ଡ. ସନ୍ଦୀପ ମହାପାତ୍ର
ଭୁବନେଶ୍ୱର

ଦଲକାଏ ମିଠା ବାସ୍ନା ପରି ହଷ୍ଟେଲ୍ ରୁମ୍ ଭିତରକୁ ପଶି ଆସିଲା ଶ୍ରୀ । ଗବେଷିକା ଶ୍ରମୟୀ ମିଶ୍ର । ହାତରେ ରଙ୍ଗର ଥାଳି । ପଛେ ପଛେ ବିଶ୍ୱବିଦ୍ୟାଳୟର ଆଉ କେତେ ଜଣ ପୁଅ ଝିଅ । ଖିଲି ଖିଲି ହସରେ ଫାଟି ପଡ଼ୁଥିଲା ହଷ୍ଟେଲ୍ ପରିବେଶ । ମୁଁ କିଛି ବୁଝିବା ଆଗରୁ ମୋ ମୁହଁରେ ରଂଗର ହାତ ବୋଳି ସାରିଥିଲା ଶ୍ରୀ । ଉତ୍ତେଜନାରେ ଥରୁଥିଲି ମୁଁ । ରାଗ ନ ଥିଲା ନିୟନ୍ତ୍ରଣରେ । କେତେବେଳେ ଶ୍ରୀ ଗାଲରେ ଶକ୍ତ ଥାପଡ଼ ଲଗେଇ ସାରିଥ୍‌ôଲି, ନିଜେ ବି ଜାଣେନି । ଶ୍ରୀର ଗୋଲାପି ଗାଲ ଦେଇ ଝରି ପଡ଼ୁଥିଲା ଟପ୍‌ଟପ୍ ଲୁହ ବୁନ୍ଦା । ବାହାରେ ମଜା ଦେଖୁଥିବା ପିଲାମାନେ ଏକଦମ୍ ନୀରବି ଯାଇଥିଲେ । ମୋ ମୁହଁରେ ରଂଗ ଲଗେଇ ମଜା ଦେଖିବାକୁ ଶ୍ରୀକୁ ମୋହରା ବନେଇ ନେଇ ଆସିଥିବା ପିଲାମାନେ ମୋ ରାଗ ଦେଖି ଫେରି ଯାଇଥିଲେ ଜଣ ଜଣ ହୋଇ । ଏକା ରହି ଯାଇଥିଲା ଶ୍ରୀ । ଥାପଡ଼୍ ମାରି ସମସ୍ତଙ୍କ ଆଗରେ ଅପମାନିତ କରିଥିବାରୁ କ୍ଷମା ମାଗିଥିଲି ଶ୍ରୀକୁ । ଓଲଟା ସିଏ ମତେ କ୍ଷମା ମାଗୁଥିଲା, ମୋ ଭାବନା, ମୋ ଆବେଗକୁ ନ ବୁଝି ମତେ ରଂଗ ଲଗେଇ ଥିବାରୁ । ଲୁହ ଧାର ଶୁଖି ଆସୁଥିଲା ଗାଲରେ । ହଷ୍ଟେଲ୍‌ର ସେଇ ଛୋଟିଆ ବେଡ଼୍‌ରେ ସେମିତି ବସି ରହିଥିଲା ଶ୍ରୀ । ଦୋଷୀ ଭଳି ଠିଆ ହୋଇଥିଲି ମୁଁ । ଅଗତ୍ୟା ମତେ ଦୀର୍ଘ ତେର ବର୍ଷର ରହସ୍ୟ ଖୋଲିବାକୁ ପଡ଼ିଥିଲା । ରଂଗଠୁ ଦୂରେଇ ଯିବାର ରହସ୍ୟ । ପ୍ରେମଠୁ ଦୂରେଇ ଯିବାର ରହସ୍ୟ ।
ହଁ, ମୋ ପାଇଁ ରଂଗର ନାଁ ଥିଲା ପ୍ରେମ । ଅନେକ ରଂଗ ନେଇ ଆଦ୍ୟ ଯୌବନରେ ମୋ ଜୀବନ ପରିଧିକୁ ପଶି ଆସିଥିଲା ଶ୍ରୀପଦା, କଲେଜ୍ ଜୀବନ ଆରମ୍ଭରେ । ସେତେବେଳେ ଅନେକ ରଂଗରେ ସଜେଇ ହୋଇ ଆସୁଥିଲା ବୋଲି । ଖାସ୍ ମୋ ହାତରୁ ହୋଲିର ପ୍ରଥମ ରଂଗ ହେବା ପାଇଁ ଆମ ଗାଁକୁ ଧାଇଁ ଆସୁଥିଲା ଶ୍ରୀପଦା । ଅବଶ୍ୟ ମୋ ଗାଁ ଥିଲା ଶ୍ରୀପଦାର ମାମୁଁଘର । ତେଣୁ ଅସୁବିଧା ନ ଥିଲା ତା’ ପାଇଁ । ମୋ ପ୍ରିୟ ରଂଗ ସବୁଜ ରଂଗର ଅବିର ଧରି ଆସୁଥିଲା ସେ । ମୁଁ ବି ତା’ ହାତରୁ ପ୍ରଥମ ରଂଗ ନେବାକୁ ଅପେକ୍ଷା କରୁଥିଲି । ନିରବରେ, ନିଶବ୍ଦରେ, ନିରୋଳାରେ, ଦୁହିଁଙ୍କ ମନରେ ଲାଗିଥିଲା ଗୋଲାପୀ ରଂଗର ପ୍ରେମ ଛିଟା । ହେଲେ, ପ୍ରେମର ରଂଗ ଗାଢ଼ ହେବା ବେଳକୁ ଆସିଥିଲା ବିବାହ ଋତୁ । ଆସିଥିଲା ବିବାହ ପ୍ରସ୍ତାବ ଶ୍ରୀପଦା ପାଇଁ । ବିବାହ ଦିନ ମୋ ଛାତିରେ ଲୋଟିପଡ଼ି କାନ୍ଦି କାନ୍ଦି ଶ୍ରୀପଦା କହୁଥିଲା, ତା’କୁ କୁଆଡ଼େ ନେଇ ଚାଲିଯିବା ପାଇଁ । ହେଲେ ଗ୍ରାଜୁଏସନ୍ ସରିବା ପୂର୍ବରୁ ଏତେ ବଡ଼ ନିଷ୍ପତ୍ତି ନେଇ ପାରୁ ନ ଥିଲି ମୁଁ । ମତେ ଛାତିରେ ଜଡ଼େଇ ଧରି କଇଁ କଇଁ କାନ୍ଦୁଥିଲା ଶ୍ରୀପଦା । ତା’ ଆଖିର ଲୁହ ଓ ଗାଲର ହଳଦୀ ମୋ ସାର୍ଟକୁ ରଂଗୀନ କରି ସାରିଥିଲେ । ହେଲେ ମୋ ମନର ସବୁ ରଂଗକୁ ଧୋଇ ନେଇ ଶ୍ରୀପଦା ଚାଲି ଯାଇଥିଲା ଆଉ ଜଣକ ହାତ ଧରି । ବାସ୍ , ସେବେଠୁ ଆଉ ରଂଗ ଖେଳିବାର ସାହସ କେବେ କରି ପାରିନି ମୁଁ ।


ମୋ କଥା ସରିବା ମାତ୍ରେ ଆଶ୍ଚର୍ଯ୍ୟଜନକ ଭାବେ ଉଠି ଠିଆ ହୋଇଥିଲା ଶ୍ରୀମୟୀ । ଆଖିରେ ଲୁହ ବଦଳରେ ଓଠରେ ଥିଲା ଦୁଷ୍ଟାମୀର ହସ । ରଂଗ ଥାଳିରୁ ଦୁଇ ମୁଠା ସବୁଜ ରଂଗ ନେଇ ମୋ ମୁହଁ ସାରା ପାଗେଳୀଙ୍କ ଭଳି ବୋଳି ଚାଲିଥିଲା ସେ । ଆଉ କହୁଥିଲା ରଂଗର ନାଁ ଯଦି ପ୍ରେମ ହୁଏ, ତମକୁ ରଂଗ କରିବାକୁ ମତେ କେହି ବି ଅଟକାଇ ପାରିବେନି । ଗୋଟେ ଥାପଡ଼୍ କ’ଣ, ତମଠୁ ଶହେ ଥାପଡ଼୍ ଖାଇଲେ ବି ମୁଁ ରଂଗ ବୋଳିବି ତମ ଦେହରେ ; ତମ ଦେହ ଭିଜି ମନରେ ରଂଗ ଲାଗିବା ପର୍ଯ୍ୟନ୍ତ । ଏଥର କିନ୍ତୁ ଥାପଡ଼୍ ମାରି ପାରୁ ନ ଥିଲି ଶ୍ରୀମୟୀକୁ । ଅବଶ ହାତ ଝୁଲି ରହିଥିଲା ସେମିତି । ରଂଗ ବୋଳି ବୋଳି ମତେ ଛାତିରେ ଜଡ଼େଇ ଧରିଥିଲା ଶ୍ରୀମୟୀ । ତା’ର ହୃଦୟ ସ୍ପନ୍ଦନକୁ ଅନୁଭବ କରୁଥିଲା ମୋର ଛାତି । ମନେ ପଡ଼ୁଥିଲା ରୋମାଂଟିକ୍ କବି ମାୟାଧର ମାନସିଂହ୍‌ଙ୍କର ସେଇ ଚର୍ଚ୍ଚିତ କବିତା – “ ପ୍ରେମ କି ଥରେ ଆସି … ଥରକେ ହୁଏ ଶେଷ ? ଜଣକୁ ଦେଲେ ସଁଅପି … ନ ରହେ ଅବଶେଷ ?” ହଠାତ୍ ଠକ୍ ଠକ୍ ଶବ୍ଦରେ ନିଦ ଭାଂଗିଗଲା ମୋର । ଚମକି ପଡ଼ି ଉଠି ପଡ଼ିଲି ବେଡ଼୍‌ରେ । ସକାଳୁ ସକାଳୁ ଇଏ କି ସ୍ୱପ୍ନ ଦେଖୁଛି ମୁଁ ? ଠକ୍ ଠକ୍ ଶବ୍ଦ ବଢ଼ୁଥିଲା କବାଟରେ । ଆଖି ମଳି ମଳି କବାଟ ଖୋଲି ଦେଲି ମୁଁ । ଆଗରେ ଠିଆ ହୋଇଥିଲା ଶ୍ରୀମୟୀ ମିଶ୍ର । ହାତରେ ରଂଗର ଥାଳି । ଇଏ କ’ଣ, ଆଉ ଗୋଟେ ସ୍ୱପ୍ନ କି ?