ । ନ ହେଲେ ଟିଭି ଦେଖେ । ଖେଳବୁଲରେ ତା’ର ଆଗ୍ରହ ନାହିଁ । ସ୍କୁଲ ହେଉ କିମ୍ବା ଟ୍ୟୁସନ; ଛୁଟି ହେବା ମାତ୍ରେ ସିଧା ଘରକୁ ଫେରେ । ଅନ୍ୟ ପିଲାଙ୍କ ଭଳି ବାଟ ଘାଟ କି ପାର୍କରେ ଗୁଲିଖଟି କରେନି । ତା’ର ଏ ଅଭ୍ୟାସକୁ ଭଲପାଆନ୍ତି ସନ୍ଦୀପ । ଯା’ ହଉ ପିଲାଟା ତାଙ୍କର କୁସଙ୍ଗରେ ପଡ଼ିବାର ଆଶଙ୍କା ନାହିଁ ଅନ୍ତତଃ । ସବୁଦିନ ସନ୍ଦୀପ ଅଫିସରୁ ଫେରି ବେଲ୍ ମାରିବା ମାତ୍ରେ ଦଉଡ଼ିଆସି ସେ କବାଟ ଖୋଲେ । ହେଲେ ଆଜି ଶୋଇଚି! ଜର ଫର ହେଲା କି?
ବାଥରୁମରୁ ଧୁଆଧୁଇ ହେଇ ଆସିଲାବେଳକୁ ଚା’ କପେ ବଢ଼େଇଦେଲେ ଅନୀତା । ସେ ପୁପୁକୁ ଡାକିଲେ । ପୁପୁ ଆସି ପହଂଚିଲା । ସନ୍ଦୀପ ଦେଖିଲେ ତା’ ମୁହଁ ଶୁଖିଯାଇଛି । ‘ଦେହ ଭଲ ନାହିଁ କି ବାବୁ?’ ପୁପୁ ସନ୍ଦୀପଙ୍କ ପ୍ରଶ୍ନର ଉତର ନ ଦେଇ କହିଲା, ‘ବାପା ତମେ ମତେ ଭଲପାଅ ନାହିଁ?’ ସନ୍ଦୀପ ଆଶ୍ଚର୍ଯ୍ୟ ହେଲେ । ପୁପୁକୁ ଆଉଁସି ଦେଇ କହିଲେ, ‘ମୁଁ ତ ତତେ ଖୁବ୍ ଭଲପାଏ । ଖୁବ୍ ଶ୍ରଦ୍ଧା କରେ । ତୁ ପରା ମୋର ସୁନାପୁଅ ।’ ‘ତା’ହେଲେ ମୋ ପାଇଁ ବାଇକ୍ କିଣିଦେଉନ କାହିଁକି? ମୋର ଗୋଟେ ବାଇକ୍ ଦରକାର । ତମେ ଯେମିତି ହେଉ ମୋ ପାଇଁ କିଣିଦିଅ ।’ ଆଖି ଛଳଛଳ କରି କହିଲା ପୁପୁ । ସନ୍ଦୀପବାବୁ ଏବେ ବୁଝିଲେ ପୁପୁ କାହିଁକି ମୁହଁ ଶୁଖେଇ ବସିଛି । ପୁପୁର ଏ ଦାବି ପ୍ରତି ସନ୍ଦୀପବାବୁ ଗଲା ଦୁଇ ତିନି ବର୍ଷ ଧରି ପରିଚିତ । ପ୍ଲସ୍ ଟୁ ଦ୍ୱିତୀୟ ବର୍ଷରୁ ହିଁ ପୁପୁ ବାଇକଟିଏ କିଣିଦେବାକୁ ତାଙ୍କୁ କେତେ ଥର କହିଥିବ । ‘ପ୍ଲସ୍ ଥ୍ରୀ ବେଳକୁ ଆଣିଦେବି ।’ ଏଭଳି ନିର୍ଭର ପ୍ରତିଶ୍ରୁତି ଦେଇ ପୁପୁକୁ ବୁଝେଇ ଦେଇଥିଲେ ସନ୍ଦୀପ । ମାତ୍ର ୟା’ ଭିତରେ ପୁପୁର ପ୍ଲସ୍ ଥ୍ରୀ ସରିବାକୁ ବସିଲାଣି, ସେ ତାଙ୍କ କଥା ରଖି ପାରିନାହାନ୍ତି ।

ଆଜି ବାଇକ୍ କଥା ପୁଣି ମନେପଡ଼ିଯାଇଛି ପୁପୁର । ପୁପୁକୁ ସେ ବୁଝାଇଲେ, ‘ପୁପୁ ତୁ ଜାଣୁ ମୋ ଦରମା କମ୍ । ଦିନକୁ ଦିନ ଖର୍ଚ୍ଚ ବଢ଼ୁଛି । ଟଙ୍କାଏ ବଳୁନି । ଏଇନେ ଷାଠିଏ ହଜାର ଟଙ୍କା କୋଉଠୁ ଆଣିବି? ବଡ଼ ହେଲୁଣି, ଟିକେ ବୁଝିବାକୁ ଚେଷ୍ଟାକର ।’ ‘ଦେଖ ବାପା, ମୋର ସବୁ ସାଙ୍ଗ ବାଇକ୍ ନେଇକି କଲେଜ୍ ଆସୁଛନ୍ତି । ମୋର ଯେମିତି ହେଉ ବାଇକ୍ ଦରକାର । ପାଂଚଦିନ ଭିତରେ ଆଣିକି ନ ଦେଲେ ମୁଁ ଘରଛାଡ଼ି କୁଆଡ଼େ ପଳେଇବି । ତମେ ଯଦି ମତେ ସତରେ ଭଲପାଉଥାଅ ଆଉ ଚାହୁଁଥାଅ ମୁଁ ଏ ଘରେ ରହେ ବୋଲି, ଯେମିତି ହେଉ ଆଣିକି ଦବ ।’ ଏତକ କହିଦେଇ ତମତମ ହେଇ ପୁପୁ ସନ୍ଦୀପବାବୁଙ୍କ ସାମ୍ନାରୁ ଚାଲିଗଲା । ପରଦିନ ସକାଳୁ ଟଙ୍କା ଯୋଗାଡ଼ରେ ଲାଗିଗଲେ ସେ । ଅଫିସରୁ ଦୁଇ ମାସର ଆଡଭାନ୍ସ ଆଣିଲେ । ସାହିପଡ଼ିଶାଙ୍କଠାରୁ କିଛି ଧାର ଉଧାର ହେଲା । ଅନୀତା ପିନ୍ଧିଥିବା ସୁନା ଚେନଟା ବି ବିକ୍ରି ହେଲା । ପୁପୁ ଦେଇଥିବା ସମୟର ଶେଷ ଦିନରେ ପଡ଼ୁଥିଲା ତା’ର ଜନ୍ମଦିନ । ସନ୍ଦୀପବାବୁ ଖୁସିଥିଲେ ଯେ, କଷ୍ଟ ହେଉ ପଛେ, ପୁପୁର ବହୁ ଦିନର ଦାବି ପୂରଣ ହେବ । ଜନ୍ମଦିନରେ ପୁପୁ ତାଙ୍କଠୁ ଗୋଟେ ସୁନ୍ଦର ଉପହାର ବି ପାଇବ । ବାଇକ୍ କିଣାହେଇ ଆସିଲା । ସକାଳୁ ସକାଳୁ ପୁପୁ ହାତରେ ଚାବି ଧରେଇଦେଇ କିଛି କାମରେ ବାହାରକୁ ଚାଲିଗଲେ ସନ୍ଦୀପ । ଟାଇମ୍ ହୋଇଯାଇଥିବାରୁ ଘରକୁ ନ ଫେରି ସିଆଡ଼ୁ ସିଆଡ଼ୁ ସେ ଅଫିସ୍ ପଳେଇଲେ । ସଞ୍ଜକୁ ଫେରି ଦେଖିଲେ, ବାଇକ୍ ଯେମିତି ସେମିତି ଥୁଆ ହେଇଛି । ପୁପୁ କୁଆଡ଼େ ନେଇନି । ପୁଣି କ’ଣ ହେଲା? ପସନ୍ଦ ହେଲାନି କି? ସେ ପୁପୁକୁ ଡାକି ପଚାରିଲେ । ପୁପୁ ତାଙ୍କ ହାତରେ ବାଇକ୍ ଚାବି ଧରେଇଦେଇ କହିଲା – ‘ବାପା, କାଲିଠୁ ତମେ ଏଥିରେ ଅଫିସ୍ ଯିବ ।’ ସନ୍ଦୀପ ଆଶ୍ଚର୍ଯ୍ୟ ହେଇ ପଚାରିଲେ – ‘ତୁ ପରା କହୁଥିଲୁ ତୋର ବାଇକ୍ ନିହାତି ଦରକାର? ଏବେ ପୁଣି ଏକଥା କହୁଚୁ? କେତେ ଧନ୍ଦି ହେବାକୁ ପଡ଼ିଲା । ତଥାପି ମତେ ଖୁସି ଲାଗୁଚି । ଏଇଟା ତୋ ଜନ୍ମଦିନ ଭେଟି ।’ ପୁପୁ ତାଙ୍କ ଛାତିରେ ଆଉଜିପଡ଼ି କହିଲା, ‘ତମ ପାଇଁ ବାଇକ୍ କିଣିବାକୁ କହିଥିଲେ ତମେ କ’ଣ ସହଜରେ ରାଜି ହୋଇଥାନ୍ତ?’ ସେଥିପାଇଁ ମାମା ଓ ମୁଁ ଏ ପ୍ଲାନ୍ କରିଥିଲୁ । ବାପା, ତମର ବି ତ ଆଜି ଜନ୍ମଦିନ । ସତ କହିଲ, ଏଇକଥା ତମେ କେତେ ବର୍ଷ ହେଲା ଭୁଲିଯାଇଛ? ଏଇଟା ମାମା ଓ ମୋ ତରଫରୁ ତମ ପାଇଁ ଜନ୍ମଦିନର ଉପହାର । ବାପା, ଏଥିରୁ ଜଣାପଡ଼ୁଛି ତମେ ମତେ କେତେ ଭଲପାଅ । ଥରେ ନିଜକୁ ବି ଭଲପାଅ ବାପା ।’ ‘ତୋର ସବୁ ସାଙ୍ଗ ବାଇକ୍ ଚଢ଼ୁଛନ୍ତି । ତତେ ଏଟା ମାନିବ । ତୁ ନେଇକି ଯା’ । ମୋର ନ ହେଲେ ଚଳିବ ।’ ‘ତମ ଅଫିସ୍ର ବି ତ ସମସ୍ତେ ବାଇକ୍ ନେଇକି ଯାଉଛନ୍ତି ବାପା । ତମେ ଆଉ କେତେ ଦିନ ସାଇକେଲ୍ରେ ଯିବ? କାଲିଠୁ ତମେ ବି ବାଇକ୍ ନେଇକି ଯାଅ । ଆମ ସୁଖ ସୁବିଧା କଥା ଭାବି ତମେ ଖାଲି ପରିଶ୍ରମ କରିଚାଲିଚ । ଟିକିଏ ନିଜ ସୁଖ ସୁବିଧା କଥା ବି ଭାବ । ନିଜ ଦେହ କଥା ଚିନ୍ତା କର । ଟିକିଏ ବି ତ ସ୍ୱାର୍ଥପର ହୁଅ ବାପା ।’ ପୁପୁ କହିଲା । ଅତିଶୟ ଆନନ୍ଦରେ ପୁପୁ ମୁହଁକୁ ଚାହିଁଲେ ସନ୍ଦୀପ । ପୁଅ ତାଙ୍କର ୟା’ ଭିତରେ ଏତେ ବଡ଼ ହେଇଗଲାଣି? ଏତେ ସମଝଦାର ହେଇଗଲାଣି? ପୁପୁକୁ ନିଜ ଛାତିକୁ ଆଉଜେଇ ଆଣିଲେ ସନ୍ଦୀପ । ପାଖରେ ଠିଆହେଇ ଅଳ୍ପ ଅଳ୍ପ ହସୁଥିଲେ ଅନୀତା ।